Bhubaneswar Buzz

ଗାଁର କଥା (୧୪) – ଇଂଲଣ୍ଡ ଲେଟର beautiful blog in Odia by Chandra Sekhar Dash

 

ତେର ଚଉଦ ବର୍ଷର ଝିଅଟି ଠିଆ ହୋଇଛି ଭାର୍ଗବୀ ନଦୀ କୂଳରେ । ଗମ୍ଭାରି ଗଛର ଛାଇ ତଳେ। ସେଇଠି ଆମ ଗାଁର ଉତ୍ତର ପଶ୍ଚିମ କୋଣରେ ଭାର୍ଗବୀ ନଈ, ବଙ୍କାହୋଇ ଦକ୍ଷିଣକୁ ବହି ଯାଇଛି। ନଈ ତଟରେ ରାୟ ପୁର ଗାଁର ପୋଷ୍ଟ ଅଫିସ ଓ ଆଉ ଟିକିଏ ଦୂରରେ, ଆମ ହାଇ ସ୍କୁଲ୍। କୂଳରେ ନାଉରୀ ଡଙ୍ଗା ସହ ପ୍ରସ୍ତୁତ। ସେ ପୋଷ୍ଟ ଅଫିସର ଯୁବ ପୋଷ୍ଟ ମାଷ୍ଟର ମଧ୍ୟ ସେଇଠି ଠିଆ ହୋଇଛନ୍ତି। ତାଙ୍କ ପାଖରେ ସେ ଝିଅଟି କିଛି ଦିନ ହେଲା କାମ କରୁଥିଲା ଓ ତାର ଲମ୍ବା ଭବିଷ୍ୟତର ସ୍ୱପ୍ନ ଦେଖୁଥିଲା। ତାଙ୍କର ଜିନିଷ ପତ୍ର ନୌକାରେ ରଖା ହୋଇ ସାରିଲେଣି। କିଛି ସମୟ ପରେ, ସେ ନୌକାରେ ବସିଲେ ଓ ନାଉରିଆ ନୌକାକୁ କାତମାରି ଆଗେଇ ନେଲା ଦକ୍ଷିଣ ଦିଗକୁ, ସ୍ରୋତର ଅନୁକୂଳରେ। ଝିଅଟି ଚାହିଁ ରହିଥିଲା ଅନେକ ଆଶା ଆଉ ଆଶଙ୍କା ଭିତରେ। ସେ ଫେରିବେ ତ! ନ ଫେରିଲେ କିପରି ସେ ତାର ଛୋଟିଆ ସଂସାର ଚଳାଇବ!

ସେ ଝିଅ, ସେ ପୋଷ୍ଟ ଅଫିସ, ସେ ସ୍କୁଲ – ସବୁ ଥିଲା ଆମ ଗାଁର ପଶ୍ଚିମ ପଟେ। ଆମେ ନଦୀର ପୂର୍ବପଟ ତଟର ବାଲି ଉପରେ ବସି ଏହି ଘଟଣା ଦେଖୁଥିଲୁ। ଥରେ ନୁହେଁ, ଦୁଇଥର ନୁହେଁ। ଯେତେଥର ମୁଁ ଓ ମୋର ବଡ ଭଉଣୀ, ଯିଏ ମୋର ତିନି କ୍ଳାସ ଉପରେ ସେହି ସ୍କୁଲରେ ପଢୁଥିଲା, ଏକାଠି ହୋଇ ଗପ କରୁଥିଲୁ, ସେତିକିଥର। ବାସ୍ତବରେ ନୁହେଁ, କଳ୍ପନାରେ ଦେଖୁଥିଲୁ। କାରଣ ଏ ଯେଉଁ ବର୍ଣ୍ଣନା, ଏହା ଥିଲା ଆମ ସ୍କୁଲରେ ପଢା ଯାଉଥିବା, ରବୀନ୍ଦ୍ରନାଥ ଟାଗୋରଙ୍କ ‘ଟେଲସ୍ ଫ୍ରମ୍ ଟାଗୋର୍’ ବହିର ‘ଦ ପୋଷ୍ଟ ମାଷ୍ଟର’ ଗଳ୍ପର ଭୌଗଳିକ ଚିତ୍ର।

ମୋର ନାନୀକୁ ମୁଁ ସଦାବେଳେ ପଚାରେ, ‘ନାନୀ, ସେ ଝିଅ କେତେ ସମୟ ସେଠି ଠିଆ ହୋଇଥିଲା? ସେ ପୋଷ୍ଟ ମାଷ୍ଟର କଅଣ ଆଉ ଫେରି ଆସି ନଥିଲା?’

ନାନୀ ସେ ପ୍ରଶ୍ନର ଉତ୍ତର, ସଦାବେଳେ ଗୋଟିଏ ପ୍ରକାର ଦେଇଥାଏ – ‘ରବି ଟାଗୋରଙ୍କ ହୃଦୟ, ପଥରେ ଗଢା ଥିଲା। ସେ କେଭେ ଚାହିଁ ନ ଥିଲେ ଯେ ଆମର ଏ ପ୍ରଶ୍ନର ଉତ୍ତର ଆମକୁ ସହଜରେ ମିଳି ଯାଉ, ଏପରିକି ସେ ଗଳ୍ପ ପଢିବାର ପଚାଶ ବର୍ଷ ପରେ ମଧ୍ୟ।

ମୋ ନାନୀ ଓ ମୁଁ, ଏବଂ ଆମ ପରେ ଅନେକ ଛାତ୍ର ଛାତ୍ରୀ, ସେ ଗଳ୍ପ ପଢିଛନ୍ତି। ପୋଷ୍ଟ ଆଫିସ, ପୋଷ୍ଟ ମାଷ୍ଟର ଓ ସେଥିସହ ଯୋଡି ହୋଇଥିବା ଲୋକଙ୍କ ବିଷୟରେ, ଏହି ଗଳ୍ପ ପଢିଥିବା ପିଲାମାନେ ଅନେକ କିଛି ଧାରଣା ପାଇଥିଲେ।

‘ଦ ପୋଷ୍ଟ ମାଷ୍ଟର’ ଗପ ପଢିବା ପୂର୍ବରୁ ଆମର, ପୋଷ୍ଟ ଅଫିସ ବିଷୟରେ କିଛିଟା ଧାରଣା ହୋଇଯାଇଥିଲା। ଆମ ଗାଁର ପୋଷ୍ଟଅଫିସ, ଆମ ସ୍କୁଲର ବିପରୀତ ଦିଗରେ, ଗବକୁଣ୍ଡଠାରେ ଅବସ୍ଥିତ। ଚିଠି ବାଣ୍ଟିବା ପାଇଁ ପୋଷ୍ଟ ପିଅନ, ପାରକେଣା ଗାଁର ମାଧବ ମିଶ୍ରେ ଆମ ଗାଁକୁ ଆସନ୍ତି। ଧୋତି, ସବୁଜ ଖଦଡ଼ ସାଟ ପିନ୍ଧି, କାନ୍ଧରେ ଲମ୍ବା ମାଟିଆ ଫିତା ଲାଗିଥିବା ଚମଡା ବ୍ୟାଗ ପକାଇ, ସେ ଆମ ଦୁଆରକୁ ଉଠିଆସିଲେ, ମୋ ଦେଠେଇର ଖୁସି କହିଲେ ନ ସରେ। ସାଥି ସାଥି ବସିବାକୁ ଆସନ ପକାଇ, ମିଶ୍ରଙ୍କ ପାଇଁ ପାଣି ଗିଲାସେ ଓ ପାନ ବଟା ନେଇ ଆସେ। କାରଣ ମିଶ୍ରେ, ମୋ ଦେଠେଇଙ୍କର କକେଇ ପୁଅ ଭାଇ ଥିଲେ। ଭାଇ ପ୍ରତି ଆଦର କହିଲେ ନସରେ।

ମିଶ୍ରଙ୍କ ବ୍ୟାଗର ମଝିରେ ଏଡେ ବଡ ପିତ୍ତଳର ମୋଡା ତାଲା। ପୋଷ୍ଟ କାଡ଼, ଖାମ, ମନି ଅଡ଼ର ଫର୍ମ ଆଉ ବିଭିନ୍ନ ଦାମର ପୋଷ୍ଟାଲ ଷ୍ଟାମ୍ପ୍ , ସେ ବ୍ୟାଗର ଭିନ୍ନ ଭିନ୍ନ ପକେଟରେ ଥାଏ। ମିଶ୍ରେ ତାଙ୍କ କାମ ଛିଣ୍ଡାଇ ସନ୍ଧ୍ୟା ପୂର୍ବରୁ ଫେରି ଯାଆନ୍ତି। ତାଙ୍କର ପନ୍ଦର ଦିନିଆ ପାଳି ସରିଲେ, ଅନ୍ୟ ପୋଷ୍ଟ ପିଅନ, ସୁଆଁଲୋ ଗାଁର ବିଶ୍ୱନାଥ ମହାନ୍ତି, ଆମ ଗାଁକୁ ଆସନ୍ତି, କିନ୍ତୁ ସାଇକଲ ଚଲାଇକରି। ମାଧବ ମିଶ୍ରଙ୍କ ଭଳି ତାଙ୍କୁ ମଧ୍ୟ ସେମିତି ଆଦର କରା ଯାଉଥିଲା।

ଗବକୁଣ୍ଡ ହାଟରେ ବଖରାଟିଏ ଚାଳ ଘରେ ପୋଷ୍ଟ ଅଫିସ ଚାଲେ। ଦୁଆରକୁ ଲାଗି, ଭିତରେ ଓ ବାହାରେ ଦୁଇଟି ବେଞ୍ଚ ପଡିଥାଏ। ବାରଣ୍ଡାରେ କାନ୍ଥକୁ ଲାଗି ଝୁଲୁ ଥାଏ ଲାଲ୍ ପୋଷ୍ଟ ବାକ୍ସ।
ପାଖ ଜଳଖିଆ ଦୋକାନର ଚାଳରୁ ଆରପଟେ ଝୁଲୁଥାଏ ଦୁଇ ତିନିଟା ପାଚିଲା କଦଳି ପେଣ୍ଡା। ଝରକାର ଭିତର ପଟକୁ ଚୌକି ଓ ଟେବୁଲ। କବାଟ ଆଡ଼କୁ ମୁହଁ କରି ଚୌକିରେ ବସିଥାଆନ୍ତି ପୋଷ୍ଟମାଷ୍ଟର ପୂର୍ଣାନନ୍ଦ ମିଶ୍ର । ଘର ଭିତରେ ଆଲୁଅ ନଥାଏ। ମିଶ୍ରେ କିଛି ଲେଖୁଥିବା ବେଳେ, ଝରକା ପାଖ ଖୋପରେ ହାତ ବଢାଇ ଯଦି କିଏ , କାଡ଼ କି ଲଫାଫା କିଣିବାକୁ ପଇସା ଦେଲା, କି କିଛି କହିଲା, ମିଶ୍ରେ ରାଗ ତମ ତମ ହୋଇ ଯାଆନ୍ତି। କହନ୍ତି – ‘ହେ, ଝରକାକୁ ଲାଗି ମତେ ଅନ୍ଧାର କଲେ ମୁଁ କାମ କିମିତି କରିବି? ଭାର୍, ଭାର୍ !’

ବାହାର ପଟ ବେଞ୍ଚରେ ଗୋଟାଏ ବେଳୁ ଲୋକ ଅପେକ୍ଷା କରି ବସିଥାଆନ୍ତି। ପୋଷ୍ଟାଲ ରନର ଥିଲେ ସତ୍ତାର । ସାକ୍ଷିଗୋପାଳ ସବ୍ ପୋଷ୍ଟ ଅଫିସରୁ ଡାକ ବ୍ୟାଗ ଆଣି ସାଇକଲରେ ଆସିବେ ଦିନ ଦେଢ଼ଟା ବେଳେ। ଖରା, ବର୍ଷା କି ନଈ ବଢି ହେଉ। ତାଙ୍କର ପହଁଚିବା ସମୟ ଏପଟ ସେପଟ ହୁଏ ନାହିଁ। ତାଙ୍କ ବ୍ୟାଗ ଖୋଲା ହେଲା ମାତ୍ରେ, ପୋଷ୍ଟ ଅଫିସ ଚଳ ଚଞ୍ଚଳ ହୋଇ ଉଠେ। ଡାକ ବ୍ୟାଗରେ ସାକ୍ଷିଗୋପାଳ ଯିବା ଛୋଟ ବ୍ୟାଗସବୁ ଭର୍ତ୍ତି ହୋଇ ସିଲ ହୋଇ ଯାଏ। ସତ୍ତାର ଫେରିଯାଆନ୍ତି, ଆଠ ନ କିଲୋମିଟର ଦୂର ସାକ୍ଷି ଗୋପାଳ ପୋଷ୍ଟ ଅଫିସକୁ।

ସପ୍ତାହରେ ଦୁଇ ଦିନ ଗବକୁଣ୍ଡରେ ହାଟ ବସେ। ସୋମ ବାର ଓ ଗୁରୁ ବାର, ଉପର ଓଳିଆ ହାଟ। ସେହି ଦିନ ମାନଙ୍କରେ ପୋଷ୍ଟ ଅଫିସରେ ଭିଡ ବେଶି। ପାଖଆଖ ଗାଁର ଲୋକମାନେ ଜମାହୁଅନ୍ତି ।
ହାଟ ସୌଦା କରିବା ହୁଏ ଓ ପୋଷ୍ଟ ଅଫିସ କାମ ବି ହୁଏ। ପୁଣିଥରେ ପରିଚିତ ଲୋକଙ୍କୁ ଦେଖି, ଦୁଃଖସୁଖ ହେବାର ସୁଯୋଗ କିଏ ଛାଡେ!

ହାଟ ଦିନ ଦୁଇଟିକୁ ଛାଡିଦେଲେ, ଯଦି ଚିଠିଟିଏ ଡାକ ଘରେ ପକାଇବାକୁ ଥାଏ, ଖରା ବେଳେ ଛତାଟିଏ ଧରି, ହାଟକୁ ଆସିବାକୁ ହୁଏ। ଦୁଇମୁଖି ଉଦ୍ଦେଶ୍ୟ। ଚିଠି ପକା ହେବ ଓ ଚିଠି ଆସିଥିଲେ, ଘର ବା ଗାଁ ପାଇଁ ପୋଷ୍ଟମାନର କାମ କରି ହେବ। ଏହା ଦ୍ୱାରା ଯେଉଁ ଦିନ ଚିଠି ଆସୁଥିଲା, ସେହିଦିନ ଚିଠି ପଢି ହେଉଥିଲା। କାରଣ ପୋଷ୍ଟମାନ ସବୁଦିନ ଚିଠି ବାଣ୍ଟିବାକୁ ଆସୁ ନଥିଲେ।

୧୯୬୦ ଦଶକରେ, ଚିଠିର ଗତି ଆଜି ଭଳି ଅନିର୍ଦିଷ୍ଟ ବା ମନ୍ଥର ନଥିଲା। ହାଓଡା ହେଡ଼ ପୋଷ୍ଟ ଅଫିସ ପାଖରେ ନନା ରହୁଥିଲେ। ଦିନ ଚାରିଟା ଭିତରେ ଚିଠି ଡାକ ବାକ୍ସରେ ପକାଇଲେ, ତାହା ସେହି ଦିନ ସନ୍ଧ୍ୟା ଡାକଗାଡିରେ (ହାଓଡା ପୁରୀ ଏକ୍ସପ୍ରେସରେ) ଆସି, ତା ଆରଦିନ ସକାଳେ, ସାକ୍ଷିଗୋପାଳ ରେଳ ଷ୍ଟେସନ, ଓ ପରେ ସେଠା ସବ ପୋଷ୍ଟ ଅଫିସରେ, ଦିନ ଦଶ ସୁଦ୍ଧା ପହଞ୍ଚି ଯାଉଥିଲା। ତା ପରେ ଡାକ ରନର, ସତ୍ତାର, ଦିନଦେଢ଼ଟାକୁ ଚଠି ବ୍ୟାଗ ଧରି ଗବକୁଣ୍ଡରେ। ଚବିଶି ଘଣ୍ଟା ଭିତରେ ବିଦେଶରୁ ଚିଠି ଆସି ଘରେ।

୧୯୭୫-୮୦ ମସିହାରେ, ଦିଲ୍ଲୀରେ ଥିବା ବେଳେ, ପ୍ରତି ଶୁକ୍ରବାର ସକାଳ ବେଳା, ବିଶ୍ୱବିଦ୍ୟାଳୟ ଭିତରେ ଥିବା ଡାକ ବାକ୍ସରେ ଚିଠି ପକାଇଲେ, ତାହା ପରବର୍ତ୍ତି ସୋମବାର ଉପରବେଳା ଗବକୁଣ୍ଡ ପୋଷ୍ଟ ଅଫିସରେ ପହଞ୍ଚି ଯାଉଥିଲା। ସେଦିନ ସନ୍ଧ୍ୟା ବେଳ ପର୍ଯ୍ୟନ୍ତ ବୋଉ, ଦାଣ୍ଡ ପିଣ୍ଡାରେ ବସିଥିବ। ସାତ ଦିନ ହେଲା ପୁଅଠାରୁ ଖବର ଆସିନାହିଁ। ଖବର ଜାଣିବାକୁ ମନ ତାର ବ୍ୟାକୁଳ । ତାର ବିଶ୍ୱ।ସ, ପୁଅର ଚିଠି ନିଶ୍ଚୟ ଆସିବ। ଭଲ ମନ୍ଦ ଲେଖିଥିବ। ଏମିତି ଭାବୁ ଭାବୁ, କିଏ ଜଣେ ଚିଠିଟିଏ ଆଣି ବୋଉକୁ ଧରାଇ ଦେବ। ଭଉଣୀ ମାନେ ଦୌଡ଼ି ଆସିବେ। ଚିଠି ଖୋଲି ବୋଉକୁ ପଢ଼ାଇ ଶୁଣାଇ ଦେବେ। ସପ୍ତାକ ପାଇଁ ବୋଉର ମନ ଶାନ୍ତ ହୋଇଯିବ।
ସେବେ ଡାକ ସେବା ଉପରେ ଜନସାଧାରଣଙ୍କର ଅଗାଧ ଆସ୍ଥା ଥିଲା। ପରବର୍ତ୍ତି ସମୟରେ, ଏମିତି ଅବସ୍ଥା ହେଲା ଯେ, ଚିଠି ପକାଇଲେ ତାହା କେବେ ପହଞ୍ଚିବ, ଅନିଶ୍ଚିତ ହୋଇଗଲା।

ଡାକ ଗାଡିରେ ଏକ ନାଲି ଡବା ଲାଗୁଥିଲା- ଆର୍ ଏମ୍ ଏସ୍ (Railway Mail Service) ଡ଼ବା। ଆମ ଗାଁର ଜଗନ୍ନାଥ ଦାଶ ଓ ଗାଁ ପାଖ, ବଡ଼ ବସନ୍ତ ଗାଁର, ଦିବ୍ୟସିଂହ ମହାନ୍ତି ରାତି ଡିଉଟିରେ ସେହି ଡାକଗାଡିରେ କାମ କରୁଥିଲେ। ନନାଙ୍କର ଅତି ଘନିଷ୍ଠ ଥିବାରୁ, ଦିବ୍ୟସିଂହ ବାବୁଙ୍କ ହାତରେ, ନନା ଇଲିଶି ମାଛ ଭଜାଠାରୁ ଆରମ୍ଭକରି, କୁମାର ପୂର୍ଣମି ପାଇଁ ନୂଆ ଲୁଗାପଟା, ପ୍ୟଣ୍ଟ ସାଟ୍ ପଠାଉଥିଲେ। ପୂର୍ବରୁ ଏଭଳି ଜିନିଷ ଆସିବା ଖବର ପାଇ, ଦଦେଇ ଲୋକ ପଠାଇଥାଆନ୍ତି, ସାକ୍ଷିଗୋପାଳ ଷ୍ଟେସନରୁ ତାହା ଦିବ୍ୟସିଂହ ବାବୁଙ୍କଠାରୁ ଆଣିବା ପାଇଁ। ସେ ମଜା କେଉଁ କାଳରୁ ଶେଷ ହୋଇଗଲାଣି।

ମନି ଅଡର ଆସିଛି ବୋଲି ଖବର ମିଳିଲା ମାତ୍ରେ, ଯାହା ନାଁରେ ଆସିଥାଏ, ତାକୁ ଗାଁଠାରୁ ଦୁଇ କିଲୋମିଟର ଦୂର ଗବକୁଣ୍ଡ ହାଟରେ ଥିବା ପୋଷ୍ଟ ଅଫିସକୁ ଯିବାକୁ ପଡୁଥିଲା। ଦଦେଇଙ୍କ ପାଇଁ ଏହା ଥିଲା ବହୁତ କ୍ଳାନ୍ତିକର ପଦଯାତ୍ରା । ସେ ସମୟରେ
ମୋ ନନା ଓ ଭାଇନା ହାଓଡାରେ ଥାଆନ୍ତି। ଦଦେଇଙ୍କୁ ସେମାନେ ମନି ଅଡ଼ର ଦ୍ୱ।ରା ଟଙ୍କା ନ ପଠାଇ, ଇନସୁଅରଡ୍ ଲେଟର ମାଧ୍ୟମରେ ଟଙ୍କା ପଠାଉଥିଲେ। ପାଞ୍ଚଟା ଶହେ ଟଙ୍କିଆ ନୋଟ ଏଥିପାଇଁ ନିର୍ଦ୍ଦିଷ୍ଟ ଲଫାଫାରେ ଭର୍ତ୍ତି କରି, ଛ ସାତଟା ଯାଗାରେ ତରଳ ଜଉ ଉପରେ, ପିତ୍ତଳ ସିଲ୍ ମାରି ଡାକଘରେ ଦେଲେ, ତା ପର ଦିନ, ମାଧବ ମିଶ୍ରେ ବା ବିଶ୍ୱନାଥ ବାବୁ, ଟଙ୍କାଥିବା ଲଫାଫା ଦଦେଇଙ୍କୁ ଗାଁରେ ଆସି ଦେଇ ଯାଉଥିଲେ। ଏ ଥିଲା ୧୯୭୨ ମସିହା ପୂର୍ବ କଥା।

୧୯୭୭-୮୦ ମସିହା। ଦିଲ୍ଲୀରେ ଚାକିରି କରୁଥିବା ବେଳେ, ଯେଉଁ ଦିନ ଦରମା ପାଉଥିଲି, ସେଦିନ ଡାକ ଘରକୁ ଯାଇ, ନିଜ ନାମରେ ତିଆରି ପିତ୍ତଳ ସିଲକୁ, ତାତିଲା ତରଳ ଜଉରେ ମାରି , ଇନସୁଅରଡ଼ ଲେଟରରେ ନନାଙ୍କ ପାଖକୁ ଟଙ୍କା ପଠାଉଥିଲି।
ଦଦେଇ ବା ନନାଙ୍କର ନାମ ଲେଖା ଥିବା, ସେ ସମୟର ଘରେ ପହଁଚିଥିବା କେତେଗୁଡିଏ ଖୋଲା ଇନସୁଅରଡ଼ ଲେଟରକୁ, ଆଜି ବି ସାଇତି ରଖିଛି। ସେଗୁଡ଼ିକୁ ଟିକିଏ ଧରିଲେ, ବହୁଦିନରୁ ବିଦାୟ ନେଇଥିବା ଦଦେଇ ଓ ନନା, ପାଖରେ ଥିଲା ଭଳି ଲାଗେ। ଅଜାଣତରେ ଆଖି ଦିଇଟା ଅମାନିଆ ହୋଇ, ଲୁହ ଝରାଇ ଦିଅନ୍ତି।
ଆଜି ଆଉ ଟଙ୍କା ମନି ଅଡ଼ର ଦ୍ୱାରା ପଠାଇବା ଆବଶ୍ୟକତା ରହିନାହିଁ।

ସାକ୍ଷିଗୋପାଳ ପୋଷ୍ଟ ଅଫିସ ଅଧୀନରେ ଗବକୁଣ୍ଡ ପୋଷ୍ଟ ଅଫିସ, ସ୍ୱ।ଧୀନତା ପୂର୍ବରୁ କାମ କରି ଆସୁଥିଲା। ସମୟ କ୍ରମେ ଏହା ଏକ ବଡ଼ ପୋଷ୍ଟ ଅଫିସ ହୋଇ ନିଜର ପିନ୍ କୋଡ ହାସଲ କରିଛି। କିନ୍ତୁ ଆମେ କେତେଜଣ ଗାଁ ନାମରେ ଥିବା ଆମର ସ୍ଥାୟୀ ଠିକଣା କେବେଠାରୁ ହଜାଇ, ସହରୀ ହୋଇଗଲାଣୁ। ପରିବାର ଲୋକ ଗାଁରେ ଆଉ ନାହାଁନ୍ତି। ଠିକଣାରେ, ‘ପୋ. ଅ. – ଗବକୁଣ୍ଡ,’ ଲେଖି ଚଠି ଦେବା, ଆଉ ଦରକାର ପଡୁନାହିଁ।

ମାଟ୍ରିକ ପଢ଼ିବା ସମୟରେ, ଗାଁ ଲାଇବ୍ରେରୀକୁ ଡାକ ଯୋଗେ ଆସୁଥିବା ଆମେରିକାନ୍ ରିପୋର୍ଟର, ସୋଭିଏଟ ଲାଣ୍ଡ୍, ସୋଭିଏତ ଦେଶ, ସ୍ପାନ୍, ଡବଲ୍ୟୁ. ଏଚ୍.ଓ. (WHO) ର ମାଗାଜିନ, ଏବଂ ଫ୍ରାନ୍ସ ଦୂତାବାସର ମାସିକ ପତ୍ରିକା ‘ଫ୍ରେଞ୍ଚ୍ ହେବଡୋ’ ନିୟମିତ ଆସୁଥିଲା। ଭୁବନେଶ୍ୱରରେ ଆମ ଘରକୁ ଡାକ ଯୋଗେ ଆସୁଥିବା ପତ୍ରିକା, ୨୦୦୩-୫ ମସିହାରେ, ବେଳେ ବେଳେ ଉଭାନ ହୋଇଯାଉଥିବା ସମୟରେ, ମନେ ପଡୁଥଲା ଆମ ଗାଁ ପୋଷ୍ଟ ପିଅନମାନଙ୍କର ନିଷ୍ଠାପର କର୍ତ୍ତବ୍ୟ କଥା।

ଚତୁର୍ଥ କି ପଞ୍ଚମରେ ପଢ଼ୁଥିବା ସମୟର କଥା। ଆମ ଦୂଆରେ ପୋଷ୍ଟ ପିଅନ ବସିଥାଆନ୍ତି ତାଙ୍କ ବ୍ୟାଗ ଖୋଲି। ମୁଁ ନିଶ୍ଚୟ ଗଣ୍ଡଗୋଳ କରିଥିବି। ନୀଳ ରଙ୍ଗର ଚିଠିକୁ ଦେଖାଇ, ମୋ ଜ୍ଞାନ ପରୀକ୍ଷା କରୀବାକୁ, ମତେ ପଚାରିଲେ- ‘ଏହାକୁ କଅଣ କହନ୍ତି କହିଲୁ ?’ ପୋଷ୍ଟ କାଡ୍, ଖାମ ବ୍ୟତିତ, ଏ ତୃତୀୟ ଚିଠିର ନାମ ମତେ ଜଣା ନଥିଲା। ସେ କହିଥିଲେ – ‘ଏଇଟା ଇଂଲଣ୍ଡ ଲେଟର।’ ତା ପରେ କେବେ, ସେ ନୀଳ ଚିଠିର ନାମ ‘ଇନ୍ ଲାଣ୍ଡ୍ ଲେଟର’ ବୋଲି ଜାଣିଲି, ଆଉ ମନେ ପଡୁନି। ଗାଁ ଡାକ ଘର ସ୍ମୃତି ଭୁଲି ହେଉନି।
*******************************
ଶ୍ରୀ ଚନ୍ଦ୍ର ଶେଗଖର ଦାଶ
ତାରିଖ- ୧୭/୮/୨୦୧୭
ଭୁବନେଶ୍ୱର

Comments

comments