Bhubaneswar Buzz

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

ଆର୍ଯ୍ୟମାନଙ୍କ ବହୁ ଆଗରୁ ଓଡ଼ିଶାର ଜନଜାତି ଓ ଆଦିମ ଅଧିବାସୀମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା । ସେମାନେ ଇଷ୍ଟଦେଵଦେଵୀଙ୍କୁ ପ୍ରଥମ ଉତ୍ପାଦିତ ଅନ୍ନ ଅର୍ପଣ କଲା ପରେ ଯାଇ ନିଜେ ଗ୍ରହଣ କରୁଥିଲେ । ସମୟ ସୁଅରେ ସେଇ ପରମ୍ପରା ଆଜିଯାଏଁ ଚଳିଆସି ଓଡ଼ିଶାରେ ନଵାନ୍ନ ପର୍ଵ ବୋଲାଉଛି ।

ନଵାନ୍ନ ବା ନୂଆ ଖାଇ ପର୍ଵ ପରି କେରଳର ଓଣମ, ଆସାମର ଭୋଗଲି ବିହୁ ପର୍ଵ ପାଳନ ହେଉଥିବାର ଦେଖାଯାଏ । ଆମ ଓଡ଼ିଶାର ବଲାଙ୍ଗିର, ବରଗଡ଼, ସମ୍ବଲପୁର, କଳାହାଣ୍ଡି ସମେତ ରାଜ୍ୟର ପଶ୍ଚିମାଳର ପ୍ରାୟ ବାରଟି ଜିଲ୍ଲାରେ ‘ନୂଆଖାଇ ପର୍ବ’ ବା ‘ନବାନ୍ନ’ ହେଉଛି ଏକ ପ୍ରମୁଖ ପର୍ବ । ନୂଆଖାଇକୁ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ସମ୍ବଲପୁରରେ ସମଲେଶ୍ବରୀ, ବଲାଙ୍ଗୀରରେ ପାଟଣେଶ୍ବରୀ, ସୋନପୁରର ସୁରେଶ୍ୱରୀ ଓ ଭବାନୀପାଟଣାର ମାଣିକେଶ୍ବରୀଙ୍କୁ ଇଷ୍ଟଦେଵୀ ରୂପେ ପୂଜା କରାଯାଇଥାଏ । ନିର୍ଦ୍ଧାରିତ ଲଗ୍ନରେ ଦେଵୀଙ୍କ ସମ୍ମୁଖରେ କୀଟ ଓ ପକ୍ଷୀଙ୍କ ସ୍ପର୍ଶ ପୂର୍ବରୁ ଉତ୍ପାଦିତ ହୋଇଥିବା ନୂଆ ଧାନ, ପୂଜାରେ ଭୋଗ ଲଗାଯାଏ ।
ନଵାନ୍ନ ଧାନ ପ୍ରସ୍ତୁତି –

ଶ୍ରାବଣ ମାସର ଶେଷ ବେଳକୁ ଖରିଫ ଧାନ ଚାଷ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଥାଏ । ଅକ୍ଷୟ ତୃତୀୟା ଓ ଶୀତଳଷଷ୍ଠୀ ସମୟରେ କରାଯାଇଥିବା ଧାନ ଚାଷର ପ୍ରଥମ ଶସ୍ୟ ନବାନ୍ନ ବେଳକୁ ଅମଳକ୍ଷମ ହୋଇଥାଏ । ଖରଡ଼ି ଚାଷ ମାଧ୍ୟମରେ ସୁରୁଆଁ କିସମର ଧାନ ବିହନ ଏଥିପାଇଁ ଚାଷୀମାନେ ଉପଯୋଗ କରିଥାନ୍ତି । ଭଳ ଜମିରେ ଚାଷୀମାନେ ନବାନ୍ନ ସକାଶେ ଏହି ଧାନ ଚାଷ କଲା ଉତ୍ତାରୁ ଖରିଫ ଫସଲର କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ସଜବାଜ –
ନୂଆଖାଇ ଦିନ ବଡ଼ି ଭୋରରୁ ଗାଁମାନଙ୍କରେ ପାରମ୍ପରିକ ଭାବେ ଏକ ନିର୍ଦ୍ଧିଷ୍ଟ ପରିବାର ନୂଆ ଧାନ ଗ୍ରାମବାସୀମାନଙ୍କୁ ପ୍ରଦାନ କରିଥାନ୍ତି । ଏପଟେ ଗୃହିଣୀମାନେ ମଧ୍ୟ ଘର ଲିପା ପୋଛା କରି ନୂଆଁଖାଇକୁ ସ୍ୱାଗତ କରିବାକୁ ଅନେଇ ବସନ୍ତି । ଘର ଲିପାପୋଛା କରି ନୂଆ ରଂଗ ଲଗାଇ ନୂଆଁଖାଇକୁ ସ୍ୱାଗତ କରନ୍ତି । ପୁଣି କିଏ ନୂଆଁଖାଇ ପାଇଁ ପତ୍ର ତୋଳିବାରେ ଲାଗି ଥିବାବେଳେ ଆଉ କିଏ ନୂଆଁ ଧାନ ସଂଗ୍ରହ କରିବାରେ ବ୍ୟସ୍ତ ରୁହନ୍ତି । ବିଶେଷ କରି ଗୃହିଣୀମାନେ ଘରକୁ ନୂଆ କରି ସଜାଡ଼ିବାରେ ଲାଗି ପଡ଼ନ୍ତି ।
ଇଷ୍ଟଙ୍କୁ ଅର୍ପଣ –

ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ ହୋଇଥିବା ଅମୃତବେଳା ବା ଶୁଭବେଳାରେ ନୂଆ ଧାନକୁ କ୍ଷୀର ସହ ମିଶାଇ ପୂଜା କରାଯାଏ । ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ବା ମହିଳା ଏହି ପ୍ରଥମ ଧାନରେ ତିଆରି ଭୋଗକୁ ପରିବାରର ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ଆରିସା ଓ ମଣ୍ଡାପିଠା ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ପତ୍ରଥାଳିଆରେ ଖାଇଥାନ୍ତି ।


ଭେଟଘାଟ –

ନୂଆ ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ଗ୍ରାମଦେବତୀଙ୍କ ପୀଠରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ପରସ୍ପର ମଧ୍ୟରେ ଥିବା ତିକ୍ତତା ଦୁରେଇ ଦେଉଥିବା ଏହି ପର୍ବରେ ନିଜଠାରୁ ବଡ଼ ଲୋକଙ୍କୁ ସମସ୍ତେ ତାଙ୍କର ଭକ୍ତି ପ୍ରଦର୍ଶନ କରିଥାନ୍ତି । ସମସ୍ତେ ମିଳିମିଶି ନୂଆ ପୋଷାକ ପିନ୍ଧିବା ସହ ମଉଜ ମଜଲିସରେ ଦିନଟି ଅତିବାହିତ କରନ୍ତି ।

ଖାଲି ଚାଷୀ ନୁହେଁ ନୂଆଁଖାଇ ପାଳିବାକୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଥାଏ ପ୍ରବଳ ଉତ୍ସାହ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି ।


ପାଳନ  –

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।

ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ଚତୁର୍ଥୀ ପରଦିନ ଅର୍ଥାତ ଋଷ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ପିତୃ ପୁରୁଷ ପିଣ୍ଡଦାନ ଶ୍ରାଦ୍ଧରେ ଏହି ନବାନ୍ନ ଦେବାର ବ୍ୟବସ୍ଥା ଅଛି ।

 

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments