Bhubaneswar Buzz

#OdiaPost ପ୍ରଥମାଷ୍ଟମୀ – ଏଣ୍ଡୁରି ପିଠାରେ ଘର ମହକେ

prathamastami odisha 7

ପ୍ରଥମାଷ୍ଟମୀ (Prathamastami) ସାରା ଓଡ଼ିଶାରେ ଆନନ୍ଦ ଓ ଉତ୍ସାହର ପର୍ବ ଭାବେ ପାଳନ କରାଯାଇଥାଏ । ଉତ୍କଳୀୟ ଧର୍ମୀୟ ବିଶ୍ୱାସ ଅନୁଯାୟୀ ଏହି ଦିନ ଶ୍ରୀଲିଙ୍ଗରାଜ ମହାପ୍ରଭୁ ତାଙ୍କ ମାମୁଁ ଘରକୁ ଯାଇ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ପରିଧାନ କରିଥିଲେ । ଏହି ପର୍ବରେ ପରିବାରରେ ଥିବା ଜ୍ୟେଷ୍ଠ ପୁତ୍ର ବା କନ୍ୟାକୁ ନୂଆ ବସ୍ତ୍ର ପରିଧାନ, ବନ୍ଦାବନା ଏବଂ ହଳଦୀ ପତ୍ରରେ ଏଣ୍ଡୁରୀ ପିଠା (Enduri Pitha) କରାଯାଇ ଖୁଅାଯାଇଥାଏ ।

ପର୍ବପର୍ବାଣୀମାନଙ୍କରେ ପିଠା ଓଡ଼ିଆ ଘରେ ପ୍ରାଥମିକତା ପାଇ ଆସିଛି । ସପ୍ତପୁରୀ ଅମାବାସ୍ୟାରେ ଗଇଁଠା, ଚିତଉ ଅମାବାସ୍ୟାରେ ଚିତଉ ଚକୁଳି, ରଜରେ ପୋଡ଼ପିଠା, କାର୍ତ୍ତିକ ପୂର୍ଣ୍ଣିମାରେ ଗଜଭୋଗ, ପୌଷ ପୂର୍ଣ୍ଣିମାରେ ମଣ୍ଡା ପିଠା ଏବଂ ପ୍ରଥମାଷ୍ଟମୀରେ ସ୍ୱତନ୍ତ୍ର ଭାବେ ଏଣ୍ଡୁରି ପିଠା ତିଆରି ହୋଇଥାଏ । ଏଣ୍ଡୁରି ଏକ ମାତ୍ର ପିଠା ଯାହାକୁ ପ୍ରସ୍ତୁତ କରିବା ପାଇଁ ଓଡ଼ିଆ ଘରେ ଏକ ପତ୍ର ବ୍ୟବହାର ହୁଏ । ଏହାକୁ କେହି କେହି ହଳଦୀପତ୍ର ପିଠା କୁହନ୍ତି । ଅଥାର ହାଣ୍ଡିରେ ବା ଅଥାର ପ୍ରଣାଳୀରେ ହେଉଥିବାରୁ ଅଥାର ପିଠା କୁହାଯାଏ । ପତ୍ର ଫାଳ ଦୁଇଟି ନମସ୍କାର ପରି ରହିଁଥିବାରୁ ନମସ୍କାର ପିଠା ଓ ଅଥରା ପିଠା ବୋଲି କେତେକ ଅଞ୍ଚଳରେ କୁହାଯାଏ । ପାରମ୍ପରିକ ଭାବେ ଆଗରୁ ଅଥାର ହାଣ୍ଡିରେ ପ୍ରସ୍ତୁତ ହେଉଥିଲା । ମାଟି ହାଣ୍ଡିର ବ୍ୟବହାର କମିଯିବା ପରେ ଏବେ ଇଟିଲି ତିଆରି ଛାଞ୍ଚ କିମ୍ବା ଢାଙ୍କୁଣୀ ଦିଆ ଷ୍ଟିଲ ବା ଆଲମୁନିୟମ ହାଣ୍ଡି ସେ ସ୍ଥାନ ନେଇଛି ।

prathamastami odisha 8 enduri pitha

ଏହି ପିଠା ତା’ର ସ୍ୱତନ୍ତ୍ର ମହକ ପାଇଁ ଓଡ଼ିଶାର ଏକ ପ୍ରସିଦ୍ଧ ବ୍ୟଞ୍ଜନ ଭାବେ ଗଣାଯାଏ । ଉତ୍ତର, ମଧ୍ୟ ଓ ଉପକୂଳ ଓଡ଼ିଶାରେ ଏ ପିଠା ପ୍ରତିଟି ଘରେ ପ୍ରସ୍ତୁତ ହୁଏ । ହଳଦୀ ପତ୍ର ଗୁଡ଼ାଯାଇ ପ୍ରସ୍ତୁତ ହେଉଥିବାରୁ ହଳଦୀ ପତ୍ରର ବାସ୍ନା ଓ ଔଷଧୀୟ ଗୁଣ ଏଣ୍ଡୁରିକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ । ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପ (ଜଳଖିଆ)ରେ ଏଣ୍ଡୁରି ପିଠା ପରସା ଯିବାର ବିଧି ଅଛି । ଏଣ୍ଡୁରି ପିଠା ଏକ ଖାଣ୍ଟି ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ । ପତ୍ର ଭିତରେ ସିଝୁଥିବାରୁ ଏହା ଦେଖିବାକୁ ଲମ୍ବା, ନରମ ଏବଂ ପତ୍ରର ଚିହ୍ନ ରହିଥାଏ । ହଳଦୀ ବାସ୍ନାରେ ରୋଷେଇ ଘର ଓ ଖାଇବା ଘର ମହକି ଉଠେ । ଏଣ୍ଡୁରୀ ପିଠା ଏପରି ନିଆରା ଯେ ପିଠା ତିଆରି କରୁଥିବା ଓ ଖାଉଥିବା ଲୋକଟି ହିଁ ଖାଣ୍ଟି ଓଡ଼ିଆ ବୋଲି ଜାଣିବେ । ଓଡ଼ିଶା ବାହାରେ ଏପରି ପ୍ରସ୍ତୁତି ଦେଖିବାକୁ ଗଲେ ନେପାଳର (ଏବେର ଆଧୁନିକ ଜଳଖିଆ ଦୋକାନମାନଙ୍କରେ ଅତି ପରିଚିତ) ମୋମୋ ସହ କିଛି ମାତ୍ରାରେ ସାମଞ୍ଜସ୍ୟ ଅଛି ।

prathamastami odisha 9 enduri pitha

କେମିତି ପ୍ରସ୍ତୁତ କରିବେ-
ଉପାଦାନ:
ଚାଉଳ, ବିରି, ନଡ଼ିଆ କୋରା, ଛେନା, ଗୁଡ଼/ ଚିନି, ସ୍ୱାଦ ଅନୁଯାୟୀ ଲୁଣ, ଗୋଲମରିଚ ଗୁଣ୍ଡ, ଗୁଜୁରାତି, ଅଳେଇଚ, ଅନ୍ୟାନ୍ୟ ମସଲା ଏବଂ ହଳଦୀ ପତ୍ର ଆଦି ସାଇତି ରଖିବେ । ହଳଦୀ ପତ୍ରକୁ ଧୋଇ ଚାଖଣ୍ଡ ଆକାରରେ କାଟି ରଖିବେ ।

ପିଠଉ / ସୋଦୁଅ / ସୋଦ ପ୍ରସ୍ତୁତି:
ପୂର୍ବରୁ ବତୁରାଯାଇଥିବା ବିରିକୁ ଗ୍ରାଇଣ୍ଡର କିମ୍ବା ନୋଳରେ ବାଟି ସୋଦୁଅ ପ୍ରସ୍ତୁତ କରିବେ । ସମପରିମାଣର ଅରୁଆ ଚାଉଳ ଚୂନା, ଲୁଣ କିମ୍ବା ଚିନି/ ଗୁଡ଼, ଖାଇବା ସୋଢ଼ା, ଆଦିକୁ ମିଶାଇ କିଛିଘଣ୍ଟା ଘୋଡ଼େଇ ରଖିବେ ।

ପୁର ପ୍ରସ୍ତୁତି:
ଅଲଗା ଗୋଟିଏ କଡ଼େଇରେ ଘିଅ ଗରମ କରିବେ । ଘିଅ ଗରମ ହୋଇ ସରିଲା ପରେ ଛେନା, ନଡ଼ିଆ କୋରା, ଗୁଡ଼/ ଚିନି, ଗୋଲମରିଚ ଏବଂ ଅନ୍ୟାନ୍ୟ ମସଲା ଗୁଣ୍ଡ ଦେଇ ଭଲକରି ଗୋଲେଇ ଚାଲିବେ । ରଙ୍ଗ ବଦଳି ମହକ ଆସିଲେ ଚୁଲିରୁ ଓହ୍ଲାଇ ଥଣ୍ଡା କରିବେ । ବିନା ପୁରରେ ମଧ୍ୟ ପ୍ରସ୍ତୁତ କରିପାରିବେ । ପୁରଦିଆ ଏଣ୍ଡୁରୀ, ଏଣ୍ଡୁରି ପିଠାର ଅନ୍ୟ ଏକ ରୂପ ।

ଅଥାର ହାଣ୍ଡି ପ୍ରସ୍ତୁତି:
(ଚିତ୍ର ଦେଖନ୍ତୁ)
ପିଠାକୁ ବାମ୍ଫରେ ସିଝାଯାଏ ତେଣୁ ଏହିଁ ଉଦ୍ଦେଶ୍ୟ ନେଇ ଅଥାର ହାଣ୍ଡିର ଉପଯୋଗ । ସିଝା ଯାଉଥିବା ଏହି ପୁରାତନ ପ୍ରଣାଳୀକୁ ଅଥାର ପ୍ରଣାଳୀ କୁହନ୍ତି । ଶ୍ରୀମନ୍ଦିରରେ ପିଠା ପ୍ରସ୍ତୁତି ପାଇଁ ଅଥାର ହାଣ୍ଡି ବ୍ୟବହୃତ ହୁଏ ।

prathamastami enduri pitha

ଆପଣ ପ୍ରଥମେ ଗୋଟିଏ ବଡ଼ ମାଟି ହାଣ୍ଡି ବାଛିବେ । ଏଥିରେ ବାମ୍ଫ ସୃଷ୍ଟି ହେବା ପାଇଁ କିଛି ପାଣି ରଖିବେ । ପାଣିର ଦୁଇ ଇଞ୍ଚ ଉପରେ ଛକ କରି କିଛି କାଠି ରଖି ଏକ ଭାଡ଼ି ତିଆରି କରିବେ । କାଠି ଭାଡ଼ି ଉପରେ କିଛି ନଡ଼ାପାଳ ବିଛେଇବେ । ପିଠା ସେଇ ଭାଡ଼ିରେ ରହିବ ତେଣୁ ଫାଙ୍କ ରଖି ପତ୍ରପିଠାକୁ ଗଳିଯିବାକୁ ଦେବେନାହିଁ । ପିଠା ରଖିସାରି ଏକ ବଡ଼ କନା ଦ୍ୱାରା ହାଣ୍ଡିର ମୁହଁକୁ ଆବଦ୍ଧ କରିବେ ଯେମିତି କନା ଦେଇ ବାମ୍ଫ ବାହାରି ପାରୁଥିବ । କନାକୁ ମଙ୍ଗ ସହ ସୂତାରେ ଗୁଡ଼େଇ ଦୃଢ଼ ଭାବେ ବାନ୍ଧି ରଖି  ହାଣ୍ଡିକୁ ଚୁଲିରେ ବସାଇବେ ।

ଯଦି ମାଟି ହାଣ୍ଡିରେ ତିଆରି କରିବାକୁ ଚାହୁଁଛନ୍ତି ଏକ ଅଥାର ହାଣ୍ଡି ପ୍ରସ୍ତୁତ କରିବେ ନଚେତ ଆଲମୁନିୟମ ଇଟିଲି ତିଆରି ହାଣ୍ଡି ବା ଆଧୁନିକ ଷ୍ଟିମର ବାଛି ପାରିବେ । କାଟି ରଖିଥିବା ହଳଦୀ ପତ୍ରରେ ବହଳ ‘ପିଠଉ’ ବା ‘ଆଣ’  ରଖନ୍ତୁ । ତା ମଝିରେ ପୁର ଦିଅନ୍ତୁ । ପତ୍ର ଫାଳ ଦୁଇଟି ମୁଦିଦେଇ ହାଣ୍ଡି ଭିତରେ ସଜାଇ ରଖନ୍ତୁ । ଏପରି ୨୦ ରୁ ୩୦ ଟି ପିଠା ଏକକାଳୀନ ହାଣ୍ଡିରେ ବସାଇପାରିବେ । ପ୍ରାୟ ୨୦/ ୩୦ ମିନିଟ ବାମ୍ଫରେ ସିଝିବାକୁ ଦେଇ ଚୁଲିରୁ ଓହ୍ଲାଇଦିଅନ୍ତୁ । ପିଠାରୁ ପତ୍ର ଛଡ଼ାଇ ଗରମ ଗରମ ପରସନ୍ତୁ । ମିଠା କରିଥିଲେ ଏଣ୍ଡୁରିକୁ ଖାଲି ଖାଇ ହେବ । ଲୁଣିଆ କରିଥିଲେ ତରକାରୀ, ଚଟଣୀ ସହ ଗରମ ଗରମ ଖାଇବାର ମଜା ଉଠାଇପାରିବେ ।

ହଳଦୀ ପତ୍ରର ବିଶେଷ ମହତ୍ତ୍ୱ ଅଛି । ପ୍ରଥମାଷ୍ଟମୀ ଓଡ଼ିଶାର ଘରେ ଘରେ ହଳଦୀପତ୍ର ଦିଆ ଏଣ୍ଡୁରି ପିଠା ଖାଇଲେ ଶରୀରରେ ଥିବା ଅନେକ ଚର୍ମ ରୋଗ ଭଲ ହୋଇଥାଏ । ଶରୀର ଶୁଦ୍ଧ ପାଇଁ ହଳଦୀର ଆବଶ୍ୟକତା ଅପରିହାର୍ଯ୍ୟ । ଭାରତୀୟ ଧର୍ମ, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ହଳଦୀର ଯେମିତି ଗୁରୁତ୍ୱ ରହିଛି ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ୱ ରହିଛି । ହଳଦୀକୁ ମଧ୍ୟ ସର୍ବରୋଗହାରୀ କୁହାଯାଏ । ଏହା ଏକ ଉଚ୍ଚମାନର ବିଶୋଧକ ମଧ୍ୟ ଅଟେ । ଶରୀରରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁମାନଙ୍କୁ ହଳଦୀ ସହଜରେ ନିର୍ମୂଳ କରିପାରେ । ଆୟୁର୍ବେଦର ଏହା ଏକ ଉତ୍ତମ ଆଣ୍ଟିବାୟୋଟିକ ଅଟେ । ନିୟମିତ ହଳଦୀ, ଗୁଡ଼ ଖାଉଥିବା ବ୍ୟକ୍ତିକୁ କୌଣସି ରୋଗ ଆକ୍ରମଣ କରେ ନାହିଁ । ହଳଦୀ କାୟା (ଶରୀର)ର ବର୍ଣ୍ଣକୁ ଠିକ କରିବା କାରଣରୁ ଏହାକୁ କାଞ୍ଚନୀ, ବରବର୍ଣ୍ଣନୀ, ଗୌରୀ, ହେମରାଗିଣୀ, ରୁଦ୍ରବିଳାଶିନୀ, ସୌନ୍ଦର୍ଯ୍ୟକାରିଣୀ, ସର୍ବରୋଗ ହାରିଣୀ ପରି ନାମ ଦିଆଯାଇଛି ।

ହଳଦୀ ପତ୍ରରେ ତିଆରି ଏଣ୍ଡୁରି ପିଠା ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ ।ଆପଣଙ୍କୁ ପ୍ରଥମାଷ୍ଟମୀ ଓ ଏଣ୍ଡୁରି ପିଠା ଦିବସ ର ଶୁଭେଚ୍ଛା । #EnduriPitha #ଏଣ୍ଡୁରିପିଠା ପ୍ରସ୍ତୁତ କରି ଫଟୋ ଓ ଅନୁଭୂତି ଆମ ସହ ବାଣ୍ଟନ୍ତୁ । ମତାମତ ଅପେକ୍ଷାରେ ରହିଲୁ ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments