Bhubaneswar Buzz

#OdiaPost ପୁନର୍ଜୀବିତ ହେଉଛି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପରମ୍ପରା

surya ratha samnya kathan

pic courtesy : Samanya Kathan

ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ରଥଯାତ୍ରା । ଏହି ଯାତ୍ରାରେ ସୂର୍ଯ୍ୟଦେବତାଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରାକରନ୍ତି । ଦୀର୍ଘ ୨୭ ଦିନ ଲାଗି ଏଇ ଯାତ୍ରା ଶାମ୍ବ ଦଶମୀରୁ ଆରମ୍ଭ ହୋଇ ମାଘ ମାସର ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ଚାଲେ ।

An old pic from British Library

An old pic from British Library

କିମ୍ବଦନ୍ତୀ ଅନୁଯାୟୀ ଶାମ୍ୱ ମିତ୍ରାଦିତ୍ୟଙ୍କ ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ । ସମୟାନୁକ୍ରମେ ଓଡ଼ିଶାର ରାଜାମାନେ ଏହି ପରମ୍ପରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଭାଙ୍ଗିଯିବାରୁ ପୂଜାର୍ଚ୍ଚନା ବନ୍ଦହେବା ସହିତ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବା ମାଦଳା ପାଞ୍ଜିରୁ ସୂଚନା ମିଳେ । ପୁନର୍ବାର ୧୯୯୮ ମସିହାରେ ଅନନ୍ତ ଅବଧୂତ ମଠର ମହନ୍ତ ଆର୍ତ୍ତତ୍ରାଣ ଦାସ ଏହି ରଥଯାତ୍ରାକୁ ପ୍ରଚଳନ କରିଥିଲେ । ୧୯୯୮ମସିହାରୁ ଏବେଯାଏଁ ପ୍ରତିବର୍ଷ ଶାମ୍ବ ଦଶମୀ ତିଥିରେ ସୌର ବ୍ରାହ୍ମଣ ପରିଷଦ, ଗାୟତ୍ରୀ ପରିବାର ଓ ଅନନ୍ତ ଅବଧୂତ ମଠର ମହନ୍ତଙ୍କ ଦ୍ୱାରା ଏହି ସୂର୍ଯ୍ୟ ରଥଯାତ୍ରା ପାଳିତ ହୋଇଆସୁଛି ।

ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ୱଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ । ସକାଳ ୬ଟାରୁ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଅର୍କବଟ ପୂଜାର୍ଚ୍ଚନା, କୋଣାର୍କ ମନ୍ଦିର ପୂଜାବିଧାନ ଅନୁଯାୟୀ ୧୦୮ ରଥର ପାର୍ଶ୍ୱଦେବୀ ଓ ସପ୍ତାଶ୍ୱଙ୍କୁ ପୂଜା ପରେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥାଏ । ପ୍ରତ୍ୟୁଷରୁ ମଠ ମହନ୍ତ ରଥ ଉପରେ ଛେରା ପହଁରା କରିବା ପରେ ଉପସ୍ଥିତ ସାଧୁସନ୍ଥ, ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ଅଭିମୁଖେ ସୂର୍ଯ୍ୟ ରଥ ଟାଣିନିଅନ୍ତି । ସୂର୍ଯ୍ୟରଥ ବାହାରି ସେହିଦିନ ଚନ୍ଦ୍ରଭାଗା ତୀର୍ଥ ନିକରେ ପହଞ୍ଚିବା ପରେ ତୀର୍ଥ ପୁଷ୍କରଣୀରେ ସ୍ନାନ କରନ୍ତି । ସ୍ନାନ ପରେ ସେଠାରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମରେ ୨୭ ଦିନ ଧରି ୨୭ଟି ନକ୍ଷତ୍ରରେ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘସପ୍ତମୀ ପର୍ଯ୍ୟନ୍ତ ଜାରିରହେ । ମାଘ ସପ୍ତମୀ ତିଥିରେ ଜନ୍ମଭୂମି ଅନନ୍ତ ଅବଧୂତ ମଠକୁ ବାହୁଡ଼ି ଆସିଥାଆନ୍ତି ।

କପିଳ ସଂହିତାରେ ଉଲ୍ଲେଖ ଅଛି ଯେ ଶାମ୍ୱ ଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ।

 

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments