Bhubaneswar Buzz

#OdiaPost : ଗହ୍ମାପୂର୍ଣ୍ଣିମାକୁ ଅଧିକ ମନୋରଞ୍ଜନଧର୍ମୀ କରେ ଓଡ଼ିଶାର ପାରମ୍ପରିକ ଖେଳ ଗହ୍ମାଡିଆଁ

Gamha Dian South Odisha

Photo courtesy: future brahmapur

ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ଚାଷୀ ମାନେ ସେମାନଙ୍କ ଚାଷବାସ କାମ ସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥଲେ ହେଁ ଆଜିକାଲି ଏ ପର୍ବ ରାଖି ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି । ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାଖି ବାନ୍ଧି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ କେତେକ ସ୍ଥଳେ ବଦଳାଇ ଦେଇଥିବା ଦେଖୁବାକୁ ମିଳୁଛି । ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି ।

ଗହ୍ମାଡ଼ିଆଁ ଓଡ଼ିଶାର ଅତି ପୁରାତନ ଏବଂ ଲୋକପ୍ରିୟ ଖେଳର ସ୍ଥାନ ମିଳିଥିଲା । ଗାଁ ଠାରୁ ଆରମ୍ଭ କରି ସହରରେ ଦେଖିବାକୁ ମିଳୁଥିଲା ଏହି ଖେଳର ଚମକ । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହି ଖେଳ ଅତି ଉତ୍ସାହର ସହିତ ଏବେ ବି ପାଳନ ହୁଏ । ଯୁବକମାନଙ୍କ ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ ।

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଗୋଟିଏ ବଡ଼ ଆକୃତିରେ ମଞ୍ଚ ଭଳି ପ୍ରସ୍ତୁତି ହୁଏ ସ୍ଥାନ । ଏହି ମଞ୍ଚ ତଳୁ ଉପରକୁ ୩ରୁ ୫ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ମଞ୍ଚକୁ ଲମ୍ବାଯାଏ । ଚିକିଟା ମାଟି ଦ୍ଵାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ, ଗଛର ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ଵତନ୍ତ୍ର ମଞ୍ଚ । ଏହି ମଞ୍ଚ ଉପର ଦେଇ ଡ଼ିଆଁ ମାରନ୍ତି ପ୍ରତିଯୋଗୀ । ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି ।

ମଞ୍ଚ ଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ । ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦେଉଥଲେ ସେହି ସାମଗ୍ରୀଟି ତାର ହୋଇଯାଏ । ବିସ୍କୁଟ ପ୍ୟାକେଟ ଠାରୁ ଆରମ୍ଭ କରି ସୁନା ମୁଦି ପର୍ଯ୍ୟନ୍ତ ପାଆନ୍ତି ପ୍ରତିଯୋଗୀ । ପିଲା ଠାରୁ ଆରମ୍ଭ କରି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏଥରେ ଅଂଶଗ୍ରହଣ କରନ୍ତି । ରାକ୍ଷୀପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ । ମଞ୍ଚର କିଛି ଦୂରରେ ଦୁଇ ପାର୍ଶ୍ଵରେ ବଡ଼ବଡ଼ ଖୁଣ୍ଟ ଦ୍ଵାରା ଦୌଡ଼ି ମଧରେ ଟଙ୍ଗାଯାଏ ବିଭିନ୍ନ ସାମଗ୍ରୀ । ପ୍ରତିଯୋଗୀଙ୍କ ଲକ୍ଷ୍ୟ ରହୁଥୁଲା ସେମାନେ ଯେପରି ମୂଲ୍ୟବାନ ସାମଗ୍ରୀକୁ ଛୁଇଁ ଦେବେ ଆଉ ନେଇଯିବେ ତାକୁ ଘରକୁ । ଏହି ଆଶାରେ ମଞ୍ଚ ଉପରକୁ ଦୌଡ଼ି ଯାଇ ମାରୁଥଲେ ଡ଼ିଆଁ ସେହି ଟଙ୍ଗାଯାଇଥିବା ସାମଗ୍ରୀ ନିକଟକୁ । ଟଙ୍ଗା ଯାଇଥବା ସମସ୍ତ ସାମଗ୍ରୀ ସମାପ୍ତ ପରେ ହିଁ ଏହି ଖେଳ ସମାପ୍ତର ଘୋଷଣା କରାଯାଏ । ଏହି ଖେଳ ସାଧାରଣତଃ ସାହି ସାହି ମଧରେ ପ୍ରତିଯୋଗିତା ଆକାରରେ ଆୟୋଜିତ ହୁଏ ।

ଦକ୍ଷିଣ ଓଡ଼ିଶାର ଏବେ ମଧ୍ୟ ବିଭିନ୍ନ ସ୍ନାନରେ ମଧ୍ୟ ଗହ୍ମା ଡ଼ିଆଁ ଖେଳ ଅନୁଷ୍ଠିତ ହେଉଛି । ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ହେଲେ ଆଜିର ନୂତନ ଯୁଗର ଯୁବପୀଢ଼ିଙ୍କ ନିକଟରେ ଆଉ ସମୟ ନାହିଁ । ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଗହ୍ମା ଡ଼ିଆ କୁ ଡେଇଁବାକୁ କାହାର ନିକଟରେ ବେଳ ନାହିଁ । ଫଳରେ ଗହ୍ମାଡିଆଁ ଏକ ପ୍ରକାର ଉଭାନ ହେବାକୁ ବସିଲାଣି । ଏହି ପାରମ୍ପରିକ କ୍ରୀଡାର ଅବକ୍ଷୟ ଦିନକୁଦିନ ଘଟିବାରେ ଲାଗିଛି । ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥବା ବେଳେ ସହରାଞ୍ଚଳରେ ଏହି ଗହ୍ମାଡିଆଁ ଖେଳ ପ୍ରାୟ ଲୋପ ପାଇବାକୁ ବସିଥିବା ଦେଖିବାକୁ ମିଳୁଛି । କାଁ ଭାଁ ସ୍ଥାନରେ ଏହି ପ୍ରତିଯୋଗିତା ହୋଇ କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କଠାରେ ସୀମିତ ରହୁଛି ।

——————————————————————————————————————–

By Nitu Ranjan Dash

Visual Anthropologist
Delhi University

Comments

comments