Bhubaneswar Buzz

#Odiapost ଇତିହାସରେ ରକ୍ଷା ବନ୍ଧନ ପରମ୍ପରା – କେବଳ ରକ୍ତ ସମ୍ପର୍କୀୟ ଭାଇ ଭଉଣୀଙ୍କ ମଧ୍ୟରେ ସୀମିତ ରହିନାହିଁ

Happy-Raksha-Bandhan-Pics-2016

“ଅସଲରେ ରକ୍ଷା ବନ୍ଧନ ପରମ୍ପରା ସେଇମାନେ ଆରମ୍ଭ କରିଥିଲେ ଯେଉଁମାନେ ପ୍ରକୃତରେ ଭାଇ ଭଉଣୀ ନଥିଲେ । ରକ୍ତ ସମ୍ପର୍କ ନଥାଇ ବି ସାମାନ୍ୟ ଏକ ଡୋରି ସେମାନଙ୍କୁ ଭାଇ ଭଉଣୀର ଅତୁଟ ସମ୍ପର୍କରେ ବାନ୍ଧି ପାରିଥିଲା ।”

ରକ୍ଷା ବନ୍ଧନର ପରମ୍ପରା ପ୍ରାୟ ୬୦୦୦ ବର୍ଷ ପୁରୁଣା ଅନୁମାନ କରାଯାଏ । କିନ୍ତୁ କୌଣସି ସ୍ଥାନରେ ଏହାର ସମୟ ଲିପିବଦ୍ଧ ହୋଇ ରଖାଯାଇନାହିଁ । ଲିପିବଦ୍ଧ କରି ରଖିବା ସମୟ ଆସିଲା ବେଳକୁ ହୁମାୟୁନ ଓ କର୍ଣ୍ଣାବତୀଙ୍କ ରକ୍ଷା ବନ୍ଧନ କଥା ପ୍ରଥମେ ଆସେ ।

ମଧ୍ୟ ଯୁଗରେ ମୁସଲିମ ଓ ରାଜପୁତଙ୍କ ମଧରେ ଭୀଷଣ ଯୁଦ୍ଧ ହୁଏ । ରାଣୀ କର୍ଣ୍ଣାବତୀ ଚିତୌଡ଼ ରାଜାଙ୍କ ବିଧବା ଥିଲେ । ଗୁଜୁରାଟ ସୁଲତାନ ବହାଦୂର ଶାହାଙ୍କଠାରୁ ନିଜ ରାଜ୍ୟ ଓ ପ୍ରଜାଙ୍କୁ ରକ୍ଷା କରିବା ପାଇଁ ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କ ନିକଟକୁ ରାକ୍ଷୀ ପଠାଇଥିଲେ । ହୁମାୟୁନ ରାକ୍ଷୀର ସମ୍ମାନ ରକ୍ଷା କରି ରାଜ୍ୟକୁ ବଞ୍ଚାଇଥିଲେ ।

ବିଶ୍ୱବିଜୟୀ ରାଜା ଆଲେକଜ୍ୟାଣ୍ଡର ଭରତୀୟ ରାଜା ପୁରୁଙ୍କ ପ୍ରଖରତାକୁ ନେଇ ବିଚଳିତ ହୋଇ ପଡିଲେ । ଏଥିପାଇଁ ଆଲେକଜ୍ୟାଣ୍ଡରଙ୍କ ପତ୍ନୀ ଚିନ୍ତିତ ହୋଇ ଉଠିଲେ । ସେ ରକ୍ଷା ବନ୍ଧନ ସମ୍ପର୍କରେ ଶୁଣିଥିଲେ । ତାପରେ ପୁରୁଙ୍କ ନିକଟକୁ ସେ ରାକ୍ଷୀ ପଠାଇଲେ । ରାକ୍ଷୀକୁ ସମ୍ମାନ ଦେଇ ଆଲେକଜ୍ୟାଣ୍ଡରଙ୍କ ପତ୍ନୀଙ୍କୁ ପୁରୁ ନିଜର ଭଉଣୀ କଲେ । ଏଠି ସହ ଯୁଦ୍ଧ ସମାପ୍ତ ହେଲା ଓ ଆଲେକଜ୍ୟାଣ୍ଡର ଜୀବନ ଦାନ ପାଇଲେ ।

ଚନ୍ଦ୍ରଶେଖର ଆଜାଦ ସ୍ୱତନ୍ତ୍ରତା ସଂଗ୍ରାମରେ ସଂଘର୍ଷ କରୁଥିବା ସମୟ । ଏକଦା ଇଂରେଜ ମାନେ ତାଙ୍କୁ ପିଛା କରୁଥିଲେ । ଦୌଡ଼ୁ ଦୌଡ଼ୁ ଜଣେ ବିଧବାଙ୍କ ଘରେ ପଶିଗଲେ । ସେଠାରେ ଜଣେ ବିଧବା ବୃଦ୍ଧା ନିଜ ଝିଅଙ୍କ ସହ ରହୁଥିଲେ । ଆହଦଙ୍କୁ ଚୋର ଭାବି ଆଶ୍ରୟ ଦେବାକୁ ସେ ମନାକଲେ । ଆଜାଦ ନିଜର ପରିଚୟ ଦେବା ପରେ ତାଙ୍କୁ ଶରଣ ମିଳିଲା । ସେଠାରେ ଆଜାଦ ଜାଣିବାକୁ ପାଇଲେ ଦାରିଦ୍ର୍ୟ କାରଣରୁ ବୃଦ୍ଧା ଜଣଙ୍କ ନିଜର ଝିଅଙ୍କ ବିବାହ କରି ପାରୁନାହାନ୍ତି । ତେଣୁ ସେ ବୃଦ୍ଧାଙ୍କୁ କହିଲେ ତାଙ୍କୁ ଯଦି ସେ ଇଂରେଜ ମାନଙ୍କ ହାତରେ ଧରାଇ ଦେବେ ତେବେ ସେ ୫୦୦୦ଟଙ୍କା ପୁରସ୍କାର ପାଇ ଝିଅଙ୍କର ବିବାହ ଖର୍ଚ୍ଚ ଉଠାଇ ପାରିବେ । ଏହା ଶୁଣି ସେ ବିଧବା ଛଳ ଛଳ ଆଖିରେ କହିଲେ ଭାଇ, ତୁମେ ଦେଶ ସ୍ୱାଧୀନ କରିବାକୁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛି । ଝିଅ ବୋହୁଙ୍କ ଇଜ୍ଜତ ତୁମ ଭରସାରେ ବଞ୍ଚିରହିଛି । ତୁମକୁ ଧରାଇଦେଇ ସେଇ ରକ୍ଷାସଙ୍କ ପଇସାରେ ମୁଁ ମୋ ଝିଅକୁ ବିବାହ ଦେଇ ପରିବିନାହିଁ । ଆଉ ଏକ ରକ୍ଷା ସୂତ୍ରକୁ ବାନ୍ଧି ଦେଇ ଦେଶ ସେବାର ବଚନ ଦେଲେ । ସକାଳ ପହିଲା ବେଳକୁ ଆଜାଦ ଘରୁ ଚାଲି ଯାଇଥିଲେ । ଆଉ ତକିଆ ତଳେ ରଖିଯାଇଥିଲେ ୫,୦୦୦ ଟଙ୍କା ସହ ଏକ ଚିଠି । ସେଥିରେ ଲେଖା ଥିଲା, “ପ୍ରିୟ ଭଉଣୀ, ରାକ୍ଷୀ ବନ୍ଧା ଭେଟି ସ୍ୱରୂପ ଏହାକୁ ଗ୍ରହଣ କର ।”

 

ରକ୍ଷା ବନ୍ଧନର ଇତିହାସ ହିନ୍ଦୁ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି । ବାମନାବତାର ପୌରାଣିକ କଥାରେ ରକ୍ଷା ବନ୍ଧନ ବିଷୟ ବର୍ଣ୍ଣିତ । କାହାଣୀ ଅନୁସାରେ ରାଜା ବଳି ଏକ ବଡ଼ ଧରଣର ଯଜ୍ଞ ସମ୍ପନ୍ନ କରି ସ୍ୱର୍ଗ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ସଜ ହେଉଥିଲେ । ଦେବରାଜ ଇନ୍ଦ୍ର ଚିନ୍ତା ପ୍ରକଟ କରି ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ ବାମନରୂପ ଧାରଣ କରି ବଳୀଙ୍କ ନିକଟକୁ ଭିକ୍ଷା ମାଗିବାକୁ ଗଲେ । ବଳି ଭିକ୍ଷା ଦେବାକୁ ଉଦ୍ୟନ୍ତ ହୁଅନ୍ତେ ତାଙ୍କ କୂଳଗୁରୁ ଏଥିରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଲେ । ବଳି ପରାମର୍ଶକୁ ଅବଜ୍ଞା କରି ବିଷ୍ଣୁଙ୍କୁ ତିନି ପାଦ ଭୂମି ପ୍ରଦାନ କଲେ । ତିନି ପାଦରେ ଆକାଶ ପାତାଳ ଓ ପୃଥିବୀକୁ ପାଦରେ ଚାପିଦେଇ ବଳୀକୁ ରସତଳକୁ ନେଇଗଲେ । ଏହି ସମୟରେ ବଳି ରାଜା ନିଜ ଭକ୍ତି ବଳରେ ଭଗବାନଙ୍କୁ ନିଜ ପାଖରେ ରହିବାକୁ ପ୍ରତିଜ୍ଞା କରାଇନେଲେ । ମାତା ଲକ୍ଷ୍ମୀ ଏଥିରେ ଚିନ୍ତିତ ହେଲେ । ନରଦଙ୍କଠାରୁ ପରାମର୍ଶ ନେଇ ବଳୀଙ୍କୁ ରକ୍ଷା ସୂତ୍ରରେ ବାନ୍ଧି ଭାଇ କରିନେଲେ । ବଦଳରେ ବଳି ରାଜା ବିଷ୍ଣୁଙ୍କ ପ୍ରତିଜ୍ଞାକୁ ଖଣ୍ଡନ କଲେ ।

ଆଉ ଏକ କାହାଣୀ ମତେ ଇନ୍ଦ୍ର ଓ ଦାନବଙ୍କ ମଧ୍ୟରେ ଅନେକ ସମୟରେ ଘମାଘୋଟ ଯୁଦ୍ଧ ହେଉଥିଲା । ଲଢେ଼ଇରେ ଦାନବଗଣ ହରିବାର ନାଁ ନେଉନଥିଲେ । ଚିନ୍ତା ପ୍ରକଟ କରି ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଏକ ଉପାୟ ଜଣାଇଲେ । ଇନ୍ଦ୍ରାଣୀ ଗାୟତ୍ରୀ ମନ୍ତ୍ର ଜପ କରି ଇନ୍ଦ୍ରଙ୍କ ବାହୁରେ ଏକ ଡୋରି ବାନ୍ଧିଦେଲେ । ଇନ୍ଦ୍ର ଯେବେ ଯୁଦ୍ଧକ୍ଷେତ୍ରକୁ ଗଲେ ପାଦରେ ପଦ ମିଶାଇ ଇନ୍ଦ୍ରାଣୀ ଇନ୍ଦ୍ରଙ୍କ ସହ ଦାନବଙ୍କ ବିପାଖରେ ଲଢ଼ି ବିଜୟ ଲାଭ କରିଥିଲେ ।
ମହାଭାରତରେ ବର୍ଣ୍ଣିତ ଅଛି ଶିଶୁପାଳକୁ ବଦ୍ଧ କରିବା ସମୟରେ ସୁଦର୍ଶନ ଚକ୍ରରେ କୃଷ୍ଣଙ୍କ ତର୍ଜନୀ କ୍ଷତାକ୍ତ ହୋଇଥିଲା । ସେତେବେଳେ ରକ୍ତସ୍ରାବ ବନ୍ଦ କରିବାକୁ ଦ୍ରୌପଦୀ ନିଜ ପିନ୍ଧା ବସ୍ତ୍ରର କାନି ଚିରି କୃଷ୍ଣଙ୍କ ହାତରେ ଗୁଡ଼ାଇ ଦେଇଥିଲେ । ଫଳ ସ୍ୱରୂପ କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ କୋଟି ବସ୍ତ୍ର ପ୍ରଦାନକରି କୃଷ୍ଣ ଦ୍ରୌପଦୀଙ୍କ ମାନ ରକ୍ଷା କରିଥିଲେ ।

brahmin+sandhyavandanam

ଶ୍ରାବଣ ମାସ ହିନ୍ଦୁ ଧର୍ମର ଏକ ପବିତ୍ର ମାସ । ବର୍ଷର କେବଳ ଏହି ମାସରେ ଜଙ୍ଗଲରେ ବସକରୁଥିବା ମୁନି ଋଷିମାନେ ଜନପଦକୁ ଫେରି ଆସନ୍ତି । ଏହି ମାସଯାକ ଜନପଦରେ ଅବସ୍ଥାନ କରି ଅଧିବାସୀଙ୍କ ଶିକ୍ଷା ଦୀକ୍ଷାରେ ବ୍ୟସ୍ତ ରୁହନ୍ତି । ମାସାନ୍ତରେ ଗହ୍ମା ପୂର୍ଣ୍ଣିମା ପଡ଼ନ୍ତେ ନିଜ ଜଯମାନଙ୍କୁ ଉପବିତ ପ୍ରଦାନ କରି ନିଜ ଆଶ୍ରମକୁ ଗମନ କରନ୍ତି । ଏହି ପଇତା ଜଯମାନଙ୍କ ପାଇଁ ରକ୍ଷା କବଚ ସଦୃଶ । ବ୍ରାହ୍ମଣ ବା ପୁରୋହିତମାନେ ନିଜ ଜଯମାନଙ୍କୁ ପିଢ଼ି ପରେ ପିଢ଼ି ଗହ୍ମା ପୂର୍ଣ୍ଣିମା ଅବସରରେ ପାଇତାକୁ ରକ୍ଷା କବଚ ଭାବେ ବାନ୍ଧି ଆସୁଛନ୍ତି । ଏହି ରକ୍ଷା ବନ୍ଧନ ପ୍ରଥା କେଉଁ ଆବହମାନ କାଳରୁ ଏପର୍ଯ୍ୟନ୍ତ ଚଳିଆସୁଛି ।
ପୁରୋହିତମାନେ ଜଯମାନଙ୍କ ମଙ୍ଗଳ ପାଇଁ ରକ୍ଷା ବନ୍ଧନ ପ୍ରଥା ଭାଇ ଭଉଣୀ ସମ୍ପର୍କ ବ୍ୟତିରେକ ଏକ ଭିନ୍ନ ସମ୍ପର୍କ ସ୍ଥାପନ କରେ ।

——————————————————————————————————————–

Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments