Bhubaneswar Buzz

#OdiaPost ଧବଳେଶ୍ୱର ପୀଠରେ ଭାରତର ଦୀର୍ଘତମ (୨୫୪ ମିଟର) ପାଦଚଲା ଝୁଲାପୋଲ

Badaosha dhabaleswar temple bhubaneswar buzz 4

କଟକଠାରୁ ୨୩ କିଲୋମିଟର ଏବଂ ୪୨ ନମ୍ବର ଜାତୀୟ ରାଜପଥରୁ ୫ କିଲୋମିଟର ଦୂରରେ ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟସ୍ଥ ମହାନଦୀ ଗର୍ଭର ତ୍ରିକୋଣ ଭୂମି କୁଦରେ ଐତିହାସିକ ଶୈବପୀଠ ଶ୍ରୀ ଧବଳେଶ୍ୱରଙ୍କ ମନ୍ଦିର ଅବସ୍ଥିତ । ଧବଳେଶ୍ୱର ନିକଟରେ ମହାନଦୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏଠାରେ ନଦୀର ଗଭୀରତା ପ୍ରାୟ ୧୨ରୁ ୧୪ ମିଟର ।
ଏହି ଶିବ ମନ୍ଦିରରେ ପ୍ରସିଦ୍ଧ ବଡ଼ଓଷା ପର୍ବ, ମହାଶିବରାତ୍ରୀ  ଅନୁଷ୍ଠିତ ହୁଏ । ଧର୍ମମାସ କାର୍ତ୍ତିକରେ ଧବଳେଶ୍ୱର ପୀଠରେ ମାସ ବ୍ୟାପୀ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଏଇ ପବିତ୍ର ମାସରେ ପାଳନ କରାଯାଉଥିବା ପଞ୍ଚକ ପର୍ବର ଶେଷ ସୋମବାରରେ ଧବଳେଶ୍ୱର ମହାପ୍ରଭୁଙ୍କ ପୀଠରେ ପ୍ରାୟ ୫ଲକ୍ଷ ଶ୍ରଦ୍ଧାଳୁଙ୍କ ଜନ ସମାଗମ ହୋଇଥାଏ ।

ଏକଦା ଏହି ପୀଠକୁ ଯିବା ପାଇଁ ଡ଼ଙ୍ଗା ହିଁ ଏକମାତ୍ର ମାଧ୍ୟମ ହୋଇଥିଲା ।
କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ଏଠାରେ ଭକ୍ତ ମାନଙ୍କ ଯାତାୟାତ ସକାଶେ ତିଆରି କରିଥିଲେ ୨୫୪ ମିଟର ଲମ୍ବର ଏକ ପାଦଚଲା ଝୁଲନ୍ତା ପୋଲ । ପୋଲଟି ୨୦୦୬ ମସିହାରେ ଉଦ୍ଘାଟିତ ହୋଇଥିଲା ।

ଦେଶର ଉତ୍ତରାଞ୍ଚଳର ଐତିହାସିକ ସହର ଋଷିକେଶରେ ଥିବା ଲଛମନ ଝୁଲା ଓ ରାମଝୁଲା ପୋଲର ଦୈର୍ଘ୍ୟ ଯଥାକ୍ରମେ ୧୪୦ ଓ ୨୦୦ ମିଟର ହୋଇଥିବା ବେଳେ ଧବଳେଶ୍ୱର ପୀଠର ଝୁଲାପୋଲ ତା’ଠାରୁ ୫୪ ମିଟର ଅଧିକ ଲମ୍ବ ଅଟେ । ପୋଲଟିର ଉତ୍ତର ପାଶ୍ୱର୍ରେ ମଞ୍ଚେଶ୍ୱର ଓ ଦକ୍ଷିଣ ପାଶ୍ୱର୍ରେ ଅବସ୍ଥିତ ଧବଳେଶ୍ୱର ପାହାଡ଼ ଉପରେ ୨୮.୭୫ ମିଟର ଉଚ୍ଚତା ବିଶିଷ୍ଟ ଦୁଇଟି ଲୌହଖମ୍ବ ତିଆରି ହୋଇଛି । ଖମ୍ବର ଓସାର ୨.୫୮୫ ମିଟର ଓ ଓଜନ ପ୍ରାୟ ୧୮ ମେଟ୍ରିକ ଟନ । ୪୫୬ ମି.ମି. ବ୍ୟାସ ଓ ୩୭୫.୮ ମିଟର ଲମ୍ବ ବିଶିଷ୍ଟ ୮ଟି ଶକ୍ତ ତାର ଖମ୍ବ ଉପର ଦେଇ ଉଭୟ ପାଶ୍ୱର୍ରେ ନିର୍ମିତ ମୂଳଦୁଆକୁ ସଂଯୋଗ କରୁଛି । ଉଭୟ ପାଶ୍ୱର୍ରେ ଥିବା ପଥରକୁ ବ୍ଲାଷ୍ଟିଂ ଦ୍ୱାରା ଫଟା ନଯାଇ ଅତ୍ୟାଧୁନିକ ପଦ୍ଧତିରେ ରାସାୟନିକ ପ୍ରକ୍ରିୟାରେ କଟାଯାଇଛି । ୨କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଏହି ପୋଲକୁ ବି.ଇଞ୍ଜିନିୟର୍ସ ଓ ବିଲ୍ନର୍ସ ସଂସ୍ଥା ନିର୍ମାଣ କରିଥିଲେ ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments