Bhubaneswar Buzz

#OdiaPost ଭାରତର ପ୍ରଥମ ଧ୍ୱନିତାତ୍ତ୍ଵିକ ପୁସ୍ତକ ଲେଖିଥିଲେ ଓଡ଼ିଆ ପ୍ରାଧ୍ୟାପକ ଗୋଲକ ଵିହାରୀ ଧଳ

ଗୋଲକ ଵିହାରୀ ଧଳ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ୧୯୨୧ରେ ଜନ୍ମ ହୋଇଥିଲେ । କିନ୍ତୁ ଏ ଯୋଗଜନ୍ମାଙ୍କୁ କୌଣସି ଭୌଗଳିକ ସୀମା ଆବଦ୍ଧ କରିପାରିନଥିଲା । ୧୯୪୩ରେ ରେଵେନ୍ସା ଵିଶ୍ୱଵିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ, ୧୯୪୯ରେ ଲଣ୍ଡନ ଵିଶ୍ୱଵିଦ୍ୟାଳୟ, ସେଠାରୁ ଆମେରିକା ଓ ଫ୍ରାନ୍ସ ଯାତ୍ରା କରିଥିଲେ । ଭାରତକୁ ଫେରିବା ପରେ ସେ ୧୯୭୫ରେ ହିନ୍ଦୀ ଭାଷାରେ ଆଧୁନିକ ଧ୍ୱନିଵିଜ୍ଞାନ ସମ୍ମତ ପ୍ରଥମ ବହି ଲେଖିଥିଲେ ଏଵଂ ଏଥିପାଇଁ ସୁନାମ ଅର୍ଜନ କରିଥିଲେ । ଏଵେ ଆମେ ଗର୍ଵ ଓ ଗୌରଵର ସହ କହିପାରିଵା, ଯେ ହିନ୍ଦୀ ଭାଷାରେ ମୁଦ୍ରିତ ପ୍ରଥମ ଵିଜ୍ଞାନସମ୍ମତ ଧ୍ୱନିତାତ୍ତ୍ୱିକ ବହିକୁ ଜଣେ ଓଡ଼ିଆ ଲେଖିଥିଲେ । ଧ୍ୱନିତତ୍ତ୍ୱ ସମ୍ପର୍କରେ ପ୍ରଥମ ଭାରତୀୟ ପୁସ୍ତକ ଥିଲା ‘ଧ୍ୱନିଵିଜ୍ଞାନ’ ଯାହାକୁ ପ୍ରାଧ୍ୟାପକ ଶ୍ରୀ ଧଳ ହିଁ ଲେଖିଥିଲେ ଓ ଏହା ହିନ୍ଦୀ ଭାଷାରେ ପ୍ରଥମେ ପ୍ରକାଶିତ ହୋଇଥିଲା, ତେଵେ ଏହି ବହିର ଭୂମିକାରେ ସେ “ଦୋ ଶବ୍ଦ” ଲେଖିଛନ୍ତି ଏଵଂ ସେଥିରେ ସ୍ୱୀକାର କରିଛନ୍ତି ଯେ ଏହି ପୁସ୍ତକ ପ୍ରଥମେ ଓଡ଼ିଆ ଭାଷାରେ ଲେଖିଥିଲେ ହେଁ ଓଡ଼ିଆରେ ପ୍ରକାଶିତ ହୋଇପାରି ନଥିବାରୁ ଏପରି ଧ୍ୱନିତାତ୍ତ୍ୱିକ ପୁସ୍ତକ ପ୍ରଥମ ଛପାହେଵା ଗୌରଵରୁ ଓଡ଼ିଆ ବଞ୍ଚିତ ହୋଇଅଛି । ଦୀର୍ଘ ଷୋହଳ ଵର୍ଷ ପରେ ଓଡ଼ିଆ ଭାଷାରେ ତାଙ୍କର ଭାଷାଵିଜ୍ଞାନ ବହି ପ୍ରକାଶିତ ହୋଇଥିଲା । ଏହି ପୁସ୍ତକରେ ଧ୍ୱନ୍ୟାତ୍ମକ ଲିପି ଵ୍ୟଵହାର ହୋଇଛି ଯାହା ଭାରତ ଇତିହାସରେ ପ୍ରଥମ । ଧ୍ୱନ୍ୟାତ୍ମକ ଲିପିରେ ପୁସ୍ତକ ଛାପିଵା ସେହି ଯୁଗରେ ଅତି କଷ୍ଟସାଧ୍ୟ ଥିଲା ।
ଭାରତୀୟ ପ୍ରାଶସନିକ ଅଧିକାରୀ ଵା ଆଇ.ଏ.ଏସ୍. ଅଫ଼ିସରଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ଭାଷାଵିଜ୍ଞାନ ଶିକ୍ଷା ଦେଵାରେ ସେ ପ୍ରଥମ ଅଧ୍ୟାପକ । ଏହି କଥାଟିକୁ ପୁଣିଥରେ ଦୋହରାଉଛି ଯେ ସର୍ଵଭାରତୀୟ ସ୍ତରରେ ଆଇ.ଏ.ଏସ୍.ଙ୍କୁ ଭାଷାତତ୍ତ୍ୱ ଶିଖାଇଥିବା ପ୍ରଥମ ଅଧ୍ୟାପକ ଜଣେ ଓଡ଼ିଆ ଥିଲେ । ପଚାଶ ଦଶକରେ ଭାରତୀୟ ଭାଷା ଵିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ସେ ଥିଲେ ସର୍ଵକନିଷ୍ଠ ତଥା ଏକମାତ୍ର ଓଡ଼ିଆ । ଓଡ଼ିଶାରେ ଆଧୁନିକ ଭାଷାଵିଜ୍ଞାନକୁ ଲୋକପ୍ରିୟ କରିଵାରେ ସେ ଅଗ୍ରଗଣ୍ୟ । 1951ରେ ଲଣ୍ଡନରେ ସେ ଓଡ଼ିଆ ଭାଷାରେ ଥେସିସ୍ ଲେଖିଥିଲେ ଯାହାର ଶୀର୍ଷକ ଥିଲା “Aspiration in Oriya” ଵା “ଓଡ଼ିଆରେ ମହାପ୍ରାଣତା” ଯେଉଁଥିରେ ମହାପ୍ରାଣ ଓ ଅଳ୍ପପ୍ରାଣ ଵର୍ଣ୍ଣ ଉଭୟ ଵ୍ୟାପକ ଓ ତାତ୍ତ୍ୱିକ ଭାଵେ ଵିଶ୍ଳେଷଣ କରାଯାଇଛି l
ତେଣୁ ଓଡ଼ିଆ ଭାଷାତତ୍ତ୍ୱ ସମ୍ପର୍କରେ ଆମେ ଯେତେଵେଳେ ଆଲୋଚନା କରୁ, ସେତେଵେଳେ ଏ କ୍ଷେତ୍ରରେ ନୂତନ ଯୁଗପ୍ରଵର୍ତ୍ତକ ଭାଵେ ପ୍ରାଧ୍ୟାପକ ଧଳ ସମ୍ମୁଖକୁ ଆସିଥାଆନ୍ତି । ପୂରାତନ ଶୈଳୀ ଅନୁସାରେ ଓଡ଼ିଆ ଭାଷାତତ୍ତ୍ୱ କହିଲେ କେଵଳ ତତ୍ସମ, ତଦ୍ଭଵ ଶବ୍ଦ ଵ୍ୟୁତ୍ପତ୍ତିକୁ ବୁଝାଉଥିଲା ଓ ଵ୍ୟାକରଣ ସଂସ୍କୃତ ଛାଞ୍ଚରେ ଢାଳିହୋଇଥିଲା । ପ୍ରାଧ୍ୟାପକ ଧଳ ପ୍ରଣୟନ କଲେ ଆଧୁନିକ ଧ୍ୱନିଵିଜ୍ଞାନ ନିୟମାନୁସାରେ ଓଡ଼ିଆ ପାଠ୍ୟପୁସ୍ତକ ।
ଧ୍ୱନିତତ୍ତ୍ୱ ପରି ଜଟିଳ ଵିଷୟଵସ୍ତୁକୁ ଶିଶୁମାନେ ସହଜରେ ସହଜରେ ଯେମିତି ବୁଝିପାରିିଵେ ସେଥିପାଇଁ ପ୍ରାଧ୍ୟାପକ ଶ୍ରୀ ଧଳ ଶିଶୁସାହିତ୍ୟ ରୂପେ ଦୁଇଟି ପୁସ୍ତକ ଲେଖିଛନ୍ତି ଯଥା “ପେଟର ପଵନ ମାଟିର କଥା” ଓ “ମଣିଷର ଭାଷା” l
ଆମେ ସମସ୍ତେ ଜାଣୁ ଯେ ଆମର ଇଂରାଜୀ ଉଚ୍ଚାରଣ ଏମିତି ଶିଖିଥାଉ ଯେ ଇଂରେଜମାନେ ଆମ ଇଙ୍ଗିରିିଜୀ ବୁଝିପାରିବେନି କିଂଵା ଆମେ ତାଙ୍କ ଇଂଲିଶ୍ ବୁଝିପାରୁନାହିଁ । ଏହି ଅସୁଵିଧା ଦୂର କରିଵା ପାଇଁ ପ୍ରାଧ୍ୟାପକ ଧଳ ଓଡ଼ିଆରେ ପ୍ରଥମ କରି ଏକ ଉପାଦେୟ ପୁସ୍ତକ ଲେଖିଲେ “ଇଂରାଜୀ ଉଚ୍ଚାରଣ ଶିକ୍ଷା” l
ଏହି ଵରପୁତ୍ର ଥିଲେ ଏକାଧାରରେ ଜଣେ ପ୍ରାଵନ୍ଧିକ, ଅନୁଵାଦକ ତଥା ଭାଷାତତ୍ତ୍ୱଵିଦ୍ l ତାଙ୍କ ରଚିତ ପ୍ରବନ୍ଧରେ ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରାର ସୁରଭି ମିଳିଥାଏ ।
– ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ

Comments

comments