Bhubaneswar Buzz

#OdiaPost ପ୍ରସିଦ୍ଧ କ୍ଷୀରି ଭୋଗ ପାଇଁ ଚାଲନ୍ତୁ ବର୍ଷକୁ ମାତ୍ର ୧୦ ଦିନ ପାଇଁ ଚଳଚଞ୍ଚଳ ରହୁଥିବା ଆଲାରନାଥ ପୀଠ

alarnath temple jagannath puri 1

Pic courtesy : @shrijagannatha

Alarnatha Temple is a temple dedicated to Vishnu and located in Brahmagiri, near Puri.It becomes crowded after the Snana Yatra when lord Jagannath cannot be seen in Puri. During this period, popularly known as Anasara or ‘Anavasara’  instead of having darshan in Jagannath Temple,peoples believe that Lord Jagannath during this time manifests as Alarnath Dev, at the Alarnath temple.The pilgrims not only gather to get a view of the presiding deity, but also get a taste of the famous khiri  here.

କୃଷ୍ଣ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରେ ଏହି ମନ୍ଦିର । କଥିତ ଅଛି ଅଣସର ସମୟରେ ଗୋଟିଏ ଦିନ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ସମାନ ଏବଂ କୋଟିପୂଣ୍ୟ ଫଳ ଅର୍ଜନ କରାଯାଇଥାଏ । ସ୍ନାନ ପୂର୍ଣିମା ପରଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳେନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ଲୋକଲୋଚନରେ ପ୍ରଚଳିତ ଅଛି ସେ ୧୦ ଦିନରେ ଆପଣ ଯାହା ମାଗିବେ ତାହା ପାଇବେ । ଏଣୁ ଜଗନ୍ନାଥଙ୍କ ଅନବସର ସମୟରେ ଏଠି ଭିଡ଼ ଲାଗି ରହେ । ଅଲାରନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରି କିଛି ରିତିନୀତି ପାଳନ ହୁଏ । ଏଠାର ପ୍ରସିଦ୍ଧ ପ୍ରସାଦ ହେଉଛି କ୍ଷୀରି ଭୋଗ । ଯାହାକି ଅଣସର ସମୟରେ ଅଧିକ ସ୍ୱାଦିଷ୍ଟ ହୋଇଉଠେ ।

khiri alarnath temple

‘”ଆସ ଦିଅଁ ଖାଅ କ୍ଷୀରି

ବାପା ଯାଇଛନ୍ତି ବିଦେଶ କରି

ମୋତେ ନଆସେ ପୂଜା କରି’’

ଓଡ଼ିଆ ଲୋକ କଥାରେ ଯୋଡ଼ା ହୋଇଥିବା ‘ଆହେ  ଦିଅଁ ଖାଅ ଖିରି ମୋତେ ନ ଆସୁ ପୂଜା କରି’ ପଂକ୍ତିଟି ଏହିଠାରୁ ହିଁ ଆସିଛି । ବ୍ରାହ୍ମଣ ପୁଅର ଡାକରେ କେମିତି ପଥର ତରଳିଛି ତାହା ଏଠି ଦେଖିବାକୁ ମିଳିଛି । ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କାର୍ଯ୍ୟବଶତଃ ବିଦେଶକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ । ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚିଲା । ନାରାୟଣଙ୍କ ପାଖରେ ଖାଇବାକୁ ଦେଇ ଚାଲିଲା ସାଙ୍ଗ ସାଥିଙ୍କ ସହ ଖେଳିବାକୁ । ଫେରି ଦେଖିଲା ଖିରି ଯେମିତି ରହିବା କଥା ସେମିତି ରହିଛି । ଏଥିରୁ ମଧୂସୂଦନ ଭାବିଲା ବାପା ନାହାନ୍ତି ବୋଲି ଠାକୁର କିଛି ଖାଇଲେନି । ବହୁତ କାନ୍ଦିଲା । ତା ପରେ କହିଲା ହେ ପ୍ରଭୁ ମୋତେ ପୂଆ ଆସେନି, ବାପା ଆସିଲେ ମନ୍ତ୍ର ପାଠ କରିବେ । ହେଲେ ଏବେ ତ କିଛି ଖାଆନ୍ତୁ । ପୁଅର ଭକ୍ତିକୁ ଦେଖି ସିଂହାସନରୁ ଓହ୍ଲାଇ ଆସିଲେ ଠାକୁର । ହାଣ୍ଡିରୁ ସବୁ କ୍ଷୀରି ଖାଇ ଚୁଛେଇ ଦେଲେ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ । ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ । ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ ଭାଗରେ ଲୁଚି ରହିଥିଲେ । କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । ସେଇଥିପାଇଁ ଆଜି ଡାହାଣ ହାତ ଆଉ ମୁହଁ ଭଗବାନଙ୍କ ଫୋଟକା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳେ ।

ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି ।

ବୈଷ୍ଣବ ତଥା କୃଷ୍ଣ ଚେତନାର ପ୍ରଚାରକ ଶ୍ରୀ ଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଚାଲି ଚାଲି ଯାଇ ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇ ଆନନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଏପରିକି ତାଙ୍କ ଭକ୍ତିରେ ଏଠାର ପଥର ତରଳି ଯାଇଥିଲା ବୋଲି ଲୋକକଥା କହେ । ଏହାର ସାକ୍ଷୀ ସ୍ୱରୂପ ଏକ ପଥର ଖଣ୍ଡ ମଧ୍ୟ ଏଠାରେ ରହିଛି । ଯେଉଁଥିରେ ପାଦ ହାତ ଚିହ୍ନ ରହିଛି  । ଯେଉଁ ଠାଣୀରେ ଶ୍ରୀ ଚୈତନ୍ୟ ପ୍ରଭୁଙ୍କୁ ଆରାଧନା କରିଥିଲେ ତାହାର ସାକ୍ଷୀ ସ୍ୱରୂପ । ଯାହାର ନିଦର୍ଶନ ସ୍ବରୂପ ସେଠାରେ ଶ୍ରୀ ଚୈତନ୍ୟଙ୍କ ମନ୍ଦିର ନିର୍ମାଣ କରାଯାଇଛି ।

ପୁରୀରୁ ୨୦ କି.ମି. ପୁରୀ-ସାତପଡ଼ା ଜାତୀୟ ରାଜ ରାସ୍ତା (୨୦୩ –କ)ରେ ଗଲେ ପଡ଼େ ବ୍ରହ୍ମଗିରିର ଗୋପଛକ  । ଶ୍ରୀ ଅଲାରନାଥ ମନ୍ଦିର ଯିବା ପାଇଁ ସେଠାରେ ଏକ ସଦୃଶ ତୋରଣ ବିଦ୍ୟମାନ । ଶ୍ରୀ ଅଲାରନାଥଙ୍କ ପୀଠ ପାଞ୍ଚ ଏକର ପରିମିତ ଜାଗାରେ ଅବସ୍ଥିତ । ସ୍ଥାନଟି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହି ଭକ୍ତମାନଙ୍କୁ ଆକର୍ଷିତ କରିଥାଏ। ଏଠାକାର ଶାନ୍ତ ସ୍ନିଗ୍ଧ ନଡ଼ିଆ ବଣ, ବଉଳ ଫୁଲର କେତକୀ ଫୁଲର ବାସ୍ନା ସମଗ୍ର ଅଞ୍ଚଳରେ ଏକ ଭାବପୂର୍ଣ୍ଣ ପରିବେଶ ଗଢିତୋଳେ ।

ଅଣସରର ଶେଷ ୫ ଦିନ ଏଠାରେ ପ୍ରବଳ ଭିଡ଼ ହୁଏ । ପାଲା, ଦାସକାଠିଆ, ଭଜନ, ସଂକୀର୍ତ୍ତନରେ କମ୍ପିଉଠେ ଶ୍ରୀ ଅଲାରନାଥ ମନ୍ଦିର। ତେଣୁ ଏହି ସମୟରେ ସେଠାକୁ ଯିବା ହିଁ ପ୍ରକୃଷ୍ଠ ସମୟ । ପ୍ରତିବର୍ଷ ରଥଯାତ୍ରା ସମୟରେ ଜଗନ୍ନାଥ ମହାପ୍ରଭୁ ଅଣସରରେ ୧୫ଦିନ ରହୁଥିବା ବେଳେ ଭକ୍ତ ଅଲାରନାଥଙ୍କ ଦର୍ଶନ କରିଥାଏ  କିନ୍ତୁ ନବକଳେବର ବର୍ଷରେ ୪୫ଦିନ ଅଣସରରେ ରହୁଥିବାରୁ ଅଲାରନାଥ ପୀଠରେ ତଦନୁଯାୟୀ ୪୫ଦିନ ପୂଜା ରୀତି ହୁଏ ଓ ଭକ୍ତମାନେ ଏହି ସମୟରେ ଅଲାରନାଥ ପୀଠରେ ଆଶାତୀତ ଭିଡ ଜମାଇଥାନ୍ତି । ପ୍ରାୟ ବର୍ଷସାରା ଭକ୍ତମାନେ  ଅଲାରନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।

ଏହି ମନ୍ଦିରକୁ କିଏ କେବେ ନିର୍ମାଣ କରିଥିଲା ତାହା ଏବେ ମଧ୍ୟ ଅଗୋଚର । ତେବେ ମନ୍ଦିରର କାରୁକାର୍ଯ୍ୟରୁ ଏହା ଅଷ୍ଟମ ଶତାବ୍ଦୀର ବୋଲି ଜଣାପଡ଼େ । ମନ୍ଦିରର ଉଚ୍ଚତା ମାତ୍ର ୫୦ ଫୁଟଶ୍ରୀ ଅଲାରନାଥଙ୍କ ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତି ଚାରିପଟେ ତୋରଣ ଅଛି । ତୋରଣ ତଳେ ପାର୍ଶ୍ଵଦେବୀ ଶ୍ରୀଦେବୀ, ଭୂଦେବୀ ବିଦ୍ୟମାନ କରୁଛନ୍ତି ।  ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ। ଶ୍ରୀ ଜୀଉଙ୍କ ଊର୍ଦ୍ଦ୍ବ ବାମ ହସ୍ତରେ ଶଙ୍ଖ, ଡାହଣ ହାସ୍ତରେ ଚକ୍ରଚିହ୍ନ ଅଛି । ନିମ୍ନ ବାମ ହାସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ  । ଏଣୁ ଶ୍ରୀ ଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ । ଏହି କମନୀୟ ମୂର୍ତ୍ତିକୁ ଦର୍ଶନ କରିବା ମାତ୍ରେ ଭକ୍ତ ବିମୋହିତ ହୋଇଯାଏ । ଅଲାରନାଥଙ୍କ ମୁଖ୍ୟମନ୍ଦିର ବ୍ୟତୀତ ନାଟମନ୍ଦିର, ଚୈତନ୍ୟ ମନ୍ଦିର, ଭଜନ ଚକଡ଼ା, ରୋଷଶାଳା, ନବଗ୍ରହ ପ୍ରସ୍ଥର, ଯଜ୍ଞମଣ୍ଡପ ଅଛି। ଏବେ  ବାହାରେ ଭକ୍ତମାନେ ପଦଧୌତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଶ୍ରୀ ଅଲାରନାଥଙ୍କ ବାରମାସରେ ତେର ଯାତ ଅନୁଷ୍ଠିତ ହୁଏ । ଶ୍ରୀ ଜଗନ୍ନାଥଙ୍କ ପରି ଶ୍ରୀ ଅଲାରନାଥଙ୍କର ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବେଶ କରାଯାଏ । ସେହିଭଳି ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣିମା, କୁମାର ପୂର୍ଣିମା, ବିଜୟା ଦଶମୀ, ଦେବ ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ ।

(ଦୈନିକ ରୀତିନୀତି,  ଭୋଗ ଓ ସମୟ ନିର୍ଘଣ୍ଟ: ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମାଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଭଜା ଭୋଗ କରାଯାଏ  ମହାପ୍ରସାଦ ସାଙ୍ଗକୁ ପ୍ରସିଦ୍ଧ ଖିରି ପ୍ରତି ସଭିଙ୍କ ଆଦର ଥାଏ ପ୍ରତ୍ୟାହ ଭୋର 4ଟାରେ ଦ୍ବାର ଫିଟା ହୋଇ ମଙ୍ଗଳ ଆଳତି କରାଯାଉଛି । ୪ଟା ୨୦ ରେ ଅବକାଶ ନୀତି ସଂପନ୍ନ ହୋଇ ଠାକୁରଙ୍କୁ ବେଶ କରାଯାଉଛି । ଏହା ପରେ ୫ ଘଟିକା ସମୟରେ ବଲ୍ଲଭ ଧୂପ କରାଯାଇ ୫ଟା ୩୦ରୁ ସର୍ବସାଧାରଣ ଦର୍ଶନ ପାଇଁ ମୁଖଶାଳା ଖୋଲା ରହୁଛି । ମଧ୍ୟାହ୍ନ ଧୂପ ୧୨ ଘଟିକା , କ୍ଷୀରି ଧୂପ ୧ ଟା ୩୦ ରେ ଲାଗି ହୋଇ ଦିନ ୨ ଟା ପର୍ଯ୍ୟନ୍ତ ପହଡ ପଡି଼ରହୁଛି । ତାପରେ ପୁଣି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦ୍ବାର ଖୋଲି ଦିଆଯାଉଛି । ଅପରାହ୍ନ ୭ ଘଟିକାରେ ମଇଲମ ହୋଇ ସନ୍ଧ୍ୟା ଧୂପ ୮ ଘଟିକାରେ କରାଯାଇଥାଏ । ସେହିପରି ରାତି ୧୦ ଟାରେ ବଡ ସିଂହାର ବେଶ କରାଯାଇ ରାତି ଧୂପ ପରେ ପହଡ଼ ପଡ଼େ)

 

ମଇ ଓ ଜୁନ ମାସରେ ପୁରୀ ବୁଲିବା ଅତି ଆନନ୍ଦ ଦାୟକ । ରଥଯାତ୍ରାରେ ଭିଡ଼କୁ ଦେଖି ଅନେକଙ୍କ ପୁରୀ ବୁଲିବା ଆଗ୍ରହ କମିଯାଇଥାଏ ତେବେ ଏହି ସମୟରେ ଆପଣ ପୁରୀ ଓ ଆଖପାଖ ସ୍ଥାନସବୁ ବୁଲି ଶାନ୍ତି ଓ ପୁଣ୍ୟ ଦୁଇଟାଯାକ ଏକ ସଙ୍ଗେ ଲାଭ କରି ପାରିବେ । ଯଦି ଆପଣ ଜଣେ କ୍ଷୀରି ପ୍ରେମୀ ତେବେ ଏହାଠୁ ଜମାରୁ ଦୁରେଇ ରହିପାରିବେନି କାରଣ ଅଲାରନାଥ ପୀଠର ପ୍ରସିଦ୍ଧ ସ୍ଵାଦିଷ୍ଟ କ୍ଷୀରି ନ ପାଇ ଆପଣଙ୍କୁ ସନ୍ତୁଷ୍ଟି ମିଳିଲେ ତ!

 

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments