Bhubaneswar Buzz

ବାପାଙ୍କ ଚାପୁଡା : A nice Odia Blog by Prabir Kumar Sahoo

ସାଧାରଣତଃ ଶିକ୍ଷକ ମାନଙ୍କ ପରିବାରରେ ଶୃଙ୍ଖଳତାର ଭୂମିକା ବହୁତ ବେଶି ଥାଏ। ମୋ ବାପା ଜଣେ ସାଧାରଣ ଶିକ୍ଷକ ହେଲେ ମଧ୍ୟ ଆମ ଜୀବନର ଶୃଙ୍ଖଳା ଥିଲା ଅଲଗା ପ୍ରକାରର। ଅନ୍ୟ ପିଲାଙ୍କ ଅଭିଭାବକ ଭଳି, ଖାଇବା ବୁଲିବା ଖେଳିବାରେ ବାପା ଆମମାନଙ୍କୁ କେବେ ଆକଟ କରୁ ନଥିଲେ। ବାପା କିନ୍ତୁ ବୟସ ଅନୁସାରେ ଆମମାନଙ୍କ ଲକ୍ଷ୍ୟ ଧାର୍ଯ୍ୟ କରି ଦେଇଥିଲେ। ସିଏ ଆମକୁ ଶିଖଉଥିଲେ “ପାଠପଢ଼ାରେ ଯେମିତି କୌଣସି ଅବହେଳା ନହୁଏ। ମୋର ଜମିବାଡ଼ି କି ଧନସମ୍ପତ୍ତି କିଛି ନାହିଁ। ମୁଁ ତୁମ ମାନଙ୍କୁ ଭଲ ଶିକ୍ଷା ଛଡା ଆଉ କିଛି ଦେଇ ପାରିବିନି”। ଆମେ ଥିଲୁ ବାପା ମା’ଙ୍କର ଦୁଇପୁଅ। ଜେଜେମାକୁ ମିଶେଇ ଘରେ ମୋଟ ସଦସ୍ୟ ସଂଖ୍ୟା ପାଞ୍ଚ। ଆମେ ଦୁଇଭାଇ ଥିଲୁ ଜେଜେମାର ଅତି ପ୍ରିୟ। ବାପା କି ବୋଉ କୋଉ କଥାରେ ଗାଳିମନ୍ଦ କଲେ ସିଏ ହେଲା ଆମ ରକ୍ଷାକବଚ। ବୁଝେଇ ସୁଝେଇ ସବୁ କଥାକୁ ବାଁରେଇ ଦିଏ। ସାନ ବେଳୁ ହିଁ ମୁଁ ଭଲ ପଢୁଥିଲି। ଅଷ୍ଟମ ଶ୍ରେଣୀ ବେଳକୁ ବାପା ତାଙ୍କ ଚରମବାଣୀ ଶୁଣେଇଦେଲେ ଆଉ ବୋଉ ବି ମଝିରେ ମଝିରେ ମୋତେ ମନେ ପକେଇ ଦିଏ “ପୁଅ ଯାହା କରୁଛୁ କରେ, ହେଲେ ପାଠରେ ଜମା ହେଳା କରିବୁନୁ”।
ନବମଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳ ବାହାରିଲା ଆଉ ମୋ ରେଜଲ୍ଟ ବହୁତ ଖରାପ ଆସିଥାଏ। ମାର୍କଶିଟ ଟା ବାପାଙ୍କ ହାତକୁ ବଢ଼େଇ ଦେଇ ନିଜ ଅପରାଧବୋଧ କୁ କିଛିମାତ୍ରାରେ କମ କରିବା ପାଇଁ ମୁଣ୍ଡ ତଳକୁ କରି ଛିଡା ହେଇଥାଏ। ବାପା କିଛି ସମୟ ନମ୍ବର ସବୁ ଦେଖିଲା ପରେ ଗୋଟେ ଶକ୍ତ ଚାପୁଡ଼ା ପକେଇଲେ। ଢୋ କିନି ଶବ୍ଦଟିଏ ଶୁଣିକି ବୋଉ ରୋଷେଇ ଘରୁ ବାହାରି ଆସିଲା। ଠାକୁର ଘରୁ ଜେଜେମା ବାହାରି ମୋ ପାଖକୁ ଧାଇଁ ଆସିଲା ବେଳକୁ ବୋଉ ତା ହାତ ଧରି ରହିଯିବାକୁ ନିର୍ଦ୍ଦେଶ ଦେଲା। ମୁଁ ଅଲକ୍ଷ୍ୟରେ ଏସବୁ ଜାଣି ପାରୁଥାଏ। ତା ପରେ ବାପା କିଛିଦିନ ମୋ ସହ କଥାବାର୍ତ୍ତା ବି ବନ୍ଦ କରିଦେଲେ। ସବୁକଥା ବୁଝିବା ସାମର୍ଥ୍ୟ ଯଦିଓ ମୋର ନଥିଲା ତଥାପି ବାପାଙ୍କ ଦୁଃଖ ମୁଁ ବୁଝି ପାରୁଥାଏ। ମନ ଭିତରେ ପ୍ରବଳ ଆତ୍ମଗ୍ଲାନିର ଜ୍ବଳନ ମୁଁ ଅନୁଭବ କରୁଥାଏ। ବୋଉ ବୁଝେଇଲା “ଦେଖ ବାପା, ତୋ ମଙ୍ଗଳ ପାଇଁ ତୋ ବାପା ଦିନରାତି ଚିନ୍ତିତ। ତୁ ତୋ ବାପାଙ୍କ ମନକଥା ବୁଝିପାରିଲେ ତୋରି ଭବିଷ୍ୟତ ଉଜ୍ଜ୍ୱଳ ହେବ। ସିଏ କଣ କହିଲେ କି ରାଗିଲେ ସେଥିରେ ମନ ଦୁଃଖ କରିବା ଦରକାର ନାହିଁ। ତୁ ଲକ୍ଷ୍ୟ ସ୍ଥିର କର ଆଉ ପରିଶ୍ରମ କର ଭଗବାନ ତୋତେ ନିଶ୍ଚୟ ଭଲରେ ରଖିବେ”।
ସେଇଦିନୁ ଆରମ୍ଭ ହେଲା ମୋ ଜୀବନରେ ଆଉ ଗୋଟେ ଅଧ୍ୟାୟ। ଚିନ୍ତା ଚେତନା ଓ ଅବଚେତନରେ ବି କେବଳ ପାଠପଢା ଓ କ୍ୟାରିୟର ବିଷୟରେ ହିଁ ଚିନ୍ତା କରିବା ଆରମ୍ଭ କଲି। ଆଉ ପଛକୁ ବୁଲି ଚାହିଁବାକୁ ସମୟ ମିଳିନି। ମାଟ୍ରିକରେ ବହୁତ ଭଲ ନମ୍ବର ସହ ପାସ ହେଲି। ମୋ ମାଟ୍ରିକ ପରୀକ୍ଷା ପରେପରେ  ଜେଜେମାର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଲା। ଡାକ୍ତର ପାଖକୁ ଧାଇଁ ଧାଇଁ ବାପା ନୟାନ୍ତ ହେଲେ। ଗୁଡ଼ାଏ ଅର୍ଥ ବି ଖର୍ଚ୍ଚ ହେଲା। ଯାହା ସଞ୍ଚୟ ଥିଲା ବାପା ଗୋଟି ଗୋଟି କରି ସବୁ ଭାଙ୍ଗିଲେ। ସମୟକ୍ରମେ ଡାକ୍ତର ବି ଜେଜେମାର ଶେଷାବସ୍ଥା ବିଷୟ ବାପାଙ୍କୁ କହିଲେ। ବାପା ନିରାଶ ଓ ହତାଶ ହେଲେ। ଥରେ ବାପା ବୋଉକୁ କହିବା ଶୁଣିଥିଲି “ମୋ ପାଖରେ ଆଉ କିଛି ପଇସା ଥିଲେ ହୁଏତ ମା ଆଉ କିଛିଦିନ ବଞ୍ଚି ପାରିଥାନ୍ତା”। ବୋଉ ବି ତା ହାର କାଢି ବାପାଙ୍କ ହାତକୁ ବଢ଼େଇ ଦେଇଥିଲା ବାପାଙ୍କୁ, “ତମେ ବ୍ୟସ୍ତ ହୁଅନି ଏଇ ହାର ଟା ବିକିଦିଅ”। ବାପାଙ୍କ ସବୁ ଚେଷ୍ଟା ସତ୍ତ୍ୱେ ଜେଜେମା ଆର ପାରିକୁ ଚାଲିଗଲା। ଯିବା ପୂର୍ବରୁ ଜେଜେମା ମୋ ବୋଉ ହାତକୁ ତା କାଠ ଆଲମୀରା ଚାବି ବଢ଼େଇ ଦେଇ କହିଥିଲା ” ମୁଁ ମଲାପରେ ସେ ଆଲମୀରା ଖୋଲିବୁ। ବାପୁ ପପୁକୁ ପାଠ ପଢେଇ ମଣିଷ କରିବୁ। ମୋ ପୁଅ ମୋ ପାଇଁ ଦୁଃଖ କରୁଛି କିନ୍ତୁ ତୋ ପିଲାମାନେ ଯେମିତି ପଇସା ଅଭାବରେ ତୁମମାନଙ୍କ ପାଇଁ ଦୁଃଖ ନକରନ୍ତି ଧ୍ୟାନ ରଖିବୁ”।
ସେଇ ଆଲମୀରାରେ କଣ ଥିଲା ମୁଁ କେବେ ଜାଣିବାକୁ ସୁଯୋଗ ପାଇନି ହେଲେ ଜେଜେମା ଅନ୍ତେ ଘରେ ସେମିତି ଅର୍ଥାଭାବ ଜନିତ କିଛି ଅସୁବିଧା ଆସିନି। ଅବଶ୍ୟ ଏଥିପାଇଁ ବାପା ତାଙ୍କ ଭବିଷ୍ୟନିଧି ପାଣ୍ଠିରୁ କିଛି ଅର୍ଥନିକାଶ କରିଥିଲେ। ମୋର ଓ ସାନଭାଇର ପାଠପଢା କିମ୍ୱା ଅନ୍ୟାନ୍ୟ ଖର୍ଚ୍ଚ ବାପା ସୁଚାରୁ ରୁପେ ତୁଲାଇଥିଲେ। ଆଇଆଇଟିର ଏଣ୍ଟ୍ରାନ୍ସ ରେଜଲ୍ଟ ବାହାରିଲା। ମୋର ଭଲ ର‍୍ୟାଙ୍କ ରହିଲାପରେ ମୁଁ ବୋଉ କଥାର ମହତ୍ତ୍ୱ ଅନୁଭବ କରିପାରୁଥିଲି। ବୁଝିବା ବୟସ ବି ହେଇ ଯାଇଥିଲା। ଯଦିଓ ଅନେକ ପରିଶ୍ରମ କରିଥିଲି ହେଲେ ପ୍ରେରଣା ବାପାଙ୍କ ସେଇ ଚାପୁଡାରୁ ହିଁ ମିଳିଥିଲା।
ସେଦିନ ମୁଁ ବୋଉ ସହ ରୋଷେଇଘରେ ଥାଏ। ଢୋ କିନି ଶବ୍ଦ ଶୁଣି ଦୁହେଁ ବାହାରି ଆସିଲୁ। ବାପା ହାତରେ ପପୁର ମାର୍କଶୀଟ ଧରି ଚେୟାର ରେ ବସିଥାନ୍ତି ଆଉ ତାଙ୍କ ସାମ୍ନାରେ ପପୁ, ମୋ ସାନଭାଇ ମୁହଁ ତଳକୁ କରି ଛିଡା ହେଇଥାଏ। ମୁଁ କିଛି ପଚାରିବା ପୂର୍ବରୁ ବୋଉ ମୋ ହାତ ଧରି ମୋତେ ରୋଷେଇ ଘରକୁ ଟାଣିନେଲା। ବୋଉ କହିଲା “ମୁଁ କେବେ ତୋତେ ଯାହା ବୁଝେଇଥିଲି, ଯା ପପୁକୁ ବୁଝେଇ ଦେ। ତାକୁ ବି ଭଲମଣିଷଟିଏ ହେବା ରାସ୍ତା ବତେଇ ଦେ”। ମୁଁ ରୋଷେଇ ଘରୁ ବାହାରି ପପୁ ପାଖକୁ ଗଲାବେଳକୁ ମନେମନେ ମୁଁ ହସୁଥିଲି। ଭାବୁଥିଲି କେତେ ପିଲାଙ୍କ ଭବିଷ୍ୟତ ଗଢିଥିବା ବାପାଙ୍କ ହାତରେ ଆଜି ମୋ ଭାଇର ଭବିଷ୍ୟତ ଗଠନ ପ୍ରକ୍ରିୟା ଆରମ୍ଭ ହେଇଗଲା।
Author : Prabir Kumar Sahoo (Twitter : https://twitter.com/Odiapuo)

Comments

comments