Bhubaneswar Buzz

#OdiaPost ଭୁବନେଶ୍ୱରରେ ଆକର୍ଷଣ ସାଜିଛନ୍ତି ଥାଇଲାଣ୍ଡ ଗଣେଶ

bhubaneswar ganesh puja bisarjan eco friendly

ଥାଇଲାଣ୍ଡ ଗଣେଶ ହେଉଛନ୍ତି ରାଜଧାନୀ ଭୁବନେଶ୍ଵରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପୂଜା ପାଉଥିବା ଗଣେଶଙ୍କ ମଧ୍ୟରେ ସବୁଠୁ ବଡ଼ ଗଣେଶ । ଉଚ୍ଚତା ୨୫ ଫୁଟ, ଚଉଡ଼ା ୩୫ ଫୁଟ ଓ ଗୋଲେଇ ୨୨ଫୁଟ । ମାସେ କାଳ ଦଶଜଣ କରିଗରଙ୍କ ଦ୍ୱାରା ତିଆରି ହେଉଥିବା ଏହି ମୂର୍ତ୍ତି ପିଛା ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ ଟଙ୍କା ।  ଏଠାରେ ଏକ ଫୁଟ ଉଚ୍ଚା ଆଉ ଏକ ସାନ ଗଣେଶ ମଧ୍ୟ ପୂଜା ପାଆନ୍ତି । ବିନା ରାସାୟନିକ ପଦାର୍ଥ ଓ ରଙ୍ଗରେ ପ୍ରସ୍ତୁତ ହୁଅନ୍ତି ଉଭୟ ଗଣେଶ । ଏହି ମୁର୍ତ୍ତି ସହ ଆଉ ଏକ ଆକର୍ଷଣ ହେଉଛି ଲଡୁ । ବଡ଼ ଗଣେଶ ମୂର୍ତ୍ତିଙ୍କ ହାତରେ ପ୍ରତିବର୍ଷ ଏକ ବିରାଟ ଲଡ଼ୁ ରଖାଯାଇଥାଏ । ଗତବର୍ଷ ୨୨ କେଜି ଓଜନର ଲଡ଼ୁ ପ୍ରସ୍ତୁତ ହୋଇଥିଲା । ପ୍ରତିବର୍ଷ ବିସର୍ଜନ ପରେ ବିରାଟ ଲଡ଼ୁକୁ ନିଲାମ କରାଯାଏ ।

ବିନା ବାଜା ବିନା ମଦ ବିନା ମତୁଆଲା ନାଚରେ ଉଇନର୍ସ କ୍ଲବରେ ଥାଇଲାଣ୍ଡ ଗଣେଶଙ୍କ ବିସର୍ଜନ ସମ୍ପନ୍ନ ହୁଏ । ବିସର୍ଜନ ପାଇଁ ଘଣ୍ଟା ଘଣ୍ଟା ଧରି ରାସ୍ତାକୁ ଅକ୍ତିଆର କରି ଜାମ ରଖିବା, ଅସଭ୍ୟ ନୃତ୍ୟ ସଂସ୍କୃତି ପରିବେଷଣ, ଶବ୍ଦ, ବାୟୁ ଓ ଜଳ ପ୍ରଦୂଷଣ ଭଳି ଘଟଣାରୁ ବିରତ ରୁହନ୍ତି କ୍ଲବ ସଦସ୍ୟମାନେ । ୨୨ଫୁଟ ଉଚ୍ଚ ବଡ଼ ମୂର୍ତ୍ତିକୁ ବିସର୍ଜନ ସମୟରେ ନଗର ପରିକ୍ରମା ଓ ଭସାଣି ପାଇଁ ସମସ୍ୟା ଥିବାରୁ ଏହାକୁ କ୍ଲବ ମଣ୍ଡପରେ ହିଁ ବିସର୍ଜନ କରାଯାଏ ।

ଗଣେଶ ମୂର୍ତ୍ତିଙ୍କ ପୂଜା ସ୍ଥାନରେ ହିଁ ବିସର୍ଜନ କ୍ରିୟା ସମ୍ପନ୍ନ ହୁଏ । ଏଥିପାଇଁ ପୂଜା ମଣ୍ଡପ ପାଖରେ ୧୦/୧୫ ଫୁଟର କୁଣ୍ଡ ଖୋଳାଯାଏ । ପାଇପ ଜରିଆରେ ମୂର୍ତ୍ତିରେ ପାଣି ମରାଯିବା ପରେ ଉପର ମାଟି ଛାଡ଼ିଯାଇଥାଏ । ଏଥିପାଇଁ ପ୍ରାୟ ଦୁଇଘଣ୍ଟା ସମୟ ଲାଗେ । ଏହାପରେ ବଳକା ଥିବା ମାଟି, ନଡ଼ା ଓ ଅନ୍ୟାନ୍ୟ ଅବ୍ୟବହୃତ ଜିନିଷକୁ ଖୋଳା ଯାଇଥିବା କୁଣ୍ଡରେ ପୋତି ଦିଆଯାଏ । କେବଳ ବିଧିକୁ କୁଆଖାଇ ନଦୀରେ ବିନା ପଟୁଆରରେ ସାନ ଗଣେଶଙ୍କ ବିସର୍ଜନ ହୁଏ ।

ସହିଦନଗରର ଇମ୍ଫା ପାର୍କ ନିକଟ ପୂଜା ମଣ୍ଡପରେ ଉଇନର୍ସ କ୍ଲବ ସଦସ୍ୟମାନେ ଦୀର୍ଘ ଦଶ ବର୍ଷ ଧରି ଆୟୋଜନ କରୁଛନ୍ତି ଗଣେଶ ପୂଜା । ମାତ୍ର ଗତ ୩ ବର୍ଷ ଧରି ବଡ଼ ମୁର୍ତ୍ତି, ବିରାଟ ଲଡୁ ଓ ଏପରି ଅଭିନବ ଉପାୟରେ ପରିବେଶ ଅନୁକୂଳ ଗଣେଶ ପୂଜା ଓ ବିସର୍ଜନ କ୍ରିୟା ସମ୍ପନ୍ନକରି ବାଃ ବାଃ ସାଉଁଟିଛନ୍ତି । ଉଇନର୍ସ କ୍ଲବର ଏପରି ପଦକ୍ଷେପ ରାଜଧାନୀରେ ସମ୍ପୂର୍ଣ୍ଣ ନିଆରା ।

———————————————————————————————————————–

ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…

Comments

comments