Bhubaneswar Buzz

କୁମାର ପୂର୍ଣ୍ଣିମାର ଚନ୍ଦ୍ର ଓ ପୁଚିଖେଳ – ଏକ ଵୈଜ୍ଞାନିକ ଦୃଷ୍ଟିକୋଣ

ଶରତ ପୂର୍ଣ୍ଣିମାରେ ଚାନ୍ଦ ପୂଜା
ଵିଜ୍ଞାନୀଙ୍କ ମତରେ, ଶରତ ପୂର୍ଣ୍ଣମୀରେ ଷୋହଳ କଳାଯୁକ୍ତ ଚନ୍ଦ୍ର, ପୃଥିଵୀର ନିକଟତର ଓ ଶୁଭ୍ରତର ହୋଇ ଜ୍ୟୋତ୍ସ୍ନାମୃତ ଵର୍ଷା କରନ୍ତି । ଚନ୍ଦ୍ରଙ୍କର କିରଣରେ ଅନେକ ରୋଗକୁ ଭଲ କରିଵାର ଶକ୍ତି ରହିଛି । ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କ କିରଣ ସ୍ପର୍ଶରେ ଅର୍ପିତ କ୍ଷୀର ଭୋଗ ଅମୃତ ସମାନ ହୋଇଥାଏ ।

ପୁଚି
କୁମାର ପୂର୍ଣ୍ଣିମାର ଵିଶେଷ ଆକର୍ଷଣ ହେଉଛି ପୁଚି ଖେଳ ଓ ପୁଚି ଗୀତ । ଏହା କୁଆଁରୀମାନଙ୍କ ଅତି ପ୍ରିୟ ଖେଳ । ଏହା କେଵଳ ମାତ୍ର ଏକ ଖେଳ ନୁହେଁ ଏହା ଏକ ଵ୍ୟାୟାମ । କୁମାରୀ ଅଵସ୍ଥା ପରେପରେ ଆସେ ଯୌଵନ ଓ ଏହି ସମୟରେ ଵିଵାହ ପରେ ଆସେ ମାତୃତ୍ୱ ହେଵାର ସୌଭାଗ୍ୟ । ପୁଚି ଖେଳ ଏକ ସୁସ୍ଥ ମାତୃତ୍ୱ ପ୍ରାପ୍ତିରେ ସହଯୋଗ କରିଥାଏ । ପୁଚି ଖେଳିଲେ ଗର୍ଭାଶୟ ସହିତ ସଂଲଗ୍ନ ଅଣ୍ଟାର ୪ଟି ଅସ୍ଥିବନ୍ଧ (Pelvic ligaments ଯଥା – round ligament, cardinal ligament, pubocervical ligament, and uterosacral ligament) ଆଦିର ସଙ୍କୋଚନ ଓ ପ୍ରସାରଣ ସୁଗମ ହୋଇଥାଏ, ଫଳରେ ପ୍ରସୂତି ସହଜ ଓ ସ୍ୱାଭାଵିକ ହୋଇଥାଏ ।

ଶୁଭ୍ର ସକାରାତ୍ମକ ଆଧ୍ୟାତ୍ମିକ ପରିଵେଶ
ଶରତ ଋତୁରେ ଚନ୍ଦ୍ରର ଉଜ୍ଜ୍ୱଳତା ଉଲ୍ଲେଖଯୋଗ୍ୟ । କେଵଳ ଏହି ଋତୁ ସହ ଚନ୍ଦ୍ର ନିବିଡ଼ତା ଦେଖି ଚନ୍ଦ୍ରକୁ ଶରତ ଚନ୍ଦ୍ର ବୋଲି ଵିଶେଷ ନାମକରଣ କରାଯାଇଛି ।
ଚନ୍ଦ୍ରର ଉଜ୍ଜ୍ୱଳତା ଯୋଗୁଁ ଏହି ସମୟରେ ଅଧିକାଂଶ ଫୁଲ ରାତିରେ ଫୁଟିଥାଏ, ଯାହାର ରଙ୍ଗ ଶୁଭ୍ର ହୋଇଥାଏ । ଆକାଶରେ ଶୁଭ୍ର ମେଘମାଳ ଓ ବିଲ ଵଣ ସାରା କାଶତାଣ୍ଡି ଫୁଲରେ ଧରିତ୍ରୀ ଶୁଭ୍ରମୟ ହୋଇଉଠେ । ଜଗତ ନିର୍ମଳ ଶୋଭା ଵିମଣ୍ଡିତ ହୋଇଥାଏ । ଏହି ଶୁଭ୍ରତା ମନରେ ସକାରାତ୍ମକ ଭାଵନା ଭରିଥାଏ । ଧଳା ସ୍ୱଚ୍ଛତା ଓ ଶାନ୍ତିର ପ୍ରତୀକ । ଏହି ଅଵସ୍ଥା ମନୁଷ୍ୟର ଵାତ୍ସଲ୍ୟ ଵା କିଶୋର ଅଵସ୍ଥା ସହ ତୁଳନା କରାଯାଇପାରେ । କିଶୋର ଅଵସ୍ଥାରେ ମନୁଷ୍ୟ ଚିନ୍ତାଶୂନ୍ୟ ଓ ଖେଳକୌତୁକରେ ନିମଗ୍ନ ଥାଏ, ଶିଶୁ ସୁଲଭ ରୋମାଞ୍ଚ ଆଣିଥାଏ । ଏହି ଋତୁ ମନରେ ନୂଆ ସମ୍ଭାଵନା ସୃଷ୍ଟି କରେ । ଏହି ସମୟରେ ମନରେ ଭଵିଷ୍ୟତଉନ୍ମୁଖୀ କାର୍ଯ୍ୟକ୍ରମର ଅୟମାରମ୍ଭ କରାଯାଇପାରେ । ଏହାର ପରଵର୍ତ୍ତୀ ଋତୁ ହେମନ୍ତ ଯାହା ଯୌଵନ ଓ ଶୀତ ଵାର୍ଦ୍ଧକ୍ୟର ପ୍ରତୀକ ହୋଇଥାଏ ଓ ଵସନ୍ତରେ ନଵପଲ୍ଲଵିତ ହୋଇଥାଏ ।
ମୋଟାମୋଟି ଭାବେ ଶରତ ଏକ ସକାରାତ୍ମକ ପରିଵେଶରେ ହର୍ଷ, ଉଲ୍ଲାସ ଓ ପାର୍ଵଣର ଋତୁ । ତେଣୁ ଏହି ସମୟରେ ଚାନ୍ଦ ଚକଟା ପୂଜା, ପୁଚି ଖେଳ, ଓ ଧାର୍ମିକ ପରମ୍ପରା ଵିଜ୍ଞାନ ସମ୍ମତ ଓ ପ୍ରାକୃତିକ ଅଟେ । ଏହି ଵିଜ୍ଞାନ ସମ୍ମତ ପରମ୍ପରାର ମୌଳିକତା ଅକ୍ଷୁର୍ଣ୍ଣ ରଖିଵାକୁ ଆଧୁନିକ ସମାଜ ଚେଷ୍ଟିତ ହେବାକୁ ପଡ଼ିଵ ।
– ନିଷ୍ଠା ରଞ୍ଜନ ଦାଶ 9437905307

Comments

comments