Bhubaneswar Buzz

#OdiaPost ଦକ୍ଷିଣ ଏସିଆର ସବୁଠୁ ବଡ଼ ଗ୍ରାମ ଭୁବନର ପ୍ରସିଦ୍ଧ ‘ଦଶହରା ବଳଦ ଯାତ୍ରା’

Balada Jatra Bhuban odisha bbsrbuzz

ଦକ୍ଷିଣ ଏସିଆର ସବୁଠୁ ବଡ଼ ଗ୍ରାମ ହେଉଛି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଭୁବନ । ଗାଁଟି ୧୯୭୨ ମସିହାରେ ଏନଏସିର ମାନ୍ୟତା ପାଇଥିଲା । ଭାରତର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମସ୍ଥାନ ଓ କଂସା ବାସନ କାମ ପାଇଁ ମଧ୍ୟ ଏହି ସ୍ଥାନ ପ୍ରସିଦ୍ଧ । ଲୋକମତରେ ‘ଭୋବନା’ ନାମକ ଏକ ଗଣ୍ଡ (ଜାତି) ଓ ଅନ୍ୟ କେତେକଙ୍କ ମତରେ ରାଣୀ ଭୁବନା ସୁନ୍ଦରୀଙ୍କ ନାମରୁ ଏଇ ଗାଁର ନାମକାରଣ ହୋଇଛି ।  ଗାଁଟିରେ ପ୍ରାୟ ୩୬ ପାଟକ ବା ଜାତିର ଲୋକ ବାସ କରନ୍ତି । ଭାଇଚାରା ଓ ସଦ୍ଭାବ ବଜାୟ ରଖି ପିଢ଼ି ପରେ ପିଢ଼ି ଖାଣ୍ଟି ଓଡ଼ିଆ ପର୍ବ ଦଶହରାକୁ ଏକ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି ଗ୍ରାମବାସୀ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଦଶହରା ପାଳନ ହେଉଥିବା ବେଳେ ଭୁବନ ଦଶହରାରେ ବଳଦ ହିଁ ମୁଖ୍ୟ ଆକର୍ଷଣ ସାଜିଥାଏ । ଦଶହରାରେ ବଡ଼ ବଡ଼ ବଳଦକୁ ସଜାଯାଇ ପୂଜାର୍ଚ୍ଚନା କରି ଗାଁ ବୁଲାଯାଇଥାଏ । ଦଶହରା ଶେଷ ଅର୍ଥାତ ଭସାଣୀ ଦିନ ବଳଦ ମାନଙ୍କୁ ଶୋଭାଯାତ୍ରା ସାମିଲ କରାଯାଇଥାଏ ।

Balada Jatra Bhuban odisha bbsrbuzz2

Pic : balaramarana singh

ବଣିଜ ବେପାରକୁ ଶୁଭ ଓ ସଫଳ କରିବା ପାଇଁ ମା’ ବଣିଜାରୀ ଦେବୀଙ୍କୁ ବହୁକାଳରୁ ଏଠାରେ ପୂଜା କରିବାର ପ୍ରଥା ଅଛି । କିମ୍ବଦନ୍ତୀ କୁହେ, ପୂର୍ବେ  ଏହି ଗାଁର ଥୋଡ଼ିଆ ଓ ବଣିଆ ସମ୍ପ୍ରଦାୟର ବ୍ୟବସାୟୀମାନେ ଶଗଡ଼ ଗାଡ଼ି ସାହାଯ୍ୟରେ ଯାତାୟତ ଓ ଜିନିଷ ପରିବହନ କରୁଥିଲେ । ବଳଦିଆ ଜାତିର ଲୋକେ ଶଗଡ଼ ଚଳାଉ ଥିଲେ । ବଳଦଙ୍କ ଲାଗି ଆଖ ପାଖ ଅଂଚଳରେ ବ୍ୟବସାୟ ବଣିଜ ଭଲ ଚାଲିଥିଲା । ଦଶହରା ସମୟରେ ବ୍ୟବସାୟ ହିସାବ କିତାବ, ଦୋକାନ ସାଜ୍ଜ ସଜ୍ଜା , ଖାତା ପୂଜା ଆଦି ହେଉଥିବାରୁ ବ୍ୟବସାୟ କିଛିଦିନ ସ୍ଥଗିତ ରହେ । ତେଣୁ ଏହି ସମୟରେ ବଳଦଙ୍କୁ ଶ୍ରଦ୍ଧା ଓ ଆଦର ପୂର୍ବକ ଖାଇବା ଏବଂ ବିଶ୍ରାମ ଦେଇଥାନ୍ତି ।  ବଳଦଙ୍କୁ ମାଳି, ଅଳଙ୍କାର, ଘଣ୍ଟି, ଘାଗୁଡ଼ି, ପର, ରଙ୍ଗୀନ ଭେଲଭେଟ କନା ଆଦିରେ ସୁସଜ୍ଜିତ କରି ଗ୍ରାମଦେବତୀଙ୍କ ପାଖକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି । ମନ୍ଦିର ଚାରିପଟେ କିଛି ଘେରା ବୁଲେଇ ଘରକୁ ଆଣନ୍ତି ।

ମହାଳୟା ପୂର୍ବରୁ ଥୋରିଆ ଓ ବଳଦିଆ ଜାତିର ସ୍ତ୍ରୀ ଲୋକମାନେ ଘରଦ୍ୱାର ଲିପାପୋଛା କରିବା ପରେ ଖଣ୍ଡା, ମାଣ, ତାମ୍ବି, ଘଣ୍ଟ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଫା କରି ପୂଜାର୍ଚ୍ଚନା କରି ରଖିଥାଆନ୍ତି । ପରିବାରର ସମସ୍ତେ ନୂଆ ପରିଧାନ କରି ଦଶ ଜାତିର ଫୁଲ, ଫଳ ଏବଂ ପିଠା ପ୍ରସ୍ତୁତ କରି ଗାଁ ମା’ ମଙ୍ଗଳାଙ୍କୁ ପୂଜା କରାଯାଏ । ଘର ଦୁଆର ଓ ଅଗଣାରେ ଝୋଟି-ମୁରୁଜ ବୁଣାଯାଏ । ପ୍ରତ୍ୟେକ ଘରକୁ ସାଜସଜ୍ଜା ସହ ଘର ସମ୍ମୁଖରେ ପୂର୍ଣ୍ଣ କଳସ ରଖାଯାଏ ।  ଘରେ ଘରେ ଆରିସା ପିଠା ତିଆରି ହୋଇ ପୂଜା ହୁଏ । ପର୍ବର ପ୍ରଥମ ଦିନ ଅର୍ଥାତ ବିଜୟା ଦଶମୀରେ ଶୁଭଖୁଣ୍ଟ ବା ବନ୍ଦାଣଖୁଣ୍ଟକୁ ପୂଜାର୍ଚ୍ଚନା କରାଯାଏ । ଏହି ଖୁଣ୍ଟକୁ ପର୍ବ ପୂର୍ବରୁ ମଙ୍ଗଳବାର କିମ୍ବା ସଂକ୍ରାନ୍ତି ତିଥିରେ ସାହି ଦାଣ୍ଡରେ ସ୍ଥାପନ କରାଯାଏ । ମା’ଙ୍କ ଆସ୍ଥାନରେ ନାଲି ରଙ୍ଗରେ ପିଠଉର ଚିତା କୁଟା, ଫୁଲହାର ସିନ୍ଦୁର ଶୋଭିତ ଏକ ଖୁଣ୍ଟକୁ ପୂଜା କରାଯାଏ । ବର୍ଷଯାକ ଏହା ଥାଏ ଏବଂ ନୂଆ ଖୁଣ୍ଟ ପୋତା ହେବା ପରେ ପୁରୁଣା ଖୁଣ୍ଟକୁ ପାଣିରେ ବିସର୍ଜନ କରାଯାଏ । ଘରର ମହିଳାମାନେ ବନ୍ଦାଣ ଖୁଣ୍ଟକୁ ପୂଜା କରିଥାଆନ୍ତି । ବନ୍ଦାଣ ଖୁଣ୍ଟରେ ବଳଦକୁ ବନ୍ଧାଯିବା ସମୟେ ଅଇଁଠା ଖାଦ୍ୟ ଦିଆଯାଇନଥାଏ । ବଳଦକୁ ବନ୍ଦାଣ ଖୁଣ୍ଟରେ ବନ୍ଧାଯିବା ସମୟରେ କେହି ବାହାର ଲୋକ ସ୍ପର୍ଶ କରନ୍ତି ନାହିଁ । ସ୍ପର୍ଶ କଲେ ବଳଦ ଅମାନିଆ ହେବାର ଭୟ ଥାଏ । ତେଣୁ ବଳଦକୁ ଉକ୍ତ ଖୁଣ୍ଟରୁ ଖୋଲିଦିଆଯିବା ପରେ ଛୁଆଁ ଅଛୁଆଁ ଭେଦ ଆଉ ରୁହେ ନାହିଁ । ବଳଦ ନ ହୁରୁଡ଼ିବା ପାଇଁ ଖୁଣ୍ଟପୂଜା ମାଧ୍ୟମରେ ବଳଦକୁ ମନ୍ତୁରା ଯାଏ ।
ରାତ୍ରୀ ପଟୁଆରର ଉଚ୍ଚ ଧ୍ୱନି ମଧ୍ୟରେ ବଳଦଟି ୩/୪ କିମି ଚାଲି ଚାଲି ଯିବାକୁ ହୁଏ । ବଳଦଟି ଉଚ୍ଚ ଶବ୍ଦ ସହ ପରିଚିତ ହେଲେ ଯାଇ ଶୋଭାଯାତ୍ରାରେ ଭାଗନେଇପାରେ । ପ୍ରଶିକ୍ଷଣ ପାଇବା ପରେ ସେହି ବଳଦ ଆଉ ହୁରୁଡ଼ି ନଥାଏ ।

ଦଶହରା ଶେଷ ଦିନ ବଳଦଯାତ୍ରା, ଦୁର୍ଗାମେଢ଼ ଭସାଣି ଯାତ୍ରା ଓ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ପାଲାମଣ୍ଡପଠାରେ ରାତି ୯ଟାରେ ରାବଣପୋଡ଼ି କାର୍ଯ୍ୟକ୍ରମ ଶେଷ ହେବା ପରେ ରାତି ୧୦ଟାରେ ଦୁର୍ଗାମେଢ଼ ଓ ବିଭିନ୍ନ ସାହିରୁ ଦଶରା ବଳଦ ଶୋଭାଯାତ୍ରାରେ ବାହାରି ଗୁଜୁରୀହାଟ ଠାରେ ଏକତ୍ରିତ ହୋଇ ଭସାଣୀଯାତ୍ରା ଆରମ୍ଭ କରିଥାନ୍ତି । ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ସୁସଜ୍ଜିତ ବିମାନ ଓ ଦଶହରାବଳଦ, ଦୁର୍ଗାମେଢ଼ ଆଗରେ କ୍ରମାନ୍ୱୟରେ ଦୁର୍ଗାଛକ, ଲକ୍ଷ୍ମୀଛକ, ଚମାରସାହି, ବଣିଆସାହି, ବ୍ରାହ୍ମଣୀଦେବୀ ଛକ, ରାଉତ ସାହି, ବେହେରା ସାହି, ବାଜିଛକ, ବଡ଼ହାଟ, ଗଣେଶବଜାର ଦେଇ ପରଦିନ ସକାଳେ ନୂଆବଜାରଠାରେ ପହଞ୍ଚିଥାଆନ୍ତି । ସର୍ବପ୍ରଥମେ ଭୁବନର ଐତିହାସିକ ବଳଦଯାତ୍ରାର ସ୍ରଷ୍ଟା ଥୋରିଆସମାଜଙ୍କ ଆରାଧ୍ୟ ଦେବୀ ମା ବଣିଜାରୀଙ୍କ ପରେ ଭୁବନର ପ୍ରଥମ ଦୁର୍ଗାମେଢ଼ ବନଦୁର୍ଗା, ନୂଆଭୁବନ, ହରପାର୍ବତୀ, ବାଜିଛକ, ପୋଥାଳ ସାହି, ସେନସାହି, କ୍ଲାସିକ କ୍ଳବ, ଗଡ଼ଗଁପୁର, ହାଟୁଆବଣିକ ସଂଘ ଓ ଶେଷରେ ଗୁଜୁରୀହାଟ ଦେଶ ଦୁର୍ଗା ମେଢ଼ ପହଞ୍ଚିବା ପରେ ନୂଆବଜାରରେ ମେଳଣ ହୋଇଥାଏ । ମେଳଣ ପରେ ମା ଦୁର୍ଗା ମେଲାଣି ନେଇଥାନ୍ତି । ଦଶରା ବଳଦଯାତ୍ରାରେ ବାଘନାଚ, ଷଣ୍ଢ ଲଢ଼େଇ, ଲୋକନୃତ୍ୟ ସାଙ୍ଗକୁ ଶିଙ୍ଗବାଜା,ବୀର ବାଦ୍ୟ, ଅର୍କେଷ୍ଟ୍ରା, ଡିଜେ ଶବ୍ଦରେ ଭୁବନ କମ୍ପିଥାଏ ।

ଭୁବନର ଐତିହାସିକ, ପାରମ୍ପରିକ ଓ ଗଣପର୍ବ ଭାବେ “ଦଶହରା ବଳଦ ଯାତ୍ରା” ଓ ଦୁର୍ଗାମେଢ଼ ଭସାଣୀ ଯାତ୍ରା ପ୍ରସିଦ୍ଧି ଲାଭ କରିଛି । ଏହି ଯାତ୍ରା ଦେଖିବାକୁ ଆଖପାଖ ଗାଁ ଗଣ୍ଡା ସହିତ ପଡ଼ୋଶୀ ଜିଲ୍ଲା ଅନୁଗୁଳ, ଯାଜପୁର, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଭଦ୍ରକ ଜିଲ୍ଲାର ଏକ ସ୍ଥାନ ବାରୋ-ନୁଆପାଟଣାରେ ମଧ୍ୟ ଏପରି ପରମ୍ପରା ଦେଖିବାକୁ ମିଳେ ।
Image and content source: odiaspotnews.in and dailyhunt.in

———————————————————————————————————————–

ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…

Comments

comments