Bhubaneswar Buzz

#OdiaPost ମନ୍ଦିରରେ ପୂଜା ପାଉଛନ୍ତି ମହାତ୍ମା ଗାନ୍ଧୀ – ସମ୍ବଲପୁର ଭତରାରେ ଭାରତର ପ୍ରଥମ ଗାନ୍ଧୀ ମନ୍ଦିର

 

Mahatma gandhi idol sambalpur bbsrbuzz 3

ଉନ୍ନବିଂଶ ଶତାବ୍ଦୀର ଅଶୀ ଦଶକରେ ହରିଜନଙ୍କ ଦ୍ବାରା ତିଆରି ହୋଇଥିବା ଏ ହେଉଛି ଭାରତର ପ୍ରଥମ ଏବଂ ଅନନ୍ୟ ଗାନ୍ଧି ମନ୍ଦିର । ଛୁଆଁ ଅଛୁଆଁ ଭେଦଭାବ ଆନ୍ଦୋଳନ ଡାକରା ଦେଇଥିବା ମହାତ୍ମାଗାନ୍ଧୀ ଗ୍ରାମବାସୀଙ୍କ ଦୃଷ୍ଟିରେ କୌଣସି ଭଗବନଙ୍କଠୁ କମ ନଥିଲେ । ହରିଜନ ହୋଇଥିବାରୁ ଏକଦା ଏହି ଗାଁର ଗ୍ରାମବାସୀ ଭେଦଭାବର ଶିକାର ହେଉଥିଲେ । କୌଣସି ମନ୍ଦିର ପ୍ରବେଶ ଏମାନଙ୍କ ପାଇଁ ମନା ଥିଲା । ଛୁଆଁ-ଅଛୁଆଁ ଭେଦଭାବକୁ ଦୂର କରିବା ଏବଂ ସଚେତନତା ପ୍ରସାର ପାଇଁ ଭତରା ଗାଁର ବୁଦ୍ଧିଜୀବିମାନେ ଗାଁରେ ମହାତ୍ମା ଗାନ୍ଧୀଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ । ସେହି ସ୍ଥାନ ପାଲଟିଗଲା ଦେଶପ୍ରେମୀଙ୍କ ତୀର୍ଥସ୍ଥଳ । ସମ୍ବଲପୁର ଜିଲ୍ଲା ଭତରା ଆଜି ସାରା ଦେଶର ଚର୍ଚ୍ଚିତ ସ୍ଥାନରୁ ଅନ୍ୟତମ ।

Mahatma gandhi idol sambalpur bbsrbuzz 2

Pic courtesy: JagranJunction

ଗାନ୍ଧି ମନ୍ଦିରରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତୀରେ ଧୂପ, ଦୀପ ଓ ଫୁଲ ଦେଇ ପୂଜା କରାଯାଏ । ବିଭିନ୍ନ ଫଳମୂଳ ଓ ମିଷ୍ଟାନ୍ନ ଭୋଗ ଲଗାଯାଏ । ଜାନୁଅରୀ ୨୬ ଗଣତନ୍ତ୍ର ଦିବସ, ଅଗଷ୍ଟ ୧୫ ସ୍ଵାଧିନତା ଦିବସ , ଅକ୍ଟୋବର ୨ ଗାନ୍ଧି ଜୟନ୍ତି ଓ ଜାନୁଆରୀ ୩୦ ତାରିଖରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଏ । ଏହି ଦିନମାନଙ୍କରେ ମନ୍ଦିରକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟେ । ପ୍ରତିଦିନ ସକାଳେ ରାମଧୂନ ଓ ସନ୍ଧ୍ୟାରେ ରାମାୟଣ ଓ ଭାଗବତ ଆଦି ପଢାଯାଏ । ‘ରଘୁପତି ରାଘବ ରାଜା ରାମ’ ବାପୁଙ୍କର ଏହି ପ୍ରିୟ ଭଜନଟି ମଧ୍ୟ ଏହି ମନ୍ଦିରରେ ନିୟମିତ ଭାବେ ବୋଲାଯାଇଥାଏ । ପ୍ରତିଦିନ ମନ୍ଦିରରେ ପୂଜା ହୋଇ ଭୋଗ ଲାଗିବା ପରେ ହରିଜନପଡ଼ା ସାହିର ଲୋକମାନଙ୍କୁ ଭୋଗ ବଣ୍ଟାଯାଏ ।

Mahatma gandhi idol sambalpur bbsrbuzz 1

Pic courtesy: MeriNews.com

ମନ୍ଦିର ଭିତର ଗର୍ଭଗୃହରେ ଗାନ୍ଧୀଜିଙ୍କର ୩.୫ଫୁଟ ଉଚ୍ଚତାର ମୂର୍ତ୍ତୀ ପୂଜା ପାଉଛନ୍ତି । ଚତୁର୍ପାର୍ଶ୍ଵରେ ବରପୁତ୍ରଗଣ ଯଥା ବାପୁଙ୍କ ସହ ସୁବାଷ ଚନ୍ଦ୍ର ବୋଷ, ରବୀନ୍ଦ୍ରନାଥ ଠାକୁର, ଆମ୍ବେଦକର, ଶ୍ରୀ ଅରବିନ୍ଦ ଓ ଅନ୍ୟାନ୍ୟ ମହାପୁରୁଷମାନଙ୍କ ଫଟୋଚିତ୍ର ରହିଛି । ମନ୍ଦିର ସମ୍ମୁଖରେ ଅଶୋକ ସ୍ଥମ୍ଭ ଅବସ୍ଥିତ । ଏହାର ଦ୍ୱାର ଦେଶରେ ଭାରତମାତାଙ୍କର ମୂର୍ତ୍ତି ଦେଖିବାକୁ ମିଳିଥାଏ । ମନ୍ଦିର ଶିଖରରେ ତ୍ରିରଙ୍ଗା ପତାକା ଉଡୁଛି । ମନ୍ଦିର ପରିସରରେ ଗାନ୍ଧୀଜିଙ୍କ ଜୀବନର ବିଭିନ୍ନ ସ୍ମରଣୀୟ ଘଟଣାବଳୀ ସହ, ତିନି ମାଙ୍କଡ଼ର ପ୍ରତିଛବି ରହିଛି ।
ରେଢାଖୋଲର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଉଦ୍ୟମରେ ୧୯୭୧ମସିହାରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ନିର୍ମାଣ ଶେଷ ହୋଇ, ୧୯୭୪ ଅପ୍ରେଲ ୧୧ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ଵାରା ମନ୍ଦିର ଉଦଘାଟନ କରାଯାଇଥିଲା । ସହର ଉପକଣ୍ଠରେ ଥିବା ଭତରା ହରିଜନପଡ଼ାଠାରେ ମନ୍ଦିରଟି ଗଢିଉଠିଲା । ସ୍ଥାନୀୟ ଶିଳ୍ପୀ ତୃପ୍ତି ଦାସଗୁପ୍ତ ଯେ କି ଚନ୍ଦ୍ରଶେଖର ବେହେରା ଜିଲ୍ଲା ହାଇସ୍କୁଲର ଜଣେ ଜଣାଶୁଣା ଅଙ୍କନ ଶିକ୍ଷକ, ମନ୍ଦିରର ରୂପ ଦେଇଥିଲେ । ଏଥିରେ ଥିବା ଗାନ୍ଧିଙ୍କ ବ୍ରୋଞ୍ଜ ପ୍ରତିମା ଗଞ୍ଜାମର ଖଲିକୋଟ ଆର୍ଟ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଖୋଦିତ ହୋଇଥିଲା । ତତ୍କାଳିନ ରାଜସ୍ଵମନ୍ତ୍ରୀ ବ୍ରଜ ମୋହନ ମହାନ୍ତି ଏହି ପ୍ରତିମୁର୍ତ୍ତୀ ପାଇଁ ୫୦୦୦ଟଙ୍କା ଅନୁଦାନ ଦେଇଥିଲେ । ଗ୍ରାମବାସୀ କେବଳ ଅର୍ଥ ନୁହେଁ ଶ୍ରମଦାନ କରି ଏହି ଭବ୍ୟ ମନ୍ଦିରକୁ ତୋଳାଇଥିଲେ । ପରେ ଆଦିତ୍ୟ ବିର୍ଲା ଗୃପ ଏହି ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାମରେ ସହାୟତା ଦେଇଥିଲେ ।
କେମିତି ଯିବେ: ଗାନ୍ଧୀ ମନ୍ଦିରଠାରୁ ଅଧ କିମି ଦୂରରେ ୫୩ନଂ ଜାତୀୟ ରାଜପଥ ରହିଛି । ୮ କିମି ଦୂରରେ ରହିଛି କ୍ଷେତରାଜପୁର ରେଳ ଷ୍ଟେସନ । ୨୬କିମି ଦୂରରେ ରହିଛି ଜମାଦାରପଲ୍ଲି ଏୟାର ଷ୍ଟ୍ରିପ ଓ ୬୧କିମି ଦୂରତାରେ ରହିଛି ଝାରସୁଗୁଡ଼ା ବିମାନ ବନ୍ଦର । ଭୁବନେଶ୍ଵର ସମ୍ବଲପୁର ବସ (୩୦୦ କିମି )ବା ଟ୍ରେନ ଯୋଗେ ଆସି, ବସଷ୍ଟାଣ୍ଡ ବା ଷ୍ଟେସନଠାରୁ ଅଟୋ ସାହାଯ୍ୟରେ ମନ୍ଦିରକୁ ଯିବା ସୁବିଧା ମଧ୍ୟ ଅଛି ।

———————————————————————————————————————–

ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…

Comments

comments