Bhubaneswar Buzz

#OdiaPost କଟକ ଜିଲ୍ଲାର ଧବଳେଶ୍ବର ପୀଠ – କାର୍ତ୍ତିକମାସରେ ବୁଲିଯିବା ପାଇଁ ପ୍ରକୃଷ୍ଟ ପର୍ଯ୍ୟଟନ ସ୍ଥଳୀ

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାନଦୀ ତ୍ରିକୋଣ ଭୂମି କୁଦରେ ଶ୍ରୀ ଧବଳେଶ୍ୱର ମହାପ୍ରଭୁଙ୍କ ମନ୍ଦିର ଅବସ୍ଥିତ । ବଡ଼ଓଷା ଏଠାରେ ପାଳିତ ହେଉଥିବା ସବୁଠାରୁ ବଡ଼ ପର୍ଵ । ବଡ଼ ଓଷା କରୁଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ମାସ ପ୍ରଥମ ସୋମବାରଠାରୁ ବ୍ରତ ଆରମ୍ଭ କରିଥାନ୍ତି । ଧର୍ମମାସ କାର୍ତ୍ତିକରେ ଧବଳେଶ୍ୱର ପୀଠରେ ମାସ ବ୍ୟାପୀ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଏଇ ପବିତ୍ର ମାସରେ ପାଳନ କରାଯାଉଥିବା ପଞ୍ଚକ ପର୍ବର ଶେଷ ସୋମବାର ପ୍ରବଳ ଜନ ସମାଗମ ହୋଇଥାଏ ।

ପ୍ରଭାତରୁ କଟକର ଚହଟା ଘାଟରୁ ଶ୍ରଦ୍ଧାଳୁମାନେ ଡଙ୍ଗାଯୋଗେ ପୀଠକୁ ଆସୁଥିବାବେଳେ ମଞ୍ଚେଶ୍ୱର ପଟରୁ ଝୁଲାପୋଲରେ ଯିବା ପାଇଁ ଧାଡ଼ି ଲଗାଇଥାନ୍ତି । ନଦୀ ପଥରେ ମଧ୍ୟ ଯାତ୍ରୀମାନେ ଡଙ୍ଗାରେ କୁଦକୁ ଯିବା ଆସିବା କରନ୍ତି । ଭୋର ୫ଟାରୁ ପ୍ରାୟ ୪ଲକ୍ଷ ଭକ୍ତ ଧବଳେଶ୍ୱର ମହାଦେବଙ୍କ ବଡ଼ ସିଂହାର ବେଶ ଓ ବିଭିନ୍ନ ନୀତି ଦର୍ଶନ କରିବା ସହିତ ଭୋଗରାଗ ପୂଜା କରିନ୍ତି । ବଡ଼ ଓଷା ପାଇଁ ମନ୍ଦିରରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଜନ ସମାଗମ ହୋଇଥାନ୍ତି । ଅର୍ଦ୍ଧରାତ୍ରିରେ ଭୋଗହୋଇ ପାହାନ୍ତା ପହରରେ ଧବଳେଶ୍ୱରଙ୍କ ପ୍ରସିଦ୍ଧ ଗଜଭୋଗ ବାହାରୁଥିବାରୁ ଏହାକୁ ସେବନ କରି ଓଷା ଉଜେଇଁବା ଲକ୍ଷରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଓଷେଇତି ମନ୍ଦିର ପ୍ରାଙ୍ଗଣରେ ଉଜାଗର ରହି ଦୀପ ଦାନ କରନ୍ତି ।

କେମିତି ଯିବେ, କଣ ଦେଖିବେ:
ରାଜଧାନୀ ଭୁବନେଶ୍ୱରରୁ ବାରଙ୍ଗ ଓ ନାରାଜଦେଇ ଅଥବା କଟକ ଚୌଦ୍ବାର ଦେଇ ଧବଳେଶ୍ଵର ଦ୍ଵୀପକୁ ଯାଇପାରିବେ । ଭୁବନେଶ୍ୱରରୁ ଧବଳେଶ୍ଵର ଦୂରତା ୫୨କିମି ଓ କଟକରୁ ୨୭ କିମି । ଏହି ଦ୍ଵୀପ ଚାରି ପାଖେ ମହାନଦୀ ବହିଯାଇଛି । ଏହି ଦ୍ଵୀପକୁ ଡଙ୍ଗା ଓ ଝୁଲା ପୋଲ ଦ୍ଵାରା ଯାଇହୁଏ ।

ପୂର୍ବରୁ ଲୋକେ ଏଇ ପୀଠକୁ କେବଳ ଡଙ୍ଗା ଦେଇ ଯାଉଥିଲେ ।  କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ୨୦୦୬ ମସିହାରେ ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଛନ୍ତି । ଏହା ଭାରତର ଦୀର୍ଘତମ (୨୫୪ ମିଟର) ପାଦଚଲା ଝୁଲା ପୋଲ । ଝୁଲା ପୋଲର ଦ୍ୱାର ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହେ । ଝୁଲା ପୋଲ ରହିଥିଲେ ମଧ୍ୟ ବଡ଼ଓଷା ଦିନ ବ୍ୟାପକ ଜନ ସମାଗମ ହେଉଥିବାରୁ ପ୍ରାୟ ଡଙ୍ଗା ଉପରେ ନିର୍ଭର କରିବାକୁ ପଡ଼ିଥାଏ । ପ୍ରଶାସନଙ୍କ ତରଫରୁ ବିଡାନାସୀ ଠାରେ ୪୦ଟି ଏବଂ ମଞ୍ଚେଶ୍ୱର ଠାରେ ୫ଟି ମୋଟ ୪୫ଟି ଡଙ୍ଗା ଯାତ୍ରୀମାନଙ୍କୁ ନେବା ଅଣିବା ପାଇଁ ବ୍ୟବସ୍ଥା ଅଛି । ପୀଠକୁ ଯିବା ପାଇଁ ଡଙ୍ଗାରେ ନଦୀ ପାର ହେବା ଏବଂ ଫେରିବାକୁ ଯାତ୍ରୀ ପିଛା ୫୦ ଟଙ୍କା ଭଡା ଦେବାକୁ ହୁଏ । ରାତିରେ କେତୋଟି ପୂଜାରୀଙ୍କ ବାଦଦେଲେ ସ୍ଥାନଟି ଜନଶୁନ୍ୟ ହୋଇଯାଏ । ଏଠାରେ ରାତ୍ରୀ ରହଣି ପାଇଁ ପାନ୍ଥଶାଳା ଓ ଲଜ ବ୍ୟବସ୍ଥା ଅଛି ।

ମେଘୁଆ ପାଗ ନହେଲେ ଶୀତ ଋତୁ ଏସ୍ଥାନକୁ ଯିବାର ପ୍ରକୃଷ୍ଟ ସମୟ । ଏହା ଏକ ଦ୍ଵୀପ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ମନୋରମ । ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଏଇ ମନ୍ଦିରଟି ୧୭ ଏକର ସବୁଜ ସୁନ୍ଦର ତ୍ରିକୋଣ ଭୂମିରେ ବ୍ୟାପ୍ତ । ଆଖପାଖରେ ଦଶମ ଓ ଏକାଦଶ ଶତାବ୍ଦୀର ପଥର ଖୋଦେଇ କଳାକୃତିମାନ ଦେଖିବାକୁ ମିଳେ । ଏଠାରେ ହବିଷ ଓ ସାତ୍ତ୍ଵିକ ଅନ୍ନବ୍ୟଞ୍ଜନ ପ୍ରସାଦର ଆନନ୍ଦ ନେଇପାରିବେ । ନଉକା ବିହାରର ସୁଯୋଗ ମଧ୍ୟ ରହିଛି । ମହାନଦୀରୁ ଧବଳେଶ୍ଵର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ । ଏହି ମନୋରମସ୍ଥଳୀକୁ ଦେଖିବା ସହିତ ମହାନଦୀରେ ବୁଡ଼ ପକାଇ ବିଜେ ଶ୍ରୀ ଧବଳେଶ୍ୱର ଜୀଉଙ୍କୁ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବର୍ଷର ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଏବଂ ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସିଥାନ୍ତି ।

———————————————————————————————————————–

nistha ranjan dash

By
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments