Bhubaneswar Buzz

#OdiaPost ଆମ ଠାକୁରଙ୍କୁ ବି ହୁଏ ଶୀତ । ପିନ୍ଧନ୍ତି ଶୀତବସ୍ତ୍ର । ଓଢ଼ଣ ଷଷ୍ଠୀରୁ ହୁଏ ଘୋଡ଼ଲାଗି ବେଶ

ମାନବ ଲୀଳା କରୁଥିବା ଆମ ଆରାଧ୍ୟ ଠାକୁର ବିଭିନ୍ନ ପାର୍ବଣରେ ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି । ଠିକ ମଣିଷଙ୍କ ଭଳି ଖାଆନ୍ତି ମଣିଷଙ୍କ ଭଳି ପିଅନ୍ତି ମଣିଷଙ୍କ ଭଳି ବର୍ଷକୁ ଥରେ ଜ୍ୱର ହୁଏ, ମାଉସୀ ଘର ବୁଲି ଆସନ୍ତି । ସେପରି ମାର୍ଗଶୀର ମାସ (ଶୀତଦିନ) ଉପନୀତ ହୋଇଥିବାରୁ ତାଙ୍କୁ ମଧ୍ୟ ଶୀତ ହୁଏ ।

ମାର୍ଗଶୀର୍ଷେ ଶୀତ ପକ୍ଷେ ଯା ଷଷ୍ଠି ତିଥିସଂଯୁତା,
ସା ତୁ ପ୍ରାବରଣୀ ନାମ ସର୍ବକାମ ଫଳପ୍ରଦା ।
ବିଜୟତୁ ଜଗନ୍ନାଥ ଦିବ୍ୟବସ୍ତ୍ରେଣାଳଂକୃତ,
ପ୍ରୟଚ୍ଛତୁ ସର୍ବକାମାନ ସ୍ଵର୍ଗ ମୋକ୍ଷଂ ଚ ଦୁର୍ଲଭମ ।

ଏଇ ଶୀତରୁ ରକ୍ଷା ପାଇବା ପାଇଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି  ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ଶୀତ ବସ୍ତ୍ର ଲାଗି ହୁଏ । ଏହାକୁ ଘୋଡ଼ଲାଗି ବେଶ କୁହାଯାଏ । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ଶୁକ୍ଳ ପଞ୍ଚମୀ ଯାଏଁ ଅବକାଶ ଓ ମଧ୍ୟାହ୍ନ ଧୂପରେ ବିଗ୍ରହମାନେ ଘୋଡ଼ ପରିଧାନ କରନ୍ତି । ମାଘ ଶୁକ୍ଳ ଷଷ୍ଠୀ ଠାରୁ ଫଗୁ ଦଶମୀ ଯାଏଁ ଜାମାଲାଗି ବା ଠିଆଘୋଡ଼ ବେଶ କରାଯାଇଥାଏ । ଘୋଡ଼ଲାଗି ବେଶ ଓ ଜାମାଲାଗି ବେଶ ମଧ୍ୟରେ ଫରକ ହେଲା, ଅଧିକ ଶୀତ ପଡ଼ିଥିବା ବେଳେ ମହାପ୍ରଭୁ ଦେହମୁଣ୍ଡ ସଂପୂର୍ଣ୍ଣ ଘୋଡାଇ ହେବା ପରି ବେଶ ପିନ୍ଧିଥାଆନ୍ତି ଓ ଶୀତ କମିଗଲେ ଜାମାଲାଗି ବେଶ ହୋଇଥାଆନ୍ତି ।ମାର୍ଗଶିର ଷଷ୍ଠୀ ଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ (ବସନ୍ତ ପଞ୍ଚମୀ) ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।
ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି । ସାତ ଦିନରେ ସାତଟି ରଙ୍ଗର ଘୋଡ଼ବସ୍ତ୍ର ଯଥା:

ରବିବାର – ନାଲି ରଙ୍ଗର ଘୋଡ଼ବସ୍ତ୍ର
ସୋମବାର – କଳାଛିଟା ମିଶା ଧଳା ଧଳା ଘୋଡ଼ବସ୍ତ୍ର
ମଙ୍ଗଳବାର – ବାର ପଟିଆ (ପଞ୍ଚ ରଙ୍ଗ ମିଶା) ଘୋଡ଼ବସ୍ତ୍ର
ବୁଧବାର – ନୀଳ ରଙ୍ଗର ଘୋଡ଼ବସ୍ତ୍ର
ଗୁରୁବାର – ହଳଦିଆ ଘୋଡ଼ବସ୍ତ୍ର
ଶୁକ୍ରବାର – ଧଳା ଘୋଡ଼ବସ୍ତ୍ର
ଶନିବାର – କଳା ଘୋଡ଼ବସ୍ତ୍ର

ଘୋଡ଼ଲାଗି ବେଶରେ ଗଡ଼ା (ମୋଟା ସୂତା ବସ୍ତ୍ର), ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଏ । ଘୋଡ଼ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀସେବକଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ । ତିନିଠାକୁରଙ୍କ ପାଇଁ ୧୪ହାତ ଲମ୍ବ ଓ ୩ହାତ ଓସାରର ଚାରିଖଣ୍ଡ ପାଟ ବ୍ୟବହାର କରାଯାଏ ।

ଘୋଡ଼ଲାଗି ବେଶରେ ଠାକୁରମାନଙ୍କୁ ମକର ଚଉରାଶି ଓ ମକର ଚୂଳ ଲାଗି କରାଯାଇଥାଏ । ଏହି ବେଶରେ ଠାକୁରମାନେ ମୋଟ ୩୦ମୂର୍ତ୍ତି ସୁନା ଅଳଙ୍କାର ପରିଧାନ କରିଥାନ୍ତି ।

ଜାମାଲାଗି ବେଶରେ ଶ୍ରୀଜୀଉମାନେ ଜାମା ବା ଫତେଇ ପିନ୍ଧନ୍ତି ଯାହା ଫଳରେ ଶ୍ରୀବିଗ୍ରହମାନଙ୍କର ଶୀଅଙ୍ଗ ସମ୍ପୂର୍ଣ୍ଣ ଘୋଡାଇ ହୁଏ ନାହିଁ । ଏହି ଜାମା ଉପରପଟୁ ପିନ୍ଧାଇ ଦିଆଯାଏ । ଏହା କଟି ପାଖକୁ କୁଞ୍ଚ ହୋଇ ଘାଗରା ଭଳି ଦେଖାଯାଏ ।

ମାର୍ଗଶିର ଶୁକ୍ଳପଞ୍ଚମୀ ତିଥିରେ ରାତ୍ର ଚନ୍ଦନଲାଗି ଶେଷହେବା ପରେ ଭୋଗମଣ୍ଡପ ଘରେ ପତନି ଘୋଡ଼, ଖଣ୍ଡୁଆ ଘୋଡ଼, ମଦନମୋହନଙ୍କ କବରୀ, କାନ୍ଥ ଏବଂ ବିମଳା, ଲକ୍ଷ୍ମୀ ଓ ସରସ୍ଵତୀଙ୍କ ଘୋଡ଼ ଅଧିବାସ କରାଯାଇଥାଏ । ଭୋଗମଣ୍ଡପ ଘର ଧୋ-ପଖାଳ ହେବା ସହ ଅଧିବାସ ପାଇଁ ଚାନ୍ଦୁଆ ଟଙ୍ଗା ଯାଇଥାଏ । ପୂଜାପଣ୍ଡା ତିନୋଟି ମଣ୍ଡଳକାଟି ଚାଙ୍ଗୁଡ଼ିରେ ରହିଥିବା ଘୋଡ଼ଗୁଡିକୁ ଅଧିବାସ ଅରିଥାନ୍ତି । ଏହା ପରେ ଭୋଗମଣ୍ଡପ ଘରର ଦ୍ଵାର ମୁଦହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥାଏ ।

ପାରବଣ ଷଷ୍ଠୀ ଦିନ ସକାଳଧୂପ ଶେଷ ହେବାପରେ ପାଳିଆ ପୁଷ୍ପାଳକ ସେବକ ମାନେ ଯଥାବିଧି ମଇଲମ କରିଥାନ୍ତି । ପଞ୍ଚମୀ ରାତିରେ ଅଧିବାସ ହୋଇଥିବା ଘୋଡ଼ଗୁଡ଼ିକୁ ପୂଜାପଣ୍ଡା, ପତି, ମୁଦିରସ୍ତ ଓ ତିନିଜଣ ପୁଷ୍ପାଳକ ଗରାବଡୁଙ୍କ ଠାରୁ ହାତୁଆଣି ନେଇ ଘଣ୍ଟାଛତା କାହାଳି ସହ ତଳୁଚ୍ଛ ପଟୁଆରରେ ବଡ଼ଦେଉଳକୁ ଆଣି ତିନି ବେଢ଼ା ବୁଲାଇ ଭିତର ସିଂହାସନକୁ ବିଜେ କରାନ୍ତି । ଏହାପରେ ପାଗ, ଘୋଡ଼ ତଥା ଅଳଙ୍କାର ଲାଗି କରାଯାଏ । ପ୍ରଭୁଙ୍କ ପାଗ ଘୋଡ଼ ସମେତ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଏ ।

ଓଡ଼ିଶାରେ ପ୍ରାୟ ପ୍ରତ୍ୟେକ ଦେଉଳରେ ସମନୀତି ଦେଖିବାକୁ ମିଳେ । ଘୋଡ଼ଲାଗି ବେଶରେ ଶୀତ ଦିନରେ ସାନ୍ଧ୍ଯ ଦର୍ଶନ କରିବା ପାଇଁ ଦେଉଳରେ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳେ । ଅନେକ ଶ୍ରଦ୍ଧାଳୁ ନିଜ ଠାକୁରଘରେ ମଧ୍ୟ ବିଗ୍ରହ ମାନଙ୍କୁ ଶୀତବସ୍ତ୍ର ଦ୍ୱାରା ଢାଙ୍କିଥାନ୍ତି ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments