Bhubaneswar Buzz

ଓଡ଼ିଶାରେ ପ୍ରଥମ – ମୁକ୍ତେଶ୍ଵର ଦେଉଳରେ ଆୟୋଜିତ ହେଲା ଦୃଷ୍ଟିହୀନଙ୍କପାଇଁ ନିଆରା ‘ଐତିହ୍ୟ ଭ୍ରମଣ’ କାର୍ଯ୍ୟକ୍ରମ

ଶ୍ରେଷ୍ଠ କଳାର ଦେଶ ଉତ୍କଳ । ଏଠାରେ ଐତିହ୍ୟସ୍ଥଳୀ ପରିପୂର୍ଣ୍ଣ । ଆମ ପରି ଭିନ୍ନକ୍ଷମମାନଙ୍କର ମଧ୍ୟ ଐତିହ ସ୍ଥଳୀ ବୁଲିବା ଓ କଳାକୁ ଜାଣିବାର ଆଗ୍ରହ ରହିଛି । ଅଵସର ସମୟ ମିଳିଲେ ଛୁଟିଦିନମାନଙ୍କରେ ଆମେ ଦର୍ଶନୀୟ ସ୍ଥାନଗୁଡ଼ିକୁ ଶିକ୍ଷଣ ଭ୍ରମଣମାନ କରିଥାଉ, ହେଲେ ସେମାନେ ମନମାରିଦିଅନ୍ତି । କାରଣ ସାଧାରଣ ଲୋକଙ୍କ ପରି ଦୃଷ୍ଟିହୀନମାନେ ଏକ ଐତିହସ୍ଥଳୀର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତି ନାହିଁ । ଦର୍ଶନୀୟ ସ୍ଥାନଗୁଡ଼ିକ ସେମାନଙ୍କପାଇଁ ଅଲୋଡ଼ା ମନେହୁଏ । ପଢ଼ାବହିର ସୀମିତ ଲେଖାରେ ଆମ ଉତ୍କଳର କଳା ସଂସ୍କୃତି ସେମାନଙ୍କଠାରେ ଅପହଞ୍ଚ ରହିଯାଏ । ଭିନ୍ନକ୍ଷମମାନେ ମଧ୍ୟ କଳାକୁ ବୁଝିଵେ ଓ କଳାର ଦେଶରେ ଜନ୍ମ ନେଇ ନିଜକୁ ଗର୍ଵିତ ଅନୁଭଵ କରିଵେ, ସେଥିପାଇଁ ନିତୁରଞ୍ଜନ ଦାଶ ଏଇ ଅଭିନଵ ହେରିଟେଜ ୱାକ ଆୟୋଜନ କରିବା କଥା ଚିନ୍ତାକଲେ ।
ଜାତୀୟ ସ୍ତରର ହେରିଟେଜ ଇଵେଣ୍ଟ ଅର୍ଗାନାଇଜର ସହପେଡ଼ିଆ (Sahapedia), ୟୁନେସ୍କୋ ନୂଆ ଦିଲ୍ଲୀ ଅଫିସ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ରମପାଇଁ ତୁରନ୍ତ ଆର୍ଥିକ ଓ ଵୈଷୟକ ସହାୟତାର ହାତ ବଢ଼ାଇଥିଲେ ।
ଵିଶ୍ଵ ଭିନ୍ନକ୍ଷମ ଦିଵସ ଉପଲକ୍ଷେ ‘ପ୍ରତିବନ୍ଧକ ହଟେଇବା ନୂଆ ଭାରତ ଗଢ଼ିବା’ (Breaking the barriers, making a new India) ନାରା ନେଇ ଡିସେମ୍ବର ୨ ତାରିଖ (ରଵିଵାର) ଅପରାହ୍ଣ ୩ଘଟିକା ସମୟରେ ଭୁଵନେଶ୍ୱର ରାଜ୍ୟ ସଂଗ୍ରହାଳୟ ଅଡିଟୋରୀୟମରେ ସଭା ଓ ମୁକ୍ତେଶ୍ଵର ଦେଉଳ ପରିସରରେ ହେରିଟେଜ ୱାକ ଅନୁଷ୍ଠିତ କରିଥିଲେ । ବିଜେବି କଲେଜ ଓ ଟିସିଟିଵିଏଚ ଅନୁଷ୍ଠାନରୁ ୨୯ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଏଥିରେ ଭାଗନେଇଥିଲେ । ନିତୁରଞ୍ଜନ ଦାଶ ନିଜେ ଜଣେ ନୃତତ୍ତ୍ୱବିତ ହୋଇଥିବାରୁ ପ୍ରତ୍ନତାତ୍ତ୍ୱିକ ଜ୍ଞାନ ମଧ୍ୟ ରଖନ୍ତି । ତା’ଙ୍କ ମାର୍ଗଦର୍ଶନରେ ଦୃଷ୍ଟିହୀନମାନେ ଦେଉଳ ପରିସର ଓ ଦେଉଳ କାନ୍ଥରେ କଳାକୃତିମାନ ସ୍ପର୍ଶ କରି ଉତ୍କଳର କଳା ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ବ୍ରାଲି ଲିପିରେ ଲିଖିତ ଉତ୍କଳୀୟ ସ୍ଥାପତ୍ୟ କଳାର ତଥ୍ୟ ସମ୍ବଳିତ ପୁସ୍ତକ ମଧ୍ୟ ସମସ୍ତଙ୍କୁ ବଣ୍ଟନ କରିଥିଲେ ।
ଓଏଏସ ଅଧିକାରୀ ସନ୍ୟାସ ବେହେରା ଯିଏ କି ନିଜେ ଜଣେ ଦୃଷ୍ଟିହୀନ ଓ ଓଡ଼ିଶାର ପ୍ରଥମ ଭିନ୍ନକ୍ଷମ ଓଏଏସ, ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାଵେ ଯୋଗଦେଇ ଭିନ୍ନକ୍ଷମଙ୍କମାନେ ଭୋଗୁଥିବା ଅସୁଵିଧା ଓ ସେମାନଙ୍କପାଇଁ ସମସ୍ତ ସୁଯୋଗ ପହଞ୍ଚ (acessiblity) ଉପରେ ବିସ୍ତୃତ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାଵେ ଓପନ ଲର୍ଣ୍ଣିଂ ସିଷ୍ଟମର ପ୍ରତିଷ୍ଠାତା ତଥା କ୍ଲିନିକାଲ ସାଇକୋଲୋଜିଷ୍ଟ ପ୍ରତାପ କୁମାର ରଥ ଯୋଗ ଦେଇ ନିଜ ଵକ୍ତୃତାରେ ଭିନ୍ନକ୍ଷମଙ୍କ ଆତ୍ମଵିଶ୍ଵାସ ବୃଦ୍ଧି କରିଥିଲେ । କାର୍ଯ୍ୟକ୍ରମରୁ ପ୍ରେରଣା ପାଇ ସାମାଜିକ କ୍ଷେତ୍ରରେ ନିଜର ଆତ୍ମଵିଶ୍ଵାସ ଵୃଦ୍ଧି ହୋଇଛି ବୋଲି ଅଂଶଗ୍ରହଣ କରିଥିବା ଦୃଷ୍ଟିହୀନ ଛାତ୍ର ଵିଜୟ କୁମାର ସାହୁ କହିଥିଲେ । ସେ ଏପରି ଐତିହ୍ୟ ସ୍ଥଳୀ ପ୍ରଥମ ଥରପାଇଁ ବୁଲୁଥିବାରୁ ପ୍ରତିକ୍ରିୟା ଦେବାବେଳେ ଭାଵଵିହ୍ଵଳ  ହୋଇଯାଇଥିଲେ ।

Comments

comments