Bhubaneswar Buzz

#OdiaPost ଏପ୍ରିଲ ୨ ରେ ବିଶ୍ୱ ପାଳନ କରୁଛି ଅଟିଜିମ ସଚେତନତା ଦିବସ । ଆମେ କେତେ ସଚେତନ?

’ସ୍ଵଲୀନ, ଅନ୍ତର୍ଲିନ ବା ଅଟିଜିମ ହେଉଛି ଏକ ସ୍ନାୟବିକ ବିକାଶ ଜନିତ ମାନସିକ ବିକାର ପ୍ରାୟ ସ୍ଥିତି ଯେଉଁଥିରେ ପ୍ରାୟ ତିନିବର୍ଷ ପୂର୍ବରୁ ପିଲାଠାରେ ଲକ୍ଷଣମାନ ଦେଖାଦିଏ । ବାକ ଓ ଭାଷା ବିନିମୟ ଅକ୍ଷମତା, ଅନ୍ୟସହ ଆଖି ମିଶେଇ ଯୋଗାଯୋଗ କରିବାରେ ଅକ୍ଷମତା, ଅସାମାନ୍ୟ ସମ୍ବେଦନଶୀଳତା, ବାରମ୍ବାର ଅନାବଶ୍ୟକ ଅଚରଣ ସହ ସେ ନିଜେ ନିଜର ଏକ ଦୁନିଆରେ ହଜିଯିବା ଭଳି ଲକ୍ଷ୍ୟ କରାଯାଏ ।‘’

ବାଲ୍ୟାବସ୍ଥାରେ ମସ୍ତିଷ୍କ ବିକାଶ ଅଗ୍ରଗତି ହେଉଥିବା ବେଳେ ଏହି ମାନସିକ ରୋଗ ମସ୍ତିଷ୍କର ଅନେକ ଭାଗକୁ ଆକ୍ରାନ୍ତ କରିଥାଏ । ଅଟିଜିମଗ୍ରସ୍ତ ପିଲାଙ୍କ ସାମଗ୍ରିକ ବିକାଶ ଅନ୍ୟ ସାଧାରଣ ପିଲାଙ୍କ ତୁଳନାରେ ବହୁତ ପଛରେ ଥାଏ । ପରିସଂଖ୍ୟାନ ଅନୁଯାୟୀ ପ୍ରତି ହଜାର ଲୋକଙ୍କ ମଧ୍ୟରେ ୨ ଜଣ ଅଟିଜିମରେ ଆକ୍ରାନ୍ତ ହୋଇଥାନ୍ତି । ଭାରତରେ ପ୍ରତି ୧୬୬ (୬/୧୦୦୦) ଓ ଆମେରିକାରେ ପ୍ରତି ୬୮ ପିଲାଙ୍କ ମଧ୍ୟରେ ଜଣେ ” ଅଟିଜିମ ସ୍ପେକ୍ଟ୍ରମ ଡିଜର୍ଡ଼ର ” ରେ ଶିକାର ହୁଅନ୍ତି । ବିଗତ କିଛି ବର୍ଷ ଧରି ଏପରି ଘଟଣାର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପରିଲକ୍ଷିତ ହେଉଛି । ପୁଅମାନଙ୍କ ଅପେକ୍ଷା ଝିଅମାନେ ଏଥିରେ ବେଶୀ ଆକ୍ରାନ୍ତ ହୁଅନ୍ତି । ସାଧାରଣତଃ ୧୪ ବର୍ଷରୁ କମ ପିଲାଙ୍କ ଠାରେ ଏହା ବହୁଳ ଦେଖାଯାଏ । ପାରିବାରିକ ଇତିହାସ ମଧ୍ୟ ଏହାର ଏକ କାରଣ ହୋଇପାରେ ।

ଏହାର କାରଣ କଣ?
ସ୍ପଷ୍ଟ କାରଣ କିଛି ନାହିଁ । ଗବେଷଣା ଅନୁଯାୟୀ ଅନେକ କାରଣ ଅନୁମାନ କରାଯାଉଥିଲେ ବି ମସ୍ତିଷ୍କ ଗତିବିଧିରେ ଅସମାନତା, ମସ୍ତିଷ୍କ ରସାୟନରେ ଅସନ୍ତୁଳତା, ଅନୁବଂଶୀୟ, ବାଲ୍ୟାବସ୍ଥାରେ ଦିଆଯାଉଥିବା ହାଡ଼ଫୁଟି ଓ ମିଳିମିଳା ଆଦି ଟୀକା, ଅପରିପକ୍ବ ପ୍ରସବ, ଗର୍ଭଧାରଣ ବେଳେ ପାରିବାରିକ ପରିସ୍ଥିତି ଆଦି ଏହାର ମୁଖ୍ୟ କାରଣ ଧରାଯାଏ । ଯାଆଁଳା ପିଲାଙ୍କ ମଧ୍ୟରୁ ଯଦି କୌଣସି ଜଣକଠାରେ ଅଟିଜିମ ଲକ୍ଷଣ ପ୍ରକାଶ ପାଇଲା ତେବେ ୯-୧୦ ବର୍ଷ ବୟସରେ ଅନ୍ୟ ପିଲା ମଧ୍ୟ ଏହାର ଶିକାର ହୋଇପାରେ ।

ଲକ୍ଷଣସବୁ କଣ?
* ପିଲାଟି ଏକା ରହିବାକୁ ପସନ୍ଦ କରେ
* ସାମାଜିକ ସମ୍ପର୍କ ରଖିନଥାଏ
* ଆଖି ସହ ଆଖି ମେଳାଇନଥାଏ
* ନିଜ ଖୁସିକୁ ଅନ୍ୟ ସହ ବାଣ୍ଟିନଥାଏ
* କହିବାରେ ଅସମର୍ଥ
* ଶବ୍ଦକୁ ବୁଝିବାରେ ସମୟ ଲଗାଇଥାଏ କିମ୍ବା ବୁଝିପାରିନଥାଏ
* ସାଧାରଣତଃ ଏକ ଶବ୍ଦକୁ ବାରମ୍ବାର ଦୋହରାଇ କହିଥାଏ
* ଅସାମାନ୍ୟ ଆଚରଣ, କଥା କହିବାକୁ ଆପେକ୍ଷା
* ଅନ୍ୟ କାହାର ଭାବନାକୁ ବୁଝିବାରେ ଅସମର୍ଥତା
* ଅସାମାନ୍ୟ ଇଛା ବା ରୁଚି
* ସାଙ୍ଗ କରିନପାରିବା
* କାର୍ଯ୍ୟଶୈଳୀରେ ପରିବର୍ତ୍ତନକୁ ସହଜରେ ଗ୍ରହଣ ନକରିପାରିବା
* ଖେଳନା ଆଦିକୁ ଠିକ ଢଙ୍ଗରେ ନଖେଳିବା
* ଧ୍ୟାନ ଏବଂ ଏକାଗ୍ରତାର ଦୁର୍ବଳ
ସାଧାରଣତଃ ପିତାମାତାଙ୍କୁ ଏହାର ଲକ୍ଷଣ ଅତି କମ ବୟସରୁ ଜଣାପଡ଼ିଯାଏ । ଏହା ସତ୍ତ୍ୱେ ମଧ୍ୟ ଏହାର ଉପଚାରରେ ଡେରି ହୋଇଯାଏ । ଭାବନ୍ତି ପିଲାର ବୟସ ବଢ଼ିଲେ ସବୁ ଆପେ ଆପେ ଠିକ ହୋଇଯିବ । ତେବେ ଏପରି ଜମାରୁ ଭାବିବା ଉଚିତ ନୁହେଁ । ଲକ୍ଷଣ ଜଣାପଡ଼ିଲା ମାନେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ ।

କ’ଣ ପ୍ରଭାବ ପଡ଼େ?
ଅଟିଜିମଗ୍ରସ୍ତ ବ୍ୟକ୍ତିଙ୍କ ସାରା ଜୀବନ ସଂଘର୍ଷ ପୂର୍ଣ୍ଣ ରହେ । ସେମାନେ ସାମାଜିକ ସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହୁଅନ୍ତି । ଅନ୍ୟ କାହାରିକୁ ଦେଖନ୍ତି ନା କାହା ମୁହଁକୁ ଚାହିଁ ହସନ୍ତି; ଅନେକ ସମୟରେ ଡକାଯାଉଥିବା ତାଙ୍କ ନାମକୁ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ । ଏହି ସମସ୍ୟା ଅନେକ ରୂପରେ ଦେଖାଯାଏ ତେଣୁ ଏହାର ଲକ୍ଷଣମାନ ମଧ୍ୟ ପ୍ରତି ପିଲାଙ୍କ ମଧ୍ୟରେ ଭିନ୍ନ ଭିନ୍ନ । ବୟସ ବଢ଼ିବା ସହ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼େ । ସେମାନେ ନିଜକୁ ନିଜେ ସାମାଜିକ ପରିସ୍ଥିତିର ସାମ୍ନା କରିବା ଓ ଅନ୍ୟମାନେ ତାଙ୍କୁ ବୁଝିବା ପାଇଁ ପ୍ରସ୍ତୁତ ରହିବା ସର୍ବଦା ଜରୁରୀ ହୋଇପଡ଼େ ।

କ’ଣ ଅଛି ଉପଚାର?
ଯଦି ଏହାର ସଂକେତ ଓ ଲକ୍ଷଣରୁ ଶୀଘ୍ର ଜଣାପଡ଼ିଯାଏ ତେବେ ପ୍ରଭାବୀ ଢଙ୍ଗରେ ଏହାର ଉପଚାର ସମ୍ଭବ । କମ ବୟସରୁ ଚିକିତ୍ସା ଆରମ୍ଭ କଲେ, ପିଲା ଠିକ ହୋଇଯିବାର ପ୍ରତିଶତ ବେଶି ଥାଏ । ସ୍ପିଚ ଥେରାପି କ୍ଲାସ ଓ ମନୋବୈଜ୍ଞାନିକ ଚିକିତ୍ସାରେ ଏହି ସମସ୍ୟା କିଛି ସୀମା ପର୍ଯ୍ୟନ୍ତ ନିୟନ୍ତ୍ରଣ କରିହୁଏ । ପ୍ରାରମ୍ଭିକ ସଂଜ୍ଞାନାତ୍ମକ (cognitive) ଆଚରଣ ହସ୍ତକ୍ଷେପ (Behavioural modification), ଇନ୍ଦ୍ରିୟ ସମନ୍ୱୟ (Sensory Integration) ଅଟିଷ୍ଟିକ ପିଲାଙ୍କ ବିକାଶରେରେ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଏ । ପ୍ରଥମେ, ସ୍ୱଲିନତା ଏକ ରୋଗ ନୁହେଁ ବରଂ ଏକ ସ୍ଥିତି ଭଳି ଦୃଷ୍ଟିରେ ଦେଖିବାକୁ ହେବ । ପ୍ରତ୍ୟେକ ପିଲାର ସ୍ୱତନ୍ତ୍ର ସାମର୍ଥ୍ୟ ଅଛି । ତାଙ୍କ ସ୍ୱତନ୍ତ୍ର ସାମର୍ଥ୍ୟଗୁଡ଼ିକ ପରିପ୍ରକାଶ ଘଟିପାରିଲେ, ସାଧାରଣ ପିଲାଙ୍କ ସହ ଏମାନେ ସମକକ୍ଷ ହୋଇପାରିବେ ।

ନିଜେ କଣ କରିପାରିବେ?
* ପିଲାଟି ସହ ଖେଳ ଖେଳରେ ନୂଆ ଶବ୍ଦ ପ୍ରୟୋଗ କରିବେ
* ଖେଳନା ସହ ଖେଳିବାର ସଠିକ ଉପାୟ ବତାଇବେ
* ବ୍ୟବଧାନ ଦେଇ ଖେଳ ଅଭ୍ୟାସ ପକାଇବେ
* ଧୀରେ ଧୀରେ ଖେଳରେ ଲୋକଙ୍କ ଅଂଶଗ୍ରହଣ ସଂଖ୍ୟା ବଢ଼ାଇବେ
* ତାଙ୍କୁ କଥାହେଲା ବେଳେ ଛୋଟ ବାକ୍ୟ ବ୍ୟବହାର କରିବେ
* ସାଧାରଣ ବାକ୍ୟର ପ୍ରୟୋଗ କରିବେ
* ଦୈନନ୍ଦିନ ଜୀବନରେ ବ୍ୟବହୃତ ଶବ୍ଦ ଯୋଡ଼ି କହିବା ଶିଖାଇବେ
* ପ୍ରଥମେ ବୁଝାଇବେ ତାପରେ କହିବା ଶିଖାଇବେ
* ପିଲାଟି ଯଦି କହି ପାରୁଛି ତାକୁ ସାବାସୀ ଦେଇ ଉତ୍ସାହିତ କରିବେ ଏବଂ ବାରମ୍ବାର କହିବା ପାଇଁ ପ୍ରେରିତ କରିବେ
* ନିଜ ଦରକାରୀ ଜିନିଷକୁ କହିବା ପାଇଁ ସୁଯୋଗ ଦେବେ
* ଯଦି ପିଲା କହିପାରୁନାହିଁ ତେବେ ଛବି ଆଡ଼କୁ ଇଙ୍ଗିତ କରି ନିଜ ଦରକାର ବାବଦରେ କହିବା ଶିଖାଇବେ
* ନିଜ ପରିବାର ବ୍ୟତୀତ ବାହାର ଲୋକଙ୍କ ସହ ମିଶାଇବାର ସୁଯୋଗ ଦେବେ
* ପିଲାଙ୍କୁ ଚାପମୁକ୍ତ ପରିବେଶ ଯଥା ପାର୍କ ଆଦି ସ୍ଥାନକୁ ବୁଲେଇବାକୁ ନେବେ
* ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହେବାପାଇଁ ପ୍ରେରିତ କରିବେ
* ପିଲାଙ୍କ ସହ ଧୀରେ ଧୀରେ କାର୍ଯ୍ୟ ସମୟ ବୃଦ୍ଧି କରି ଅଧିକ ସମୟ ପାଇଁ ଆଖିରେ ଆଖି ମିଶାଇ କଥା ହେବାକୁ ଚେଷ୍ଟା କରିବେ
* ପିଲାର କୌଣସିବି ଭଲ କାମ ପାଇଁ ତାକୁ ଉତ୍ସାହିତ କରିବେ
* ପିଲା ଯଦି ଅନାବଶ୍ୟକ ଆଚରଣ ବାରମ୍ବାର କରୁଛି ତାକୁ ଅଟକାଇବା ପାଇଁ ତାର ଧ୍ୟାନ ଅନ୍ୟ କାମରେ ଲଗାଇଦେବେ । ସେଥିରେ ତାକୁ ବ୍ୟସ୍ତ ରଖିବେ ଯେପରି ସେ ବାରମ୍ବାର ଅନାବଶ୍ୟକ ଆଚରଣରୁ ନିବୃତ୍ତ ରହିବ
* ଭୁଲ ଆଚରଣ ଦୋହରାଇଲେ ତାକୁ ତା ପସନ୍ଦ ବିରୁଦ୍ଧ କୌଣସି କାର୍ଯ୍ୟ କରିବାକୁ ଦେବେ
* କିଛି ସମୟ ଭୁଲ ଆଚରଣ ନକଲେ ତାକୁ ତୁରନ୍ତ ପ୍ରୋତ୍ସାହିତ କରିବେ
* ପ୍ରୋତ୍ସାହିତ ପାଇଁ ରଙ୍ଗବେରଙ୍ଗୀ ଚିକିମିକିଆ ତଥା ଧ୍ୟାନ ଆକର୍ଷଣ କରୁଥିବା ଜିନିଷ ବ୍ୟବହାର କରିବେ
* ପିଲାର ନିଜର ଶକ୍ତି ସାମର୍ଥ୍ୟ ଉପଯୋଗ କରିବା ପାଇଁ ତାକୁ ଉଚିତ ବାଟ ଦେଖାଇବେ ଯଥା ଦୌଡ଼, ବ୍ୟାୟାମ ଏବଂ ଅନ୍ୟ ଘରବାହାର ଖେଳରେ ଲଗାଇବେ
* ଯଦି ସମସ୍ୟା ସୀମା ଟପିଯାଏ ତେବେ ମନୋଚିକିତ୍ସକଙ୍କ ପରାମର୍ଶ କ୍ରମେ ଔଷଧର ସାହାଯ୍ୟ ନେଇପାରିବେ
* ବାକ, ଭାଷା ଓ ଯୋଗାଯୋଗରେ ବିକାଶ ପାଇଁ ବାକ ଓ ଭାଷା ରୋଗ ବିଶେଷଜ୍ଞ ( ସ୍ପିଚ ଥେରାପିଷ୍ଟ ) ଓ ଅନ୍ୟ ସହ ଚିକିତ୍ସକଙ୍କ ସହ ପରାମର୍ଶ କରିବେ
* ଭବିଷ୍ୟତରେ ସରକାରୀ ସହାୟତା ଓ ପ୍ରମାଣପତ୍ର ପାଇଁ ପଞ୍ଜିକରଣ କରାଇବେ

ଚିକିତ୍ସା ପାଇଁ କେଉଁଠିକୁ ଯିବେ?
ଚିକିତ୍ସା ପାଇଁ ଡାକ୍ତର, ସାଇକିଆଟ୍ରିଷ୍ଟ, ସାଇକୋଲୋଜିଷ୍ଟ, ସ୍ପିଚ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ଅକୁପେସନ ଥେରାପିଷ୍ଟ, ସ୍ପେସିଆଲ ଏଜୁକେଟର ଆଦିଙ୍କ ସହଯୋଗ ଲୋଡ଼ା । ନିମ୍ନ ଅନୁଷ୍ଠାନମାନଙ୍କରେ ଚିକିତ୍ସା ପାଇଁ ସମସ୍ତ ସୁବିଧା ଉପଲବ୍ଧ ଅଛି ।
NIMHANS, Bengaluru
AAISH, Mysuru
AYJNIHD, janla, Bhubaneswar
SVNIRTAR, Olatapur,Cutrack
Open Learning Systems, Bhubaneswar
Composite Regional Centre for PwD, Capital Hosp. bhubaneswar
IIRS, Khandagiri, Bhubaneswar
IHS, Chandaka, Bhubaneswar
All medical colleges, capital hospital, District Health Hospitals, District early Intervention Centres in 30 districts and near by registered private clinics
(*ଚିକିତ୍ସା କରୁଥିବା ବିଶେଷଜ୍ଞ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଓ ରିହାବିଲିଟେସନ କାଉନସିଲ ଅଫ ଇଣ୍ଡିଆର ପଂଜିକୃତ ବୃତ୍ତିଧାରୀ ଅଟନ୍ତି କି ନାହିଁ ପରଖି ନେବେ ।)

ସଚେତନତା ପ୍ରସାର ପାଇଁ କିଭଳି ପଦକ୍ଷେପ ନିଆଯାଉଛି?
ପ୍ରତିବର୍ଷ ଏପ୍ରିଲ ୨ ତାରିଖରେ ଅଟିଜିମ ସଚେତନତା ଦିବସ ପାଳିତ ହୁଏ । ଏହିଦିନ ବିଭିନ୍ନ ସମାଜିକ ଅନୁଷ୍ଠାନର କର୍ମକର୍ତ୍ତା ପଥପ୍ରାନ୍ତେ ‘’ସହରକୁ ନୀଳରଙ୍ଗେ ରଙ୍ଗେଇ ଦିଅ’’ ( ପେଣ୍ଟ ଦ ସିଟି ବ୍ଲୁ ) କାର୍ଯ୍ୟକ୍ରମ ଆୟୋଜନ କରି ଅଟିଜିମ ସଚେତନତା ପ୍ରସାରରେ ଅଂଶ ଗ୍ରହଣ କରିଥାନ୍ତି । କିଛି ବର୍ଷ ହେବ ଅଟିଜିମ ସ୍ପିକ୍ସ ସଂଗଠନ ତରଫରୁ ଏକ ସଚେତନତା ଅଭିଯାନ ଚାଲୁ ରହିଛି ଯାହାର ନାମ ‘’ଲାଇଟ ଇଟ ଅପ ବ୍ଲୁ’’ । ଆମେରିକାସ୍ଥିତ ମାଡିସନ ଛକ ସମେତ ବିଶ୍ଵର ବିଭିନ୍ନ ଜନଗହଳି ସ୍ଥାନରେ ଥିବା ଅଟ୍ଟାଳିକାମାନ ନୀଳ ଆଲୋକରେ ସଜାହୋଇ ଏହି ଦିବସ ପାଳିତ ହୁଏ ।

ପ୍ରତି ଏପ୍ରିଲ ୨ରେ ”ବିଶ୍ଵ ସ୍ଵଲୀନତା ଦିବସ” ପାଳନ ପାଇଁ ମିଳିତ ଜାତିସଂଘ ସାଧାରଣ ବିଧାନ ପରିଷଦରେ ଶପଥ ପାରିତ ହୋଇଥିଲା । ବିଶ୍ଵ ସ୍ଵଲୀନତା ଦିବସ ହେଉଛି ମିଳିତ ଜାତିସଂଘର ପ୍ରମୁଖ ଚାରୋଟି ଅଫିସିଆଲ ସ୍ଵାସ୍ଥ୍ୟ ସ୍ଵତନ୍ତ୍ର ଦିବସ ମଧ୍ୟରୁ ଗୋଟିଏ । ୨୦୦୮ରୁ ପ୍ରତିବର୍ଷ ଏପ୍ରିଲ ୨ରେ ସ୍ଵଲୀନତା ନିୟନ୍ତ୍ରଣ ସଂସ୍ଥାଗୁଡ଼ିକ ଏକାଠି ହୋଇ ସେଇ ସ୍ଵଲୀନଙ୍କ ପାଇଁ ସହାୟତାର ହାତ ବଢ଼ାଇଥାନ୍ତି; ତଥା ଗବେଷଣା, ଚିହ୍ନଟ, ଉପଚାର, ସଚେତନତା ଓ ପ୍ରଚାର ପ୍ରସାର ପାଇଁ ସଂକଳ୍ପ କରିଥାନ୍ତି ।

———————————————————————————————————————–

nistha ranjan dashନିଷ୍ଠା ରଞ୍ଜନ ଦାଶ
ବାକ ଓ ଶ୍ରବଣ ରୋଗ ବିଶେଷଜ୍ଞ

ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ, ବୁର୍ଲା, ସମ୍ବଲପୁର

ସମ୍ପର୍କ: 9437905307
ଇମେଲ : [email protected]

 

Comments

comments