Bhubaneswar Buzz

#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ

pachamruta odia post bbsrbuzz

ପଞ୍ଚାମୃତ – ପାଞ୍ଚଟି ଜିନିଷର ସମାହାରରେ ଅମୃତ ସମ ଦ୍ରବ୍ୟଟିଏ । ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚାମୃତ ତିଆରି ହୁଏ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ କର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଦେବଦେବୀ ପୂଜା ପୂର୍ବରୁ ପୂଜା ସ୍ଥାନରେ ଏହାକୁ ଆଗରୁ ତିଆରି କରି ରଖାଯାଏ ।

ଏହାର ପାଞ୍ଚଟି ଉପାଦାନର ମହତ୍ତ୍ୱ ଅଶେଷ ଅଟେ । ଗୋଦୁଗ୍ଧ – ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ, ଦଧି – ସମୃଦ୍ଧି ଏବଂ ସନ୍ତାନ, ମଧୁ – ମିଷ୍ଟ ବଚନ, ଘୃତ – ବିଜୟ, ଏବଂ ଗୁଡ଼ – ଖୁସିର ପ୍ରତୀକ ଅଟେ ।

ଘିଅ ଓ ମହୁ ଦୁନିଆଁର ସବୁଠାରୁ ବିଷାକ୍ତ ପଦାର୍ଥ ଅଟେ । ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ “ପଞ୍ଚାମୃତ” ପ୍ରସ୍ତୁତିରେ ଘିଅ ଓ ମହୁ ମିଶିଥିଲେ ମଧ୍ୟ ଏହା ବିଷାକ୍ତ ନହୋଇ ଅମୃତଶ୍ରେଣୀରେ ଯାଏ କିପରି ? ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ଧାର୍ମିକ ଆଧାରରେ ମନ୍ତୁରାଯାଏ । ପଞ୍ଚାମୃତ ପାତ୍ରକୁ ତଳେ ରଖି (ଗୋବର ଲିପା ଭୂଇଁ ଉପରେ) ଏହା ଚାରିପଟେ କୁଶ (ବ୍ରାହ୍ମଣ ମାନେ ପୂଜାରେ ବ୍ୟବହାର କରୁଥିବା ଏକପ୍ରକାର ଘାସ) ବୁଲାଯାଇଥାଏ । ଏହି କୁଶକୁ “ପଞ୍ଚାମୃତ”ରେ ଘୁରାଇ ମନ୍ତ୍ର ପଢ଼ାଯାଇ ମହୁ ଓ ଘିଅର ବିଷକ୍ରିୟା ନଷ୍ଟ କରାଯାଇଥାଏ । ପ୍ରକୃତରେ ଏଥିରେ ଅନ୍ୟ ତିନୋଟି ଦ୍ରବ୍ୟ ମିଶୁଥିବାରୁ ରସାୟନଟିର ବିଷ କ୍ରିୟା ହରଣ ହୋଇ ଅମୃତ ତୁଲ୍ୟ ଫଳ ଦିଏ ।

ଆସନ୍ତୁ ଜାଣିବା ଏହାର ତିଆରି ବିଧି:-

ଏଥିପାଇଁ ଦରକାରୀ ଜିନିଷ ଦହି, ଦୁଧ, ଘିଅ, ମହୁ ଓ ଗୁଡ଼ ଘରୁ ଅଥବା ବଜାରରୁ ସହଜରେ ମିଳିଯାଏ । କେତେଜଣଙ୍କୁ ପରଷିବାର ଅଛି ପ୍ରଥମେ ହିସାବ କରି ନେବା ଉଚିତ । ୧୦ ଜଣଙ୍କ ପାଇଁ ଦରକାର ଅଧ କପ ଗାଈ କ୍ଷୀର, ଅଧ କପ ଦହି, ଅଧ ଚାମଚ ଗାଈ ଘିଅ, ଅଧ ଚାମଚ ବିଶୁଦ୍ଧ ମହୁ ଏବଂ ଆଖୁରୁ ତିଆରି ଅଧ ଚାମଚ ଗୁଡ଼ । (ଚିନି ପ୍ରୟୋଗ କରିବେ ନାହିଁ)

ଅନେକ ଥର ଏମିତି ହୋଇଥାଏ ଯେ ପଞ୍ଚାମୃତ ତିଆରି ବିଧି ଜଣାନଥିବାରୁ ଆମେ ସବୁ ଏକା ସାଥେ ମିଶେଇଦେଉ । ଏହା ଫଳରେ ସବୁ ତତ୍ତ୍ୱ ଭଲରେ ମିଶିପାରିନଥାଏ । ତେଣୁ ପ୍ରସ୍ତୁତିରେ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ ।

ପ୍ରଥମେ ଏକ ସଫା ଗିନା ନିଅନ୍ତୁ । ସେଥିରେ କ୍ଷୀର ଓ ଦହିକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଯେତେବେଳେ କ୍ଷୀର ଓ ଦହି ଭଲ ଭାବେ ଫେଣ୍ଟିହୋଇ ମିଶିଯାଏ, ତାପରେ ଘିଅ ଓ ମହୁ ମିଶାଇ ଘାଣ୍ଟନ୍ତୁ । ଏହାପରେ ଗୁଡ଼ ପକାନ୍ତୁ ଗୁଡ଼ ସମ୍ପୂର୍ଣ୍ଣ ମିଳେଇଯିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ସ୍ୱାଦ ବଢ଼ାଇବା ପାଇଁ ଏଥିରେ କୋରା ଯାଇଥିବା ଶୁଖିଲା ନଡ଼ିଆ, ଅଙ୍ଗୁର ଆଦି ଫଳ ପକାଇପାରିବେ । ଦକ୍ଷିଣ ଭାରତୀୟମାନେ କେତେକ ସ୍ଥାନରେ ଏକ ବିଶେଷ ପ୍ରଜାତିର କଦଳୀ ପକାନ୍ତି । ଯେହେତୁ ଏହାର ନାମ ପଞ୍ଚାମୃତ ଏହାର ନିଆରା ପଣ ଓ ବିଶୁଦ୍ଧତା ବଜାୟ ରଖିବା ପାଇଁ ଶାସ୍ତ୍ର ସମ୍ମତ ପାଞ୍ଚଟି ଉପାଦାନ ବ୍ୟତୀତ ଅନ୍ୟ ଦ୍ରବ୍ୟ ଏଥିରେ କିଛି ନମିଶାଇବା ଶ୍ରେୟସ୍କର ଅଟେ ।

ଦ୍ରବଣ ପ୍ରସ୍ତୁତ କରି ଶେଷରେ ଆଠ ଦଶଟି ତୁଳସୀ ପତ୍ର ପକାଇ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତୁରାଇ ଭଗବାନଙ୍କୁ ଅର୍ପଣ କରନ୍ତୁ । ପୂଜା ପରେ ଏହାକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ । ଏହାକୁ ଡାହାଣ ହସ୍ତରେ ସ୍ଥିର ଚିତ୍ତରେ ଗ୍ରହଣ କରାଯାଏ । ପଞ୍ଚାମୃତକୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ । ଜଣଙ୍କ ପ୍ରତି ଦୁଇ ଚାମଚ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଯଦି ବଳକା ରହେ, ପଞ୍ଚାମୃତ ବାହାରେ ନଫୋପାଡ଼ି ତୁଳସୀ ଚଉରା ମୂଳେ ଢାଳି ଦିଅନ୍ତୁ । ଏହାକୁ ଫ୍ରିଜରେ ଜମାରୁ ସାଇତି ରଖିବେ ନାହିଁ ।

ପଞ୍ଚାମୃତର ସ୍ୱାସ୍ଥ୍ୟ ଉପାଦେୟତା:-

* ହିନ୍ଦୁ ଶାସ୍ତ୍ରଗୁଡ଼ିକ ସହ ମେଡ଼ିକାଲ ସାଇନ୍ସ ମଧ୍ୟ ସ୍ୱୀକାର କରନ୍ତି ଯେ ପଞ୍ଚାମୃତରେ ମିଶ୍ରିତ ପାଞ୍ଚଟି ଉପାଦାନଗୁଡ଼ିକରୁ ରୋଗ ନିବାରଣ ଗୁଣ ମିଳିଥାଏ ଯାହା ଆମ ଶରୀରକୁ ପୁଷ୍ଟ ଓ ସୁସ୍ଥ ରଖେ ।
* ପଞ୍ଚମୃତରେ କ୍ୟାଲସିୟମ ଭରପୁର ଥାଏ । ଏହା ଆମ ଅସ୍ଥି ମଝଭୂତ ରଖେ ।
* ଚର୍ମରୋଗରୁ ମୁକ୍ତି ଓ ଔଜ୍ୱଲ୍ୟ ବୃଦ୍ଧି ପାଇଁ ଏଥିରେ କେହି କେହି ବିଶେଷ ସ୍ନାନ କରିଥାନ୍ତି । ଚର୍ମରୋଗ ପ୍ରତି ଏହାର ବିଶେଷ ପ୍ରଭାବ ଅଛି ।
* ଆୟୁର୍ବେଦ ଅନୁସାରେ ଏହା ବଳବର୍ଦ୍ଧକ ଅଟେ । ଶୀତଳ, ପୌଷ୍ଟିକ, ଉତ୍ତମ ପାଚକ ସହ ପିତ୍ତନାଶକ ହୋଇଥାଏ ।
* ଯଦି ଆପଣଙ୍କୁ ଯଥା ସମୟରେ ଭୋକ ଲାଗୁନାହିଁ କିମ୍ବା ବଦହଜମି ହୋଇଥାଏ, ତେବେ ପଞ୍ଚାମୃତ ପାନ କରି ସମସ୍ୟା ଦୂର କରିପାରିବେ ।
* ଏହା ମସ୍ତିଷ୍କକୁ ଶାନ୍ତ ରହେ । କ୍ରୋଧ ନିୟନ୍ତ୍ରଣକୁ ଆଣିଥାଏ ।
* ପଞ୍ଚାମୃତରେ ଗୁଡ଼ ପଡ଼ିଥିବାରୁ ଏହା ପେଟ ଥଣ୍ଡା ରଖିବାରେ ସହାୟକ ହୋଇଥାଏ ।

ଶ୍ରଦ୍ଧାଳୁମାନେ ଦିନଟି ଉପବାସରେ କାଟି ଠାକୁରଙ୍କ ପୂଜା ପରେ ଓ ମୁଖ୍ୟ ପ୍ରସାଦ ସେବନ ପୂର୍ବରୁ ପଞ୍ଚାମୃତ ପାଇଥାନ୍ତି । ପଞ୍ଚାମୃତ ପାଇସାରି ସଭିଏଁ ଭଗବାନଙ୍କ ଆଶୀର୍ବାଦ ଅନୁଭବ କରି ଆଧ୍ୟାତ୍ମିକ ଆତ୍ମତୃପ୍ତି ଲାଭ କରିଥାନ୍ତି ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments