Bhubaneswar Buzz

#OdiaPost ଡାଲଖାଇ ନୃତ୍ୟଶିଳ୍ପୀ ଗୁରୁବାରୀ ମିର୍ଦ୍ଧାଙ୍କ ପାଦରେ ପାଦ ମିଶାଇ ନାଚିଥିଲେ ଇନ୍ଦିରା ଗାନ୍ଧୀ

Pic courtesy : Sambalpurblogs by Ajit Nayak

Pic courtesy : Sambalpurblogs by Ajit Nayak

ପ୍ରଖ୍ୟାତ ଡାଲଖାଇ ନୃତ୍ୟାଙ୍ଗନା ଗୁରୁବାରୀ ମିର୍ଦ୍ଧା ଆଉ ଆମ ଗହଣରେ ନାହାନ୍ତି  । ଆଜକୁ ପ୍ରାୟ ଅଠଚାଳିଶ ବର୍ଷ ପୂର୍ବେ ତାଙ୍କର ଚମତ୍କାର ନୃତ୍ୟ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ହଁ ଆମେ ସେ ଗୁରୁବରୀଙ୍କ କଥା କହୁଛୁ ଯିଏ ଦିନେ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ୧୯୬୮ ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ହେଉଥାଏ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗ୍ୟାଲେରୀକୁ ନିମନ୍ତ୍ରିତ ହୋଇଥାଆନ୍ତି । ସେହି ସମୟରେ ସମ୍ବଲପୁରୀ ଡାଲଖାଇ ନାଚ ଚାଲିଥାଏ । ଗୁରୁବାରୀଙ୍କ  ନାଚ ଅଙ୍ଗ ଭଙ୍ଗୀରେ ମୁଗ୍ଧ ହୋଇପଡ଼ିଲେ ଯୁବତୀ ଇନ୍ଦିରା । ନାଚରେ ଆକର୍ଷିତ ହୋଇ ନିଜକୁ ଅଟକାଇ ପାରିଲେ ନାହିଁ । ଗ୍ୟାଲେରୀରୁ ନୃତ୍ୟ ପରିବେଷଣ ପିଣ୍ଡିକୁ ଚାଲି ଆସି ମିର୍ଦ୍ଧାଙ୍କ ସହ ହାତରେ ହାତ ଛନ୍ଦି ପାଦରେ ପାଦ ମେଳାଇ ଡାଲଖାଇ ଗୀତରେ ନାଚିବା ଆରମ୍ଭ କଲେ । ଯାହା ସେ ସମୟରେ ସଭିଙ୍କୁ ଆଚମ୍ବିତ କରିଥିଲା ।
gurubari mirdha bhubaneswar buzz
ନିଜର ଅଭୁଲା ସ୍ମୃତିକୁ ମନେପକାଇ ଶ୍ରୀମତୀ ମିର୍ଦ୍ଧା ଏକଦା କୁହନ୍ତି, “ମୋର ସେଇ ସମୟ ଏବେ ବି ମନେ ଅଛି ଯେଉଁଦିନ ମୋ ନୃତ୍ୟବୃତ୍ତିରେ ମୋଡ଼ ଆସିଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେ ବସିବା ସ୍ଥାନରୁ ଉଠିଆସି ମୋ ସହ ବେସ କିଛି ସମୟ ନାଚିଥିଲେ । ସେଇଟା ଦିଲ୍ଲୀକୁ ମୋର ପ୍ରଥମ ଗସ୍ତ ଥିଲା ତେଣୁ ମୁଁ ବିଚଳିତ ହୋଇ ପଡ଼ିଥିଲି କିନ୍ତୁ ପରେ ସମ୍ଭାଳି ନେଲି । ମୋ ହାତ ଧରି ସେ ମୋ ସହ ନାଚିଲେ । ତାଙ୍କ ସହ ଫଟୋ ମଧ୍ୟ ଉଠେଇଥିଲି । ମୋ ପାଇଁ ତାହା ଗୋଟିଏ ଗର୍ବର ଦିନ ଥିଲା । ମୋ ଚାରିପଟେ ଲୋକେ ତାଳିମାରି ଅଭିନନ୍ଦନ କରିଥିଲେ । ସରକାର ସିନା ମୋତେ ଭୁଲି ଯାଇଛନ୍ତି, ମୋ ପାଖପଡ଼ିଶା ମୋତେ ନେଇ ଏବେ ମଧ୍ୟ ଗର୍ବ କରନ୍ତି । ବୟସ ବଢ଼ିଯିବା ପରେ ନାଚଗୀତରୁ ବିରତି ନେଇଛି । କଳାପ୍ରେମୀ ଏବେ ବି ମୋତେ ଶ୍ରଦ୍ଧା କରନ୍ତି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ, ମଠଖାଇ ଉତ୍ସବ, ବଲାଙ୍ଗୀର ଲୋକ ମହୋତ୍ସବ, ସମ୍ବଲପୁର ଲୋକ ମହୋତ୍ସବ, ଦୂରଦର୍ଶନ ଏବଂ କୋଶଳ ଶ୍ରୀ ସମ୍ମିଳନୀ ମୋତେ ସମ୍ମାନିତ କରିଛି । କେବଳ ସମ୍ମାନ ଛଡ଼ା ମୋ ପାଖେ ଆଉ କିଛି ନାହିଁ । ଏବେ ମୁଁ ଜଣେ ସଂଘର୍ଷ କରୁଥିବା ଅସହାୟ ମହିଳା ।”
ଗୁରୁବାରୀ ସେ ସମୟର ପ୍ରଥମ ଝିଅ ଥିଲେ ଯିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗାଁ ବାହାରକୁ ପାଦ କାଢ଼ିଥିଲେ । ଆଦିବାସୀ ଚଳଣିର ଶିକୁଳି ଫିଟାଇ ଷୋହଳ ବର୍ଷ ବୟସରେ ଗୁରୁବାରୀ ପ୍ରତିଭା ଦେଖେଇବା ପାଇଁ ପଦାକୁ ବାହାରିଥିଲେ । ୧୯୬୮ ମସିହା ଗଣତନ୍ତ୍ର ଦିବସରେ ଦିଲ୍ଲୀଠାରେ ନୃତ୍ୟ ପରିବେଷଣ କରିବାକୁ ସୁଯୋଗ ପାଇଥିଲେ । ୧୯୭୦ ମସିହାରେ ରକ୍ଷଣଶୀଳ ଧାର୍ମିକ ଚିନ୍ତାଧାରାର ଯୁଗ ନିଶ୍ଚିତ । ସେ ମଧ୍ୟରେ ନିଜ କ୍ୟାରିୟର ଗଢି ନିଜକୁ ପ୍ରତିଷ୍ଠିତ କରିଥିବାରୁ ଭାରତ ପର୍ଯ୍ୟଟନ ବିଭାଗ ନିଜ କ୍ୟାଲେଣ୍ଡର(୧୯୭୦)ରେ ଗୁରୁବାରୀଙ୍କ ଫଟୋ ସ୍ଥାନିତ କରିଥିଲେ । ୪ ଦଶନ୍ଧି ଧରି ନୃତ୍ୟ ସାଧନା ମଧ୍ୟରେ ଦୂରଦର୍ଶନରେ ତାଙ୍କର ଅନେକ ସୋ ପରିବେଷିତ ହୋଇଅଛି ।
ସମ୍ବଲପୁରରୁ ଦୀର୍ଘ ୮୫ କିମି ଦୂର ବରଗଡ଼ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଏମ ଗଣ୍ଡାପାଲି ଗାଁରେ ଗୁରୁବାରୀଙ୍କ ଘର । ଅତୀତର ଗୌରବମୟ ସ୍ମୃତିକୁ ଜାବୁଡ଼ି ଧରି ଅର୍ଦ୍ଧ ନିର୍ମିତ ଇନ୍ଦିରା ଆବାସ ଘରେ ନିଜ ସ୍ୱାମୀ ଓ ପିଲା ଛୁଆଙ୍କ ସହ ରହୁଥିଲେ ଗୁରୁବାରୀ । ସ୍ବାମୀ ହର୍ଷ ମିର୍ଦ୍ଧାଙ୍କ ଗୋଡ଼ ଭାଙ୍ଗିଯିବା ପରେ ଗ୍ରାମବାସୀଙ୍କ ସାହାଯ୍ୟ ଏକା ଭରସା ଥିଲା । ଏକଦା ଦେଶର ବିଭିନ୍ନ ଅନୁଷ୍ଠାନରୁ ମାନ ସମ୍ମାନ ସାଉଁଟି ଥିଲେ । ଜୀବନର ଶେଷ ଭାଗରେ ଆର୍ଥିକ ଅନଟନରେ କାଳାତିପାତ କରି ନିଜର ଦୈନିକ ଗୁଜୁରାଣ ମେଣ୍ଟାଇପାରୁନଥିଲେ ଗୁରୁବାରୀ । ବେସ କିଛି ଦିନ ଶଯ୍ୟାଶାୟୀ ହୋଇ ୨୦୧୬ ମସିହା ଅକ୍ଟୋବର ୨୦ ତାରିଖରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

———————————————————————————————————————–

ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…

Comments

comments