Bhubaneswar Buzz

ଢେଙ୍କାନାଳର ନିଆରା ଦୀପାବଳି : An article by Sisir Sahoo this Deepavali

ପିମ୍ପେଇ କାଠି

ଆଲୋକର ପର୍ବ ଦୀପାବଳି ସାରା ଭାରତରେ ଭିନ୍ନ ଭିନ୍ନ ମତକୁ ନେଇ ବିଭିନ୍ନ ଶୈଳୀରେ ପାଳିତ ହୋଇଥାଏ । ଉତ୍ତରଭାରତୀୟ ରାମଙ୍କର ଅଯୋଧ୍ୟା ଆଗମନ ଖୁସିରେ ଦୀପାଵଳି ପାଳନ୍ତି । ଶକ୍ତି ଉପାସକଙ୍କ ପାଇଁ ଦୀପାଵଳି ଦେବୀ କାଳିଙ୍କର ଅନ୍ୟତମ ପୂଜାର୍ଚ୍ଚନାର ଦିଵସ । ଦକ୍ଷିଣ ଭାରତୀୟ ମାନେ ନରକାସୁର ବଧ ତଥା କେତେକ ଅଞ୍ଚଳରେ ରାଜା ବଳୀଙ୍କ ପାଇଁ ପାଳନ୍ତି ଦୀପାବଳି ପର୍ଵ । ଓଡ଼ିଶାରେ ସ୍ବତନ୍ତ୍ର ଶୈଳୀରେ ଦୀପାଵଳି ପାଳନ ହେଉଥିଲେ ହେଁ ତାହା ଯେ ରାଜା ବଳୀଙ୍କ ସକାଶେ ଉଦିଷ୍ଟ, ଅଧିକାଂଶ ବୁଦ୍ଧିଜୀବୀ ମାନନ୍ତି ।

ଓଡ଼ିଶାରେ କାର୍ତ୍ତିକ ଅମାବାସ୍ୟାକୁ ପିପେଇ ଅମାବାସ୍ୟା କୁହାଯାଏ । ଆଞ୍ଚଳିକ ଶୈଳୀରେ ଏହି ଶବ୍ଦ ପିପେଇ, ପିମ୍ପେଇ, ପିପାଇ, ପିପୋଇ, ପିମ୍ପା, ପିମ୍ପାଇ ଆଦି ହୋଇଅଛି । ପିପେଇର ଅର୍ଥ ପୂପଦୀପ ବା ପୂପାଳି ଆଗେ ଏ ଦିନ ଓଡ଼ିଶାରେ ପୂପ ବା ପିଠାରେ ଦୀପକାଠି ପୋତି ପିତୃପୁରୁଷଙ୍କୁ ଶ୍ରାଦ୍ଧ କରାଯାଉଥିଲା ବୋଲି କାର୍ତ୍ତିକ ଅମାବାସ୍ୟାକୁ ପିପେଇ ଅମାବାସ୍ୟା କୁହାଯାଏ ।

ଓଡ଼ିଶାରେ କାର୍ତ୍ତିକ ଅମାବାସ୍ୟା ଦିନ ସଂଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଦୀପାଵଳି ଉତ୍ସବର ପାଳନ ବିଧି ପ୍ରାଚୀନ ଓଡ଼ିଆ ବିଧିବିଧାନ ଠାରୁ ସାମାନ୍ୟ ଭିନ୍ନ ପରିଲକ୍ଷିତ ହୁଏ । ଢେଙ୍କାନାଳରେ ପ୍ରଥମେ ରୋଷେଇ ଘରେ(ଭିତର ଘରେ) ଐଶାନ୍ୟ କୋଣର ସ୍ଥାପିତ ଦେଵତାଙ୍କୁ ପୂଜାର୍ଚ୍ଚନା କରି ତତ୍ପରେ ଘର ଦୁଆରରେ ଲିପାପୋଛା କରାଯାଏ ।
ତତ୍ପରେ ଦୁଆରରେ ଝୋଟି ପକାଇ ସାତୋଟି ପିଣ୍ଡ ସ୍ଥାପନ କରାଯାଏ । ସପ୍ତ ପିଣ୍ଡରେ ପିଠା, କାକରା, ଆରିସା ଆଦି ମିଷ୍ଟାନ୍ନ ସହ ତାଳଟାଙ୍କୁଆ ଭୋଗ ଲଗାଯାଏ ।

ଆଗେ ରାତ୍ରରେ ପିତୃଲୋକଙ୍କୁ ପୂପଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନକରାଯାଉଥିଲା ବୋଲି ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖା ଅଛି ତେବେ ଆଧୁନିକ ଯୁଗରେ ପିଠାରେ ଦୀପ ପୋତିବା ବିଧି କେତେକ ଅଞ୍ଚଳରେ ଆଉ ନାହିଁ ବିଶେଷତଃ ଢେଙ୍କାନାଳ ଜିଲ୍ଲାରେ ।

ଓଡ଼ିଶାରେ ପାଳିତ ହେଉଥିବା ଦୀପାଵଳିରେ କାଉଁରିଆ କାଠି ଦରକାର ହୁଏ । ଢେଙ୍କାନାଳରେ କାଉଁରିଆ କାଠିରେ ଗୃହ ସଦସ୍ୟଙ୍କ ସଂଖ୍ୟା ଅନୁଯାୟୀ ପିମ୍ପେଇ କାଠି ତିଆରି ହୁଏ । ଏହି ପିମ୍ପେଇ କାଠିର ଓଡ଼ିଶାରେ ସ୍ଥାନ ବିଶେଷରେ ଭିନ୍ନ ଭିନ୍ନ ନାମ ପ୍ରଚଳିତ । ଉଦାହରଣ ସ୍ଵରୂପ- ବାଲେଶ୍ବରରେ ଏହାକୁ ପୟା କାଠି ମଧ୍ୟ କୁହାଯାଏ ।

ପିମ୍ପେଇ କାଠି ବା ପୟାକାଠି ତିଆରି କରିବା ବିଧି ସହଜ । ଦୁଇ ହାତ ଲମ୍ଵ ମୁଠାଏ କାଉଁରିଆ କାଠିକୁ ଝୋଟରେ ବାନ୍ଧି ତହିଁରେ ସୁଆମ ଲଈ(ଲତା) ଓ ବାଳୁଙ୍ଗା ଗଛ,ରାଶିଫୁଲ ଦେଇ ପିମ୍ପେଇ କାଉଁରିଆ ଆଗରୁ ତିଆରି କରି ରଖାଯାଇଥାଏ । ଦୁଆରରେ ତିଆରି କରାଯାଇଥିବା ଝୋଟି ମଧ୍ୟରେ ପିଣ୍ଡ ସ୍ଥାପନ ସମ୍ପୂର୍ଣ୍ଣ ହୋଇଗଲା ପରେ ଅବ୍ରାହ୍ମଣ ପୂଜା ହୋଇଥାଏ । ସ୍ତ୍ରୀଲୋକମାନେ ହୁଳହୁଳି ମଙ୍ଗଳ ଆଳତୀ ସହ ପ୍ରଥମେ ରୋଷେଇ ଘରର ଐଶାନ୍ୟକୋଣରେ
କୁଳ ଦେବତାଙ୍କୁ ଧୂପ ଦୀପ ଦିଅନ୍ତି । ରୋଷେଇ ଘରେ ପିମ୍ପେଇ କାଠିରେ ଅଗ୍ନି ସଂଯୋଗ କରି ତାହାକୁ ଝୋଟି ଉପରେ ସ୍ଥାପିତ ସପ୍ତ ପିଣ୍ଡ ପାଖକୁ ଅଣାଯାଏ । ସେଠାରେ ହୁଳହୁଳି ଆଦି ମଙ୍ଗଳ ଧ୍ଵନି ଓ ବନ୍ଦାପନା କରି ନିଆଁ ଧରାଇଥିବା ପିମ୍ପେଇ କାଉଁରିଆ ମାନ ଧରି ଗୃହର ସଦସ୍ୟ ମାନେ ଜଣ ଜଣ କରି ଦାଣ୍ଡକୁ ଆଣନ୍ତି ଏବଂ ଆଣିଲା ବେଳେ
ଗାଅନ୍ତି :

“ଗଙ୍ଗା ଯା ଗୟା ଯା
ଶ୍ରୀପୁରୁଷୋତ୍ତମ ଯା
ଶରଧାବାଲିରେ ଗଡ଼ଗଡା଼ଉ ଥା ….
ହେ ବଡ଼ବଡୁଏ…..!
ଅନ୍ଧାରେ ଆସି ଆଲୁଏ ଯା
ବାଇଶି ପାବଚ୍ଛେ ଗଡ଼ଗଡା଼ଉ ଥା”
ହେ ବଡ଼ବଡୁଏ….! ”

ବଡ଼ବଡି଼ଆ ବା ବଡ଼ବଡୁ଼ଆଙ୍କୁ ଡକାଯାଉଥିବାରୁ
କାର୍ତ୍ତିକ ଅମାବାସ୍ୟାକୁ କେହି କେହି ବଡ଼ବଡି଼ଆ / ବଡ଼ବଡୁଆ ଅମାବାସ୍ୟା ବି କହିଥାନ୍ତି ।

ଢେଙ୍କାନାଳରେ ଏଇ ଭଳି ସମ୍ପାଦିତ ହୋଇଥାଏ ଦୀପାଵଳି ।

 

Article by Sisir Sahoo

Comments

comments