Bhubaneswar Buzz

#OdiaPostAt11 ଓଡ଼ିଆ ନବ ବର୍ଷ – ଆମ ଚଳଣି, ଧାର୍ମିକ ଭାବନା ଓ ବିଜ୍ଞାନ ଉପରେ ଏକ ନଜର

pic courtesy : Soumya

pic courtesy : Soumya

ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ଵତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହିଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି । ଏହିଦିନ ପଣା ପ୍ତସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ । ଦେବତା ଓ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଧରା ଘଟ ଦିଆଯାଏ । ଗଡ଼ଜାତରେ ଝାମୁନାଟ ଏହି ଦିନଠାରୁ ହୁଏ । ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୩/୧୪ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ ।  ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ । ହିନ୍ଦୁ ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମାରେ ଓଡ଼ିଆ ହିନ୍ଦୁମାନଙ୍କ ଦ୍ଵାରା ପାଞ୍ଜି ପୂଜା କରାଯାଇ ମହାବିଷୁବ ସଂକ୍ରାନ୍ତି ଠାରୁ ପାଞ୍ଜି ଚଳେ । ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ଶାଳିବାହନ ଶକାବ୍ଦର ବର୍ଷ ଆରମ୍ଭ ଦିନ । ଏହି ଦିନ ସୂର୍ଯ୍ୟ ଅଶ୍ଵିନୀ ନକ୍ଷତ୍ର ମେଷ ରାଶିକୁ ଗତି କରିଥାନ୍ତି । ଓଡ଼ିଶାରେ ପ୍ରଚଳିତ ପାଞ୍ଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ ପ୍ରସ୍ତୁତ ହୋଇଥାଏ । ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତିତ  ଯାଜପୁରର ବିରଜା ମନ୍ଦିରର ପାଞ୍ଜିକୁ ସ୍ଵୀକୃତି ଦିଆଯାଇଥାଏ ।

ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ ।  ତେଣୁ ଏହି “ସଙ୍କ୍ରାନ୍ତି” କୁ “ଜଳ ସଙ୍କ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ । ଏହି ସମୟରେ ପଣାଦାନ କରାଯାଉଥିବାରୁ ଏହାର ଅନ୍ୟ ଏକ ନାମ ମଧ୍ୟ ପଣା ସଙ୍କ୍ରାନ୍ତି ।

କିମ୍ବଦନ୍ତି କହେ ଏକଦା ହନୁମାନ ସୂର୍ଯ୍ୟଙ୍କୁ ଗିଳିଦେଇଥିଲେ । ପ୍ରଚଣ୍ଡ ରୌଦ୍ରତାପ ପ୍ରକୋପରୁ ରକ୍ଷାପାଇବା ପାଇଁ ହନୁମାନଙ୍କ ଆଗରେ ଗୁହାରି କରାଯାଏ । ସମୟକ୍ରମେ ଏହାର ମୂଳ ଉଦ୍ଦେଶ୍ୟ ଲକ୍ଷ୍ୟଚ୍ୟୁତ ହୋଇ ହନୁମାନଙ୍କ ଜନ୍ମଦିନ (ଜୟନ୍ତୀ) ଭାବେ ପାଳନ ହେଉଛି ।

ଏହି ଦିନଠାରୁ ସୂର୍ଯ୍ୟତାପ ପ୍ରଖରରୁ ପ୍ରଖରତର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେବାଳୟରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ଗହମ, ବୁଟ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ” ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ୤ ।  “ପଣାରେ” ପାଚିଲା କଦଳୀ, ଛେନା, ଦୁଗ୍ଧ, ପାଚିଲା ବେଲ, ନଡ଼ିଆ, ଗୁଡ଼ ବା ଚିନି, ଛତୁଆ ମିଶିଥାଏ୤ ।  “ପଣା” ଭୋଗ ଖରାଦିନିଆ ଉତ୍ତମ ଆହାର ଓ  “ଛତୁଆ” ଭୋଗ ଦେହକୁ ସୂର୍ଯ୍ୟତାପରୁ ରକ୍ଷା କରିବା ପାଇଁ ପଣା ସେବନ ବିଧିକୁ ପୂଜାର୍ଚ୍ଚନା ମାଧ୍ୟମରେ ଆମ ଚଳଣି ସହ ଯୋଗକରାଯାଇଛି । ବେଲ ବୈଶାଖ ମାସକୁ ପାଚେ । ପାଚିଲାଫଳକୁ ପଣା କରି ପିଇଥାନ୍ତି । ଓଡ଼ିଶାରେ ବିଷୁବ ସଂକ୍ରାନ୍ତିରେ ଏହି ପଣାକୁ ଦିଅଁଙ୍କ ପାଖରେ ଭୋଗ ଲଗାଯାଏ । ବେଲ ପଣା ଏକ ଲୋକପ୍ରିୟ ପାନୀୟ । ଖରା ଦିନେ ଶିବ ଉପାସନାର ସମୟ । ଖରାଦିନେ ଏହା ପ୍ରଚୁର ମିଳୁଥିବାରୁ ପଣାରେ ଏହାର ବ୍ୟବହାର ଦେଖିବାକୁ ମିଳେ ।

ଗ୍ରୀଷ୍ମଦିନେ କେବଳ ମାନବ ସମାଜ ନୁହେଁ  ଉଦ୍ଭିଦ ଓ ପ୍ରାଣୀଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ ।  ସହରରେ ଛାତରେ ଗାଁ ଗହଳିରେ ଗିନା ରଖି, ଦାଣ୍ଡ କିମ୍ବା ବାରି ପଟେ ଛୋଟ ଏକ ପୂଜା କରି ଗାତ ଖୋଳି ଜୀବଜନ୍ତୁଙ୍କ ଲାଗି ପଣା ଅର୍ପଣ କରାଯିବାର ଦେଖାଯାଏ  ।

ଦାନ ପୁଣ୍ୟ ଓଡ଼ିଆ ସଂସ୍କୃତିର ମହାନ ଅଙ୍ଗ । ସାମର୍ଥ୍ୟ ଅନୁଯାୟୀ କେହି କେହି ପାଦକୁ ଜୋତା ଓ ଖରା ପାଇଁ ଛତା ବିଞ୍ଚଣା, ପତଳା ବସ୍ତ୍ର ମଧ୍ୟ ଦାନ କରିଥାନ୍ତି । ସାହିପଡ଼ିଶା, ସାଙ୍ଗସାଥୀମାନଙ୍କୁ ଛତୁଆ ଓ ପଣା ପ୍ରଦାନପୂର୍ବକ ଭାବର ଆଦାନପ୍ରଦାନ ମଧ୍ୟ ଏହିଦିନ କରାଯାଇଥାଏ । ଅନେକ ସମୟରେ ବ୍ୟବସାୟୀମାନେ ନିଜ ବ୍ୟବସାୟସ୍ଥଳୀ ସମ୍ମୁଖରେ ମାଗଣା ପଣା ବଣ୍ଟନ କରିଥାନ୍ତି । ସ୍ଵେଚ୍ଛାସେବୀ  ଅନୁଷ୍ଠାନମାନଙ୍କ ତରଫରୁ ଜଳ ଛତ୍ର ଖୋଲାଯାଇଥାଏ ।

ଓଡ଼ିଆଙ୍କ ଘର ଅଗଣାରେ ସ୍ଥାପିତ ତୁଳସୀ  ଚଉରା ହେଉଛି ଏକ ଛୋଟ ପଥର ଓ ଚୂନ ତିଆରି ମଞ୍ଚ  ଯାହା ଉପରେ ଖାଲ କିମ୍ବା ଏକ ମାଟି କୁଡୁଆ ଥାଏ ଯହିଁରେ ତୁଳସୀ ଗଛ ଲଗାଯାଇଥାଏ  । ସବୁ ଦିନ ସକାଳେ  ସ୍ନାନ ଅନ୍ତେ ଓଡ଼ିଆମାନେ ଚଉରାରେ ଥିବା ତୁଳସୀ ଗଛ ମୂଳରେ ଜଳ ଢାଳି ପୂଜା କରିଥାନ୍ତି  ଓ ଏହି ଗଛର ପତ୍ରକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ତୁଳସୀ ଗଛର ନାନାଦି ଅଙ୍ଗ କଫ  ଥଣ୍ଡା ଓ ଜ୍ଵର ନିମନ୍ତେ ଆୟୁର୍ବେଦିକ ଔଷଧ ରୂପେ ବ୍ୟବହାର କରାଯାଇଥାଏ । ଗ୍ରୀଷ୍ମଦିନେ ପଥର ଦୁମରୁ ଜଳ ଆହରଣ ନକରି ପାରି ଗଛ ଶୁଖିବାକୁ ବସେ । ତେନ୍ତୁ ପଣା ସଂକ୍ରାନ୍ତି  ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ଘଡ଼ିରେ ପାଣି ଭରିଦେଲେ ଅନେକ ସମୟ ଧରି ଏହାର କ୍ଷିଣ ଜଳଧାର ତୁଳସୀ ମୂଳକୁ ଓଦା ରଖେ, ଜଳତାପରୁ ରକ୍ଷାକରେ । ଏହା ବସୁନ୍ଧରା ଠେକି ନାମେ ଜଣା । ଅନେକ ସ୍ଥାନରେ “ତୁଳସୀ ପୂଜା” ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଛାମୁଡ଼ିଆ କରି, ତହିଁରୁ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ଏକ ପତଳା ସୁତା ସାହାଯ୍ୟରେ ମାଟି ଘଡ଼ିଟିଏ ବାନ୍ଧି ଓହଳାଇ ଦିଅନ୍ତି । ଏହି ଘଡ଼ିର ନିମ୍ନାଂଶରେ ଛୋଟ ଛିଦ୍ରଟିଏ କରାଯାଇଥାଏ ।

ଏହି ମାସରେ ଖାଦ୍ୟ ପେୟ ସନ୍ତୁଳିତ ରଖାଯାଏ । ଓଡ଼ିଆମାନେ ଆମିଷ ଭକ୍ଷଣ ଠାରୁ ଦୂରେଇ ରୁହନ୍ତି (ବୈଜ୍ଞାନିକ କାରଣ: ଏହା ତାପ  ଓ ଉତ୍ତେଜନା ସୃଷ୍ଟିକାରୀ  ) । ପଖାଳ, ଶାଗ ଓ ବାଡି ପନିପରିବା ଆଦି ଖାଇ ଦିନଗୁଡ଼ିକୁ ସୁରୁଖୁରୁରେ କଟେଇଦିଅନ୍ତି ।  ବେଲ, ତାଳସଜ ଆମ୍ବ , ଫୁଟି କାକୁଡ଼ି, ସପୁରୀ, ଖରଭୁଜ  ଆଦି  ଫଳ ଭଗବାନ ଯେପରି ଗରମରୁ ତ୍ରାହି ପାଇବା ପାଇଁ ଓଡ଼ିଆମାନଙ୍କ ଲାଗି ଖଞ୍ଜି ଦେଇଛନ୍ତି ।

ଅସହ୍ୟ ଗୁଲୁମୁଳିର ଜୀବନ ଶୈଳୀରେ ବ୍ୟାଘାତ ସୃଷ୍ଟି ହୁଏ । ବିଳମ୍ବିତ ରାତି ଯାଏଁ ନିଦ ନହେବାରୁ ମନ ମନୋରଂଜନ ପାଇଁ ସୁଯୋଗ ଖୋଜେ । ବୋଧ ହୁଏ ଏଥିରୁ ଦଣ୍ଡ ନାଟର ପରିକଳ୍ପନା ।

ଦଣ୍ଡନାଚ ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ମାନସିକ ପୂରଣ ପାଇଁ ସାଧାରଣତଃ ଏହା କରାଯାଏ । ରୋଗବଇରାଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମାପରଠାରୁ ଭକ୍ତମାନେ ରହିଥାନ୍ତି ।
ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ନିଜେ ଦଣ୍ଡ ଭୋଗି ଅନ୍ୟର ମନୋରଂଜନ କରନ୍ତି ।
ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ ।  ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଅସହ୍ୟ ଗରମର କଷ୍ଟ ଲାଘବ ପାଇଁ ଖରାଦିନେ ଏହି ନାଟ ଜନମାନସକୁ ଭଲ ମନୋରଂଜନ ଯୋଗାଇଥାଏ ।

ଅନେକ ସ୍ଥାନରେ ନବ ବର୍ଷ ଉତ୍ସବ ବା “ବିଷୁବ ମିଳନ” ଆୟୋଜନ କରାଯାଇ ବୁଦ୍ଧିଜୀବୀ, ସାହିତ୍ୟିକ ଓ କବିମାନଙ୍କ ସାହିତ୍ୟ ଆଲୋଚନା ଏବଂ କବିତା ପାଠ ହୋଇଥାଏ ।

ଓଡ଼ିଶାର ଓଡ଼ିଆ ନବ ବର୍ଷ ସହ ପଂଜାବରେ ବୈଶାଖୀ, ଆସାମର ବିହୁ ପର୍ବ, ମୈଥିଳି ନବ ବର୍ଷ, ବଙ୍ଗର ପହିଲି ବୈଶାଖ, କେରଳ  ଓ ଟୁଡୁନାଡୁର ବିଷୁ ପରବ, ତାମିଲ ନାଡୁର ପୁଥାଣ୍ଡୁ ପର୍ବ ମଧ୍ୟ ଏହି ଦିନ ଏକ ସମୟରେ ଅତି ଯାକ ଜମକରେ ପାଳିତ ହୁଏ ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments