Bhubaneswar Buzz

ପ୍ରତିଶ୍ରୁତି : An Odia short story by Prabir Kumar Sahoo

“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ ସାକ୍ଷୀ ରଖି ତମ ହାତ ଧରିଛି। ମୁଁ ତୁମକୁ ଆଜି ଆଉଥରେ କଥା ଦେଉଛି। ତୁମର ସବୁ ଦୁଃଖ ମୋର। କେବେ ବି ମନ ଉଣା କରିବନି”। ବିବାହର ତିରିଶ ବର୍ଷ ପରେ ବି ସୌମ୍ୟ କହିଥିବା ଗୋଟି ଗୋଟି କରି ସବୁ ଶବ୍ଦ ଆଉ ସବୁ ବାକ୍ୟ ମନେ ଅଛି ରୁନୁର। ଆଉ ଗତ ତିରିଶ ବର୍ଷରେ କେବେ ବି ସେ ଦେଇଥିବା କଥାରୁ ଓହରି ଯାଇନି। ଶାଶୁଶ୍ବଶୁରଙ୍କୁ ମୁହଁ ଟେକି ପଦେ ଜବାବ ଦେଇନି। କୋଟି କୋଟି ଟଙ୍କାର ହିସାବ ନିକାଶ କରୁଥିବା ବ୍ୟାଙ୍କ ମ୍ୟାନେଜର ରଞ୍ଜିତା ମିଶ୍ର, ମାନେ ରୁନୁ, ପାରିବାରିକ ଉଚିତ ଅନୁଚିତର ହିସାବ ନିଜ ପର୍ଯ୍ୟନ୍ତ ସୀମିତ ରଖିଛି। ଅବେଳରେ ହାତ ଛାଡି ଚାଲି ଯାଇଥିବା ସ୍ୱାମୀଙ୍କ ହାତଧରି ଦେଇଥିବା, ସବୁ ବଚନ ପାଳନ କରିଆସିଛି।

ସୌମ୍ୟ ଯେତେବେଳେ ପ୍ରଥମଥର ରୁନୁକୁ ଦେଖିବାକୁ ଯାଇଥିଲେ, ପରସ୍ପରକୁ ଦେଖି ଦୁହେଁ ମୋହିତ ହେଇ ଯାଇଥିଲେ। ରୁନୁ କୁ ଦେଖି ସୌମ୍ୟ ସହିତ ସମସ୍ତେ ଖୁସି ହେଲେ କେବଳ ଅନ୍ନପୂର୍ଣ୍ଣାଙ୍କୁ ଛାଡି। ଅନ୍ନପୂର୍ଣ୍ଣା ନିଜର ସୁନ୍ଦର ପୁଅ ପାଇଁ ସେ ଏଇ ସାବନ ରଙ୍ଗର ଝିଅଟିକୁ ବୋହୁ କରିବାକୁ ସମ୍ପୂର୍ଣ୍ଣ ଅରାଜି ଥିଲେ। ସଦାଶିବ ବାବୁ କିନ୍ତୁ ରୂପ ନୁହେଁ ଗୁଣରେ ବିଶ୍ୱାସ ରଖୁଥିବା ଭିନ୍ନ ମଣିଷଟିଏ। ମୁରବୀ ହିସାବରେ ତାଙ୍କ କଥା ଅନୁସାରେ କାଳକ୍ରମେ ରୁନୁ ବୋହୁ ହେଇ ଆସିଲା। ସ୍ତ୍ରୀ ଧର୍ମରେ ବ୍ରତୀ ହେଇ ରୁନୁ ସବୁ କାମକୁ ହାତେଇ ନେଲା। ଅନ୍ନପୂର୍ଣ୍ଣାଙ୍କ ମନରେ ଗୋଟିଏ ଅଶାନ୍ତି ସବୁବେଳେ ଥାଏ ଯେ ତାଙ୍କର ଗୋଟିଏ ବୋଲି ପୁଅ ଭାଗ୍ୟରେ ଏଇ ସାବନବର୍ଣ୍ଣି ଝିଅଟି ଜୁଟିବାର ଥିଲା। ସେଇ ଅଶାନ୍ତି ଦେଖା ଅଦେଖାରେ ସବୁବେଳେ ବାହାରି ଆସେ।

ସ୍ନାତକ ପଢିଥିବା ରୁନୁ ଘରକାମ ସହ ଶାଶୁ ଶ୍ୱଶୁରଙ୍କ ସେବାରେ ମଗ୍ନ ରହୁଥିଲା। ସୌମ୍ୟ କିନ୍ତୁ ଚାହୁଁଥିଲେ ରୁନୁ ଚାକିରୀ କରୁ। ରୁନୁ ସୌମ୍ୟଙ୍କ କଥାକୁ ଗୁରୁତ୍ୱ ଦେଉ ନଥିଲା। ଶେଷରେ ଶହେ ରାଣନିୟମ ପକେଇ ରୁନୁକୁ ରାଜି କରେଇଲେ ସୌମ୍ୟ। ସବୁକାମ ସାରି ପିଲାଙ୍କ କଥା ବୁଝିସାରିଲା ପରେ ରାତିରେ କିଛି ସମୟ ରୁନୁ ଧ୍ୟାନ ଦେଲା ପଢାପଢିରେ। ଶେଷରେ ରୁନୁ ବ୍ୟାଙ୍କରେ ଚାକିରୀ ପାଇବା ସୌମ୍ୟଙ୍କୁ ଯେତିକି ଖୁସି ଦେଲା ତା ଠାରୁ ଢେର ବେଶି ଚିନ୍ତାରେ ପଡିଲା ରୁନୁ। ସେତେବେଳକୁ ରୁନୁର ପୁଅଟେ ଝିଅଟେ ହେଲେଣି। ଯଦିଓ ପୋଷ୍ଟିଂ ଘର ପାଖରେ ମିଳିଲା ତେବେ ପରିବାରକୁ ଛାଡି ଚାକିରୀ କରିବା ଇଚ୍ଛା ନଥିଲା ରୁନୁର। ସୌମ୍ୟ କିନ୍ତୁ ସବୁ କଥାକୁ ପଛରେ ପକେଇ ବାଧ୍ୟ କଲେ ଚାକିରୀ କରିବା ପାଇଁ। ପରିବାରର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ଥିଲେ ମଧ୍ୟ ସୌମ୍ୟଙ୍କ ଇଚ୍ଛା ଥିଲା ରୁନୁ ସ୍ୱାଭିମାନ ସହ ଜୀବନ ଅତିବାହିତ କରୁ। ବିବାହର ଛଅ ବର୍ଷରେ ଗୋଟିଏ ସଡକ ଦୁର୍ଘଟଣାରେ ସୌମ୍ୟ ରୁନୁ କୋଳରେ ଦୁଇଟି ପିଲାକୁ ଛାଡି ଆରପାରିକୁ ଚାଲିଗଲେ। ରୁନୁ ମୁଣ୍ଡ ଉପରେ ଆକାଶ ଭାଙ୍ଗିପଡିଲା ଯେମିତି। ସବୁରାସ୍ତା ଏବେ ଅନ୍ଧକାରମୟ ଲାଗୁଥିଲା। ପିଲା ଦୁଇଟିଙ୍କର ମୁହଁକୁ ଚାହିଁ ସଂଘର୍ଷ କରିବାକୁ ରୁନୁ ପୁଣି ଥରେ ଅଣ୍ଟାଭିଡିଲା। ଶାଶୁ ଯଦିଓ ରୁନୁର ଚାକିରୀ କରିବାର ଘୋର ବିରୋଧୀ ଥିଲେ, ସୌମ୍ୟ ଗଲାପରେ ସେମାନଙ୍କ ବିରୋଧ ଆଉ ବଳବତ୍ତର ନଥିଲା। ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ରୁନୁ ବି ପରିସ୍ଥିତିର ଗାମ୍ଭିର୍ଯ୍ୟ ସହିତ ପରିଚିତ ହେଇ ଯାଇଥିଲା।

ରୁନୁର ଏବେ କର୍ମକ୍ଷେତ୍ରରେ ଦାୟିତ୍ବ ସହ ପାରିବାରିକ ଦାୟିତ୍ୱ ବି ବହୁଗୁଣରେ ବଢିଗଲା। ନିଜ ଅନୁପସ୍ଥିତି ରେ ଶାଶୁ ଶ୍ୱଶୁର ଓ ପିଲାଙ୍କ ଦାୟିତ୍ୱ ନେବା ପାଇଁ ନିଜ ଗାଁରୁ ରେଖା କୁ ନେଇ ଆସିଥିଲା। ରେଖା କେବଳ ଗୋଟେ ସାହାଯ୍ୟ ଥିଲା ବାକି ସବୁ ଘରକାମ ରୁନୁକୁ ହିଁ କରିବାକୁ ପଡୁଥିଲା। ସମୟକ୍ରମେ ପିଲା ଦୁଇଟି ବଢିଲେ ପଢିଲେ ଆଉ ଚାକିରୀ କରି ବାହାରେ ରହିଲେ। ତା ପରେ ଝିଅ ପୁଅଙ୍କ ବିବାହ ବି ସମ୍ପନ୍ନ ହେଲା। ଯେ ଯାହା ଜାଗା ଧରିଲେ ହେଲେ ରୁନୁ ପାଇଁ କିନ୍ତୁ ବେଶି କିଛି ବଦଳି ନଥିଲା। ବିବାହ ଠାରୁ ଆଜି ପର୍ଯ୍ୟନ୍ତ ସିଏ ଶାଶୁଶ୍ୱଶୁରଙ୍କ  ସେବା ସେମିତି କରି ଆସୁଥିଲା। ଶାଶୁଙ୍କ ମନର ଅଶାନ୍ତି ସହ ଶ୍ୱଶୁରଙ୍କ ମନର ସନ୍ତୋଷ ରୁନୁ ପାଇଁ ଚିରାଚରିତ ହେଇ ସାରିଥିଲା।

ଦିନେ ରାତିରେ ଅନ୍ନପୂର୍ଣ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କଲେ। ରୁନୁ ତାଙ୍କୁ ଅବିଳମ୍ବେ ଡାକ୍ତରଙ୍କ ପାଖକୁ ନେଇଗଲା। ଚିକିତ୍ସା ଆରମ୍ଭ ହେଲା କିନ୍ତୁ ଡାକ୍ତରଙ୍କ ନୈରାଶ୍ୟ କୁ ରୁନୁ ଠିକ ଧରି ପାରୁଥିଲା। ଅନ୍ନପୂର୍ଣ୍ଣା ରୁନୁକୁ ପାଖକୁ ଡାକିଲେ। ରୁନୁ ଦୌଡିଯାଇ ଅନ୍ନପୂର୍ଣ୍ଣାଙ୍କ ଆଖିରୁ ବୋହୁଥିବା ଲୁହ ପୋଛି ପକେଇଲା କିନ୍ତୁ ନିଜ ଲୁହକୁ ରୋକି ପାରିଲାନି। ଅନ୍ନପୂର୍ଣ୍ଣା ରୁଦ୍ଧକଣ୍ଠରେ କହିଲେ “ମା ଲୋ, ମିଛ ଅହଙ୍କାର କୁ ନେଇ ତୋତେ କେବେ ବି ଭଲ ପାଇ ପାରିଲିନି। ମା ଛେଉଣ୍ଡ ହେଇ ବି ସବୁଦିନ ମୋତେ ଝିଅର ସ୍ନେହ ଦେଲୁ ଆଉ ମୁଁ ଅଭାଗିନୀ କେବେ ତୋ ମା ହେଇ ପାରିଲିନି। ମୋତେ କ୍ଷମା କରିଦବୁ ମା। ସୌମ୍ୟ ସିନା ଆରପାରିକୁ ଚାଲିଗଲା ହେଲେ ତୋ ଭଳି ସୁନା ମଣିଷଟିଏ ଆମ ପାଖରେ ଛାଡ଼ିଗଲା”। ରୁନୁ ବାଷ୍ପରୁଦ୍ଧ କଣ୍ଠରେ “ବୋଉ” ବୋଲି ଡାକିପାରିଲା ବାସ। ଆଉ କିଛି କହିବା ଦରକାର ପଡିନଥିଲା। ଅନ୍ନପୂର୍ଣ୍ଣା ସେପାରି ର ବାଟୋଇ ସାଜିଥିଲେ।

ତା ପର କେତେରାତି ରୁନୁ ଆଖିରେ ନିଦ ନଥିଲା। ଭୋକ ଶୋଷ ଯେମିତି କିଏ ନେଇ ଯାଇଥିଲା। ପଥର ପ୍ରାୟ ହୃଦୟଟେ ନେଇ ରୁନୁ, ସୌମ୍ୟଙ୍କୁ ସ୍ୱପ୍ନରେ ଦେଖୁଥିଲା। ସୌମ୍ୟଙ୍କ ସେଇ ହସିଲା ଚେହେରା ବାରମ୍ବାର ସାମ୍ନାକୁ ଆସି ବୋଧ ଦେଇ ଯାଉଥିଲା, ” ରୁନୁ ତମେ ଅମୁଲ୍ୟ, ତମେ ସକ୍ଷମ ତମେ ମୋତେ ଦେଇଥିବା ସବୁ ପ୍ରତିଶ୍ରୁତି ପାଳନ କରିଥିବା ସମ୍ପୂର୍ଣ୍ଣ ମଣିଷଟିଏ”।

Author : Prabir Kumar Sahoo (Twitter : https://twitter.com/Odiapuo)

Comments

comments