Bhubaneswar Buzz

ଶ୍ରାଵଣ ଅମାଵାସ୍ୟା ପାଳନ, କେଉଁଠି କେମିତି… #OdiaPost

ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କର ମସ୍ତକରେ ଯେଉଁ  ଚିତାମାନ ‘ଉଲାଗି’ କରାଯାଇଥାଏ, ସେଗୁଡ଼ିକ ‘ଲାଗି’ କରିବା ହେଉଛି ଶ୍ରୀମନ୍ଦିରରେ ଏହି ଦିନର ଧାର୍ମିକ ପରମ୍ପରା । କେତେକ ଐତିହାସିକଙ୍କ ମତରେ ଏହା ତ୍ରୟୋଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ପ୍ରଚଳିତ ହେଉଛି । ପୁରୀ, ଗଞ୍ଜାମ, ନୟାଗଡ଼, ଅଵିଭକ୍ତ କଟକ ଓ ଢେଙ୍କାନାଳ ଆଦି ଅଞ୍ଚଳରେ ଏହା ଚିତଉ ଅମାଵାସ୍ଯା ଭାଵେ ଖ୍ୟାତ ।  ଏହି ଅଵସରରେ ଏଠାକାର ଘରେ ଘରେ ଚିତଉ ପିଠା ଓ କ୍ଷୀରି ହୋଇଥାଏ ଏଵଂ କୂଳଦେଵତାଙ୍କୁ ଅର୍ପଣ କରାଯାଏ ।  ଏହା ମଧ୍ଯ ଓଡ଼ିଶାର ଅନ୍ଯତମ କୃଷିଭିତ୍ତିକ ପର୍ଵ । କୃଷକମାନେ ଏହି ଦିନରେ ଭୂମି ପୂଜନ କରିଥାନ୍ତି । ଭୂମିକୁ ଅର୍ଘ୍ଯ ଦେଇ, ଚିତଉ ପିଠା ବିଲରେ ପୋତି ଆସନ୍ତି । ଲୋକ ଵିଶ୍ଵାସ ଅଛି ଯେ, ଏମନ୍ତ କଲେ ଅଧିକ ଅମଳ ହୁଏ ।

Chitalagi amavasya observation at Puri Jagannath temple

ବାଲେଶ୍ୱର ଓ କେଉଁଝରରେ ଏହି ଦିନ ‘ଗେଣ୍ଡାକଟା ଅମାଵାସ୍ଯା’ ପାଳିତ ହୋଇଥାଏ । ବର୍ଷାଦିନେ ବିଲରେ ଅସଂଖ୍ଯ ଗେଣ୍ଡା ଜନ୍ମ  ହୁଅନ୍ତି । ଏମାନଙ୍କଦ୍ଵାରା ଚାଷୀଙ୍କ ପାଦ କଟିଯିଵାର ଆଶଙ୍କା ଥାଏ । ତେଣୁ, ଗେଣ୍ଡାଙ୍କୁ ସନ୍ତୁଷ୍ଟ କରିଵାପାଇଁ ବିଲ ଗାଡ଼ିଆରେ ଚିତଉ ପିଠା ପକାଯାଏ । ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ ଗେଣ୍ଡେଇସୁଣୀ ପୂଜା କୁହାଯାଇଥାଏ । ଏହି ଅଵସରରେ ଚାଷୀ ଘରର ମହିଳାମାନେ ପିଠା ପକାଇ ଗୀତ ବୋଲନ୍ତି –

“ଗେଣ୍ଡେଇସୁଣୀ ଲୋ ଗେଣ୍ଡେଇସୁଣୀ,
ମୋ ବାପା-ଭାଇ ଗୋଡ଼ କାଟିଵନାହିଁ  ।

କେତେକ ଅଞ୍ଚଳରେ ଏହିଦିନ ସମୁଦ୍ରର ଜଳର ଅଧିଷ୍ଠିତ ଦେଵତା ଵରୁଣ ଦେଵଙ୍କ ନିମନ୍ତେ ଚିତଉ ପିଠା ଅର୍ପଣ କରାଯାଏ । ଆଗେ ଶ୍ରାଵଣ ଅମାଵାସ୍ଯାରେ ଵନ୍ଯାଭୟ ଅଧିକ ଥିଵାରୁ ଲୋକେ ଵରୁଣଦେଵଙ୍କୁ ସନ୍ତୁଷ୍ଟ କରିଵାପାଇଁ ପୂଜା କରୁଥିଲେ । ଶହ ଶହ ଵର୍ଷପରେ ଆଜି ସେହି ପୂଜା ସହ ଚିତଉ ଵା ଚିତାଲାଗି ଅମାଵାସ୍ଯାର ଅଭିନ୍ନ ସମ୍ପର୍କ ଯୋଡ଼ି ହୋଇଯାଇଛି ।

କୁଶଗ୍ରାହିଣୀ ଅମାଵାସ୍ଯା –

ଗୁଜରାଟରେ ଶ୍ରାଵଣ ମାସର ଅମାଵାସ୍ଯା ଦିନ ଭଗଵାନଙ୍କୁ କୁଶ ଅର୍ପଣ କରାଯାଏ । ଶାସ୍ତ୍ରରେ ଦଶପ୍ରକାରର କୁଶ ଅର୍ପଣ କଥା କୁହାଯାଇଛି ।

“କୁଶାଃ କାଶା ଯଵା ଦୂର୍ଵା ଉଶୀରାଚ୍ଛ ସକୁନ୍ଦକାଃ ।
ଗୋଘୂମା ବ୍ରାହ୍ମୟୋ ମୌନ୍ଜା ଦଶ ଦର୍ଭାଃସବଲ୍ଵଜାଃ ।।”

ଏହି ଦଶପ୍ରକାର କୁଶ ମଧ୍ୟରୁ ଯେଉଁ ଯେଉଁ ଘାସ ପ୍ରାପ୍ତ ହୁଏ ତାହା ଏହି ଦିନ ଅକ୍ଷତାଵସ୍ଥାରେ ଇଶ୍ଵରଙ୍କୁ ଅର୍ପଣ କରାଯାଇଥାଏ ।

ଦେଶର ଅନ୍ୟ ଭାଗରେ ଭିନ୍ନ ଭିନ୍ନ ଭାଵରେ ପାଳନ ହୋଇଥାଏ । ଯଥା-

ବୈଲପୋଳା ଅମାଵାସ୍ଯା—

ମହାରାଷ୍ଟ୍ରର ଵିଦର୍ଭ ଓ ତେଲେଙ୍ଗାନା ସୀମାନ୍ତ ଅଞ୍ଚଳରେ ଶ୍ରାଵଣ ଅମାଵାସ୍ଯା ଦିନ ବଳଦମାନଙ୍କର ଵିଶେଷ ପୂଜାର୍ଚ୍ଚନା କରାଯାଇଥାଏ, ଯାହାକୁ ସ୍ଥାନୀୟ ଅଧିଵାସୀ ପୋଳା ଵା ବୈଲପୋଳା ଅମାଵାସ୍ଯା କହିଥାନ୍ତି ।

ହରିୟାଲୀ ଅମାଵାସ୍ୟା –

ଛତିଶଗଡ, ମଧ୍ଯପ୍ରଦେଶ, ଗୁଜରାଟର ପୂର୍ଵଭାଗ, ଉତ୍ତରପ୍ରଦେଶ, ନେପାଳ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଶ୍ରାଵଣ ଅମାଵାସ୍ଯା ଦିନ ଅଶ୍ଵତ୍ଥ ଭଳି ପଵିତ୍ର ଵୃକ୍ଷ ପୂଜା ହୋଇଥାଏ ଯାହା ହରିୟାଲୀ ଅମାଵାସ୍ଯା ଭାଵେ ଜଣାଶୁଣା । ତେଲୁଗୁ ଅଞ୍ଚଳରେ ଏହିଦିନକୁ ଶ୍ରାଵଣ ବହୁଳ ଅମାଵାସ୍ଯା ନାମରେ ପାଳନ କରାଯାଏ ।

 

ଏଇ ପ୍ରସଂଗଟି ପସନ୍ଦ ଆସିଲା ? ଦୟାକରି ମତାମତ ଦିଅନ୍ତୁ ।

Comments

comments