Bhubaneswar Buzz

ନୀଳରଂଗରେ ଝଲସିଲା ଭୁବନେଶ୍ବର ଏବଂ କଟକ : Autism Awareness day in Twin City

 

ସାରା ବିଶ୍ଵ ଏପ୍ରିଲ ୨ ରେ ପାଳନ କରୁଛି  ସ୍ଵଲୀନତା (ଅଟିଜିମ) ସଚେତନତା ଦିବସ । ଏହି ଅବସରରେ ଭୁବନେଶ୍ଵରଏବଂ କଟକରେ ଦିନବେଳେ ୨୫ ରୁ ଉର୍ଦ୍ଧ୍ଵ ସ୍ଥାନରେ ବିଭିନ୍ନ ସମାଜିକ ଅନୁଷ୍ଠାନର କର୍ମକର୍ତ୍ତା   ପଥପ୍ରାନ୍ତେ ‘’ସହରକୁ ନୀଳରଙ୍ଗେ ରଙ୍ଗେଇ ଦିଅ’’ ( ପେଣ୍ଟ ଦ ସିଟି ବ୍ଲୁ ) କାର୍ଯ୍ୟକ୍ରମ ଆୟୋଜନ କରି ଅଟିଜିମ ସଚେତନତା ପ୍ରସାରରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଉଚ୍ଚ ପଦସ୍ତ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ରେଡକ୍ରସର ସ୍ଵେଚ୍ଛାସେବୀ, ସ୍କାଉଟ ଓ ଗାଇଡ଼, ଏନସିସି, ପୁନର୍ବାସ କେନ୍ଦ୍ର ତଥା ଶିକ୍ଷା ଅନୁଷ୍ଠାନରୁ ଛାତ୍ର ଛାତ୍ରୀ, ବ୍ୟବସାୟୀ, ସିନେ ଅଭିନେତା  ବିଜୟ ମହାନ୍ତି, ସ୍ଵଲୀନଗ୍ରସ୍ତ ସ୍ଵତନ୍ତ୍ର ପିଲା ଓ ସେମାନଙ୍କ ଅଭିଭାବକମାନଙ୍କ ସହ କିଛି ସମୟ କାଟି ସେମନଙ୍କ ହାତକୁ ନୀଳରଙ୍ଗରେ ରଙ୍ଗୀନ କରିଥିଲେ । ରାତିରେ ବିଏମସି ପକ୍ଷରୁ ଅନେକ ସରକାରୀ  ନିର୍ମାଣଗୁଡ଼ିକରେ ନୀଳରଙ୍ଗର ଆଲୋକ ସଜ୍ଜା ବ୍ୟବସ୍ଥା ହୋଇଥିଲା ।

’ସ୍ଵଲୀନତା ବା ଅଟିଜିମ ହେଉଛି ଏକ ସ୍ନାୟବିକ ବିକାଶ ଜନିତ ମାନସିକ ବିକୃତ ପ୍ରାୟ ସ୍ଥିତି  ଯେଉଁଥିରେ  ପ୍ରାୟ ଦୁଇ ବର୍ଷ ବେଳୁ  ଛୁଆଠାରେ ଲକ୍ଷଣମାନ ଦେଖାଦିଏ ଯଥା ବାକ ଓ ଭାଷା ବିନିମୟରେ ଅକ୍ଷମତା, ଅନ୍ୟସହ ଆଖି ମିଶେଇ ଯୋଗାଯୋଗ କରିବାରେ ଅକ୍ଷମତା, ବହୁବାର ଅଦରକାରୀ  ଅଚରଣ ସହ ସେ ନିଜେ ନିଜର ଏକ ଦୁନିଆରେ ହଜିଯିବା ଭଳି ଲକ୍ଷ୍ୟ କରାଯାଏ ‘’

‘’ଲାଇଟ ଇଟ ଅପ ବ୍ଲୁ’’ ହେଉଛି ଅଟିଜିମ ସ୍ପିକ୍ସ ତରଫରୁ ପାଳନ ହେଉଥିବା ଏକ ସଚେତନତା ଅଭିଯାନ । ଆମେରିକାସ୍ଥିତ ମାଡିସନ ଛକ ସମେତ ବିଶ୍ଵର ବିଭିନ୍ନ ଜନଗହଳି ସ୍ଥାନରେ ଥିବା ଅଟ୍ଟାଳିକାମାନ ନୀଳ ଆଲୋକରେ ସଜାହୋଇ ଏହି ଦିବସ ପାଳିତ ହେଉଛି  ।

ବିଶ୍ଵ ସ୍ଵଲୀନତା ଦିବସ ମିଳିତ ଜାତିସଂଘ ସାଧାରଣ ବିଧାନ ପରିଷଦ  ଶପଥ ସଂଖ୍ୟା ୬୨/୧୩୯ ରେ ୨୦୦୭ ମସିହା ନଭେମ୍ଭର ୧ଦିନ ପାରିତ ହୋଇ ୨୦୦୭ ଡିସେମ୍ବର ୧୮ରେ ଗୃହିତ ହୋଇଥିଲା । କତାର ସଂଯୁକ୍ତ ରାଜ୍ୟ ପ୍ରତିନିଧିଙ୍କ ତରଫରୁ ଏହି ପ୍ରସ୍ତାବ ଦିଆଯାଇଥିଲା ଏବଂ ଏଥିପାଇଁ ସର୍ବ ସମର୍ଥନ ମିଳିଥିଲା । ବିନା କୌଣସି ଭୋଟରେ ଏହି ପ୍ରସ୍ତାବ ଗୃହିତ ହୋଇଥିଲା କାରଣ ମିଳିତ ଜାତିସଂଘ ଏଥିପାଇଁ ପୂର୍ବରୁ ସ୍ଵଲୀନତାଗ୍ରସ୍ତଙ୍କ ପାଇଁ ମାନବିକ ଅଧିକାର ପ୍ରଚେଷ୍ଟା ଚଳାଇଥିଲା  ।

ବିଶ୍ଵ ସ୍ଵଲୀନତା ଦିବସ ହେଉଛି ମିଳିତ ଜାତିସଂଘର ପ୍ରମୁଖ ଚାରୋଟି ଅଫିସିଆଲ ସ୍ଵାସ୍ଥ୍ୟ ସ୍ଵତନ୍ତ୍ର ଦିବସ ମଧ୍ୟରୁ ଗୋଟିଏ । ୨୦୦୮ରୁ ପ୍ରତିବର୍ଷ ଏପ୍ରିଲ ୨ରେ ସ୍ଵଲୀନତା ନିୟନ୍ତ୍ରଣ ସଂସ୍ଥାଗୁଡ଼ିକ ଏକାଠି ହୋଇ ସେଇ ସ୍ଵଲୀନଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଥାନ୍ତି ତଥା ଗବେଷଣା, ଚିହ୍ନଟ, ଉପଚାର, ସଚେତନତା ଓ ପ୍ରଚାର ପ୍ରସାର ପାଇଁ ସଂକଳ୍ପ କରିଥାନ୍ତି ।

Author:

Nistha Ranjan Dash

(Audiologist & Speech Therapist)

VIMSAR, Burla, Sambalpur.

Comments

comments