Bhubaneswar Buzz

#OdiaPostAt11 ଅକ୍ଷିତୃତୀୟା – ଏହି ଶୁଭ ମୁହୂର୍ତ୍ତରେ କୌଣସି କାର୍ଯ୍ୟାରମ୍ଭ କଲେ ତାହା କ୍ଷୟ ହୁଏ ନାହିଁ

akshya-trutiya bhubaneswar buzz

Akshaya Tritiya is an important festival for the people of Odisha which is generally observed on the third day of the bright half` of the lunar month of “Baisakha” of the traditional Hindu calendar. Akshyaya Trutiya is exclusively an agricultural festival celebrated on the third day of the Hindu year through out Odisha. On this day the farmer ceremonially starts sowing seeds in the field, especially paddy.

ବୈଶାଖ ଶୁକ୍ଲ ପକ୍ଷ ତୃତୀୟା ତିଥି ଅକ୍ଷି ତୃତୀୟା ବା ଅକ୍ଷୟ ତୃତୀୟା ଭାବେ ଜଣା । ଆମ ହିନ୍ଦୁ ଧର୍ମରେ ଏହା ବହୁ ପ୍ରାଚୀନକାଳରୁ ପାଳନ ହୋଇ ଆସୁଛି  । ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ହୁଏ ନାହିଁ ଓ ଅକ୍ଷୁର୍ଣ୍ଣ ରହିଥାଏ ।

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିବସ ଦିନଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ଶୁଭଦିନ ଭାବେ ମନେକରି ଏହିଦିନ ଅକ୍ଷିମୁଠି ଅନୁକୁଳ, ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ ।

କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ  ଗଉଣୀକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ  ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାନ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହି ଦିନ କୃଷକ ତା ଜମିରେ ବୀଜ ବପନ କରି ଭରପୁର ଅମଳର ଆଶା ରଖିଥାଏ । ଏହାକୁ ଅକ୍ଷିମୁଠି ଅନୁକୁଳ କୁହାଯାଏ ।

chandan jatra puri odisha bbsrbuzz

Pic courtesy : @shrijagannatha

ମହାପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେଉଥିବା ବେଳେ ରଥ ତିଆରି କାମ ମଧ୍ୟ ଆରମ୍ଭ ହୋଇଥାଏ । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ଵକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି ।

ଏହି ଦିନ ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧନ୍ୟାରେ ଗୃହ ପୁରି ଦିଅନ୍ତି ବୋଲି ଅନେକ ବିଶ୍ଵାସ କରନ୍ତି ।

ଏହି ଦିନରେ ସଧବା ସ୍ତ୍ରୀମାନେ ଷଠିବୁଢ଼ୀ ପୂଜା କରନ୍ତି । ବଳଦେବ ଜିଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମ ଓ ରେବତୀଙ୍କ ବିବାହୋତ୍ସବ ଅନୁଷ୍ଠିତ ହୁଏ । ଭଗବାନଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତି ଓ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ । ବହୁତ କମ ସମୟ ଖୋଲାଯାଉଥିବା ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି । ଆହୁରି ମଧ୍ୟ ଏହି ଦିନକୁ ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି ।

“ଅକ୍ଷୟ ତୃତୀୟା’ କୃଷକ ସମାଜ ପାଇଁ ଏକ ମହାନ ପର୍ବ । ରାଜ୍ୟ ସରକାର କୃଷି ଓ କୃଷକକୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ଏହି ଦିନଟିକୁ କୃଷକ ଦିବସ ରୂପେ ପାଳନ କରାଯିବା ପାଇଁ ନେଇଥିବା ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ । ଆସନ୍ତୁ, ଆଜିର ଏହି ପବିତ୍ର ଦିନରେ ସମସ୍ତ ଚାଷୀଭାଇମାନଙ୍କୁ ଉତ୍ସାହିତ କରିବା ।

ଅକ୍ଷୟତୃତୀୟାରେ ଶ୍ରୀକୃଷ୍ଣଙ୍କୁ ବନ୍ଧୁ ସୁଦାମା ଭେଟିଥିଲେ ଓ ତାଙ୍କ ଦାରିଦ୍ର୍ୟର ଅନ୍ତ ଘଟିଥିଲା । ଏଣୁ ଏହି ତିଥିକୁ ସମୃଦ୍ଧି ଓ ସୌଭାଗ୍ୟର ତିଥିବୋଲି ବିଶ୍ୱାସ । ଭଗବାନ ବିଷ୍ଣୁଙ୍କ ଅବତାର ପ୍ରଭୁ ପର୍ଶୁରାମ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ଜନ୍ମତିଥି । ଅକ୍ଷୟତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଷ ମହାଭାରତ ଲେଖିବା ଆରମ୍ଭ କରିଥିଲେ ।ପୌରାଣିକ କାଳରେ ଅକ୍ଷୟତୃତୀୟା ରୁ ତ୍ରେତୟା ଯୁଗ ଆରମ୍ଭ ହେଉଥିବା ବେଳେ ପାପ-ନାଶିନୀ ଗଙ୍ଗା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments