Bhubaneswar Buzz

#OdiaPost ପାରମ୍ପରିକ ଖଡ଼ିଛୁଆଁ ବିଧିରୁ ହୁଏ ଓଡ଼ିଆମାନଙ୍କ ବିଦ୍ୟାଶିକ୍ଷାର ଶୁଭାରମ୍ଭ

 

ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଏବଂ ବିଘ୍ନ ବିନାଶକ ଗଣେଶଙ୍କୁ ସମସ୍ତେ ପୂଜା କରିଥାଆନ୍ତି । ବିଶେଷକରି ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଙ୍କର ପୂଜା ମହା ସମାରୋହରେ ପାଳିତ ହୋଇଥାଏ । ସମଗ୍ର ବିଶ୍ବରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବା ବେଳେ ଓଡ଼ିଆମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇରହିଛି ।

ଓଡ଼ିଶାର ହିନ୍ଦୁଧର୍ମୀମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି ।ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ । ଏହା ଏକ ଶୁଭ ଅବସର ଯେଉଁଦିନ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ । ଏହି ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି । ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀମାନଙ୍କରେ ଆୟୋଜିତ ହୁଏ ।

ସକାଳୁ ପିତାମାତାମାନେ ପିଲାଙ୍କୁ ଗାଧୋଇ ପାଧୋଇ (କେହି କେହି ପିଲାଙ୍କୁ ପୂର୍ବରୁ ଲଣ୍ଡା କରେଇ ଥାଆନ୍ତି ) ନୂଆ ଜାମା ପିନ୍ଧାଇ ପ୍ରସ୍ତୁତ କରନ୍ତି । ଗୁରୁଜନମାନେ ନାନା କଥା କହି ବିଦ୍ୟାରମ୍ଭ ପାଇଁ ଉତ୍ସାହିତ କରନ୍ତି । ଖଡ଼ି, ସିଲଟ, ଛଞ୍ଚା, ଧୂପ ଦୀପ, ଫୁଲ ଆଦି ପୂଜା ସରଞ୍ଜାମ, ଭୋଗରାଗ ସହ ଦକ୍ଷିଣା ନେଇ ପହଞ୍ଚନ୍ତି ପୂଜା ସ୍ଥଳୀରେ । ଗଣେଶଙ୍କ ମଙ୍ଗଳାଚରଣ ଓ ପୁଷ୍ପାଞ୍ଜଳି ପରେ ଖଡ଼ି ସିଲଟ ପୂଜା ହୁଏ । ଆଚାର୍ଯ୍ୟ ସ୍ତୁତି ପଠନ କରି କୁନି ପିଲାଙ୍କ ହାତ ଧରି ସିଲଟ ଉପରେ ପାଣ ମଡ଼ାନ୍ତି (ଲେଖିବାରେ ସହଯୋଗ କରନ୍ତି) ।  ଖଡ଼ିରେ ‘ଓଁ ଶ୍ରୀ’  ଲେଖନ୍ତି । କେହି କେହି କେବଳ ତିନୋଟି ମୁଣ୍ଡଳୀ ବୁଲେଇ ଦିଅନ୍ତି ବା ସିଦ୍ଧରସ୍ତୁ ଲେଖନ୍ତି । ଓଁ ହେଉଛି ସୃଷ୍ଟିର ମୂଳ ତତ୍ତ୍ୱ ଓ ଶ୍ରୀ ଏହାର ରୂପ । ତିନୋଟି ମୁଣ୍ଡଳୀ ହେଉଛି ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର । ସିଦ୍ଧରସ୍ତୁ ଅର୍ଥ ବିଦ୍ୟା ସିଦ୍ଧି ହେଉ । ଲେଖି ସାରିବା ପରେ ଚାଟ, ଠାକୁର ଓ ଆଚାର୍ଯ୍ୟଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷାକରନ୍ତି ଓ ଦକ୍ଷିଣା ଦେଇ ସ୍ଵଗୃହକୁ ଫେରିଆସନ୍ତି । ଦକ୍ଷିଣ ଓଡ଼ିଶାରେ ଏହି ବିଧି ଭିନ୍ନ ଏକ ଢଙ୍ଗରେ ଦେଖିବାକୁ ମିଳେ । ଆଚାର୍ଯ୍ୟ ପିଲାଙ୍କୁ ଅରୁଆ ଚାଉଳ ପୂର୍ଣ୍ଣ ପିତ୍ତଳ ଥାଳିରେ ହଳଦୀ ଖଣ୍ଡଟିଏ ଧରି ଏକ ଅକ୍ଷର ଲେଖାନ୍ତି । ଚାଉଳର ଅର୍ଥ ଉତ୍ପାଦକତା ଓ ହଳଦୀର ଅର୍ଥ ପବିତ୍ରତାକୁ ସୂଚାଏ । ଉତ୍ପାଦକତା ଓ ପବିତ୍ରତା ହେଉଛି ଶିକ୍ଷାର ମୂଳ ମନ୍ତ୍ର ।

20160903_230502

ଖଡ଼ି ଛୁଆଁ ବିଧି ପରେ ପିଲା ଚାଟ ବା ଛାତ୍ର ବୋଲାନ୍ତି । ଚାଟଶାଳୀ ବା ବିଦ୍ୟାଳୟରେ ଭର୍ତ୍ତି ହୁଅନ୍ତି । ଏହି ଦିନୁ ଛାତ୍ର ପ୍ରତ୍ୟହ ବିସ୍ତାନୀ ଧରି ଅବଧାନ ବା ଓଝାଙ୍କ ପାଖକୁ ଯାଇ ଶିକ୍ଷା ଗ୍ରହଣ କରନ୍ତି । ଗୁରୁକୂଳ ପରମ୍ପରାରେ ଏହି ଦିନ ବିଦ୍ୟାର୍ଥୀ ଗୁରୁକୂଳରେ ଯୋଗ ଦେବା ବିଧି ଥିଲା । ପିଲାଙ୍କ ବୋଧ ଆସିବା ପରଠୁ ପିତାମାତା ସେମାନଙ୍କ ଶିକ୍ଷା ବ୍ୟବସ୍ଥା କଥା ଚିନ୍ତା କରନ୍ତି । ସେହିପରି ବ୍ରାହ୍ମଣ ଘରେ ପିଲାର ବ୍ରତ ଘର ବୋଧ ଆସିବା ପରେ ହିଁ ହୁଏ । ଓଡ଼ିଆ ଅଭିଭାବକମାନେ ଆଗକାଳରେ ସନ୍ତାନକୁ ସାତ ବର୍ଷ ବେଳକୁ ଶିକ୍ଷା ଆରମ୍ଭ ପାଇଁ ବିଦ୍ୟାଳୟ ପ୍ରେରଣ ବ୍ୟବସ୍ଥା କରୁଥିଲେ । ଏବେ ବିଦେଶୀ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ସହ ପିଲାକୁ ସମକକ୍ଷ କରିବା ପାଇଁ ମାତ୍ର ତିନି ବର୍ଷ ବୟସକୁ ହିଁ ବିଦ୍ୟାରମ୍ଭ ପାଇଁ ଉଚିତ ମଣୁଛନ୍ତି ।

ଜାଣି ବହୁତ ଖୁସି ଲାଗେ ଯେ କେବଳ ଓଡ଼ିଶା ନୁହେଁ ବିଦେଶରେ ରହୁଥିବା ଓଡ଼ିଆଙ୍କ ଠାରୁ ଦେଖି ବିଦେଶୀମାନେ ମଧ୍ୟ ଏହାର ପ୍ରାସଙ୍ଗିକତାକୁ ବୁଝନ୍ତି ଓ ପାଳନ କରନ୍ତି । ବିଶ୍ବର ବିଭିନ୍ନ ପ୍ରାନ୍ତ ତଥା ଅଷ୍ଟ୍ରେଲିଆର ବ୍ରିସବେନ, କାନବେରା, ସିଡନୀ, ମେଲବର୍ଣ୍ଣ , ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗେ ଓ ଓଡ଼ିଆମାନେ ରହୁଥିବା ଅନେକ ସହର, ଭାରତର ମୁମ୍ବାଇ, ବେଙ୍ଗାଳୁରୁ, କଲିକତା, ସୁରତ, ଦିଲ୍ଲୀ ଆଦି ସ୍ଥାନରେ ଜାକଜମକରେ ଏହିଁ ବିଧି ପାଳନ ହୁଏ ।  ଏଇ କାଗଜ କଲମ ଓ କମ୍ପ୍ୟୁଟର ଯୁଗରେ ବିଦେଶରେ ମଧ୍ୟ ଖଡ଼ି ଓ ସିଲଟ ଖଣ୍ଡେ ଯୋଗାଡ଼ କରିବାକୁ କେହି ପଛାନ୍ତି ନାହିଁ ।

ଏହି ଉଭୟ ପବିତ୍ର ଦିବସରେ ଓଡ଼ିଆମାନେ ବାଲ୍ୟକାଳରେ ମାତ୍ର ଥରେ ସିଲଟ ଉପରେ ପ୍ରଥମ ଅକ୍ଷର ଲେଖି ବିଦ୍ୟାର ବୀଜ ବୁଣନ୍ତି । ପିଲାବେଳକୁ ମାନେପକେଇବା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଯାହାକୁ ମନେ ପକେଇଦେବାକୁ ଆମେ ସାମାନ୍ୟ ଚେଷ୍ଟା କରିଛୁ । ଆପଣଙ୍କ ଖଡ଼ିଛୁଆଁ ସ୍ମୃତି କେମିତି ଥିଲା ଆମ ସହ ବାଣ୍ଟନ୍ତୁ ।

 

——————————————————————————————————————–

Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments