Bhubaneswar Buzz

#OdiaPost : ଅଶି ଦଶକରେ ଚର୍ଚ୍ଚିତ ହୋଇଥିଲା ଶିମିଳିପାଳ ଅଭୟାରଣ୍ୟର ବାଘରାଣୀ ଖଇରୀ 

(ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ମନେ ପକାଉଛୁ ସ୍ନେହ ଆଦର ପାଇ ହିଂସ୍ର ପ୍ରକୃତି ଛାଡ଼ି ନିରୀହା, ଅଲିଅଳି ପାଲଟି ଯାଇଥିବା ପ୍ରସିଦ୍ଧ ବାଘୁଣୀ ‘ଖଇରୀ’କୁ)


ଯଶୀପୁରର ପୋଷାବାଘୁଣୀ ଖଇରୀ ସେତେବେଳେ ଶିମିଳିପାଳ ପାଇଁ ଅନେକ ପ୍ରସିଦ୍ଧି ଆଣିଥିଲା । ଦେଶ ବିଦେଶରୁ ପର୍ଯ୍ୟଟକ, ଗବେଷକଙ୍କମାନେ ଛୁଟି ଆସୁଥିଲେ ତାକୁ ଦେଖିବା ପାଇଁ ।
ବାଘ ମାଆ କୋଳରେ ଖଇରୀ ଜନ୍ମ ହୋଇ ମଣିଷ ମାଆ କୋଳରେ ପାଳିତ ହୋଇଥିଲା । ଶିମିଳିପାଳ ତନୟା ଖଇରୀ (ଖଇରୀ-ଭଣ୍ଡନ) ନଦୀ କୂଳରୁ ଦୁଇମାସର ବାଘ ଶାବକଟିକୁ ଖଡ଼ିଆ ଜାତିର ଲୋକେ ଉଦ୍ଧାର କରି ୫ ଅକ୍ଟୋବର ୧୯୭୪ ମସିହାରେ ଯଶିପୁର ଜଙ୍ଗଲ ବିଭାଗକୁ ଜିମା ଦେଇଥିଲେ ।  ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଭୁବନେଶ୍ବରଠାରେ  ତାକୁ ନିଜ ହାତରେ ଧରିଥିଲେ । ସେ ଖଇରୀ ନଦୀ ନାମାନୁସାରେ ବାଘୁଣୀ ଛୁଆଟିର ନାମକରଣ କରିଥିଲେ “ଖଇରୀ” ଏବଂ ତାକୁ ନନ୍ଦନକାନନରେ ନରଖି ଯଶିପୁରରେ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାଣୀ ବିଶେଷଜ୍ଞ ସରୋଜ ରାଜ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ରଖିବାକୁ ପରାମର୍ଶ ଦେଇଥିଲେ ।
ସରୋଜ ରାଜ ଚୌଧୁରୀ ଯିଏ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ପ୍ରଥମ କ୍ଷେତ୍ର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ, ନିଜ ପାଖରେ  ଶାବକଟିକୁ ରଖି ପାଳି ପୋଷି ବଡ଼ କରିଥିଲେ । ସରୋଜ ରାଜ ଚୌଧୁରୀଙ୍କର ପତ୍ନୀ ନିହାର ନଳିନୀ ଦେବୀ ନିଜ ସନ୍ତାନ ଭଳି ଖଇରୀର ଯତ୍ନ ନେଉଥିଲେ । ସ୍ନେହ, ଆଦରରେ ବାଘୁଣୀ ଭୁଲି ଯାଇଥିଲା ନିଜର ହିଂସ୍ର ପ୍ରକୃତି । ପରିବାରର ଜଣେ ସଦସ୍ୟା ଭଳି ସେ ଖୋଲା ରହୁଥିଲା । ସମସ୍ତଙ୍କ ସହିତ ଖେଳୁଥିଲା, ବୁଲୁଥିଲା, ଖାଉଥିଲା ଆଉ ଶୋଉଥିଲା ମଧ୍ୟ; କେବେ କାହାର କୌଣସି କ୍ଷତି କରି ନଥିଲା ।
ସାତ ସପ୍ତାହର ଛୁଆଟି ଚୌଧୁରୀଙ୍କ ଲାଳନ ପାଳନରେ ଖୁବ ଶୀଘ୍ର ବଢ଼ିବାକୁ ଲାଗିଲା । କେଇ ବର୍ଷ ମଧ୍ୟରେ ତାହାର ଓଜନ ୨୦୦କେଜି ଛୁଇଁଥିଲା । ନିହାର ନଳିନୀ ଦେବୀଙ୍କ ଯତ୍ନ ପାଇ ସବୁଦିନ ରାତିରେ ତାଙ୍କ ପାଖରେ ହିଁ ଶୋଇବାକୁ ଲାଗିଲା । ଖଇରୀ ଏତେ ନିର୍ଭରଶୀଳ ଓ ଆପଣାର ହୋଇଯାଇଥିଲା ଯେ ତାକୁ ଅନେକ ଥର ବଂଶ ବଢ଼ାଇବା ନିମିତ୍ତ ସାଥିଟିଏ ଖୋଜିବା ପାଇଁ ଜଙ୍ଗଲକୁ ଛାଡ଼ିଲେ ମଧ୍ୟ ସେ ପୁଣି ଘରକୁ ଫେରି ଆସୁଥିଲା ।

ସେ ଏକା ନୁହେଁ ଆହୁରି ଗୋଟିଏ ହରିଣ ଛୁଆ, ଗୋଟିଏ ବଣୁଆ କୁକୁର, ଗୋଟିଏ ଦେଶୀ କୁକୁର ମାନଙ୍କ ସହ ପାଳିତ ହେଉଥିଲା । ସେ ଅନ୍ୟ ସାଥି ଜୀବଙ୍କର କିଛି ବି କ୍ଷତି କରୁନଥିଲା । ସରକାରୀ ପୋଷାକ ପିନ୍ଧିଥିବା ଅଫିସରଙ୍କୁ ସେ ଚିହ୍ନି ପାରି ସେମାନଙ୍କ ସହିତ ଗେଲ ହେଉଥିଲା ।
ସେତେବେଳକୁ ତାକୁ ମାତ୍ର ସାଢ଼େ ଛଅ ବର୍ଷ ହୋଇଥାଏ । ଏକ ସ୍ଥାନୀୟ କୁକୁର କାମୁଡ଼ି ଦେବାରୁ ତାକୁ ଜଳାତଙ୍କ ରୋଗ ହେଲା । ଫଳରେ ପ୍ରସିଦ୍ଧ ବାଘରାଣୀ ଖଇରୀ ୨୮ ମାର୍ଚ୍ଚ ୧୯୮୧ ମସିହାରେ ପ୍ରାଣ ହରାଇଲା । ଖଇରୀର ମୃତ୍ୟୁ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡିଲେ ସରୋଜ ରାଜ ଚୌଧୁରୀ । ଖଇରୀ ପରେ ପରେ ସେହି ବର୍ଷ ହିଁ ସେ ଇହଲୀଳା ସମ୍ବରଣ କରିଥିଲେ ।
ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ବାଘ ଓ ମଣିଷ ମଧ୍ୟରେ ଏପରି ସ୍ନେହ ସମ୍ପର୍କ ଦେଖି । କେବଳ ଥାଇଲାଣ୍ଡର ବୌଦ୍ଧ ଭିକ୍ଷୁ ବାଘମାନଙ୍କୁ ପୋଷ୍ୟ କରି ରଖନ୍ତି । ଅଷ୍ଟ୍ରେଲିଆର ଜଣେ ତରୁଣୀ କେନ୍ୟାରେ ଏକ ଶିଙ୍ଘି (ମାଈ ସିଂହ) କୁ ପୋଷ୍ୟ କରିଥିଲେ । ପୂର୍ବ ଗବେଷଣାରୁ ଜଣାଥିଲା ପୁରୁଷ ଜୀବମାନଙ୍କୁ ବିଶେଷ କରି ବାଘମାନଙ୍କୁ ପାଳି ରଖିବା କଷ୍ଟକର । ସେସମୟରେ ଭାରତରେ ଗୋଟିଏ ବାଘୁଣୀକୁ ପୋଷ୍ୟ କରି ରଖିବା ଏକ ବିରଳ ଘଟଣା ଥିଲା । ଶ୍ରୀମାନ ଚୌଧୁରୀ ଓ ନଳିନୀ ଦେବୀ ସମସ୍ତ ସନ୍ଦେହକୁ ଦୂରୀଭୂତ କରି ଯାହା କରି ଦେଖେଇଲେ ତାହା ସମସ୍ତଙ୍କୁ ଅଭିଭୂତ କରିଥିଲା । ଏଥିପାଇଁ ମୟୁରଭଞ୍ଜର ଏକ ଐତିହାସିକ ମୁହୂର୍ତ୍ତ ଥିଲା ସେଇ ଅଶି ଦଶକ ।
ସେ ସମୟରେ ଓଡ଼ିଶା ଲୋକସମ୍ପର୍କ ବିଭାଗ ଖଇରୀ ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ କରିଥିଲେ । ତାହା ଏବେ ଇଣ୍ଟରନେଟରେ ଉପଲବ୍ଧ ଅଛି । ଶ୍ରୀମାନ ଚୌଧୁରୀ ଏକ ଅନୁଭୂତି ପୁସ୍ତକ Khairi – the beloved tigress” ଇଂରାଜୀରେ ରଚନା କରିଛନ୍ତି । ସାହିତ୍ୟିକ ଅଖିଳ ମୋହନ ପଟ୍ଟନାୟକ “ବାଘରାଣୀ ଖଇରୀ” ପୁସ୍ତକରେ ଖଇରୀର ଜୀବନ୍ତ କାହାଣୀ ଲିପିବଦ୍ଧ କରିଛନ୍ତି । କୌଣସି ବାଘ ଉପରେ ସତ୍ୟ ଘଟଣାକୁ ନେଇ ବହି ଲେଖା ହେବାର ଏହା ହେଲା ପ୍ରଥମ ଘଟଣା । ଖଇରୀ ଚାଲିଯିବା ପରେ ସେ ରହୁଥିବା ସ୍ଥାନକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇ ତାର ସ୍ମୃତି ଉଜ୍ଜୀବିତ ରଖାଯାଇଛି ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments