Bhubaneswar Buzz

#OdiaPost ଗଣକବି ବୈଷ୍ଣବ ପାଣି – ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ଏକ ଅବିସ୍ମରଣୀୟ ପ୍ରତିଭା

ଅସଂଖ୍ୟ ଗୀତିନାଟ୍ୟ, ସୁଆଙ୍ଗ, କାବ୍ୟ, ସଙ୍ଗୀତ, ଭଜନ, ଜଣାଣ, ଗୀତିକବିତା ଓ ଗଦ୍ୟସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି ଗଣକବି ବୈଷ୍ଣବ ପାଣି  । ସେ ୧୮୮୨ ମସିହା କୁମାର ପୂର୍ଣିମା ଗୁରୁବାର ଦିନ ମାହାଙ୍ଗା ଥାନା ଅନ୍ତର୍ଗତ ବିରୂପା ନଈ କୂଳର ଗାଁ କୋଠପଦାଠାରେ ସୁଦର୍ଶନ ପାଣିଙ୍କ ଔରସ ଏବଂ ମାତା ଚାନ୍ଦଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ବାଲ୍ୟକାଳରୁ ବାରମ୍ବାର ରୋଗାକ୍ରାନ୍ତ ହେବାରୁ ତାଙ୍କ ପିତାମାତା ଜଗନ୍ନାଥଙ୍କ ବଡ଼ଛତା ମଠ ତଳେ ବୈଷ୍ଣବ କରିଦେବାରୁ ସେ ବୈଷ୍ଣବ ନାମରେ ପରିଚିତ । ହେଲେ ତାଙ୍କର ପିତୃଦତ୍ତ ନାମ ଶତ୍ରୁଘ୍ନ ଥିଲା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦାରିଦ୍ର୍ୟତା ଅଭାବଅନାଟନ ଲାଗିରହିଥିଲେହେଁ ନିଜର ଲକ୍ଷ୍ୟ ପଥରୁ ସେ କକ୍ଷଚ୍ୟୁତ ହୋଇନଥିଲେ । ଏଗାର ବର୍ଷ ବୟସରେ ସେ ବ୍ରତୋପନୟନ କର୍ମ ଶେଷ ପରେ ସେ କୋଠପଦା ମହନ୍ତଙ୍କ ଅଧୀନରେ ଫୁଲତୋଳା, ଫୁଲଗୁନ୍ଥା କାର୍ଯ୍ୟରେ ନିଯୁକ୍ତ ହେଲେ । ତଥାପି ପରିବାରର ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ମଠକାର୍ଯ୍ୟ ଛାଡ଼ି ଗୋରୁ ଚରାଇବା କାମରେ ରହିଲେ । ପିଲାଟି ଦିନରୁ ବୈଷ୍ଣବ ପାଣି ନୃତ୍ୟଗୀତର ରୁଚି ଥିଲା । କୋଠପଦାର ମହନ୍ତ ବୈଷ୍ଣବ ପାଣିଙ୍କୁ ଡୋରାବିଶ ନିବାସୀ ସ୍ବର୍ଗତ ଶିବରାମ ସିଂହଙ୍କ ତତ୍ତ୍ବାବଧନରେ ଛାଡ଼ିଲେ । ସେହିଦିନଠାରୁ ପାଣିଙ୍କର ନାଟକ ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଫୁଲଗୁନ୍ଥା ଗୋରୁଚରା କାମ ପରେ ଟ୨୪ଙ୍କା ବେତନରେ ଇଂରାଜୀ ବିଦ୍ୟାଳୟରେ ପାଚକରୂପେ ନିଯୁକ୍ତି ପାଇଲେ । ତେବେ ପ୍ରଧାନ ଶିକ୍ଷକ ସ୍ବର୍ଗତ ଭୋଳାନାଥ ମିଶ୍ର ତାଙ୍କୁ ୪ର୍ଥ ଶ୍ରେଣୀରେ ନାମଲେଖାଇ ଅବୈତନିକ ଶିକ୍ଷା ପ୍ରଦାନ କଲେ ।ଷଷ୍ଠ ଶ୍ରେଣୀରେ ଶିକ୍ଷା ସମାପନ ହେଲା । ମାସିକ ବେତନ ୪ ଟଙ୍କାରେ ସେ ଗୃହଶିକ୍ଷକ ହେଲେ । ୧୯ ବର୍ଷ ବୟସରେ ସେ ବିବାହ କରିଥିଲେ । ପରେ ସେ ସ୍ତ୍ରୀଙ୍କୁ ଛାଡ଼ି ଅସବର୍ଣ୍ଣ ବିବାହ କରି ସମାଜରୁ ବାସନ୍ଦ ହୋଇଥିଲେ ।
ନାଟକ ଜୀବନର ଆରମ୍ଭ ହେଲା ମାଳିହତା ଗ୍ରାମରେ ଓସ୍ତାତିରୁ । ଓସ୍ତାତ ତଥା ନାଟ୍ୟକାର ହିସାବରେ କ୍ରମେ ପ୍ରସିଦ୍ଧି ଅର୍ଜନ କଲେ । ଗଡ଼ଜାତର ଅଧିକାଂଶ ରାଜ୍ୟ କଲିକତା ଟାଟା ଇତ୍ୟାଦି ସ୍ଥାନରେ ଅଭିନୟ କରି ସୁନାମ ଅର୍ଜିଲେ । ଏପରିକି ମୋହନ ଗୋସ୍ବାମୀ, ଗୋପାଳ ଦାଶ, କବି ମଞ୍ଚୁଳ କୃଷ୍ଣପ୍ରସାଦ ବସୁ, ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ ସହ ତାଙ୍କର ବାଦୀଯାତ୍ରା ଅନେକଥର ହୋଇଛି ।
 ୨୧ ବର୍ଷ ବୟସରେ ତାଙ୍କ ଲେଖନୀରୁ ସୃଷ୍ଟିହେଲା ପ୍ରଥମ ନାଟକ ଗୀତାଭିନୟ ‘ମେଘନାଦ ବଦ୍ଧ’ । ତା’ପରେ ନାଟକ ପରେ ନାଟକ ଲେଖି ଚାଲିଲେ ଏବଂ ଓଡ଼ିଶା ସହିତ ଓଡ଼ିଶା ବାହାରେ ମଧ୍ୟ ନିଜକୁ ପ୍ରତିଷ୍ଠା କରାଇପାରିଲେ ।
ସମୟରେଖା:
୧୮୯୩ – ବ୍ରତୋପନୟନ ପରେ ପରେ ଗୋରକ୍ଷକ କାର୍ଯ୍ୟ ଓ କୋଠପଦା ମହନ୍ତଙ୍କ ଅଧିନରେ ଫୁଲତୋଳା ଓ ଗୁନ୍ଥାକାମରେ ନିଯୁକ୍ତ
୧୮୯୯ – ଷଷ୍ଠଶ୍ରେଣୀରୁ ଶିକ୍ଷା ତ୍ୟାଗ ଓ ନୃତ୍ୟାଙ୍ଗରେ ଗୃହ ଶିକ୍ଷକର କାର୍ଯ୍ୟ । ପାଲାକାର ଭାବେ ଜୀବିକା ଅର୍ଜନ ।
୧୯୦୧ – ଦେବିଲ ଗ୍ରାମର ଜୟରାମ ପଣ୍ଡାଙ୍କ କନ୍ୟାଙ୍କ ସହ ବିବାହ
୧୯୦୧ରୁ୩ – ମାଳିହତା ଯାତ୍ରା ଦଳରେ ଓସ୍ତାତ ରୂପେ ଯୋଗଦାନ ।
୧୯୦୩ – ନାଟ୍ୟକାର ଜୀବନର ପ୍ରଥମ ସୃଷ୍ଟି ‘ମେଘନାଦ ବଧ’ ର ରଚନା  ।
୧୯୧୦ – ବହୁ ଗୀତାଭିନୟ ଓ ଗୀତିନାଟ୍ୟ ରଚନା କରି ଏବଂ ଯାତ୍ରାଗୁରୁର କାର୍ଯ୍ୟ କରି ରାଜ୍ୟ ଓ ରାଜ୍ୟ ବାହାରେ ସୁନାମ ଅର୍ଜନ ।
୧୯୨୦ – ସମକାଳୀନ ସ୍ଵନାମଧନ୍ୟ ଗୀତିନାଟ୍ୟକାର ବାଳକୃଷ୍ଣ ମହାନ୍ତିଙ୍କୁ ବାଦିଯାତ୍ରାରେ ପରାସ୍ତ ।
୧୯୩୦ – ଜମିଜମା ବନ୍ଦୋବସ୍ତ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଗୀତ ରଚନା ଓ ସେମାନଙ୍କ ବିରାଗଭାଜନ । ପୁରୀର ମୁକ୍ତ ମଞ୍ଚରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗୀତ ପରିବେଷଣ ।
୧୯୩୨ – ଯାତ୍ରାକାର କୃଷ୍ଣ ପ୍ରସାଦ ବସୁଙ୍କ ଦଳକୁ ବାଦିଯାତ୍ରାରେ ପରାସ୍ତ ।
୧୯୩୩ – ପ୍ରତିଷ୍ଠା ଲାଭ କରିଥିବା ଅନ୍ୟ କେତେକ ବ୍ୟକ୍ତି ଦଳକୁ ବାଦିଯାତ୍ରାରେ ପରାସ୍ତ କରି ସୁନାମ ଅର୍ଜନ ଓ ଜୟଯାତ୍ରା ଜାରି ।
୧୯୩୬ରୁ ୧୯୩୯ – କଲିକତାଥରେ ପ୍ରଖ୍ୟାତ ଗୀତିନାଟ୍ୟକାର ଗୋପାଳ ଦାଶଙ୍କୁ ବାଦିଯାତ୍ରାରେ ପରାସ୍ତ ଓ ବହୁ ପୁରସ୍କାର ଲାଭ । ଦ୍ବିତୀୟ ବିଶ୍ଵଯୁଦ୍ଧର ପ୍ରାକକାଳରେ ସରକାରଙ୍କ ନିର୍ଦ୍ଦେଶରେ ସମର ସଙ୍ଗୀତ ରଚନା ।
୧୯୪୪ରୁ ୧୯୪୫ – କନିକା ରାଜ୍ୟରେ ଯାତ୍ରାଗୁରୁ ଭାବେ କାର୍ଯ୍ୟ ନିର୍ବାହ ।
୧୯୪୬ରୁ ୧୯୫୩ – ଯାତ୍ରା ଜଗତରୁ ବିଶ୍ରାମ ଓ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା ।
୧୯୫୩ ରୁ ୧୯୫୪ – ଆତ୍ମକାହାଣୀ ରଚନା
୧୯୫୪ – ୭୨ ବର୍ଷ ବୟସରେ ଆର୍ଥିକ ଅନଟନ ଓ ଶାରୀରିକ ଅସୁସ୍ଥତା ଭିତରେ କାଳତିପାତ । ଆର୍ଥିକ ସହାୟତା ପାଇଁ ମହତାବଙ୍କ ପାଖକୁ ନିଜ ଜରାବ୍ୟାଧିଗ୍ରସ୍ତ କରୁଣ ଜୀବନ ଚିତ୍ର ସମ୍ବଳିତ ଅନ୍ତିମ ପତ୍ର ପ୍ରେରଣ ।
୧୯୫୬ – ବୈଶାଖ ଅମାବାସ୍ୟା ମଇ ୧୦ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ ।
ପାଣିଙ୍କର ସାରସ୍ବତ କୃତି : ଗୀତିନାଟ୍ୟ, ଗୀତାଭିନୟ/ସୁଆଙ୍ଗ ମଧ୍ୟରେ (ପୌରାଣିକ) ରଙ୍ଗସଭା, ବ୍ରଜଲୀଳା ସୁଆଙ୍ଗ, ଧ୍ରୁବ ଚରିତ ସୁଆଙ୍ଗ, କୀଚକବଧ ସୁଆଙ୍ଗ, ପ୍ରହଲ୍ଲାଦ ଚରିତ ଗୀତାଭିନୟ, ଦାଣ୍ଡୀପର୍ବ ଗୀତାଭିନୟ, ଦାନବୀର ହରିଶ୍ଚନ୍ଦ୍ର ସୁଆଙ୍ଗ, ନଳଦମୟନ୍ତୀ ଗୀତିନାଟ୍ୟ, ରାବଣ ବଧ ଗୀତିନାଟ୍ୟ, ମହିଷାସୁର ବଧ, ସହସ୍ରା ରାବଣ ବଧ, ବାଲ୍ୟଲୀଳା, ସୁଭଦ୍ରା ହରଣ, ଜଳକେଳି, ମାଧବ ସୁଲୋଚନା, ସାବିତ୍ରୀ ସତ୍ୟବାନ ସୁଆଙ୍ଗ, ନିକୁଞ୍ଚ ମିଳନ ସୁଆଙ୍ଗ,ଶ୍ରୀବତ୍ସ ରାଜା ବା ଶନିଲକ୍ଷ୍ମୀ କଳି, ପାର୍ବତୀବିବାହ ସୁଆଙ୍ଗ, ରଘୁ ଅରକ୍ଷିତ ନାବକେଳି ସୁଆଙ୍ଗ, ଲକ୍ଷ୍ମୀ ପୂଜାଗୀତାଭିନୟ, ବକାସୁର ବଧ ଗୀତିନାଟ୍ୟ, ଦୁର୍ଯ୍ୟୋଧନ ବଧ, ହରପାର୍ବତୀ ବିଭା ସୁଆଙ୍ଗ, ଜରାସନ୍ଧ ବଧ ଓ ମୁକ୍ତାଚୋରୀ ସୁଆଙ୍ଗ ପ୍ରଧାନ । ତାଙ୍କ ରଚିତ କିମ୍ବଦନ୍ତୀମୂଳକ ରଚନା ମଧ୍ୟରେ ଯଯାତିକେଶରୀ ଗୀତାଭିନୟ, ଲାବଣ୍ୟ-ବତୀ ଚନ୍ଦ୍ରଭାନୁ ପରିଣୟ ଗୀତିନାଟ୍ୟ, ସାକ୍ଷୀଗୋପାଳ ଗୀତିନାଟ୍ୟ, ଶ୍ବେତ ବସନ୍ତ ସୁଆଙ୍ଗ, କେଦାର ଗୌରୀ ଗୀତିନାଟ୍ୟ, ଉଷା-ବୟନ୍ତ ଗୀତିନାଟ୍ୟ ଆଦି ପ୍ରଧାନ ।
ଚରିତ୍ର ଧର୍ମୀ ରଚନା ମଧ୍ୟରେ କାଳିଦାସ ଗୀତାଭିନୟ, ମିରାବାଇ, କଳାପାହାଡ଼ ଗୀତିନାଟ୍ୟ, ଚନ୍ଦ୍ରଗୁପ୍ତ ଗୀତିନାଟ୍ୟ, ସଂଯୁକ୍ତା ପରିଣୟ ଇତ୍ୟାଦି ପ୍ରଧାନ । କାଳ୍ପନିକ ରଚନା ମଧ୍ୟରେ ଠକପୁରାଣ ସୁଆଙ୍ଗ, ଜୟନ୍ତ ଜୟପାଳ ସୁଆଙ୍ଗ, ନିର୍ବାସିତ ରାଜପୁତ୍ର, ଅମରବିଳାସ ଆଦି ପ୍ରଧାନ । ଅସଂଖ୍ୟ ଗୀତିନାଟ୍ୟ ଗୀତାଭିନୟ ଓ ସୁଆଙ୍ଗ, ଫାର୍ସ ରଚନା କରିଛନ୍ତି । ତାଙ୍କ ଲେଖନୀରୁ ସୌଦାଗର ଫାର୍ଶ, ନାଟୁଆ ମହାନ୍ତି ଫାର୍ଶ, ଆଲିବାବା ଫାର୍ଶ, ଗୋପାଳଭାଣ୍ଡ ପ୍ରହସନ, କେଳାକେଳୁଣୀ ଫାର୍ଶ, ମାଡାଆଣୀ-ପୁଅ ମଦୁଆ, କଲିକତିଆ ଜୋଇଁ, ବୁଢ଼ାବୁଢ଼ୀ ଫାର୍ଶ ଓ ଭୀମାବାୟୀ ଫାର୍ଶ ଓଡ଼ିଶା ପୁରପଲ୍ଲୀରେ ବେସ୍‌ ଲୋକପ୍ରିୟ ।
ଗଣକବି ପାଲା ଗାୟକ ଥିବାସମୟରେ ପ୍ରାଚୀନ ସାହିତ୍ୟକୁ ତନ୍ନ ତନ୍ନ କରି ଅଧ୍ୟୟନ କରିଥିଲେ । ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହପୁରାଣ, ଦାଣ୍ଡି ରାମାୟଣ, ବିଲଙ୍କା ରାମାୟଣ ଆଦି ସେ ଅଧ୍ୟୟନ କରିଥିଲେ ଓ ସେଥିରୁ ଉପାଖ୍ୟାନ ମାନ ଗ୍ରହଣ କରି ସ୍ବ-ପାଣ୍ଡିତ୍ୟ ବଳରେ ଲେଖନୀ ମୁନରେ ରୂପ ଦେଉଥିଲେ ।
 ପାଲାକାର ଜୀବନରୁ ଆଶୁ କବିତ୍ବର ଉଦ୍ରେକ । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତ ଗୁଡ଼ିକ ତାଙ୍କର ଗଣ କବିତ୍ବର ପରିଚୟ । ଏଥିରେ ଗଣ ଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ । ଶକୁନ୍ତଳା, ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥାକାବ୍ୟ । ମହାକବି କାଳିଦାସଙ୍କ ଅଭିଜ୍ଞାନ ଶକୁନ୍ତଳମ୍‌ ଓ ସ୍ବଭାବ କବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣକରି ବୈଷ୍ଣବ ପାଣି ରଚନାକରିଛନ୍ତି ‘ଶକୁନ୍ତଳା’ କାବ୍ୟ ।
ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନାକରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ବତଃସ୍ପ୍ବର୍ତ୍ତ ତାଙ୍କର କବିତ୍ବ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ଆର୍ତ୍ତତ୍ରାଣ ଚଉତିଶା ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି । ସାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ମଙ୍ଗଳା ଚଉତିଶା ଆଦି ଲୋକପ୍ରିୟ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତି କବିତା । ପ୍ରେମିକର ପ୍ରେମିକା ପ୍ରତି ଓ ପ୍ରେମିକା ପ୍ରତି ପ୍ରେମିକର ନିବିଡ଼ ପ୍ରେମାନୁଭୂତିର ପରିଚୟ ବହନ କରିଛି ତାଙ୍କର ପ୍ରେମଗୀତିକା । ବିଚ୍ଛେଦ ଓ ଅଶ୍ରୁର ସ୍ପନ୍ଦନ ଏଥିରେ ନିବିଡ଼ । ଦେହରୁ ଦେହାତୀତ ଆଡ଼କୁ ଗତିକରିଛି ତାଙ୍କ ପ୍ରେମ ଭାବନା ।  ସେ ମଧ୍ୟ ଅନେକ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତି କବିତାମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଶୋକ, ପଞ୍ଜାବକେଶରୀ ବିୟୋଗ ଓ ଅନ୍ତିମଶଯ୍ୟାରେ ମର୍ଦ୍ଦାରବୀ ଅନ୍ୟତମ । ସ୍ବରାଜ୍ୟ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀଓ ଉତ୍କଳକୁ  ନେଇ ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା ।
ଗଦ୍ୟ ରଚନା ରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ । କବି ବୈଷ୍ଣବ ପାଣିଙ୍କର ଆତ୍ମଜୀବନୀ ପୃଥିବୀର ବୋଧହୁଏ ଏକମାତ୍ର ଆତ୍ମକାହାଣୀ ଯେଉଁଥିରେ ସେ ନିଜର ଦୁର୍ଗୁଣକୁ ବର୍ଣ୍ଣନା କରିବାରେ ପଛେଇ ଯାଇନାହାନ୍ତି । ତାଙ୍କ ଅତ୍ମକାହାଣୀରେ ରହିଛି ଜଣେ ସତ୍ୟଧର୍ମାଙ୍କର ସ୍ପଷ୍ଟ ଉଚ୍ଚାରଣ । ଯେଉଁ ଉଚ୍ଚାରଣରେ ଗୋଳି ହୋଇଯାଇଛି ଅନୁଭୂତି, ଜୀବନ ଜିଜ୍ଞାସା, ସମସାମୟିକ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟ ବିଶେଷ କରି ପଶ୍ଚିମବଙ୍ଗର ଭୌଗଳିକ ରୂପରେଖ। ବୈଷ୍ଣବ ପାଣିଙ୍କର ଆତ୍ମଜୀବନୀ ଓଡ଼ିଆ ସାହିତ୍ୟରେ ସ୍ବତନ୍ତ୍ର ଆସନ ଅଧିକାର କରେ ।
କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ଭି.ପି. ବର ଉପନ୍ୟାସ । ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ବକୀୟତା ପ୍ରତିପାଦନ କରେ । ତାଙ୍କର ସଚିତ୍ର ସ୍ବାମୀ ସ୍ତ୍ରୀ ଓ ଉତ୍କଳ ‘ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣ ଶିଳା ।
କବି ବୈଷ୍ଣବ ପାଣି ଗଣଙ୍କ ପାଇଁ ଲେଖିଛନ୍ତି । ଏ ଗଣ ଉଭୟ ପଲ୍ଲୀ ଓ ନଗର ପରିବେଶରେ ‘ଗଣ’ । ସେ ଯଥାର୍ଥରେ ଗଣକବି । ତେଣୁ ତାଙ୍କ ସାହିତ୍ୟରେ ମିଳେ ଗଣଜୀବନର ଛବି । ଗଣଜୀବନର ହସ-କାନ୍ଦ, ଆଶା-ଆକାଙ୍କ୍ଷା, ଅଭାବ-ଅନାଟନ, ନୀତି-ଅନୀତି, ନ୍ୟାୟ-ଅନ୍ୟାୟ, ପାପ-ପୁଣ୍ୟ, ଧର୍ମ-ଅଧର୍ମ ତାଙ୍କ ସାହିତ୍ୟର ମୂଳ ବିଷୟ । ସାମାଜିକ ନୈତିକତା ବୋଧ ସୃଷ୍ଟି କରିଛନ୍ତି ଧର୍ମକୁ ମୁଖ୍ୟ ପ୍ରାଣସ୍ପନ୍ଦନ ଭାବରେ ଗ୍ରହଣ କରି ଚିତ୍ତବିନୋଦନ ମଧ୍ୟରେ ବଞ୍ଚିବାର ନୂତନ ସ୍ପନ୍ଦନ ସୃଷ୍ଟି କରିବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ ।
ଅସଂଖ୍ୟ ଜନତାଙ୍କ ହୃଦୟରେ ସେ ଜଣେ ସୁରସିକପ୍ରତିଭାଧାରୀ ଅଭିନେତା, ନିର୍ଦ୍ଦେଶକ, କବି ଓ ସ୍ରଷ୍ଟା ଭାବରେ ଆବରର ସିଂହାସନ ଅରୋହଣ କରି ଗଣକବି ଓ ଆଶୁକବିର ସମ୍ମାନ ଲାଭ କରିଛନ୍ତି । ଗଣକବିଙ୍କର ତିରୋଧାନ ହେଲା ୧୦.୫.୧୯୫୬ ମସିହା ଅମାବାସ୍ୟା ତିଥିରେ । ଗଣକବି କାଳଜୟୀ । ଓଡ଼ିଆ ସାହିତ୍ୟ ଇତିହାସରେ ତାଙ୍କର ସ୍ଥାନ ସ୍ବତନ୍ତ୍ର । ସେ ଯଥାର୍ଥରେ ଗଣକବି ଓ ଓଡ଼ିଆ ଜାତିର ଗୌରବ ।
ସେହି କାଳଜୟୀ ସ୍ରଷ୍ଟା ଜନ୍ମଦିନ କୁମାର ପୂର୍ଣ୍ଣିମାରେ ସମଗ୍ର ରାଜ୍ୟରେ ପାଳିତ ହେଉଛି । ଚଳିତ ବର୍ଷ ଗଣକବି ବୈଷ୍ଣବ ପାଣିଙ୍କର  ୧୩୪ ତମ ଜୟନ୍ତୀ ପାଳନ କରାଯାଉଛି ।
Ganakabi baishnaba pani bhubaneswar buzz 5

ଇଏ ହେଉଛି ସେହି ରଘୁନାଥଜୀଉ ମଠ,କୋଠପଦା ,ଯେଉଁଠି ଗଣକବି ବୈଷ୍ଣବ ପାଣି ଫୁଲତୋଳା କାର୍ଯ୍ୟ କରି ନିଜର ଭରଣ ପୋଷଣ କରୁଥିଲେ ଏବଂ ଏଇଠୁଁ ହିଁ ତାଙ୍କର ଯାତ୍ରାଭିଯାନର ଶୁଭାରମ୍ଭ ହୋଇଥିଲା । ଜନ୍ମସ୍ଥାନ କୋଠପଦାରେ କବିଙ୍କ ପ୍ରଥମ କର୍ମସ୍ଥଳୀ ରଘୁନାଥମଠ ପୀଠରେ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ କବିଙ୍କ ସ୍ମୃତିରେ ଏକ କୋଟି ଟଙ୍କାରେ ନିର୍ମିତ ରଙ୍ଗମଂଚ ଓ ଅନ୍ୟାନ କାର୍ଯ୍ୟ କରିବା ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରାଯାଇଛି

———————————————————————————————————————–-

ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…

Comments

comments