Bhubaneswar Buzz

ପ୍ରେମର ଅନ୍ୟରୂପ : An Odia short story by Prabir Kumar Sahoo

Painting by Prabir Kumar Sahoo

ସାଧାରଣତଃ ମୁଁ ଶୀଘ୍ର ଉଠେ କିନ୍ତୁ ରବିବାର ସକାଳୁ ବୋଉର ଡାକ ନଶୁଣିଲା ଯାଏଁ ମୋ ନିଦ ଭାଙ୍ଗେନି। ଆଉ ବୋଉ, ମୋର ସବୁଦିନିଆ ଅଭ୍ୟାସକୁ ଖରାପ କରେନି ଯଦିଓ ଟିକେ ରିହାତି ଦେଇଦିଏ। ଛଅଟା ପୂର୍ବରୁ ଶଯ୍ୟା ତ୍ୟାଗ କରୁଥିବା ମୋ ଭଳିଆ ସାଧାରଣ କର୍ମଜୀବୀକୁ ଆଠଟା ପୂର୍ବରୁ ଉଠେଇଦିଏ। ସେଦିନ ବି ରବିବାର ଥାଏ। ଆଠଟା ବାଜିଲା ବେଳକୁ ବୋଉ ଆସି ଡାକ ପକେଇଲା। “ସୋନୁ, ଉଠେ ବାପା। ଦିନ ଆସି ଘଡ଼ିଏ ହେଲାଣି, ଆଉ କେତେ ଶୋଇବୁ। ଆଜି ତୋ ପସନ୍ଦର ମାଲପୁଆ ତିଆରି କରିଛି। ଜଲଦି ଜଲଦି ଫ୍ରେଶ ହେଇଯା। ତୋ ବାପା ବଜାର ଯାଇଛନ୍ତି। ହଁ ସେ ଗୋଲାପ ଗଛ ଗୁଡିକୁ ଟିକେ ପାଣି ଦେଇଦବୁ ତି। କାଲି ସନ୍ଧ୍ୟାରେ ଦେବି ବୋଲି ଭୁଲିଗଲି”। ଚାକିରୀ କଲା ଦିନରୁ ଶନିବାର ରାତିରେ ଡେରିରେ ଶୋଇବାରେ ମୁଁ ଏକପ୍ରକାର ଅଭ୍ୟସ୍ତ ହେଇ ଯାଇଥିଲି। ଆଉଟିକେ ଶୋଇବାକୁ ଇଚ୍ଛା ଥିଲେ ମଧ୍ୟ ଉଚିତ ବ୍ୟବଧାନରେ ଆମଘରେ ତିଆରି ହେଉଥିବା ବୋଉ ହାତର ମାଲପୁଆ କଥା ଶୁଣି ଉଠିପଡ଼ିଲି।
ପାଣିପାଇପ ଧରି ଘର ପଛପଟ ବଗିଚାରେ ପାଣି ଦେବାକୁ ଗଲି। ମୁଁ ରୋଷେଇଘର ଝରକା ଦେଇ ବୋଉକୁ ଦେଖି ପାରୁଥାଏ। ଆମ ଘରର ସାମ୍ନା କବାଟ ଦିନବେଳେ ପ୍ରାୟ ଖୋଲା ରହେ। ହଠାତ ଗୋଟିଏ ଝିଅ, ଆମଘରକୁ ପଶିଆସିଲା। ଆଖିରେ କଳା ସନଗ୍ଲାସ ଆଉ ମୁଣ୍ଡରେ ଖୋଲାହେଇଥିବା କେରା କେରା ନାଲି ବାଳ। ବୋଉକୁ ପଚାରିଲା। “ଆଣ୍ଟି ସନତ କାହିଁ”? ବୋଉ କିଛି ନକହି ମୋ ଆଡ଼କୁ ଦେଖେଇ ଦେଲା। ସେ ଝିଅଟି ଏବେ ସିଧା ମୋ ପାଖକୁ ଆସିଲା। ମୁଁ କିଛି କହିବା ପୂର୍ବରୁ ମୋ ହାତରୁ ପାଣି ପାଇପ ଟି ନେଇ ମୋ ଉପରେ କିଛି ପାଣି ଛିଞ୍ଚିଦେଲା। ମୁଁ ଆଶ୍ଚର୍ଯ୍ୟ ବି ହେଲି ଆଉ ବିରକ୍ତ ବି। ମୋ ଆଖିର ଜିଜ୍ଞାସା ସହ କ୍ରୋଧ ବି କିଛି ମାତ୍ରାରେ ବଢି ଚାଲିଥାଏ। ତାପରେ ସେ ଝିଅଟି କିଛି ଅଜବ କଲା। ପାଇପ୍ ଟିକୁ ତଳେ ପକେଇ ଦେଇ ମୋତେ ଭିଡ଼ିନେଲା ଓ ମୋ ଗାଲରେ ଚୁମାଟିଏ ଆଙ୍କିଦେଲା ଆଉ ମୁଠାଏ ସୁନାହସ ମେଲିଦେଲା। ଏବେ ମୋ ଆଖିର କ୍ରୋଧ ସବୁ ବିସ୍ମୟ ପାଲଟି ଯାଇଥାଏ। ମୁଁ ବୋଉକୁ ଚାହିଁଲି। ବୋଉ ରୋଷେଇଘରୁ ଏକଲୟରେ ଆମକୁ ଦେଖୁଥାଏ। ମୁଁ ମନେମନେ ଲଜ୍ଜା ଅନୁଭବ କରୁଥାଏ। ତଥାପି ସାହସ କରି ଝିଅଟିକୁ ପଚାରିଲି, “ତମେ କିଏ”? ମୋ ପାଟିରେ ଶବ୍ଦ ସବୁ ଖନି ମାରିଗଲା ଭଳିଆ ଅନୁଭବ ହେଉଥାଏ। ସେ କହିଲା “ଖୁବ ଶୀଘ୍ର ଜାଣିବ” ଓ ବୁଲିପଡ଼ି ଘରୁ ବାହାରିଗଲା। ବୋଉ ଦ୍ଵନ୍ଦରେ ମୋତେ ଚାହିଁଲା। ମୁଁ ସେ ଝିଅ ପଛେପଛେ ଦଉଡି ବାହାରକୁ ଆସି ଦେଖେତ, ସିଏ ସ୍କୁଟି ଧରି ଚାଲିଗଲାଣି। ବାହାରେ ବିସ୍ମିତ ହେଇ ଛିଡ଼ା ହେଇଥାଏ, ବାପା ମାର୍କେଟରୁ ଫେରିଲେ। ପଚାରିଲେ “କିରେ ଏଠି କାହିଁକି ଛିଡା ହେଇଛୁ, କିଏ ଆସିବାର ଅଛି ନା କଣ”? ପଛପଟୁ ବୋଉର କଥା ଶୁଣାଗଲା, “ଆସିକି ଚାଲିଗଲାଣି”!
ସନ୍ଧ୍ୟାରେ ମୁଁ  ବସି ଟିଭି ଦେଖୁଥାଏ। ବାପା ଆସି ବସିଲେ। ମୁଁ ତାଙ୍କ ହାତକୁ ରିମୋଟ ବଢ଼େଇ ଦେଇ ଉଠି ଯାଉଥାଏ। ବାପା କହିଲେ “କିରେ ସୋନୁ ସେ ଝିଅଟି କିଏ କିରେ”? ସ୍ବତପ୍ରବୃତ୍ତ ଭାବେ ମୋ ପାଟିରୁ ବାହାରିଗଲା “ମୁଁ ଜାଣିନି ବାପା”। ବାପା କହିଲେ “ହଉ ଆସନ୍ତା ଗୁରୁବାର ଅଫିସରୁ ଟିକେ ଶୀଘ୍ର ଫେରିବୁ, ତୋ ପାଇଁ ଝିଅ ଦେଖିବାକୁ ଯିବା”। “ହଁ ବାପା” କହି ମୁଁ ବାହାରକୁ ବାହାରି ଗଲି। ମନେ ମନେ ଭାବୁଥାଏ ସକାଳର ଘଟଣା ବୋଉ ନିଶ୍ଚୟ କହିଛି ବାପାଙ୍କୁ, ସେଥିପାଇଁ ଦୁହେଁ ବ୍ୟସ୍ତ ହେଇ ମୋ ପାଇଁ ଝିଅ ଦେଖା ବ୍ୟବସ୍ଥା କରିଛନ୍ତି। ମନେ ମନେ ମୁଁ ସେ ଝିଅକୁ ଖୋଜୁଥାଏ। ମିଳିଲେ ଟିକେ ସାବାଡ଼ କରନ୍ତି। ସୋମବାର ଠାରୁ ଗୁରୁବାର ଯାଏଁ ବ୍ୟସ୍ତତା ଭିତରେ ସମୟ କଟିଗଲା। ଯିବା ଆସିବା ରାସ୍ତାରେ ମୁଁ ସେଇ ଅଜଣା ଝିଅଟିକୁ ଖୋଜି ବୁଲୁଥାଏ। କାଳେ କୋଉଠି ଦେଖା ହେଇଯିବ। ତା ମୁଣ୍ଡର ସେ ଖୋଲା ନାଲିବାଳ ଓ ଆଖିରେ ଲଗେଇଥିବା ସନଗ୍ଲାସ ବାଲା ଚେହରା ମୋ ମନରୁ ଜମା ବି ଲିଭୁ ନଥାଏ।
ଗୁରୁବାର ଦିନ ସନ୍ଧ୍ୟା ପାଞ୍ଚଟା ବେଳକୁ ବାପାଙ୍କ ଫୋନ ଆସିଲା। ମୁଁ ଅଫିସରେ ଥାଏ। ବାପା କହିଲେ “ଆମେ ପ୍ରସ୍ତୁତ ହେଇ ସାରିଲୁଣି, ତୁ ଆସିଲେ ଯିବା। ସଅଳ ପଳେଇ ଆସେ, ସେପଟୁ ଦାସବାବୁଙ୍କ ଫୋନ ଆସିଥିଲା”। ମୁଁ ଶୀଘ୍ର କାମ ସବୁ ସାରିଦେଇ ବାହାରି ପଡ଼ିଲି। କାର ପାର୍କିଙ୍ଗ କଲାବେଳକୁ ବାପା ଧାଇଁଆସି କହିଲେ “ଟିକେ ଜଲଦି କରେ, ଫ୍ରେଶ ହେଇଯାଆ। ମୁଁ ମିଠା ନେଇ ଆସିଛି, ତୁ ବାହାରିଲେ ଆମେ ଯିବୁ”। ବାପାଙ୍କ କଥା ଅନୁସାରେ ମୁଁ ଦଶ ମିନିଟ ଭିତରେ ବାହାରି ପଡ଼ିଲି। ପାଖାପାଖି କୋଡିଏ ମିନିଟର ଡ୍ରାଇଭ ପରେ ଆମେ ଝିଅଘରେ ପହଞ୍ଚିଲୁ। ଘରଟି ବେଶି ବଡ଼ ନୁହଁ କିନ୍ତୁ ବେଶ ସୁସଜ୍ଜିତ। ବାହାର କାନ୍ଥ ଓ ପାଚେରୀ ଗୁଡିକରେ ଝୋଟି ଚିତା ଇତ୍ୟାଦି ଅଏଲପେଣ୍ଟ ଦ୍ୱାରା ଚିତ୍ରିତ ହେଇ ଘରଟି ବେଶ ମନୋରମ ଲାଗୁଥାଏ। ଘର ଭିତରର ଆସବାବପତ୍ର ଦେଖି ଲାଗିଲା ଆମ ପାଇଁ ସବୁ ସଜବାଜ ବୋଧେ କିନ୍ତୁ କାନ୍ଥରେ ଲାଗିଥିବା ପେଣ୍ଟିଙ୍ଗ ଓ ପୁରୁଣା ଫୋଟୋସବୁ ଦେଖି ସେ ସନ୍ଦେହ ବି ମୋର ଦୂର ହେଇଗଲା। ମାନେ ମୋଟ ଉପରେ ପ୍ରତି କୋଣରେ ଓଡ଼ିଆ ଛିଟା ଥିବା ଗୋଟିଏ ସମ୍ପୂର୍ଣ୍ଣ ଆଧୁନିକ ଘର କହିଲେ ଅତ୍ୟୁକ୍ତି ହେବନାହିଁ।
ଆମକୁ ସ୍ୱାଗତ କରାଗଲା। ଡ୍ରଇଂ ରୁମରେ ସମସ୍ତେ ବସିଲୁ। ଚା ପାନ ପରେ ତଥାକଥିତ ଝିଅଦେଖା ପର୍ବ ଆରମ୍ଭ ହେଲା। ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢଣୀ ଦେଇ ଝିଅଟି ଆସି ମୋ ସାମ୍ନା ସୋଫାରେ ବସିଲା। ତାକୁ ଦେଖୁ ଦେଖୁ ମୁଁ ଚମକି ପଡିଲି। ଇଏ ତ ସେଇ ଝିଅ ଯିଏ ପୂର୍ବ ରବିବାର ଦିନ ଆମଘରକୁ ଆସିଥିଲା। ଆଜିର ଚେହେରା ଆଉ ବେଶଭୂଷା କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ମୁଁ ଇତସ୍ତତଃ ହେଇ ବୋଉ କୁ ଚାହିଁଲି। ବୋଉ ମୋତେ ଆଖି ଦେଖେଇ ଇଶାରାରେ ପଚାରିଲା, “କଣ ହେଲା”? ମୁଁ ସ୍ଥିତି କୁ ସମ୍ଭାଳିବାକୁ ଯାଇ କହିଲି, “କିଛି ନାଇଁ”! ଏମିତି ସାମାନ୍ୟ କଥୋପକଥନ ପରେ ଆମ ଦୁହିଁଙ୍କୁ ଛାଡି ବାପା ବୋଉ ସମସ୍ତେ ଉଠି ସାମ୍ନା ଲନକୁ ଚାଲିଗଲେ। ଆମେ କିଛି ସମୟ ପରସ୍ପର ସହ କଥା ହେଉ ବୋଲି ସମସ୍ତେ ଚାହୁଁଥିଲେ। ମୁଁ ସଙ୍ଗେସଙ୍ଗେ ପୂର୍ବ ଘଟଣା ବିଷୟରେ ପଚାରି ବସିଲି, “ଅସଲ ରୂପ କୋଉଟା”? ସିଏ ସେଇ ସୁନାହସ ଟିକକ ମେଲିଦେଇ କହିଲା “ତମକୁ କୋଉଟା ପସନ୍ଦ ଆସିଲା”? ମୁଁ ଟିକେ ଭାବିକି କହିଲି “ଦୁଇଟା ଯାକ ମୋର ପସନ୍ଦ, ହେଲେ ଏସବୁ ର କାରଣ କଣ”? ସେ କହିଲା, “ଏଇଟା ମୋ ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା, ବହୁତ କଷ୍ଟରେ ମୁଁ ପୁରା କରିଛି। ବାକି ଏ ବିଷୟରେ ପରେ କହିବି”। ଅଳ୍ପ ସମୟରେ ସମସ୍ତେ ଆସିଗଲେ। ବାକି କଥା ବାପା ଫୋନରେ ଜଣେଇବେ କହି ଆମେ ସେଠୁ ଫେରିଲୁ।
ଫେରିବା ରାସ୍ତାରେ ଗାଡ଼ିରେ ବସି ବୋଉ, ବାପାଙ୍କ ଉଦ୍ଦେଶ୍ୟରେ କହିଲା, “ଝିଅଟି ମୋର ପସନ୍ଦ, ଘରଦ୍ୱାର ବି ଭଲ ଲାଗିଲା ବାକି ବନ୍ଧୁ କେମିତି ହେବେ କେଜାଣି”! ବାପା କହିଲେ “ତମେ ବିଲକୁଲ ବ୍ୟସ୍ତ ହୁଅନି, ତପନବାବୁ ଭାରି ଅମାୟିକ ଲୋକ। ମୋର ବହୁତ ପୁରୁଣା ଚିହ୍ନା। ଭାରି ଭଦ୍ର ପରିବାର ତାଙ୍କର। ଖାଲି କଥା ରହିଲା ସୋନୁ ପାଖରେ। ସିଏ ତ ଯୋଉ ଝିଅ ଦେଖିଲେ ନାକ ଟେକୁଛି। କେଜାଣି ବାହା ହେବ କି ନାହିଁ”! ବୋଉ କହିଲା ” କିରେ ସୋନୁ ତୁ କିଛି କହୁନୁ କିଆଁ? ତୁ ହଁ କହିଲେ ଆର ମାସକୁ ଭଲ ଯୋଗ ଅଛି ବାହାଘର ପାଇଁ। ହେଲେ ଏଇ ଝିଅଟିକୁ ମୁଁ ଆଗରୁ କୋଉଠି ଦେଖିଛି ବୋଧେ! ଦେଖିଲା ଦେଖିଲା ଭଳିଆ ଲାଗୁଛି”। ମୁଁ ଟିକେ ଚମକି ପଡି କହିଲି, “ଦେଖ ତମର ଯାହା ଇଚ୍ଛା, ମୁଁ କଣ କହିବି”? ବାପା ବୋଉ ଏଥର ଜୋରରେ ହସିବା ଆରମ୍ଭ କଲେ। ମୁଁ ଜାଣି ପାରିଲି ଯେ ଏସବୁ ଭିତରେ ବାପା ବୋଉ ବି ମିଶିକି ଅଛନ୍ତି। ମୁଁ ନ ହସି ରହି ପାରିଲିନି। ଏଇ ପାଞ୍ଚଦିନ ଭିତରେ ମୁଁ ସେ ଝିଅଟି କଥା ଭାବୁ ଭାବୁ ତାକୁ ଭଲ ପାଇ ସାରିଥିଲି ବୋଧେ। ହେଲେ ମୁଁ ତାର କୋଉ ରୂପକୁ ଭଲ ପାଉଥିଲି କେଜାଣି, ସେଇ ନାଲିବାଳ ଓ ସନଗ୍ଲାସ ଲଗେଇଥିବା ଉଦଣ୍ଡି ରୂପକୁ ନା ସଭ୍ୟତାର ଓଢଣୀ ଦେଇ ବସିଥିବା ଝିଅଟିର ସଲଜ୍ଜ ରୂପକୁ?
Author : Prabir Kumar Sahoo (Twitter : https://twitter.com/Odiapuo)

Comments

comments