Bhubaneswar Buzz

#OdiaPost କନ୍ଧମାଳ ବିଶିପଡ଼ାର ୧୮୦ ବର୍ଷର ପୁରୁଣା ଲଙ୍କାପୋଡ଼ି ଯାତ୍ରାରେ ଚରିତ୍ରମାନେ ପିନ୍ଧନ୍ତି ବିରଳ କାଠମୁଖା

ଓଡ଼ିଶାର ଗାଁ ଗହଳିରେ ରାମଲୀଳା ବା ରାମ ନାଟକ ହେଉଛି ଏକ ଅତି ପୁରୁଣା ପରମ୍ପରା । ରାମ ନବମୀଠାରୁ ରାମଲୀଳା ପିଣ୍ଡିମାନଙ୍କରେ ଆରମ୍ଭ ହୋଇଯାଏ ରାମଲୀଳା । ଓଡ଼ିଶାର ଅନେକ ଗାଁରେ ରାମଲୀଳା ନାଟକ ମଞ୍ଚସ୍ଥ ହେଉଥିଲେ ହେଁ କନ୍ଧମାଳର ବିଶିପଡ଼ାରେ ଆୟୋଜିତ ହେଉଥିବା ରାମଲୀଳା ସବୁଠୁ ନିଆରା । ଏଠିକାର ରାମଲୀଳା ୧୮୩୫ରୁ ଆରମ୍ଭ ହୋଇ ଦୀର୍ଘ ୧୮୨ ବର୍ଷ ହେବ ଚାଲୁରହିଛି । ସାଧାରଣତଃ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ହେଉଥିବା ରାମଲୀଳାରେ କାଗଜ ମୁଖା ବ୍ୟବହାର ହେବାର ଦେଖାଯାଏ କିନ୍ତୁ ଏହି ଗାଁର ରାମଲୀଳାର ନିଆରାପଣ ହେଲା ଏଠାକାର ଚରିତ୍ରମାନେ କାଠ ମୁଖା ପିନ୍ଧିଥାନ୍ତି । ସମୁଦାୟ ୭୦ଟି ମୁଖା ଏଇ ରାମଲୀଳାରେ ବ୍ୟବହାର ହୋଇଥାଏ । ଏଠାରେ ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ଓ ଇନ୍ଦ୍ରଜିତ ଆଦି ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତିମାନେ ମଧ୍ୟ କାଠରେ ତିଆରି ମୁଖା ପିନ୍ଧିଥାନ୍ତି । ସିକିମ, ହିମାଚଳ ପ୍ରଦେଶ, ଆସାମ ଓ ଓଡ଼ିଶାର କେତେକ ସ୍ଥାନରେ ଏଭଳି କାଠମୁଖା ଦେଖିବାକୁ ମିଳୁଥିଲେ ହେଁ ସେଗୁଡ଼ିକ କେବଳ ରାକ୍ଷସ, ପଶୁପକ୍ଷୀ ଚରିତ୍ରମାନଙ୍କଠାରେ ସୀମିତ ରହିଥାଏ ।

ରାମଲୀଳା ମୁଖା ସବୁକୁ ଭଞ୍ଜନଗରର ଚଢ଼େୟାପଲ୍ଲୀର ଶିଳ୍ପୀମାନେ ୧୫୦ବର୍ଷ ପୂର୍ବେ ତିଆରି କରିଥିଲେ । କେବଳ ରାବଣ ପିନ୍ଧୁଥିବା କାଠମୁଖାର ଓଜନ ପ୍ରାୟ ୯୦କେଜି । ଏତେ ଓଜନର ମୁଖା ପିନ୍ଧି ଅଭିନୟ କରିବା କଷ୍ଟକର ହୋଇଥିବାରୁ କଳାକାରମାନେ ଏହାକୁ ବହନକରି ସହଜରେ ନାଚଗୀତ କରିବା ପାଇଁ ସ୍ୱତନ୍ତ୍ର କୌଶଳ ଅବଲମ୍ବନ କରନ୍ତି ।

କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସହଯୋଗରେ ଏହି ନାଚକୁ ଦିଲ୍ଲୀଠାରେ ୨୦୧୬ ମସିହା ଜାନୁଆରୀ ୧୩ ଓ ପୁଣି ମାର୍ଚ୍ଚ ୨୭ ତାରିଖରେ ପ୍ରଦର୍ଶିତ କରାଯାଇଥିଲା । ଅନେକ ବେସରକାରୀ ସଂସ୍ଥା ଏହାର ପ୍ରଚାର ପ୍ରସାର କରିବାକୁ ଆଗେଇ ଆସିଲେଣି । ଏଇ ନିଆରା ପରମ୍ପରାକୁ ବଜାୟ ରଖିବା ପାଇଁ ସରକାର ଓ ଜନସାଧାରଣ ଆଉକିଛି ପାଦ ଆଗେଇ ଆସିବାକୁ ହେବ ।

 

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments