Bhubaneswar Buzz

କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଲେ ଦୃଷ୍ଟି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, କାରୁକାର୍ଯ୍ୟ ଛୁଇଁ ଅନନ୍ୟ ଅନୁଭୁତି ସାଉଣ୍ଟିଲେ

 

ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟକୁ ସ୍ପର୍ଶ କରିଵାକୁ ସ୍ୱତନ୍ତ୍ର ଅନୁମତି ଦେଲେ ପ୍ରତ୍ନତାତ୍ତ୍ୱିକ ଵିଭାଗ । ପ୍ରଥମ ଥରପାଇଁ ଦୃଷ୍ଟି ଦିବ୍ୟାଙ୍ଗଙ୍କ ଲାଗି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହେଲା ଅନନ୍ୟ ଐତିହ୍ୟ ଭ୍ରମଣ କାର୍ଯ୍ୟକ୍ରମ ।

 

ପୁରାତନ କୀର୍ତ୍ତିରାଜି, ପଥର ଉପରେ ଚମତ୍କାର କଳ୍ପନାଶକ୍ତିର ପରିପ୍ରକାଶ ଓ କଳା ନୈପୁଣ୍ୟର ଵିରଳ ନିଦର୍ଶନ – କୋଣାର୍କ ସୂର୍ଯ୍ୟ ମନ୍ଦିର ଵିଶ୍ୱରେ ଏକ ଆଶ୍ଚର୍ଯ୍ୟ । ରଵିନ୍ଦ୍ର ନାଥ ଟାଗୋରଙ୍କ ଉକ୍ତିରେ “ଏହା ଏକମାତ୍ର ସ୍ଥାନ ଯେଉଁଠାରେ ପଥରର ଭାଷା ମାନଵର ଭାଷାକୁ ଅତିକ୍ରାନ୍ତ କରିଛି ।” ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଵାପାଇଁ ଦେଶ ଵିଦେଶରୁ ଵର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଵା ଵେଳେ କୋଣାର୍କ ଅଞ୍ଚଳର କିଛି ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କପାଇଁ କୋଣାର୍କର ସୂର୍ଯ୍ୟ ମନ୍ଦିର କେଵଳ ଏକ ପଢ଼ା ଵିଷୟ ହୋଇ ରହିଯାଇଥିଲା । ପାଖରେ ଥାଇ ଵି ଦେଖିଵାର ସୁଯୋଗ ନଥିଲା । ତାଙ୍କ ପୂର୍ଵସୁରୀଙ୍କ ନିହଣ ମୁନରୁ ପଥର ଦେହରେ ଫୁଟିଉଠିଥିଵା ସୁନ୍ଦର କାରୁକାର୍ଯ୍ୟକୁ ସ୍ପର୍ଶ କରି ବହିରେ ପଢ଼ିଥିଵା ପାଠକୁ ମର୍ମେ ମର୍ମେ ଅନୁଭଵ କରିଵାର ସୁଯୋଗ ପାଇନଥିଲେ । ଜାଣିଵାକୁ ସେମାନଙ୍କ ମନରେ ମଧ୍ୟ ରହିଥିଲା ପ୍ରଵଳ ଆଗ୍ରହ । ସେମାନେ ଵିଶ୍ଵର କେଉଁ କୋଣରେ ନଥିଲେ କି କୋଣାର୍କ ସେମାନଙ୍କଠୁ ବହୁ ଦୂରରେ ନଥିଲା । ସେଇ ପାଖରେ ଥାଇ ଵି କେଵେ ଏହି ସୁଯୋଗ ପାଇନଥିଲେ ନିମାପଡ଼ା ପିଙ୍ଗଳାକ୍ଷୀ ସ୍ୱତନ୍ତ୍ର ଵିଦ୍ୟାଳୟର ୩୫ ଜଣ ଛାତ୍ରଛାତ୍ରୀ । ଏବେ ସମୟ ଆସିଲା, ସୁଯୋଗ ଦେଲେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ଵିଭାଗ । ସୂର୍ଯ୍ୟ ମନ୍ଦିର ବୁଲି ପାଖ କୋଣାର୍କ ସଂଗ୍ରହାଳୟରେ ଥିଵା କାରୁକାର୍ଯ୍ୟ ସ୍ପର୍ଶ କରିଵାର ସୁଯୋଗ ଵି ପାଇଲେ । ଶେଷରେ ଏକ ଅଦ୍ଭୁତ ଓ ଅନନ୍ୟ ଅନୁଭୂତି ନେଇ ଘରକୁ ଫେରିଲେ । ଯାହାକୁ ସେମାନେ ଭାଷାରେ ମଧ୍ୟ ଵର୍ଣ୍ଣନା କରି ପାରୁନାହାଁନ୍ତି । ଆଉ ଏ ସବୁ ସମ୍ଭଵ ହୋଇପାରିଛି, ନୃତତ୍ତ୍ୱଵିତ ନିତୁରଞ୍ଜନ ଦାଶ ‘ଙ୍କପାଇଁ ।

Nitu Ranjan Dash, Visual Anthropologist, DU

ନିତୁରଞ୍ଜନ ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଓ ଵୈଷୟିକ ସହାୟତାପାଇଁ ଇଣ୍ଡିଆ ହେରିଟେଜ ୱାକ ସଂସ୍ଥାଙ୍କ ସହ ଥରକୁ ଥର ଆଲୋଚନା କଲେ । ଉଭୟ ସଂସ୍ଥା ଏଭଳି ଭଲ ପ୍ରୟାସପାଇଁ ସବୁପ୍ରକାର ସହଯୋଗ ଦେଵାପାଇଁ ପ୍ରତିଶ୍ରୁତି ଦେଲେ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଡେପୁଟି ସୁପରିଟେଣ୍ଡେଣ୍ଟ ଶ୍ରୀ ପ୍ରତାପ କୁମାର ନାୟକ କଳାକୃତିଗୁଡ଼ିକୁ ସ୍ପର୍ଶ କରିଵାକୁ ସ୍ୱତନ୍ତ୍ର ଅନୁମତି ଦେଲେ । ଦୃଷ୍ଟିହୀନଙ୍କପାଇଁ ଐତିହ୍ୟ ସ୍ଥଳୀ କିପରି ସୁଗମ ଓ ଶିକ୍ଷଣୀୟ ହେଵ ସେଥିପ୍ରତି ନିତୁରଞ୍ଜନ ଯୋଜନା କଲେ । ନିଜ ପ୍ରଚେଷ୍ଟାରେ ବ୍ରେଲି ଲିପିରେ ମନ୍ଦିର ସମ୍ବନ୍ଧୀୟ ପାଠ୍ୟ ସୂଚନା ଓ କାରୁକାର୍ଯ୍ୟର ରେଖାଚିତ୍ରକୁ ଦୃଷ୍ଟିହୀନମାନେ ବୁଝିପାରିଵା ଭଳି ମଡେଲ ତିଆରିରେ କିଛି ଦିନ ସମୟ ନେଲେ । ସବୁକିଛି ପୂରା ହୋଇଯିଵା ପରେ ଭ୍ରମଣପାଇଁ ଦିନ ନିର୍ଦ୍ଧାରଣ କଲେ ।

ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ସଂସ୍ଥା, ନିମାପଡ଼ାର ୩୫ ଜଣ ପିଲାଙ୍କୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୨୧ଜୁଲାଇ ରବିବାର ଦିନ ପହଞ୍ଚିଥିଲେ । ସେଠାରେ ASIର ଗାଇଡ଼ମାନେ ଛାତ୍ରଛାତ୍ରୀମାନଙ୍କୁ ଗୋଟିକ ପରେ ଗୋଟିଏ ମଡେଲ ସେମାନଙ୍କ ସ୍ପର୍ଶ କରିଵାକୁ ସୁଯୋଗ ଦେଇ ତା’ ସମ୍ବନ୍ଧରେ ଵିସ୍ତୃତ ବୁଝାଇଥିଲେ । କୋଣାର୍କ ପ୍ରତ୍ନତତ୍ତ୍ଵ ସଂଗ୍ରହାଳୟ ଓ ସୂର୍ଯ୍ୟ ମନ୍ଦିର ପରିସରରେ ଛାତ୍ରଛାତ୍ରୀମାନଙ୍କୁ ବ୍ରାଲି ଲିପି ମାଧ୍ୟମରେ କାରୁକାର୍ଯ୍ୟ ସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ଦୃଷ୍ଟହୀନ ଛାତ୍ରଛାତ୍ରୀମାନେ ମନ୍ଦିର କଳା ଓ ଭାସ୍କର୍ଯ୍ୟକୁ ସ୍ପର୍ଶ ମାଧ୍ୟମରେ ଅନୁଭଵ କରି ଅତି ଆନନ୍ଦିତ ହୋଇଥିଲେ ।

ସମାଜରେ ଅଵହେଳିତ, ଵିଶେଷକରି ସମାନ ସୁଵିଧା ସୁଯୋଗ ପାଇପାରୁନଥିଵା ଛାତ୍ରଛାତ୍ରୀମାନେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ସ୍ଥଳଗୁଡ଼ିକ ସମ୍ପର୍କରେ କିପରି ସହଜରେ ଜ୍ଞାନ ଆହରଣ କରିପାରିଵେ, ସେଥିପ୍ରତି ସେ ସର୍ଵଦା ପ୍ରଚେଷ୍ଟାରତ ବୋଲି ନିତୁ ରଞ୍ଜନ ଦାଶ କହିଛନ୍ତି । ଏହିପରି ଐତିହ୍ୟ ଭ୍ରମଣ କାର୍ଯ୍ୟକ୍ରମ ଅନ୍ୟ ଦିଵ୍ୟାଙ୍ଗଙ୍କୁ ମଧ୍ୟ ଉତ୍ସାହିତ କରିଵ । ସେମାନେ ଓଡ଼ିଶାର ଅନନ୍ୟ କଳା ଓ ସଂସ୍କୃତି ପ୍ରତି ରୁଚି ବଢ଼ାଇଵେ । ଏଥିସହ Access To All ଆହ୍ୱାନକୁ ଆହୁରି ଵିସ୍ତାର କରିଵାକୁ ଚାହୁଁଛନ୍ତି ଵୋଲି ସେ କହିଛନ୍ତି ।

ଅନେକ ଦିନପରେ ଆୟୋଜିତ ହୋଇଥିଵା କାର୍ଯ୍ୟକ୍ରମ ସମାଜରେ ନିଶ୍ଚିତ ଭାଵରେ ଏକ ସକାରାତ୍ମକ ପ୍ରଭାଵ ପକାଇଵ । ଏହି ଐତିହ୍ୟ ଭ୍ରମଣ କାର୍ଯ୍ୟକ୍ରମରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ି ହୋଇପାରିଵେ ସେଥିପ୍ରତି ଗୁରୁତ୍ୱ ଦେଵାପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟର ଡେପୁଟି ସୁପରିଟେଣ୍ଡେଣ୍ଟ ଶ୍ରୀ ପ୍ରତାପ କୁମାର ନାୟକ କହିଛନ୍ତି ।

ସାଙ୍ଗସାଥୀମାନଙ୍କ ସହ କୋଣାର୍କକୁ ଆସି ଭିନ୍ନ ଏକ ଅନୁଭୂତି ପାଇଲି, ଏହା ମୋର ଏକ ସୁଖଦ ସ୍ମୁତି ହୋଇରହିଵ ଵୋଲି ତନ୍ମଧ୍ୟରୁ ଜଣେ ଦୃଷ୍ଟି ଦିବ୍ୟାଙ୍ଗ ଛାତ୍ରୀ ଦିପାଳୀ ଦାସ କହିଛନ୍ତି ।

Comments

comments