Bhubaneswar Buzz

#OdiaPost ଵ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ ପୁରୀ ଗୌରଵିହାର ଆଶ୍ରମରେ ଲାଗିହେଲା ୬୭୧ ପ୍ରକାର ଵ୍ୟଞ୍ଜନ

ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥି ଅଵସରରେ ଶ୍ରୀଗୌରଵିହାର ଆଶ୍ରମ (ମାତା ମଠ)ରେ ଵ୍ୟଞ୍ଜନ ଦ୍ୱାଦଶୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ପଵିତ୍ର ତିଥିରେ ଶ୍ରୀରାଧାକୃଷ୍ଣ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୬୭୧ ପ୍ରକାର ଵ୍ୟଞ୍ଜନ ନୈଵେଦ୍ୟ ଅର୍ପଣ କରାଯାଇଛି । ଭୋରୁ ସମସ୍ତ ଦେଵନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଏବଂ ଶ୍ରୀକୃଷ୍ଣଙ୍କୁ ନୌଵେଦ୍ୟ ଅର୍ପଣ କରାଯାଇଥିଲା ।

ମାର୍ଗଶୀର ଶୁକ୍ଳଦ୍ୱାଦଶୀ ତିଥି, ଵ୍ୟଞ୍ଜନ ଦ୍ଵାଦଶୀ ଵା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ଵ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ଵୈଷ୍ଣଵ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ଵ । ଏହି ଦିନ ମା’ ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁଵିଧ ଵ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିଵାର କିମ୍ବଦନ୍ତୀ ରହିଛି । କୃଷ୍ଣଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ଵୈଷ୍ଣଵଧର୍ମୀମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି ।

ଗତ କିଛିଵର୍ଷ ଧରି ଆଶ୍ରମରେ ଶହ ଶହ ପ୍ରକାର ଵ୍ୟଞ୍ଜନ ପ୍ରସ୍ତୁତି ହୋଇ ଭୋଗଲାଗିଵା ପରମ୍ପରା ଚଳିଆସୁଛି । ଏହି ଵ୍ୟଞ୍ଜନ ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ଵିଭିନ୍ନ ପ୍ରକାର ଡାଲି , ତରକାରୀ, ଭଜା ଓ ଶହେ ପ୍ରକାରର ପିଠାପଣା । ଆଶ୍ରମଵାସୀ ସକାଳୁ ପରିବାପତ୍ର କଟାକଟି ଆରମ୍ଭ କରିଵା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରେ ଭୋଗଲାଗି କରିଥାନ୍ତି । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ଵ୍ୟଞ୍ଜନ ପରଷିଵା ପାଇଁ ସ୍ଵତନ୍ତ୍ର ଭାଵେ ନିର୍ମିତ ଖଲିପତ୍ରକୁ ଵ୍ୟଵହାର କରାଯାଇଥାଏ । ଗୌର ଵିହାର ଵ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରମାନଙ୍କରେ ମଧ୍ୟ ଵିଭିନ୍ନ ପ୍ରକାରର ଭୋଗଲାଗି କରାଯାଇଥାଏ ।

Comments

comments