Bhubaneswar Buzz

#OdiaPost କୁଚିପାଲିର ଜୁଗାର ଯାତ୍ରା –  ଖଇ ଗୁଡ଼ର ଆକୃତି ସହ କଳା କାରିଗରଙ୍କ କସରତ ପର୍ବ

 

The people of Kuchipali, a village near Ghens have been celebrating Jugar Jatra (Jugar means fried paddy mixed with molasses shaped like cylindrical cone) since 1985 to dispense with mass sacrifice or Bali of animals and birds before Goddess Kali seeking benediction.  And above all, it is celebrated in a secular manner where a muslim person of the village acts as the head of worship and the dalits manage the festival among others.  It won’t be exaggerating, if i say it is one of the rarest of the rare in any kind of festivities observed in India.  People should take lessons from Jugar Jatra of Kuchipali.

ଜୁଗାର ଯାତ୍ରା, ପଶ୍ଚିମ ଓଡ଼ିଶାରେ କାଳୀ ପୂଜା ଅବସରରେ ପାଳନ କରାଯାଏ । ୧୯୮୫ ମସିହାରେ ବରଗଡ଼ ଜିଲ୍ଲା ଘେଁସ ବ୍ଲକ ଅନ୍ତର୍ଗତ କୁଚିପାଲି ଗାଁରେ ପ୍ରଥମେ ଆରମ୍ଭ ହୋଇଥିଲା । କାଳକ୍ରମେ ଏହା ପଶ୍ଚିମ ଓଡ଼ିଶାର ଅନ୍ୟସ୍ଥାନରେ ମଧ୍ୟ ପାଳନ କରାଯାଉଛି ।

କାଳୀ ପୂଜା ଅବସରରେ ପଶୁ ବଳି ଦେବାର ପ୍ରଥା ବହୁ ପୁରୁଣା । ୧୯୮୫ମସିହାରେ ପଶୁବଳି ବନ୍ଦ କରିବା ପାଇଁ କୁଚିପାଲି ଗାଁର ଲୋକ ଚେଷ୍ଟା କରିଥିଲେ । ପଶୁବଳି ପରିବର୍ତ୍ତେ, ଜୁଗାର ଭୋଗ ଲାଗିବାର ବ୍ୟବସ୍ଥା କରାଗଲା । ୧୯୮୫ ମସିହାରେ ପ୍ରଥମ ଜୁଗାର ଶ୍ରୀନିବାସ ସା ଦାନ କରିଥିଲେ । କୁଚିପାଲି ଗାଁରେ ଏବେ ବି ପ୍ରଥମ ଜୁଗାର ତାଙ୍କରି ଘରୁ ଆସିଥାଏ । ପରବର୍ତ୍ତୀ ସମୟରେ ସୁବାସ ସା, ଉମାକାନ୍ତ ସା ଆଦି ବହୁ ଲୋକ ଜୁଗାର ଦାନ କରି ଆସୁଛନ୍ତି ।

ପ୍ରତିବର୍ଷ କାଳୀପୂଜା ଅବସରରେ ୫ କେଜି ଖଇ ଓ ଗୁଡ଼ରେ ତିଆରି ଦେଉଳ ଆକୃତିର ଏହି ଜୁଗାର, ଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥାଏ । ମା’ କାଳୀଙ୍କ କୃପାଲାଭ ପାଇଁ ଗଣ ବଳି ସହ ଏହି ଜୁଗାର, ଭେଟି ଭାବରେ ଯାଏ ।ଏହା ୬ ଫୁଟରୁ ଆରମ୍ଭ ହୋଇ ୧୫ଫୁଟ ପର୍ଯ୍ୟନ୍ତ ଉଚ୍ଚା ହୋଇଥାଏ । ଦେବୀ କାଳୀଙ୍କ ମୁସଲିମ ସମ୍ପ୍ରଦାୟ ପୂଜା କରନ୍ତି ଓ ଦଳିତମାନେ ପୂଜା ଓ ଯାତ୍ରାର ଆୟୋଜନ କରନ୍ତି ।

ପ୍ରତିବର୍ଷ ଯାତ୍ରା ଅବସରରେ ମାନସିକ କରୁଥିବା ଭକ୍ତମାନଙ୍କ ମାନସିକ ପୂରଣ ହୋଇଗଲେ ସେମାନେ ପରବର୍ଷ ଜୁଗାର (ଖଇ ଓ ଗୁଡ଼ର ଆକୃତି) ଆଣିଥାନ୍ତି । ଜୁଗାରଗୁଡ଼ିକ ପାରମ୍ପରିକ ଲୋକବାଦ୍ୟର ତାଳେତାଳେ ଅର୍ପଣ ସକାଶେ କାଳୀ ମେଢ଼ ପର୍ଯ୍ୟନ୍ତ ଆସିଥାନ୍ତି । ଏହି ଜୁଗାର ଯାତ୍ରାର ବିଶେଷତ୍ତ୍ୱ ହେଲା ଏହାକୁ ଦଳିତ ଓ ମୁସଲମାନ ମାନେ ମିଳିତ ଭାବେ ପାଳିଥାନ୍ତି । ସେତେବେଳେ କୁଚିପାଲିଠାରେ ମାତ୍ର ଗୋଟିଏ ଜୁଗାରଯାତ୍ରା ଚାଲିଥିବା ବେଳେ ପରେ ଏହି ଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ଏହାର ଆଖପାଖ ଅଞ୍ଚଳରେ ଜୁଗାର ଯାତ୍ରା ସଂଖ୍ୟା ଏବେ ୨୫ରେ ପହଞ୍ଚିଛି । ଗ୍ରାମର ହରିଜନଙ୍କ ସମେତ ସମସ୍ତ ଜାତିର ଲୋକେ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ।

ବିଭିନ୍ନ ସ୍ଥାନରୁ ଆସିଥିବା ଜୁଗାର ସବୁ ଏକତ୍ରିତ ହୋଇ ଅପରାହ୍ଣରେ ଶୋଭାଯାତ୍ରାରେ ବାହାରନ୍ତି । ଗ୍ରାମ ଭ୍ରମଣ କରି ସାରିବା ପରେ ସନ୍ଧ୍ୟାରେ ମାଆଙ୍କ ନିକଟରେ ପହଞ୍ଚି ଜୁଗାର ଅର୍ପଣ କରନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼, ବେଙ୍ଗାଳୁରୁ ଓ ଗୌହାଟିର ଜୁଗାର ଏଥିରେ ସାମିଲ ହୁଅନ୍ତି । ପାରମ୍ପରିକ କଳଙ୍ଗୀନାଚ, ନମଃଗୁରୁ, ଦୁଲୁଦୁଲି, ଘଣ୍ଟବାଦ୍ୟ ସହ ୨୪ ପ୍ରକାର ଲୁପ୍ତପ୍ରାୟ ଲୋକ ନୃତ୍ୟ ଦଳ ନିଜର କଳା ପ୍ରଦର୍ଶନ କରନ୍ତି । ଏକ ପାରମ୍ପରିକ ମୁଖ୍ୟ ଜୁଗାର, ଶୋଭାଯାତ୍ରାର ଆଗରେ ଯାଏ । ସବୁ ବର୍ଷ ଭିନ୍ନ ଭିନ୍ନ ଜୁଗାର ସବୁ ଦେଖିବାକୁ ମିଳେ । ଜୁଗାର ତିଆରି କରିବା ଏବଂ ସାଜସଜ୍ଜା କରିବା ଗୋଟିଏ କଳା କାରିଗରୀ କସରତ । ଏହି କଳା କାରିଗରୀ କୁଚିପାଲି ଗାଁର ଜୁଗାର ବଣୁଆ ଥିବର ଭଗତମାନେ ନିଜେ ନିଜେ ଶିଖିଛନ୍ତି ଏବଂ ଗବେଷଣା କରି ପ୍ରବୀଣ କଳାକାରର ପରିଚୟ ପାଇଛନ୍ତି ।
ଗଡୁ ଜୁଗାର, ହଂସ ଜୁଗାର, ଧିଣ୍ଡା ଜୁଗାର, ଖୁଲା ଜୁଗାର, ଜୁଲି ଜୁଗାର, ପଦ୍ମଫୁଲ ଜୁଗାର ଇତ୍ୟାଦି ଡିଜାଇନରେ ଜୁଗାର ତିଆରି କରି ପ୍ରତିବର୍ଷର ଯୁଗାର ଯାତ୍ରାରେ ନିଜର ମଡେଲକୁ ସାମିଲ କରନ୍ତି । ଏହି ଜିନିଷ ଭକ୍ତ ଓ ଦେଖଣାହାରୀଙ୍କ ମନ କିଣି ନିଏ । ସମସ୍ତଙ୍କ ଆଖି ରହେ ଏହି ଜୁଗାର ଓ ରଙ୍ଗ ବେରଙ୍ଗୀ ଲୋକ ନାଚ ଦଳଙ୍କ ପ୍ରଦର୍ଶନ ଉପରେ ।

Kuchipali bargarh Jugar jatra bbsrbuzz 6

୨୦୧୬ ମସିହା କାଳୀପୂଜା ଅବସରରେ ସୋହେଲା ବ୍ଲକ ଘେଁସର କୁଚିପାଲିଠାରେ ୩୨ତମ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରାରେ ୩୫୦ ରୁ ଉର୍ଦ୍ଧ୍ଵ ମାନସିକ ଜୁଗାର ଅଂଶଗ୍ରହଣ କରିଥିଲେ । ଏଥର ୨୧ ଖଣ୍ଡି ଧାନ ଖଇରେ ପ୍ରସ୍ତୁତ ଜୁଗାର ମୁଖ୍ୟ ଆକର୍ଷଣ ସାଜିଥିଲା ।

Kuchipali bargarh Jugar jatra bbsrbuzz 7

(୨୦୧୨ କୁଚିପାଲି ଜୁଗାର ଯାତ୍ରା ବେଳେ କୁଚିପାଲି ଗାଁର ଏବଂ ନରସିଂହ ମେହେର  ପରିଶ୍ରମ କରି ପାଞ୍ଚଖଣ୍ଡି ଧାନର ଲିଆର ଜୁଗାର ପାଇଁ ତିନିମାସ ସମୟ ନେଇଥିଲେ । ତାଙ୍କ ଜୁଗାରର ମଡେଲ କୁଚିପାଲି ଗାଁର ରାମଜୀ ମନ୍ଦିର ଢାଞ୍ଚାରେ ତିଆରି ହୋଇଥିଲା । ମନ୍ଦିରର ବାହାର କାନ୍ଥ ସହ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତୀ ଅବିକଳ ନିର୍ମାଣ ହୋଇଥିଲା ।)

Kuchipali bargarh Jugar jatra bbsrbuzz 8

୨୦୧୩ କୁଚିପାଲି ଜୁଗାର ଯାତ୍ରା ବେଳେ କୁଚିପାଲି ଗାଁର କେଶବ ସାହୁ ୪୨୦ ତାମି (ତିନି କୁଇଣ୍ଟାଲ) ଧାନର ଲିଆର ଜୁଗାର ପାଇଁ ପ୍ରଦାନ କରିଥିଲେ । ଏଥିରେ ୩୦,୦୦୦ଟଙ୍କା ଖର୍ଚ୍ଚ ହୋଇଥିଲା ।

Kuchipali bargarh Jugar jatra bbsrbuzz 5

( ଇଏ ଥିଲା ସବୁଠୁ ବଡ଼ ଉଚ୍ଚ ଜୁଗାର । ଏହାକୁ ତିଆରି କରିବା ପାଇଁ ୧ମାସ ସମୟ ଲାଗିଥିଲା । ୨୦୧୩ ମସିହାରେ ବିଶାଳ ମୁଆଁ ଜୁଗାରରେ ୪୨୦ କେଜି ଧାନ (୨୧ ଖଣ୍ଡି) ୧୦୦ କେଜି ଗୁଡ଼ ମିଶାଇ ଦେଉଳ ଆକୃତି ତିଆରି ହୋଇଥିଲା । କାରିଗରଙ୍କ ପାରିଶ୍ରମିକ ବ୍ୟତିତ ତିଆରିରେ ପ୍ରାୟ ୯୦ ହଜାର ଖର୍ଚ୍ଚ ହୋଇଥିଲା । ଉଚ୍ଚତା ୨୦ ଫୁଟ ଗୋଲେଇ ଆଠ ଫୁଟ, ଓଜନ ୬୦୦ କେଜି ।)

ଯୁଗାରର ଫ୍ରେମ ୨୫ରୁ ୪୦ ଟଙ୍କା ପର୍ଯ୍ୟନ୍ତ ପଡ଼ୁଛି । କୁଚିପାଲି ଯୁଗାର ବୋହିବା ପାଇଁ ୨୫୦ ଟଙ୍କାରୁ ୩୦୦ ଟଙ୍କା ଦେବାକୁ ପଡ଼ୁଛି । ଯୁଗାରର ଡ଼ିଜାଇନ ଓ ଉଚ୍ଚତାର ପ୍ରତିଯୋଗିତା ଯୋଗୁଁ ମାନସିକ କରିବା ପୂର୍ବରୁ ଅର୍ଥ ପ୍ରତିବନ୍ଧକ ସାଜୁଛି । ତଥାପି ପ୍ରତିବର୍ଷ ଜୁଗାରର ସଂଖ୍ୟା ବଢ଼ିବାରେ ଲାଗିଛି ତା ସହିତ ଏହାକୁ ଦେଖିବା ପାଇଁ ଲୋକଙ୍କ ଆଗ୍ରହ ବି । କାରଣ ଏପରି ଯାତ୍ରା ସମ୍ପୂର୍ଣ୍ଣ ନିଆରା ।

Special thanks to Satya Prakash Sahu

———————————————————————————————————————–

ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…

Comments

comments