Bhubaneswar Buzz

ଯୌତୁକ : A blog by Sudhansu Sekhar

 

pic courtesy : 123RF.com

କାହାଣୀ ୧
ପୁଣି ଗୋଟେ ଝିଅ ଦେଖା ପର୍ବ ଆଜି | ୭-୭ଟା ଦେଖିଲା ପରେ ଭି କିଛି ନା କିଛି ପାଇଁ ଆଗକୁ ବଢୁନି |
ଆଚ୍ଛା.. ତମେ କଣ କର ପୁଅ | ଆମେ ଯାହା ଜାଣିଛୁ କି *** କମ୍ପାନୀରେ ମ୍ୟାନେଜେର ଅଛ ଆଉ ଏବେ ଆମେରିକାରୁ ଫେରିଛ |
ଆଜ୍ଞା | ଫେରିବାର ୭/୮ ମାସ ହେଇଗଲାଣି |
ହଉ ତମେ ଆଉ ଶିଖା ବାଲକୋନୀକୁ ଯାଇ ଯାହା କଥା ହେବାର ଅଛି ହେଇଯାଅ| ଆମେ ବୁଢା ବୁଢ଼ୀ ତ ଏକ ରକମ ରାଜି |

ଆଚ୍ଛା.. ତମେ ସବୁ ବେଳେ ଏମିତି ଫରମାଲସ ପିନ୍ଧ |
ନାହିଁ | ମା କହିଲେ କି ଆଉ ଏମିତି ଦେଖା ଅଛି ଆଉ ଝିଅର ବାପା ମା ବ୍ୟାଙ୍କ ଲୋକ .. ସେଥିପାଇଁ..
ଓଃ.. ତୁମେ ତା ହେଲେ ମାମା’ସ ବୟ | ତୁମ ସାଲାରୀ କେତେ ?
ଗୋଟେ ପରିବାର ଚଲେଇବା ପାଇଁ ବହୁତ | ତୁମ ଏକ୍ସପେସଟସନ କେତେ ?
ମିନିମମ ତ ୨୦ ଉପରୁକୁ ହେବା କଥା |
ନା ୨୦ ହେଇନି ଏ ଯାଏଁ | ବାହାରେ ଥିଲି ତ ସେଥିପାଇଁ ଏଠିକା ସାଲାରୀ ବଢିନି ଆଉ | ଆଚ୍ଛା ତୁମର କେତେ ?
ମୋ ର ଏବେ ୫ ଅଛି | କିନ୍ତୁ ଚେଞ୍ଜ କଲେ ନା ମୋତେ ୧୨ ମିଳିଯିବ |
ଓଃ.. ଆଚ୍ଛା |
ଆଉ ତମେ ଘର କି ଜାଗା କିଛି କିଣିଛ ?
ନା.. ଘର କଣ ହବ.. ଆମର ତ ନିଜର ଗୋଟେ ବଡ ଘର ଅଛି .. ମୁଁ ସେମିତି ଭି ଗୋଟେ ପୁଅ ..
ଆରେ ବାହାଘର ପରେ କଣ କିଛି ପ୍ରାଇଭେସି ରହିବନି ?
ଭଗବାନଙ୍କ ଦୟାରୁ ଯଦି ହେଲା ଭି ଆମେ ଗୋଟେ ମହଲାରେ ଆଉ ବାବା-ମା ଆଉ ଗୋଟେରେ ..
ନା ନା .. ସେମିତି ହବନି … ମମି କହିଛି ଅଲଗା ରହିବାଟା ଭଲ..
ଆଚ୍ଛା | ତୁମ ଆଡୁ କେତେ ଯୌତୁକ ମିଳିବ ?
କଣ ହେଲା..!!! କି ସିକ ଲୋକ ତମେ | ଏତେ ପାଠ ପଢି ଯୌତୁକ ମାଗୁଛ | ଛୀ..
ଏତିକି କହି ଶିଖା ପଳେଇ ଗଲା |
ମୁଁ ମନେ ମନେ ହସୁଥିଲି |

କିଛି ଦିନ ପରେ ଖବର ଆସିଲା କି ବାହାଘର ଝିଅ ଵାଲା ଭାଙ୍ଗି ଦେଲେ କି ଯୌତୁକ ଲୋଭ ଅଛି ବୋଲି |
ଆରେ କଣ ହେଲା କି ? ତାଙ୍କୁ କିଏ ଯୌତୁକ ମାଗିଲା ? ଆମ ଘରେ କଣ କିଛି ଅଭାବ ଅଛି ଯେ ସେଠୁ ଆଣିବା | ମା ଖୁବ ଟେନସନରେ ବାବାଙ୍କୁ କହୁଥିଲେ |
ମୁଁ କହିଲି.. ମା ଥାଉ.. ଏ ସବୁ ମୁଁ କରିଛି .. କହି ଫିକ କିନା ହସି ଦେଲି..
ବାବା ଭି ବୋଧେ ବୁଝିଗଲେ ଆଉ ହସି ଚାଲି ଗଲେ |
ମା ତାଙ୍କର କଣ କହି କହି ଚାଲିଗଲେ ଆଉ ମୁଁ ଭାବୁଥିଲି ଯୌତୁକର ପ୍ରକୃତ ଅର୍ଥ କଣ…

କାହାଣୀ ୨
ମା’ଙ୍କ କଡା ତାଗିଦ ଯେମିତି ହେଲେ ମୋତେ ଯୌତୁକ ମାଗିବାକୁ ପଡିବ |
ମୋତେ ଏ ସବୁ କିଛି ଭଲ ଲାଗେନି | ସେମିତି ଭି ଏତେ ଦିନ ପରେ ଗୋଟେ ଭଲ ଝିଅଟେ ମିଳିଛି | ତାଙ୍କ ଅବସ୍ଥା ଭି ଜଣା ତ କୋଉ ମୁଂହରେ ମାଗିବି ଯୌତୁକ|
ଦେଖ..ଆଜି ସବୁ ଫାଇନାଲ ହେଲା ପରେ ତୁ କହିବୁ .. ଆର ମାସକୁ ସେମାନେ ନିର୍ବନ୍ଧ କରିବେ ବୋଲି କହୁଛନ୍ତି |
କିନ୍ତୁ ମା .. ମୋର ଦରକାର ନାହିଁ ସେ ସବୁ | କଣ ଅସୁବିଧା ଅଛି ଆମର | ବାବା ଗଲା ପରେ ଭି ଭଲ ଚାଲିଛି ଆମର| ସେ ଭି ବହୁତ କିଛି ଛାଡି ଦେଇ ଯାଇଛନ୍ତି ଆମ ପାଇଁ |
ଦେଖୁଛୁ ତ .. କୁନି ପାଇଁ ଏ ଯାଏଁ କେହି ଆସିଲେଣି ? ଗୋଟେ ହେଇଥିଲା ଯେ .. ସ୍ବିଫ୍ଟ ଗାଡି ମାଗିଲେ ବୋଲି ତୁ ମନା କରି ଦେଲୁ..
ହାଁ ଠିକ ତ କଲି.. ଆଜି ଗାଡି ଆଉ କାଲିକୁ ଘର ମାଗିଲେ ?
ସେ ସବୁ କଥା କଣ ଦରକାର ଭାବିବା.. ହେଇଯାଇଥିଲେ ଯାଇଥାନ୍ତା | ପୁଣି ୨ ବର୍ଷ ପରେ ମୁନିର ଭି ଖୋଜା ହବ |ଯାହା ଆସିବ ସେ ସବୁ କୁନି ଆଉ ମୁନି ନେବେ..
ଠିକ ଅଛି| ସବୁ ହେବ | ୨ ଜଣ ଯାକ ଭଲ ପାଠ ପଢ଼ିଛନ୍ତି | କୁନି ବ୍ୟାଙ୍କରେ ଭି ଅଛି ଆଉ ମୁନିର କ୍ୟାମ୍ପସ ଭି ହେଇଯାଇଛି |
ମୁଁ କିଛି ଜାଣିନି .. ତୁ ଆଜି ତାଙ୍କୁ ଯୌତୁକ କଥା କହିବୁ ନ ହେଲେ ମୋ ମୁଂହ ଚାହିଁବୁନି |
ଠିକ ଅଛି .. ମୁଁ ଘର ଛାଡି ପଳାଉଛି | ତମେ ଆଣି ତାକୁ ରଖ ଆଉ ସେଇ ପଇସା ଭି ରଖ | ମୋର କେହି ଦରକାର ନାହିଁ |

କାହାଣୀ ୩
ବାହାଘରର ୨ ମାସ ପରେ ପ୍ରଥମ ଥର ପାଇଁ ସୁବୋଧ ଯାଉଛନ୍ତି ଜ୍ବାଇଁ ଡାକରାରେ..ଜ୍ବାଇଁ ଡାକରା ତ ନୁହେଁ .. ଶାଶୁଙ୍କ ଜନ୍ମଦିନ ସେଲେବ୍ରସନରେ..
ଶିଖା ବହୁତ କରି କହିଛନ୍ତି କି ଆଜି ବହୁତ ରିଲେଟିଭସ ଆସିବେ ତ ଭଲ ସେ ଡ୍ରେସିଂ ହେଇ ଯିବା ପାଇଁ |
ଆରେ ୟେ କଣ ? ପୁରା ମେଳା ଲାଗିଛି ନ କଣ ?
ଓଃ.. ଆସ୍ତେ କୁହ | ଆମର ବହୁତ ବଡ ଫ୍ୟାମିଲି |
ମୋତେ କଣ ସମସ୍ତଂକୁ ଦେଖି ମୁଣ୍ଡିଆ ମାରିବାକୁ ହବ ଆଉ ନାଁ ଭି ମନେ ରଖିବାକୁ ହବ?
ହାଁ.. ମୁଁ କହିଦେବି ଯଦି ପାଖରେ ଥିବି |
ହାଁ ପ୍ଲିଜ଼ |

ଶିଖା କୋଲଡ ଡ୍ରିଂକ୍ସ ପାଇଁ ଯାଇଛନ୍ତି ଆଉ ସୁବୋଧ ଯାଇ ଗୋଟେ କଣରେ ଲୁଚି ବସିଛନ୍ତି|
ଆଚ୍ଛା ଆପଣ ସୁବୋଧ ନା |
ଆଜ୍ଞା କହି ମୁଣ୍ଡିଆଟେ ମାରିଲେ ସୁବୋଧ | ମୁଁ ଆପଣଂକୁ ଜାଣି ପାରିଲିନି |
ଆରେ ଜାଣିବ କେମିତି..ଆଗରୁ ତ ଦେଖା ହେଇନି.. ନଭ ମେରେଜେ କରିଛ ବୋଲି ତ.. ନ ହେଲେ ସମସ୍ତଙ୍କ ଘର ଘର ବୁଲିଥାନ୍ତ |ମୁଁ ଵା ଶିଖାର ମାଉସୀ ..
ଆଜ୍ଞା..ଶିଖା କହୁଥିଲା ଭି ବହୁତ ବଡ ଫ୍ୟାମିଲି|
ଆଉ ଏବେ କୋଉଠି ରହୁଛ ? ପଟିଆରେ ?
ନାଇଁ.. ଏବେ ଭଡା ଘରେ ଅଛି | ଘର ରେଡି ହେବାକୁ ଆଉ ୩/୪ ମାସ ଲାଗିବ |
କୋଉ ବିଲଡର ଏତେ ଜଲଦି ଘର ଦଉଛି |
ଜଲଦି କଣ.. ୨ ବର୍ଷ କହି ୨.୫ ବର୍ଷ ନେଲାଣି..
ନା ନା .. ଆଉ ଗୋଟେ ଘର ମିଳିଛି ବୋଧେ ତମକୁ ?
ମିଳିଛି ମାନେ ?ମୋ’ର ଆଜ୍ଞା ଏଇ ଗୋଟେ ଘର..
ମୁଁ ଶୁଣିଲି କଣ ଗିଫ୍ଟ ମିଳିଛି ଘର.. ଏବେ ବୁକିଂ ହେଇଛି..
ଗିଫ୍ଟ ମାନେ ଯୌତୁକ କହୁଛନ୍ତି ତ..?? ସୁବୋଧ କହି ହସି ଦେଲେ..
ଆଜିକାଲି କଣ କେହି ଯୌତୁକ କୁହନ୍ତିରେ ପୁଅ…
ସୁବୋଧ ଏବେ ପୁରା ମୁଡ଼ରେ ଆସି କହିଲେ.. ନା ନା.. ଭୁଲ ଜାଣିଛନ୍ତି ତା ହେଲେ.. ସେଇଟା ଏଠି ନୁହେଁ.. ବାଙ୍ଗାଲୋରରେ..ପୁରା ୭୦…
ହେଁ … ଏତେ..!! ଆଉ ମୋତେ କଣ କହିଲେ କି ୩୦ ବୋଲି..

ଆରେ ଜାଣିଛ ମା ଏବେ ଫୋନ କରିଥିଲେ.. ବେଡ଼ରେ ଆସୁ ଆସୁ ଶିଖା କହିଲେ..
ହୁଁ..ଆଉ ସବୁ ଠିକଠାକରେ ହେଇଗଲା ?
ସେ ସବୁ ଛାଡ.. କିଏ ଗୋଟେ ବାବା-ମା’ଙ୍କ ନାଁ ରେ କଥା ଉଡେଇଛି…
କି କଥା ?
ଛାଡ.. ତମକୁ କହିଲେ ତମେ ରାଗିବ..
ଆରେ.. ମୁଁ କାଇଁ ରାଗିବି.. ମୋ ବିଷୟରେ ନୁହେଁ ନା..
କିଏ ଗୋଟେ କହିଛି ଯେ ଆମକୁ ବାବା ବାଙ୍ଗାଲୋରରେ ଗୋଟେ ଭିଲା ଦେଇଛନ୍ତି ବୋଲି..
ବାଃ.. ବଢିଆ ତ.. ତମ ନାଁ ରେ ହେଇଛି ନା ଆମ ପୁଅ ନାଁ ରେ..!!
ମଜାକ ଛାଡ ମ..
ଆମେ ତ ଯୌତୁକରେ ବେଡ଼ଟେ ଭି ନେଇନେ.. ସେଥିରେ ଲୋକ ଏ ସବୁ ଉଡାଉଛନ୍ତି..
ଠିକ ଅଛି.. ଏଇଟା ତ ଭଲ.. ସମସ୍ତେ ଜାଣିଲେ କେତେ କାପାସିଟି ତୁମ ବାବାଙ୍କର..
ତୁମେ ବାବାଙ୍କ ପାଇଁ ଟିକେ ଭି ଭାବୁନ ନା | ଆଗକୁ ୨ଟା ଝିଅ ତାଙ୍କର.. ଯଦି ସମସ୍ତେ ଜାଣିବେ ସେମାନେ ଭି ସେତେବେଳକୁ ୧ କୋଟି ମାଗିବେ..
ସୁବୋଧ ଶୋଇବାର ଅଭିନୟ କରି ଭାବିଲେ କି..ଏତେ ସବୁ କରି ଭି ନିଜ ନାଁ ରେ ଯୌତୁକଟା ଲେଖି ହେଇଗଲା |

କାହାଣୀ ୪
ଶିଖା, ତୁମ ପାଖେ କିଛି ପଇସା ହବ କି? ଅରାଉଣ୍ଡ ୪୦୦୦୦ |
କାଇଁ ତୁମ ପାଖେ ପଇସା ନାହିଁ କି ? ମୋ ପାଖେ ଏତେ ହବନି | ମୋର ଏବେ କ୍ରେଡିଟ କାର୍ଡ ଲିମିଟ ଭି ସରିଯାଇଛି |
ଗାଡି ପାଇଁ ଡାଉନ ପେମେଂଟ ଦେଲା ପରେ ନେକ୍ସଟ ମଂଥ ପାଇଁ ଘର EMI ପାଇଁ ହବନି |
କି ଲୋକ ତମେ ? ଯଦି ଘର ଚଲେଇବା ପାଇଁ ସକ୍ଷମ ନୁହେ କାଇଁ ବାହା ହେଇ ପିଲା ଛୁଆ କରୁଥିଲ|
ଆରେ ମୁଁ ଭାବିଲି ତମ ପାଖେ ଥିବା କିଛି | ତମଠୁ ତ ଘର ଖର୍ଚ ପାଇଁ ମୁଁ କେବେ କିଛି ମାଗେନି ଭି | ବାହାରୁକୁ ଗଲେ ଭି ମୁଁ ସବୁ ଖର୍ଚ କରେ | ଭାବିଲି କିଛି ଥିଲେ ହେଲ୍ପ ହେଇଯିବ | ସେମିତି ଭି ଆମ ଘର ପାଇଁ ଆମେ ୨ ଜଣ ବୁଝି ସୁଝି ଚଲେଇବା କଥା |
ତମେ କଣ ଜାଣିନ ମୁଁ ମୋ ଘରକୁ ପଇସା ଦିଏ ବୋଲି |
ଶେଖର ଧୀରେ ସେ କହିଲେ “ହାଁ ଜାଣିନି କି କଣ ସବୁ ବାଜେ ଖର୍ଚ ପାଇଁ” |
ମୋତେ ତ ମନା କଲ ବୋଉକୁ ପଇସା ନ ଦେବା ପାଇଁ |
ଦଉନ ତମେ | ଯଦି ଏତେ ବଳି ପଡୁଛି | କିନ୍ତୁ ମୋ ପଇସା ମୁଁ କାହାକୁ ଦେବିନି | ଆଉ ଥରେ କଥା ଉଠିଲେ ମା ଙ୍କୁ କହି ୪୯୮A ଲଗେଇ ଦେବି|

 

Author : Sudhansu Sekhar (https://twitter.com/shhekhar)

Comments

comments