Bhubaneswar Buzz

#OdiaPost ଅକ୍ଷୟ ତୃତୀୟା ତିଥିରେ ପ୍ରାରମ୍ଭ କରନ୍ତୁ ଯେକୌଣସି କାର୍ଯ୍ୟ – ଶୁଭ ହିଁ ଶୁଭ

 

Pic courtesy: @nidhi_budha

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ  ମଧ୍ୟରେ ସବୁଠାରୁ ଶୁଭ ତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ । ଶୁଭଦିନ ମନେକରି ଏହିଦିନ ଅକ୍ଷିମୁଠି ଅନୁକୁଳ, ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମମାନ ଅନୁଷ୍ଠିତ ହୋଇଥାଏ ।

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେଉଥିବା ବେଳେ ରଥ ତିଆରି କାମ ମଧ୍ୟ ଆରମ୍ଭ ହୋଇଥାଏ । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ଵକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି ।  ଏହି ଦିନରେ ସଧବା ସ୍ତ୍ରୀମାନେ ଷଠିବୁଢ଼ୀ ପୂଜା କରନ୍ତି । ବଳଦେବ ଜିଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମ ଓ ରେବତୀଙ୍କ ବିବାହୋତ୍ସବ ଅନୁଷ୍ଠିତ ହୁଏ । ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ, ମା ଅନ୍ନପୂର୍ଣ୍ଣାଙ୍କ ଜୟନ୍ତୀ ଓ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ । ବହୁତ କମ ସମୟ ଖୋଲାଯାଉଥିବା ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି ।

ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ । ଏହି ଦିନକୁ ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି । ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଷ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ପୌରାଣିକ କାଳରେ ଅକ୍ଷୟତୃତୀୟାରୁ ତ୍ରେତୟା ଯୁଗ ଆରମ୍ଭ ହେଉଥିବା ବେଳେ ପାପ-ନାଶିନୀ ଗଙ୍ଗା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ ବୋଲି କିମ୍ବଦନ୍ତୀ କହେ । ଅକ୍ଷୟତୃତୀୟା ତିଥିରେ ଶ୍ରୀକୃଷ୍ଣ ବାଲ୍ୟ ବନ୍ଧୁ ସୁଦାମାଙ୍କୁ ଭେଟି ତାଙ୍କ ଦାରିଦ୍ର୍ୟର ଅନ୍ତ ଘଟାଇଥିଲେ । ଏଣୁ ଏହି ତିଥିକୁ ସମୃଦ୍ଧି ଓ ସୌଭାଗ୍ୟର ତିଥି ବୋଲି ବିଶ୍ୱାସ କରାଯାଏ । ଏହି ଦିନ ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂରିଦିଅନ୍ତି ବୋଲି ବିଶ୍ଵାସ ଅଛି ।

କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟ ମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣୀକୁ ଶଙ୍ଖ ହୁଳହୁଳି ଧ୍ୱନି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାନ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହି ଦିନ କୃଷକ ତା ଜମିରେ ବୀଜ ବପନ କରି ଭରପୁର ଅମଳର ଆଶା ରଖିଥାଏ ।

“ଅକ୍ଷୟ ତୃତୀୟା’ କୃଷକ ସମାଜ ପାଇଁ ଏକ ମହାନ ପର୍ବ । ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି । କୃଷି ଓ କୃଷକକୁ ଉପଯୁକ୍ତ ସମ୍ମାନ ଦେବା ତଥା  ସମସ୍ତ ଚାଷୀଭାଇମାନଙ୍କୁ ଉତ୍ସାହିତ କରିବା ହେଉଛି ‘କୃଷକ ଦିବସ’ ପାଳନର ମୂଳ ଉଦ୍ଦେଶ୍ୟ ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments