ପୃଥିଵୀର ସମସ୍ତ ପ୍ରାଚୀନ କଳା, ସଂସ୍କୃତି, ଭାଷା, ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ କୁହାଯାଇଛି-
“ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ ।
ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।”
(ଵିଷ୍ଣୁ ପୁରାଣ(୨।୩।୨୪))
ଅର୍ଥାତ୍
“ଦେଵତା ଗୀତ ଗାୟନ ପୂର୍ଵକ କହୁଛନ୍ତି ଯେ- ସ୍ଵର୍ଗ ଓ ଉପଵର୍ଗର ମାର୍ଗଭୂତ ଭାରତଭୂମିରେ ଜନ୍ମିତ ଲୋକେ ଆମ୍ଭ ମାନଙ୍କ ଠାରୁ(ଦେଵତା ମାନଙ୍କ)ଅପେକ୍ଷା ଅଧିକ ଧନ୍ୟ ଵା ଭାଗ୍ୟଵାନ ଅଟନ୍ତି । ଅର୍ଥାତ୍ ସ୍ଵର୍ଗ ଓ ଉପଵର୍ଗ(ମୋକ୍ଷ-କୈଵଲ୍ୟ)ର ମାର୍ଗ ସ୍ଵରୂପ ଭାରତଭୂମିକୁ ଧନ୍ୟ ଧନ୍ୟ କହିଵା ସହ ଦେଵଗଣ ଏହାର ଶୌର୍ଯ୍ୟ ଗାନ କରୁଅଛନ୍ତି । ଏଠାରେ ମନୁଷ୍ୟ ଜନ୍ମ ପାଇଵା ଦେଵତ୍ଵ ପଦ ପ୍ରାପ୍ତ କରିଵା ଠାରୁ ବି ବଡ଼ କଥା ଅଟଇ ।”
ସେତେବେଳେ ଭାରତ ଯଥାର୍ଥରେ ଵିଶ୍ଵଗୁରୁ ଥିଲା ତେଣୁ ଶାସ୍ତ୍ରରେ ଆଉ ପଦେ ଯୋଡା଼ଯାଇଛି―
“ଏତ ଦେଶ ପ୍ରସୂତସ୍ଯ ସକାଶାଦଗ୍ର ଜନ୍ମନଃ ।
ସ୍ଵଂ ସ୍ଵଂ ଚରିତ୍ର ଶିକ୍ଷେରନ୍ ପୃଥିଵ୍ଯାଂ ସର୍ଵ ମାନଵାଃ ।।”“ଏ ଦେଶରେ ଉତ୍ପନ୍ନ ହୋଇଥିଵା ଅଗ୍ରଜନ୍ମା ମହାପୁରୁଷଙ୍କ ପାଖରେ ବସି ସଂସାର ଯାକର ମାନଵ ଶିକ୍ଷାଗ୍ରହଣ କରନ୍ତୁ । କାରଣ ଏ ଦେଶ ଵିଶ୍ଵଗୁରୁ ଅଟେ ।”
ଏ କଥା ଅନେକ ଵର୍ଷ ପରେ ଵିଦେଶୀ ଵିଦ୍ଵାନ ମଧ୍ଯ ମାନିଛନ୍ତି ଏଵଂ ଭାରତୀୟଙ୍କୁ ଏଥିପାଇଁ ଧନ୍ୟଵାଦ ବି ଦେଇଛନ୍ତି ।
ପ୍ରସିଦ୍ଧ ଜର୍ମାନ- ଆମେରିକୀୟ ଵୈଜ୍ଞାନିକ Albert Einstein କହିଥିଲେ―
“We owe a lot to the Indians, who taught us how to count, without which no worthwhile scientific discovery could have been made.”-
(ଆମେ ସମସ୍ତ ଭାରତୀୟଙ୍କୁ ଅଭିଵାଦନ କରୁଛୁ,ଯେଉଁ ମାନେ ଆମ୍ଭମାନଙ୍କୁ ଗଣନା କରିବା ଶିଖେଇଛନ୍ତି କାରଣ ଏହା ବିନା ଵିଜ୍ଞାନର କୌଣସି ବି ଏଷଣା ସମ୍ଭଵପର ହୋଇପାରି ନଥାନ୍ତା)
ସେହିପରି ଆମେରକୀୟ ଦାର୍ଶନିକ ଓ ଐତିହାସିକ Will Durant ଏ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି । ତାଙ୍କ ଭାଷାରେ–
“It is true that even across the Himalayan barrier India has sent to the west, such gifts as grammar and logic, philosophy and fables, hypnotism and chess, and above all numerals and the decimal system.”
“ଏହା ସତ୍ୟ ଅଟେ ଯେ ହିମାଳୟର ଵାଧା ପରେ ବି ଭାରତଵର୍ଷ ଏହି ପଶ୍ଚିମ ଵିଶ୍ଵରେ ଵ୍ୟାକରଣ,ତର୍କ,ଦର୍ଶନ,ନୀତିକଥା,ସମ୍ମୋହନ,ଦ୍ୟୁତ,ଗଣନ ପଦ୍ଧତି ଏଵଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦଶମିକ ପ୍ରଣାଳୀର ଜ୍ଞାନ ପଠେଇ ପାରିଥିଲା ।”
ତେଵେ ଏହି ମହାନ ଦେଶ ଭାରତଵର୍ଷର ଆଦିକାଳରୁ ଏଯାଵତ୍ ଅନେକ ନାମ ରହିଛି । ତନ୍ମଧ୍ୟରୁ ଭାରତ,India ଓ ହିନ୍ଦୁସ୍ତାନ ନାମ ଵିଶେଷ ଲୋକପ୍ରିୟ ଅଟେ । ଚାଲନ୍ତୁ ଭାରତର କେତେକ ନାମ ଵିଷୟରେ ଜାଣିଵା ।
🇮🇳🇮🇳🇮🇳ଭାରତଵର୍ଷ🇮🇳🇮🇳🇮🇳
ଆମ ଦେଶର ଭାରତ ନାମ ସର୍ଵୋତ୍କୃଷ୍ଟ ଓ ଶ୍ରେଷ୍ଠ ନାମ ଅଟଇ । କିନ୍ତୁ ଏ ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ରହିଛି । ଯଥା—
୧) ଭା ଧାତୁରୁ ନିଷ୍ପନ୍ନ ହୋଇଛି ଭାରତ । କେତେକଙ୍କ ମତରେ ଭା+ରତ=ଭାରତ । ଭା=ଜ୍ଞାନ, ରତ=ଅନୁରକ୍ତ, ଲିପ୍ତ, ଆସକ୍ତ ।ପୁଣି ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ ଅଛି ଯଥା— ନିଯୁକ୍ତ,ଵ୍ଯାପୃତ, ରମଣ, ପ୍ରେମ, ପ୍ରଣୟ, ଅନୁରାଗ, ଆମୋଦ ପ୍ରମୋଦ, ଆସକ୍ତି । ଭା+ରତ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ ଏମାନେ କୁହନ୍ତି “ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେମାନେ ଭାରତୀୟ…”
୨) ଭା ଧାତୁର ଦିପ୍ତି ପାଇଵା ଅର୍ଥରୁ ଭାରତ ଶବ୍ଦ ଗଠିତ । ଅଧିକାଂଶ ପୁରାତନ ଭାଷାକୋଷରେ ଭା ଧାତୁ ଶବ୍ଦର ଅର୍ଥ ଦିପ୍ତି ପାଇଵା ଲେଖାଥିଵା ଦେଖାଯାଏ । ସେଇଭଳି ସଂସ୍କୃତ ଭାଃ ଶବ୍ଦର ଅର୍ଥ ଦିପ୍ତି,ପ୍ରଭା,କିରଣ,ଶୋଭା ଉଲ୍ଲେଖ ଅଛି । ତେଣୁ ଯେଉଁ ଦେଶର ଲୋକମାନେ ସଦା ଦିପ୍ତି ବା ପ୍ରଭାର ଆସକ୍ତ । ଆଉ “କୌଣସି ଦେଶର ପ୍ରଭା,ଦିପ୍ତି,କିରଣ ଵା ଶୋଭା ସେ ଦେଶର ଜନତା – ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ ହୋଇଥିଲେ ହିଁ ସମ୍ଭଵପର ହୋଇଥାଏ ।”
୩) ଭରତଙ୍କ ନାମରେ ଭାରତଵର୍ଷର ନାମକରଣ ଭାରତ ହୋଇଛି । କେତେକ ଭାଷାକୋଷ ଅନୁସାରେ ଭରତ+ଅଣ୍[ଅ] = ଭାରତ ଅଟେ । ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଦେଶ ହିଁ ଭାରତଵର୍ଷ ଅଟେ । ପୁରାଣ କହେ ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ହିଁ ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ । ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା । ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ ଆୟୋଜନ କରେଇଥିଲେ । କୁହାଯାଏ ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିବା ହେତୁରୁ ଏହାଙ୍କ ନାମାନୁସାରେ ଏହି ଦେଶର ନାମ ଭରତଖଣ୍ଡ, ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା ।
୪)ଭାର ଶବ୍ଦରେ ତନ୍ ଲାଗି ଭାରତ ଶବ୍ଦ ହୋଇଅଛି । କଳ୍ପଦ୍ରୁମ ଶବ୍ଦକୋଷ କୁହେ ଭାରଂ + ତନ୍ +ଙଃ(ଅ) =ଭାରତ । ସେଠାରେ ଵ୍ଯାଖ୍ୟା କରି କୁହାଯାଇଛି – “ଵେଦାଦିଶାସ୍ତ୍ରେଭ୍ଯୋଽପି ସାରାଂଶଂ ତନୋତି” । ଅର୍ଥାତ୍ ବେଦାଦିଶାସ୍ତ୍ର ଗୁଡ଼ିକର ଯାହା ସାରାଂଶ ତାହା ଭାରତ । ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିଵା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି । *ହିନ୍ଦୀ ଶବ୍ଦ ସାଗରରେ ପ୍ରୋକ୍ତ ନିରୁକ୍ତି ଵ୍ଯାଖ୍ୟାକୁ ଆହୁରି ସହଜ ଭାଵେ ଭାର+ତ=ଭାରତ କୁହାଯାଇଛି । ଏହି ନିରୁକ୍ତି ଵ୍ଯାଖ୍ୟାରୁ ମିଳୁଥିବା ଭାର ଶବ୍ଦର ନିରୁକ୍ତି ହେଲା— ଭୃଧାତୁ+ଭାଵ.ଅ । ଭୃ ଧାତୁର ଦୁଇଟି ଅର୍ଥ ଅଛି →ଧାରଣ କରିଵା ଓ ପାଳନ ପୋଷଣ କରିଵା । ତେଣୁ ଏଠାରେ ମୂଳ “ଭୃ ଧାତୁ” ଭାର ଶବ୍ଦରୁ ମିଳିଯାଉଛି ଯାହା ହିନ୍ଦୀ ଶବ୍ଦ ସାଗରର ଅନ୍ୟ ଏକ ନିରୁକ୍ତି ଵ୍ୟାଖ୍ୟା ଆଡ଼କୁ ଇଙ୍ଗିତ କରୁଛି । ଭୃ଼ +ଅତଚ୍+ଙୀପ୍ =ଭାରତ । ତେବେ ଭାର ଶବ୍ଦ ର ଅନେକ ଅର୍ଥ ରହିଛି ।ଉ:- ଗୁରୁତ୍ୱ, ଗାମ୍ଭୀର୍ଯ୍ୟ, ସମୂହ, ଦାୟିତ୍ୱ, ପରିମାଣ । ଏଣୁ ଏସବୁ ଅର୍ଥକୁ ନେଇ ଭାରତ ଶବ୍ଦର ଆଉ ଏକ ଭାଵଗତ ଵ୍ୟାଖ୍ୟା ହେବ-
“ଯେଉଁଠି ସମସ୍ତଙ୍କୁ,ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ(ଯାଉଥିଲା),
ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି(ପାଉଥିଲେ),ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହ ର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ବହନ ପୂର୍ବକ ସେମାନଙ୍କୁ ଅନ୍ନ,ଭୂମି ତଥା ପବନ ଦେଇ ଲାଳନପାଳନ ପୋଷଣ କରିଛି ସେ ଦେଶ ଏ ଦେଶ ଭାରତଵର୍ଷ ଅଟେ …”
ତେଵେ ଆଜି ୟୁରୋପୀୟ ଇଣ୍ଡିଆ ନାମ ସହ ଭାରତ ମଧ୍ୟ ଆମ୍ଭ ଦେଶର ଅନ୍ୟତମ ଆଧିକାରିକ ନାମ ଭାଵେ ସ୍ଵୀକୃତିପ୍ରାପ୍ତ ହୋଇଅଛି ।
🔍🔍🔍🔍India🔍🔍🔍🔍
ପର୍ତ୍ତୁଗାଲୀ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ପ୍ରଦତ୍ତ ଇଣ୍ଡିଆ ନାମ ସହିତ ଭାରତୀୟଙ୍କ ପରିଚୟ ହୋଇଥିଲା । ଇଂରାଜୀରେ Indea ଶବ୍ଦ ଵ୍ଯଵହାର ଅଧିକ ଥିଲା ଏଵଂ ଇଂରାଜୀ ଭାଷାର ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମଦ୍ଧୃତ । ଲାଟିନ୍ ର ଇଣ୍ଡିଆ ଶବ୍ଦ ବି ଗ୍ରୀକ୍ ରୁ ସିଧାସଳଖ ଗ୍ରହଣ କରାଯାଇଛି ସେଇ ମୂଳ ଶବ୍ଦଟି ହେଉଛି Ἰνδία(Indía) । ଏଠାରେ Ἰνδός(Indós) ଶବ୍ଦରୁ Ἰν ସହିତ -ῐ́ᾱ(-íā) ପ୍ରତ୍ଯୟ ଯୁକ୍ତ ହୋଇ Ἰνδία(Indía) ଶବ୍ଦଟି ସୃଷ୍ଟି ହୋଇଅଛି । Ἰνδός(Indós) ଶବ୍ଦର ଅର୍ଥ ଇଣ୍ଡସ୍ ଵା ସିନ୍ଧୁ ନଦୀ ଅଟେ । ଗ୍ରୀକ୍ ଭାଷାରେ ଚଳୁଥିଵା Ἰνδός(Indós) ଶବ୍ଦଟି ଆସିଅଛି ପୁରୁଣା ପାର୍ସୀଭାଷାର 𐏃𐎡𐎯𐎢𐏁(hindūš) ଶବ୍ଦରୁ । ଏହାର ପ୍ରାକ୍ ଇରାନୀ ରୂପ *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ ରୂପ *síndʰuš(ନଦୀ/ସାଗର) ଥିଲା । ଆଗେ ଇଂରାଜୀ ଲୋକେ ଆରଵୀୟଙ୍କ ଠାରୁ ତଥା ପ୍ରାଚୀନ ଗ୍ରୀକ୍ ଇତିହାସ ଓ ସାହିତ୍ୟ ଗ୍ରନ୍ଥରୁ ଭାରତୀୟଙ୍କ ଵିଷୟରେ ଜାଣିଵାକୁ ପାଉଥିଲେ । ଫ୍ରାନ୍ସ ଦ୍ଵାରା ପରାଧୀନ ଥିଵା ସମୟରେ ଇଂରେଜ ଲୋକେ ମୂଳ ଲାଟିନ୍ Indía ଶବ୍ଦକୁ Inde ଲେଖୁଥିଲେ । ଏହି ଶବ୍ଦଟି ପୁରୁଣା ଫ୍ରେଞ୍ଚ ଭାଷାରେ Ynde ହୋଇ ଚଳୁଥିଲା । ୧୬୦୦ଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଏଇ India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଆଜି ସାରା ଵିଶ୍ଵରେ ଭାରତର ଆଧିକାରୀକ ନାମ ହୋଇଯାଇଛି ।
✨✨✨✨ହିନ୍ଦୁସ୍ତାନ✨✨✨✨
ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଏହି ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ଭାଷାକୁ ହିନ୍ଦୀ ନାମ ଦିଆଗଲା । ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି । ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ । ଢେଙ୍କାନାଳରେ ସେଇଟା କୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ କୁହନ୍ତି ହାରୁ ଛେ !!! ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣପ୍ରଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ ।
🚩🚩🚩🚩ଆର୍ଯ୍ୟଵର୍ଷ🚩🚩🚩🚩
ଅର୍ଯ୍ୟ ଶବ୍ଦକୁ ବହୁଲୋକ ଜାତିଵାଚକ ଭାବୁଥିଲେ ହେଁ ସଂସ୍କୃତ ଭାଷାରେ ଏ ଶବ୍ଦଟି ଏକ ଵିଶେଷ୍ଯ ଵା ନାମଵାଚକ ଶବ୍ଦ ନୁହେଁ ଵରଂ ଏହା ଏକ ଵିଶେଷଣ ଵା ଗୁଣଵାଚକ ଶବ୍ଦ ଅଟଇ । ପୂର୍ଵେ ସମସ୍ତ ଭାରତଵାସୀ ସାଧୁ,ବୁଦ୍ଧିମାନ,ଵିଜ୍ଞ ଓ ସଚ୍ଚୋଟ ଥିଲେ ଏଵଂ ଏ ଗୁଣ ଆଜି ବି ଆମ ଦେଶର ଜନତାଙ୍କ ପାଖରେ ରହିଛି । ଏ ସମସ୍ତ ଗୁଣ ଥିଵା ଲୋକଙ୍କୁ ସସମ୍ମାନେ ଆର୍ଯ୍ୟ କୁହାଯାଉଥିଲା । ବୟସରେ ବଡ଼ବାପା,ବଡ଼ବାପା, ଜେଜେବାପା,ଅଜା,ଶଶ୍ଵର ମାମୁଁ ,ମଉସା ଓ ପିଉସା ଆଦିଙ୍କୁ ପ୍ରାଚୀନକାଳରେ ଆର୍ଯ୍ୟ କୁହାଯାଉଥିଲା । ଭାରତୀୟ ମାନେ ଯଥାର୍ଥରେ ଆର୍ଯ୍ୟ ଅର୍ଥାତ୍ ସାଧୁ ଗୁଣ ସମ୍ପନ୍ନ ଥିଲେ ତେଣୁ ଏ ଦେଶର ଏକ ନାମ ଆର୍ଯ୍ୟଵର୍ଷ ମଧ୍ଯ ଅଟଇ । କେହି କେହି ଆର୍ଯ୍ୟଵର୍ଷ କୁ ଆର୍ଯ୍ୟାଵର୍ତ୍ତ ମଧ୍ଯ କହିଥାନ୍ତି । ଆର୍ଯ୍ୟ ଶବ୍ଦ ସହିତ ଆଵର୍ତ୍ତ ଶବ୍ଦ ଯୋଗ କରି ଅର୍ଯ୍ୟାଵର୍ତ୍ତ ଶବ୍ଦ ହୋଇଛି। ଏଠାରେ ଆଵର୍ତ୍ତ ଶବ୍ଦର ଅର୍ଥ ବାସସ୍ଥାନ ଅଟେ ।
🚩🚩🚩🚩ବ୍ରହ୍ମାଵର୍ତ୍ତ🚩🚩🚩🚩
ଭାରତର ନାମ ବହୁପ୍ରାଚୀନ କାଳରେ ବ୍ରହ୍ମାଵର୍ତ୍ତ ମଧ୍ୟ ଥିଲା । କେତେକ ଐତିହାସିକଙ୍କ ମତରେ ସିନ୍ଧୁ ନଦୀର ଉଭୟ ପାର୍ଶ୍ଵସ୍ଥ ଅଞ୍ଚଳକୁ ହିଁ ବ୍ରହ୍ମାଵର୍ତ୍ତ କୁହାଯାଉଥିଲା । ତେଵେ ଆଉ କେତେକଙ୍କ ମତରେ ଭାରତର ନାମ ଆର୍ଯ୍ୟାଵର୍ତ୍ତ ଓ ଆର୍ଯ୍ୟଵର୍ଷ ବୋଲାଇଵାର ପୂର୍ଵରୁ ଏହାର ନାମ ବ୍ରହ୍ମାଵର୍ତ୍ତ ଥିଲା । ଋକବେଦରେ ଆମେ ଏ ଶବ୍ଦର ଵ୍ଯଵହାର ଦେଖିଵାକୁ ପାଇଥାଉ ।
🚩🚩🚩ହୈମଵତଵର୍ଷ🚩🚩🚩
ଵରାହପୁରାଣ ଆଦି କେତେକ ଗ୍ରନ୍ଥରେ ଆମେ ଭାରତଵର୍ଷର ନାମ ହୈମଵତ୍ ଵର୍ଷ ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାନ୍ତି । ସାଧାରଣତଃ ହିମାଳୟ ପର୍ଵତମାଳାକୁ ହୈମଵତ କୁହାଯାଏ । ତେଣୁ ପୁରାଣମାନଙ୍କରେ ଏହି ହିମାଳୟର ଦକ୍ଷିଣଵର୍ତ୍ତୀ ସମସ୍ତ ଭୂଭାଗକୁ ହୈମଵତ ଵର୍ଷ କୁହାଯାଇଛି । ଭାରତକୁ ଉତ୍ତରରେ ହିମାଳୟ ରକ୍ଷାକଵଚ ଭଳି ଘେରି ରହିଛି । ଭାରତକୁ ଶସ୍ୟଶ୍ୟାମଳା ରଖିଵାରେ ହିମାଳୟର ଯୋଗଦାନ ଅତୁଳନୀୟ । ଭାରତରେ ଯେଉଁ ନାତିଶିତୋଷ୍ଣ ଜଳଵାୟୁ ଦୃଷ୍ଟ ହୁଏ ତାହା ହିମାଳୟ ଭଳି ଉଚ୍ଚ ପର୍ଵତାମାଳା ଯୋଗୁଁ ହିଁ ସମ୍ଭଵପର ହୋଇପାରିଛି କାରଣ ପୃଥିଵୀର ଯେଉଁ କର୍କଟ କ୍ରାନ୍ତି ବଳୟରେ ଭାରତ ରହିଛି ସେହି ଵଳୟରେ ସାହାରା ଓ ଆରବୀ ମରୁଭୂମି ରହିଛି । ହିମାଳୟ ନଥିଲେ ଭାରତରେ ମୌସୁମୀ ଵର୍ଷା ସମ୍ଭଵ ହୋପାରନ୍ତା ନାହିଁ । ହିମାଳୟ ପର୍ବତମାଳା ହଜାର ହଜାର ମିଟର ଉପରେ ପ୍ରଵାହିତ ଜେଟ୍ ଷ୍ଟ୍ରୋମ୍ କୁ ଦକ୍ଷିଣରେ ବାଧା ଦେଇଥାଏ ପୁଣି ଉତ୍ତର ଗୋଲାର୍ଦ୍ଧରୁ ପ୍ରଵାହିତ ଶୁଷ୍କ ଶୀତଳ ଵାୟୁକୁ ମଧ୍ଯ ଉତ୍ତର ପଟୁ ପ୍ରଵେଶ କରିଵାକୁ ଦିଏ ନାହିଁ । ଫଳରେ ଭାରତରେ ଗୁରୁଚାପ ସୃଷ୍ଟି ହୋଇପାରେ ଏଵଂ ତାହାର ପ୍ରଭାଵ ଭାରତ ମହାସାଗରରେ ପଡି଼ଲେ ଲଘୁଚାପ ହୋଇଥାଏ । ବୋଧହୁଏ ଏ କଥା ଆମ ପ୍ରାଚୀନ ପୂର୍ଵଜ ଜାଣିଥିଲେ । ସମ୍ଭଵତଃ ସେଇଥିପାଇଁ ସେମାନେ ନିଜ ଦେଶର ନାମ ହିମାଳୟର ନାମାନୁସାରେ ରଖିଯାଇଛନ୍ତି ।
🚩🚩🚩ଅଜନାଭ/ନାଭି ଖଣ୍ଡ🚩🚩🚩
ପୁରାଣନୁସାରେ ଅଗ୍ନୀଧ୍ର ରାଜା ତାଙ୍କର ନଅ ପୁଅଙ୍କୁ ଜମ୍ବୁଦ୍ବୀପ(ତତ୍କାଳୀନ ଏସିଆ)କୁ ନଅ ଖଣ୍ଡ କରି ବାଣ୍ଡି ଦେଇଥିଲେ। ତାଙ୍କ ପୁତ୍ର ନାଭିଙ୍କୁ ଯେଉଁ ଖଣ୍ଡ ଦିଆ ଯାଇଥିଲା ତହିଁର ନାମ ନାଭିଖଣ୍ଡ ହେଲା । ଏହି ନାଭିଙ୍କ ଅନ୍ଯନାମ ଅଜନାଭ ଅଟେ । ଏହାଙ୍କ ନାମାନୁସାରେ କେତେକାଳ ଭାରତର ନାମ ଅଜନାଭଖଣ୍ଡ ଓ ନାଭିଖଣ୍ଡ ହୋଇଥିଲା । ପରେ ନାଭିଙ୍କ ପୌତ୍ର ଭରତଙ୍କ ନାମ ଅନୁସାରେ ଏହା ଭାରତ ଖଣ୍ଡ ବା ଭାରତ— ଵର୍ଷ ବୋଲି ପ୍ରସିଦ୍ଧ ହେଲା ।
🚩🚩🚩ନରଭୂ/ନରଭୂମି🚩🚩🚩
ନର ଶବ୍ଦର ଅର୍ଥ ସାଧାରଣତଃ ମନୁଷ୍ୟ ଜାତି ଓ ପୁରୁଷ ଜାତି ପ୍ରତି ଵ୍ଯଵହୃତ ହେଉଥିଲେ ହେଁ ଏହାର ଵ୍ଯାପକ ଅର୍ଥ ରହିଛି । ଶ୍ରୀଵିଷ୍ଣୁ ଓ ସଦାଶିଵଙ୍କୁ ମଧ୍ୟ ‘ନର’ କୁହାଯାଏ ।ଅର୍ଜୁନଙ୍କର ଏକ ନାମ ମଧ୍ୟ ନର ଅଟେ । ତେଵେ ଭାରତଵର୍ଷକୁ ନରଭୂ ଵା ନରଭୂମି କହିଵାଵେଳେ ସମ୍ଭଵତଃ ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହୋଇଥାଏ
କ)ଯେଉଁଠାରେ ନର ପଦଵାଚ୍ଯ ଵ୍ଯକ୍ତିମାନେ ଅର୍ଥାତ୍ ସାଧୁ ସ୍ଵଭାଵର ଲୋକେ ବାସ କରନ୍ତି ।
ଖ) ଯେଉଁ ଭୂମିରେ ଯୁଗେ ଯୁଗେ ସଦାଶିଵ ଓ ଶ୍ରୀନାରାୟଣ ଅଵତାର ନେଇଥାନ୍ତି ।
🚩🚩🚩ଫଳ ଭୁମି,କର୍ମଭୂମି ଓ ପୁଣ୍ୟଭୂମି🚩🚩🚩
ଯେଉଁ ଭୂଭାଗ କର୍ମଫଳ ଭୋଗର ସ୍ଥାନ ତାହା ଏଇ ଭାରତଵର୍ଷ ବୋଲି ଆମ ପୂର୍ଵଜଙ୍କର ଵିଶ୍ଵାସ ଥିଲା । ଭାରତୀୟ ଵାଙ୍ମୟ ଶାସ୍ତ୍ରାନୁଯାୟୀ ଭାରତରେ ପାପପୂଣ୍ଯର ଫଳ ଭୋଗ ହେଉଥିଲା । ତେଣୁ ଆମ ଦେଶର କର୍ମଭୂମି, ପୁଣ୍ୟଭୂମି ଓ ଫଳଭୂମି ଆଦି ନାମକରଣ କରାଯାଇଥିଵା ଅନୁମାନ କରାଯାଏ । ସ୍ଥୂଳ ଭାଵେ ଦେଖିଲେ ବି ଭାରତରେ ଯେତେ ଫୁଳ ପୁଷ୍ପାଦି ମିଳେ ତେତେ ଵିଶ୍ଵରେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ ନାହିଁ । ଏ ଦେଶର ଜନତା ମଧ୍ୟ ପାପପୁଣ୍ଯର ଵିଚାର କରି ହିଁ ଅସାଧୁ କାର୍ଯ୍ୟ କରିଵାକୁ ଭୟ କରୁଥିଲେ । ସେହିପରି ଭାରତଵର୍ଷକୁ କର୍ମଭୂମି ମଧ୍ୟ କୁହାଯାଏ କାରଣ ଏହା ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ । ଭାରତ ହେଉଛି ସମସ୍ତ ଜ୍ଞାନର ଆଵିଷ୍କାର ଓ ଉଦ୍ଭାବନର ଭୂମି । ପ୍ରାଚୀନ ଭାରତର ଲୋକେ କର୍ମଵାଦୀ ଥିଲେ କର୍ମକୁ ଈଶ୍ଵର ମାନି ଚଳୁଥିଲେ ଏଵଂ ଗଣନପଦ୍ଧତି,ମାପ ପଦ୍ଧତି,ରନ୍ଧନକଳା,ସଂଗୀତ ଓ ନୃତ୍ୟ କଳା, ଭାସ୍କର୍ଯ୍ୟ ଜୀବନଜୀଵିକା ପଦ୍ଧତି,ଭାଷା ଓ ଲିପି ଲିଖନର ପଦ୍ଧତି ଇତ୍ୟାଦି ଅନେକାନେକ କଳା କୌଶଳ ଜ୍ଞାନ ଵିଜ୍ଞାନର ଆରମ୍ଭ ଏଇ ଦେଶରୁ ହିଁ ହୋଇଥିଲା । ଏସବୁ ଆଵିଷ୍କାର ଓ ଉଦ୍ଭାବନ କେଵଳ ପୁରୁଷାର୍ଥ ଦ୍ଵାରା ହିଁ ସମ୍ଭଵ ହୋଇପାରିଥିଵ । ସକାରାତ୍ମକ କର୍ମ ବିନା ଏସବୁ ବଡ଼ ବଡ଼ ଆଵିଷ୍କାର ଓ ଉଦ୍ଭାବନ କଷ୍ଟସାଧ୍ୟ ଅଟେ । ସମ୍ଭଵତଃ ସେଇଥିପାଇଁ ଭାରତର ଏକ ନାମ କର୍ମଭୂମି ହୋଇଅଛି ।
🚩🚩🚩କୁମାରଖଣ୍ଡ🚩🚩🚩
ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ଏକ ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି । କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । ଆଉ କେତେକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ ।
🔵🔵ପୃଥିଵୀର ଵିଭିନ୍ନ ଦେଶରେ ଭାରତର ନାମକରଣ 🔴🔴
୧)—ଚୀନ—
ତିଆନ୍’ଝୁ/ତେନ୍’ଜିକୁ ମାଣ୍ଡାରିନ ଓ ଜାପାନୀ ଭଷାରେ ଭାରତଦେଶକୁ Tianzhu ଵା Tenjiku ଯାହା ପ୍ରକୃତରେ “xien-t’juk” ଉଚ୍ଚାରିତ ହୋଇଥାଏ । ତେଵେ ଭାଷାଵିତ୍’ଙ୍କ ମତରେ ଏ ଶବ୍ଦଟି ପାର୍ସୀ ହିନ୍ଦୁ କିଂଵା ସଂସ୍କୃତ ସିନ୍ଧୁ ଶବ୍ଦର ପରିଵର୍ତ୍ତିତ ରୂପ ଅଟେ । ଚୀନଦେଶୀୟ ଭାଷାରେ ଆଜିକାଲି ଭାରତ ପାଇଁ Yindu (印度) ଶବ୍ଦ ଵ୍ଯଵହାର ହେଉଅଛି ।
୨)ଇସ୍ରାଏଲ୍—Hodu( הֹדּוּ)
ହିବ୍ରୁ ବାଇବେଲ୍ ରେ ଭାରତର ନାମ ହୁଡୁ ବୋଲି ଉଲ୍ଲେଖ ରହିଛି । ଇହୁଦୀ ତନଖ୍(ଇହୁଦୀ ବାଇବେଲ୍)ର Book of Esther ତଥା ଖ୍ରୀଷ୍ଟିଆନ୍’ଙ୍କ ଓଲ୍ଡ ଟେଷ୍ଟାମେଣ୍ଟ୍’ର Esther 1:1ରେ ହୁଡୁ ଵା ପ୍ରାଚୀନ ସିନ୍ଧୁଦେଶଠାରୁ ଏଥିଓପିଆ ଯାଏଁ Ahasuerus (Xerxes) ନାମକ ଜଣେ ସମ୍ରାଟ ଶାସନ କରୁଥିଵା ଉଲ୍ଲେଖ ରହିଛି ।
ଭିଏତନାମରେ ଭାରତକୁ ସ୍ଥାନୀୟ ଲୋକେ Ấn Độ କୁହନ୍ତି ଏଵଂ ପୃଥିଵୀର ପ୍ରାୟ ଅଧିକାଂଶ ଭାଷାରେ ହିନ୍ଦୁ ଵା ସିନ୍ଧୁ ନଦୀର ନାମାନୁସାରେ ପ୍ରସିଦ୍ଧ ହିନ୍ଦୁସ୍ଥାନ ଓ ଇଣ୍ଡିଆ ନାମର ଵିଭିନ୍ନ ପ୍ରତିରୂପ ପ୍ରଚଳିତ ।