Bhubaneswar Buzz

ସୁନ୍ଦରଂ ସୁନ୍ଦରଂ : A beautiful Odia Short story by Manoj Tripathy

ସକାଳୁ …ଦିନ ଯା’କ ବେଳ ଅଛି । ଆଜି ପୁଣି ଗଣେଶ ଚଉଠି ଭଳି ଦିନରେ … ସକାଳୁ ସକାଳୁ କଜିଆ । ଏ ଛୁଆ ଦୁଇଟାଙ୍କୁ ମୁଁ ଆଉ ପାରିବିନି । ଶୁଣ ଟୁବି ବାପା, ଏଇ ଟୁବାକୁ ଆର ବରଷଠୁଁ କଉ ହଷ୍ଟେଲରେ ଛାଡିବ । ମୋର ଆଉ ଶକ୍ତି ନାହିଁ ଏ ଦୁଇଟାକୁ ସମ୍ଭାଳିବାକୁ । ଆରେ ରେ…

ସମସ୍ତଙ୍କୁ ଶୁଣେଇ ଶୁଣେଇ ଟୁବି ମା’ ଚାଲିଲେ ବାସି କାମ ସାରିବାକୁ । ଟୁବି ବାପା ଛୁଆ ଦୁଇଟାଙ୍କୁ ଟିକେ ନାଲି ଆଖି ଦେଖେଇଦେଇ ଚାଲିଗଲେ ଛକ ଆଡକୁ ଚା ପିଇବାକୁ ।

ବାପା ଯେମିତି ଯାଇଛନ୍ତି, ଟୁବିର ଆରମ୍ଭ ହେଇଗଲା …. ଗେଡୁ ମୋଟୁ ପେଟୁ ଘୋଡାମୂହାଁ .. ତୋର ଏଡେ ସାହସ, ମୋ ନୂଆ ଜାମା ଭାଙ୍ଗ ଖୋଲିଦେଲୁ । ଟୁବା ଯେତେ ସଫେଇ ଦେଲା କି, ଭୁଲରେ ନିଜ ସାର୍ଟ ପାଣ୍ଟ ଭାବି ଖୋଲିଦେଲା, ଅନର୍ଗଳ ଗାଳି କି ବନ୍ଦ ହୁଏ । ଗେଡୁ ମୋଟୁ ପେଟୁ ଘୋଡାମୂହାଁ ..ମିଛ କହୁଛୁ..

ଗାଳିରୁ ରକ୍ଷା ପାଇବାକୁ ଟୁବା ଅତର୍ଛ୍ୟା ଜଲଦି ଜଲଦି ନୂଆ ସାର୍ଟ ପାଣ୍ଟ ଗଳେଇ ହୋଇ ଏକ ରକମ ଧାଇଁଲା ସ୍କୁଲକୁ । ଯାଉ ଯାଉ ଭାବୁଥିଲା ସେ କଣ ଏତେ ଅସୁନ୍ଦର । ଟୁବା, ଟୁବିଠୁଁ ଟିକେ ଗେଡା । ଗେଡା ଆଉ ଡଉଲଡାଉଲ ବୋଲି ଟିକେ ମୋଟା ଦେଖାଯାଏ । ପେଟଟା ଭଗବାନ ଯେମିତି ଦେଇଛନ୍ତି ନା… ସେ କଣ କରିବ । ଟୁବି ବଡ ଭଉଣୀ ବୋଲି କଣ ଖାଲି ତା’ ଶରୀରକୁ ନେଇ ସବୁବେଳେ କହିବ । କଣ ନା ଖାଲି… ଗେଡୁ ମୋଟୁ ପେଟୁ ଘୋଡାମୂହାଁ । ହେଉ ହେଲେ ଅସୁନ୍ଦର, ପାଠ ତ ଭଲ ପଢେ ନା…

ଦିନ ଦିପହର ହେଲାଣି, କିନ୍ତୁ ପୁଷ୍ପାଞ୍ଜଳି ହେଇନି । ଟୁବାକୁ ଭୋକ ଯେତେ ଲାଗୁଛି ତା’ଠୁଁ ଅଧିକ ଲୋଭ ତା’ର ରାଶିଲଡୁ ଉପରେ । କେତେ କେତେ ପ୍ରକାର ରାଶିଲଡୁ । କୋଉଟା ଗୁଡ ପାଗଦିଆ ଆଉ କୋଉଟାରେ କାଜୁ ଲାଗିଛି । ଟୁବା ଭାବୁଛି କିଏ ନଥାନ୍ତା କି ସେଠି, ଟପଟାପ ଦୁଇ ଚାରିଟା ପାଟିରେ ଠୁସି ଦେଇଥାନ୍ତା । ଏମିତି ଭାବୁ ଭାବୁ ସମୂହ ପୁଷ୍ପାଞ୍ଜଳି ବେଳ ହେଲା । ହାତରେ ଫୁଲ, କିନ୍ତୁ ଆଖି ଲଡୁ ଉପରେ । ପୁରୋହିତ ମନ୍ତ୍ର ପଢିବାକୁ ଆରମ୍ଭ କଲେ । ସମସ୍ତେ ବୁଝି ପାରିବା ପାଇଁ ପୁରୋହିତ ପ୍ରତ୍ୟେକ ଶବ୍ଦର ଅର୍ଥ କହି କହି ଅନ୍ୟ ମାନଙ୍କୁ ଆବୃତ୍ତି କରିବାକୁ କହିଲେ । ଖର୍ବମ ସ୍ଥୁଳତନୁ ଗଜେନ୍ଦ୍ର ବଦନଂ ଲମ୍ବୋଦରଂ ସୁନ୍ଦରଂ…ହେ ଗଣନାୟକ ତୁମ ଉଚ୍ଚତା କମ, ଶରୀର ମୋଟା, ପେଟ ବଡ, ହାତୀର ମୁହଁ କିନ୍ତୁ ତୁମେ ସୁନ୍ଦର… । ଆବୃତ୍ତି କରୁ କରୁ ହଠାତ ଚମକି ପଡିଲା ଟୁବା । ଆଖି ଖୋଲି କଣେଇ କଣେଇ ଚାହିଁଲା ଟୁବି ଆଡେ । ଟୁବି ଆଖି ବନ୍ଦ କରି ଅବୃତ୍ତି କରୁଛି …. ଲମ୍ବୋଦରଂ ସୁନ୍ଦରଂ । ତା’ ପିଲା ମୁଣ୍ଡରେ ଭାବିଲା, ଆରେ … ସେମ ଟୁ ସେମ …ଖାଲି ଟୁବି ଯାହା କହେ ଘୋଡାମୁହାଁ ସେଟା ଟିକେ ଅଲଗା…କିନ୍ତୁ ଚଳିବ । ତା ମାନେ ସେ ବି ସୁନ୍ଦର । ସବୁ ଆଡେ ଟିକେ ଅନେଇଲା । ପିଲା ଶିକ୍ଷକ ସମସ୍ତେ ପ୍ରାୟ ଆଖି ବନ୍ଦ କରି କହୁଛନ୍ତି …ପ୍ରସ୍ୟନ୍ଧନ୍ମଦଗନ୍ଧ ଲୁବ୍ଧମଧୁପଂ…. କିନ୍ତୁ ଟୁବା ଆଉ ଆଗକୁ ବଢି ପାରିଲାନି । କଣ ହେଲା କେଜାଣି … ହାତରେ ଧରିଥିବା ଫୁଲତକ ନିଜ ମୁଣ୍ଡ ଉପରେ ବିଞ୍ଚି ଦେଇ ଗୁଣୁଗୁଣୁ ହେଇ କହିଲା …. ସୁନ୍ଦରଂ ସୁନ୍ଦରଂ… । ଆଉ ସମସ୍ତେ ଆଖି ଖୋଲିବା ପୂର୍ବରୁ ପୁରୋହିତଙ୍କ ପଛ ପଟେ ଥିବା ଥାଳିସବୁରୁ ଭଲ ଭଲ ରାଶିଲଡୁ ଚାରିଟା ପକେଟରେ ପୁରେଇ ଆଉ ଦୁଇଟା ହାତରେ ଧରି, ଅନ୍ୟମାନେ ଦେଖିବା ପୂର୍ବରୁ ପୂଜା ଘରୁ ଚୁପଚାପ ଖସିଗଲା ।

ମନୋଜ ତ୍ରିପାଠୀ

ଭୁବନେଶ୍ଵର

Comments

comments