Bhubaneswar Buzz

#OdiaPost ଶୀତଦିନେ ପ୍ରାକୃତିକ ଗରମପାଣିରେ ଗାଧୋଇବାର ମଜା ପାଇଁ ପିକନିକ ସହ ଯୋଡ଼ନ୍ତୁ ଏଇ ୪ଟି ଉଷ୍ମପ୍ରସ୍ରବଣ

 

How will it be to have a natural hot water bath in these cold days? If you are thinking a picnic in this winter, dont forget to add these hot spring destinations in your list. Its having health benefits too. Not been there yet? Dont worry.Here is a guide through our #OdiaPost .

ଆସିବ ଇଂରାଜୀ ନୂଆ ବର୍ଷ । ଆରମ୍ଭ ହୋଇଯାଇଛି ବଣଭୋଜି ଋତୁ । ସାଙ୍ଗସାଥୀଙ୍କ ଗହଣରେ ବଣଭୋଜି କରି ଖୁସି ମନାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ର ଆଦିରେ ଏବେ ପର୍ଯ୍ୟଟକଙ୍କ ଭିଡ଼। ନୂଆ ଜାଗାଟିଏ ବୁଲି ଦେଖିବା ପ୍ରକୃତି କୋଳରେ କିଛି ସମୟ ବିତାଇବା, ଅନୁଭୂତି ସାଉଁଟିବା, କିଛି ନୂଆ କରିବା ଓ ନୂଆ ମନ ସହ ନୂଆ ବର୍ଷକୁ ଆଲିଙ୍ଗନ କରିବାକୁ ସଭିଙ୍କ ମନ । ତେବେ କେମିତି ହେବ ଯଦି ପର୍ଯ୍ୟଟନ ସ୍ଥଳୀ ବୁଲା, ବଣଭୋଜି ସହ ଶୀତୁଆ ସକାଳେ ପ୍ରକୃତି ଖଞ୍ଜିଥିବା ଗରମ ପାଣିରେ ଗାଧୋଇବାର ମଜା ମିଶିଯିବ?

ଭୌଗଳିକ ଗତିବିଧି କାରଣରୁ ପୃଥିବୀ ପୃଷ୍ଠରେ ଅନେକ ସ୍ଥାନରେ ଗରମ ପାଣିର କୁଣ୍ଡ ବା ଝରଣା ଦେଖିବାକୁ ମିଳେ । ଯେହେତୁ ଏଥିରେ ନାନା ପ୍ରକାର ଖଣିଜ ପଦାର୍ଥ ମିଶିକରି ଥାଏ, ଅଧିକାଂଶ ଝର ପାଣିରେ ବିଶେଷ ଔଷଧୀୟ ଗୁଣ ରହିଥାଏ । ଏଣୁ ଗରମ ପାଣି ଝରରେ ଗାଧୋଇବା ଦ୍ୱାରା ଅନେକ ପ୍ରକାରର, ବିଶେଷ କରି ଚର୍ମ ସମ୍ବନ୍ଧୀୟ ରୋଗ ବ୍ୟାଧି ଭଲ ହୋଇଯାଏ । ଓଡ଼ିଶାର ମୁଖ୍ୟତଃ ଚାରୋଟି ସ୍ଥାନରେ ଏଭଳି ଗରମ ଜଳାଶୟ ବା ଉଷ୍ମପ୍ରସ୍ରବଣ (Hot spring) ଦେଖିବାକୁ ମିଳେ । ଗନ୍ଧକ ମାତ୍ରା ବେଶୀ ରହୁଥିବାରୁ ଏହାକୁ ଇଂରାଜୀରେ ସଲଫର ସ୍ପ୍ରିଙ୍ଗ (Sulphur spring) ମଧ୍ୟ କୁହାଯାଏ । ଉଷ୍ମପ୍ରସ୍ରବଣଗୁଡ଼ିକ ଧାର୍ମିକ ସ୍ଥଳୀ ହୋଇଥିବାରୁ ଏଗୁଡ଼ିକର ମହତ୍ତ୍ୱ ଅଧିକ । ଏଭଳି ଧାର୍ମିକ ସ୍ଥଳୀର ଜଳାଶୟମାନଙ୍କ ଔଷଧୀୟ ଗୁଣ କାରଣରୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହେ । ଆସନ୍ତୁ ଆମେ ଓଡ଼ିଶାର ଚାରୋଟି ଉଷ୍ମପ୍ରସ୍ରବଣ ବାବଦରେ ଜାଣିବା ଯେଉଁଠିକୁ ଯାଇ ଆପଣ ଆପଣଙ୍କ ଶୀତଦିନିଆ ଛୁଟିର ମଜାକୁ ବହୁଗୁଣିତ କରିପାରିବେ ।

୧. ତପ୍ତପାଣି

Odiapost hot spring travel destinations in odisha 1

ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତରେ ସାନଖେମୁଣ୍ଡି ବ୍ଲକର ଟି.ଗୋବିନ୍ଦପୁର ପଞ୍ଚାୟତରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ‘ତପ୍ତପାଣି’ । ତପ୍ତପାଣି ଅଞ୍ଚଳର ଅାଦିବାସୀମାନଙ୍କର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଁ କନ୍ଧୁଣୀ ଦେବୀ । କିମ୍ବଦନ୍ତୀ ଅଛି, କାହିଁ କୋଉ ଅନାଦି କାଳରୁ ଏଠାରେ ମାଁ କନ୍ଧୁଣୀ ଦେବୀ ପାହାଡ଼ ମଧ୍ୟରୁ ଫୁଟି ଅାର୍ବିଭାବ ହୋଇଛନ୍ତି, ଅାଉ ସେଠାରୁ ଉଷ୍ଣ ପ୍ରସ୍ରବଣ ସୃଷ୍ଟି ହୋଇଛି । ବିଶ୍ୱାସ ରହିଛି ଯେ, ସନ୍ତାନ ସନ୍ତତି ନଥିବା ଦମ୍ପତିି କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମାଁଙ୍କ ଯାତ୍ରାରେ ଅାସି ପୂଜାର୍ଚ୍ଚନା କରି ବୁଡ଼ ପକାନ୍ତି, ଅାଉ ସେହି ପାଣି ମଧ୍ୟରେ ବୁଡ଼ି, ବୁଡ଼ି ରହିଥିବା ଗୁଅାକୁ ଖୋଜି ସେବନ କରନ୍ତି ଏବଂ ପରେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି । ଏହାପରେ ଉକ୍ତ ସନ୍ତାନର ଉତ୍ତରୋତ୍ତର ଉନ୍ନତି ପାଇଁ ମା’ଙ୍କ ପାଖରେ ସେହି ପୂଣ୍ୟ ତିଥିରେ ଅାସି ମୁଣ୍ଡନ କରିଥାନ୍ତି । ବିଶ୍ୱାସ ରହିଛି ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଏଠାରେ ନିର୍ଦ୍ଦିଷ୍ଟ ଦୁଇଟି ସ୍ଥାନରୁ ତପ୍ତ ପାଣିର ଝର ଫୋଟକା ସହ ନିର୍ଗତ ହେଉଛି । ଏଇ ଉଷ୍ମପ୍ରସ୍ରବଣ ଜଳର ଉତ୍ତାପ ୯୦° ରୁ ୧୦୦℃ ମଧ୍ୟରେ ଥାଏ । ଝର ପାଣି, ନାଳରେ ବହିଯାଇ ସ୍ନାନ ସକାଶେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ଥିବା ପାଖ କୁଣ୍ଡରେ ଜମାହେଉଛି । ମହିଳା ଓ ପୁରୁଷଙ୍କ ଲାଗି ଦୁଇଟି ଅଲଗା ଅଲଗା ସ୍ନାନ କୁଣ୍ଡ କରାଯାଇଛି । ସବୁଜ ବନାନୀ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ତପ୍ତପାଣିଠାରେ ଥିବା ଝରଣାର କୁଳୁକୁଳୁ ନାଦ ସହ ପଶୁପକ୍ଷୀଙ୍କ କଳରାବ ଏବଂ ବିଚରଣ ଅାକର୍ଷଣୀୟ । ନିକଟସ୍ଥ ମୃଗ ବିହାର (ଟିକଟ ୫ଟଙ୍କା) ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନର ଖୋରାକ ସାଜିଥାଏ । ରାତିରେ ପରିବାର ସହ ଅବସ୍ଥାନ କରି ଜୀବଜନ୍ତୁଙ୍କ ଗର୍ଜନ ଓ କୋଳାହଳ ଶୁଣିବାକୁ ଯେ କେହି ବି ଇଚ୍ଛା କରିବ ।

Direct Hot water suply from taptapani spring to panthanivas by OTDC

Direct Hot water suply from taptapani spring to panthanivas by OTDC

ଦକ୍ଷିଣ ଓଡ଼ିଶାରେ ଏକ ମାତ୍ର ଉଷ୍ମପ୍ରସ୍ରବଣ ତପ୍ତପାଣି । ବ୍ରହ୍ମପୁରରୁ ମାତ୍ର ୫୦କିଲୋମିଟର ଓ ରାଜଧାନୀ ଭୁବନେଶ୍ୱରରୁ ୨୩୦କିମି ଦୂର । ନିକଟସ୍ଥ ରେଳଷ୍ଟେସନ ହେଉଛି ବ୍ରହ୍ମପୁର । ବ୍ରହ୍ମପୁରରୁ ସବୁ ସମୟରେ ବସର ସୁବିଧା ଅଛି । ରହିବା ପାଇଁ ସରକାରଙ୍କ ତରଫରୁ ପାନ୍ଥନିବସ ସହ ଅନେକ ଛୋଟ ବଡ଼ ଲଜ ଓ ହୋଟେଲ ଅଛି । ପାନ୍ଥନିବସ ପାଇଁ ଆଗୁଆ ବୁକ କରିବାକୁ ପଡ଼େ । OTDC, ପାନ୍ଥନିବସକୁ ଗରମ ପାଣି ଯୋଗାଇବା ସହ ଉତ୍ତମ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା କନ୍ଧୁଣୀ ଦେବୀଙ୍କ ଯାତ୍ରା ତିନି ଦିନ ବ୍ୟାପି ଚାଲେ । ତେଣୁ ଏହି ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ତପ୍ତପାଣି ବୁଲିବାକୁ ଆସିଥିଲେ ନିକଟସ୍ଥ ଦର୍ଶନୀୟ ସ୍ଥାନ ଜିରାଙ୍ଗ ବୌଦ୍ଧ ପୀଠ, ଖସଡ଼ା, ମାଙ୍କଡ଼ଡିଆଁ, ବ୍ରହ୍ମପୁର ସହର ନିକଟ ସିଦ୍ଧ ଭୈରବୀ ପୀଠ, ପଞ୍ଚମା, ନିର୍ମଳ ଝର ଓ ତାରା ତାରିଣୀ ପୀଠ ଆଦି ଯାଇପାରିବେ । ତେଣୁ ତପ୍ତପାଣିକୁ ଆସି ଗୋଟିଏ ଦିନରେ ଅନେକ ପର୍ଯ୍ୟଟନ ସ୍ଥଳୀ ଏକାଥରେ ଦେଖିପାରିବେ ।

୨. ଦେଉଳଝରି

Odiapost hot spring travel destinations in odisha 4

ଦେଉଲଝରି ଉଷ୍ମପ୍ରସ୍ରବଣ ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକଠାରେ  ଅବସ୍ଥିତ । ଦେଉଳଝରି ଏକ ପୁରାତନ ଶୈବପୀଠ ମଧ୍ୟ । ପ୍ରାୟ ୨୪ ଏକର ବିଶିଷ୍ଟ ଏହି ଅଞ୍ଚଳଟି ସିଦ୍ଧେଶ୍ବର ବାବା (ଶିବ)ଙ୍କ ମୁଖ୍ୟ ମନ୍ଦିର ସମେତ କାରୁକାର୍ଯ୍ୟ ପୂର୍ଣ୍ଣ ୬ ଟି ମନ୍ଦିର ଅନ୍ଯ କେତେକ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ଯ ଅଛି । କିଆବଣରେ ପରିପୂର୍ଣ୍ଣ ଏହା ଏକ ସୁନ୍ଦର ସ୍ଥାନ । ମନ୍ଦିରର ଦକ୍ଷିଣ ପାର୍ଶରେ ଚିତ୍ରୋତ୍ପଳା ନଦୀ ବହିଯାଉଛି । ଉତ୍ତରରେ ସୁଉଚ୍ଚ ପଞ୍ଚଧାରା ପର୍ବତ ଦଣ୍ଡାୟମାନ । ପୂର୍ବରେ ଆଠମଲ୍ଲିକ ସହର ଓ ପଶ୍ଚିମରେ ଅଳ୍ପଦୂର ଗଲେ ମାଧପୁର ସହର ଦେଇ ମହାନଦୀ ବହିଯାଇଛି । ଦେଉଳଝରି ଉଷ୍ଣପ୍ରସ୍ରବଣ ଚବିଶିଟି ଉଷ୍ଣ ପ୍ରସ୍ରବଣ କୁଣ୍ଡଙ୍କୁ ନେଇ ଗଠିତ ଯାହା ଓଡ଼ିଶାର ଅନ୍ୟାନ୍ୟ ଉଷ୍ଣପ୍ରସ୍ରବଣ ଥିବା ସ୍ଥାନରେ ବିରଳ । ଭୂମି ମଝିରେ ଗନ୍ଧକର ଉତ୍ତପ୍ତ ବାମ୍ଫ ଓ ଜଳ ଉଦ୍ଗୀରଣ ହୋଇ ଉପରକୁ ଉଠି କ୍ଷୀଣ ସ୍ରୋତ ଧାରରେ ପ୍ରବାହମାନ । ଏହାର ଉତ୍ତାପ ୧୩୪℃  । ଏହି ମନ୍ଦିରର ଗର୍ଭଗୃହରେ ଶିବ ଓ ପାର୍ବତୀଙ୍କ ଅଷ୍ଟଧାତୁରେ ନିର୍ମିତ ପ୍ରତିମା ପ୍ରତିଷ୍ଠିତ । ଗର୍ଭଗୃହର ଶିବଲିଙ୍ଗ ଭୂପୃଷ୍ଠରୁ ପ୍ରାୟ ଛଅ ଫୁଟ ତଳେ ଅବସ୍ଥିତ ଏହି ଲିଙ୍ଗର ନିମ୍ନଭାଗରେ ଉଷ୍ଣଝର ଅନବରତ ବୋହିଥାଏ ।

siddheswar temple deulajhari

Siddheswar temple deula jhari

ପୁରାତନ ତଥ୍ୟ ଅନୁଯାଯୀ, ଏଠାରେ ୮୪ ଟି ଉଷ୍ମ ଜଳ ବିଶିଷ୍ଟ ମନୁଷ୍ୟ କୃତ କୁଣ୍ଡ ଥିଲା । ମାତ୍ର ସମୟକ୍ରମେ କିଛି କୁଣ୍ଡ କିଆବଣ ଭିତରେ ଲୁଚି ଯାଇଥିବା ବେଳେ ଆଉ କିଛି ପୋତି ହୋଇଯାଇଛି । ବର୍ତ୍ତମାନ ୨୪ଟି କୁଣ୍ଡ ଦୃଶ୍ୟମାନ ହେଉଛି । ପୂର୍ବରୁ କୁଣ୍ଡ ଗୁଡ଼ିକ ପଥର କାନ୍ଥ ଦ୍ୱାରା ତିଆରି ଥିଲା ଯାହା ଏବେ ସିମେଣ୍ଟ ଢଳେଇ ଦେଇ ପକ୍କା କରାଯାଇଛି । ପ୍ରାୟ ସମସ୍ତ ଜଳ କୁଣ୍ଡର ଉଷ୍ମତା ୪୦ ଡିଗ୍ରି ରୁ ୬୨℃ ରହିଥାଏ । ପୁରାତନ ସମୟରୁ ପ୍ରତ୍ୟେକ କୁଣ୍ଡମାନଙ୍କର ଭିନ୍ନ ଭିନ୍ନ ନାମ ଦିଆଯାଇଛି । ଯଥା – ଅଗ୍ନି କୁଣ୍ଡ, ତପ୍ତ କୁଣ୍ଡ, ହିମ କୁଣ୍ଡ, ଅମୃତ କୁଣ୍ଡ, ଲବକୁଶ କୁଣ୍ଡ ଇତ୍ୟାଦି ଅନେକ । କେତୋଟି ସ୍ଥାନରେ ଥଣ୍ଡା ଜଳ କୁଣ୍ଡ ପାଖରେ ଉଷ୍ମ ଜଳ କୁଣ୍ଡ ଲାଗିକରି ଅଛି । ମହେଶ୍ୱର, ମାହେଶ୍ୱରୀ ଓ କେଦାରେଶ୍ୱର ମନ୍ଦିର ସମ୍ମୁଖରେ ଅବସ୍ଥିତ ଦୁଇଟି ବିଶାଳ କୁଣ୍ଡ, ଭକ୍ତ ଓ ପର୍ଯ୍ୟଟକମାନଙ୍କ ସ୍ନାନକୁଣ୍ଡ ଭାବରେ ବ୍ୟବହୃତ ହୁଏ । ଏହି ଦୁଇଟି କୁଣ୍ଡ ମଧ୍ୟରୁ ଗୋଟିକର ଜଳ ଉଷ୍ଣ ହୋଇଥିବା ବେଳେ ଅନ୍ୟଟି ଶୀତଳ । ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ । ଏଭଳି ଘଟଣା ଅନେକଙ୍କୁ ବାରମ୍ବାର ତୀର୍ଥଯାତ୍ରା କରିବା ପାଇଁ ଆଗ୍ରହ ଜନ୍ମାଇଥାଏ ।
ଭୁବନେଶ୍ବର ସହର ଠାରୁ ଟ୍ରେନ କିମ୍ବା ବସ ଯୋଗେ ଅନୁଗୁଳ ଜିଲ୍ଲାର ବଇଣ୍ଡାରେ ପହଞ୍ଚି ସେଠାରୁ ଆଠମଲ୍ଲିକକୁ ବସ କିମ୍ବା ଅଟୋ ଯୋଗେ ଯାଇହେବ । ଅନୁଗୁଳ ଠାରୁ ମନ୍ଦିରକୁ ୯୦ କିଲୋମିଟର । ଆଠମଲ୍ଲିକରୁ ମନ୍ଦିରକୁ ୬ କିଲୋମିଟର ବାଟ । ଆଠମଲ୍ଲିକ ଯିବା ରାସ୍ତାରେ ପଡିବ ଝରଝରି ଘାଟି। ପ୍ରାୟ ୪ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ଘାଟି ରାସ୍ତାରେ ଯିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ମିଳିବ ।
ନିକଟରେ ଅଛି ଖୁଲୁଡ଼ି ଜଳପ୍ରପାତ । ପାଲଲହଡା ଦେଇ ଅନୁଗୋଳ ସହରଠାରୁ ମାଲ୍ୟଗିରି ପାହାଡ଼ର ପାଦଦେଶରେ ଅବସ୍ଥିତ
‘ଖୁଲୁଡି’ ଜଳପ୍ରପାତର ଦୂରତା ପ୍ରାୟ ୧୨୦ କିଲୋମିଟର । ମନ୍ଦିର ପାଖରେ ଠିଆହେଲେ ଦେଖିବାକୁ ଚାରିଆଡ଼େ କେବଳ ଘଞ୍ଚ ଜଙ୍ଗଲ ଆଉ ଶୀତଳ ପରିବେଶ । ମନ୍ଦିରର ଠିକ ପଛ ପଟେ ଦେଖିବାକୁ ମିଳିବ ଖୁଲୁଡ଼ି ଜଳପ୍ରପାତର ଅପୂର୍ବ ଦୃଶ୍ୟ । ୧୫ ରୁ ୨୦ ଫୁଟ ଉଚ୍ଚତାରୁ ପଡୁଛି ପାହାଡ଼ ଉପରୁ ପ୍ରବାହିତ ହେଉଥିବା ଝରଣାର ପାଣି । ଏହି ସ୍ଥାନରୁ ସୌନ୍ଦର୍ଯ୍ୟକୁ ଭାଷାରେ ବର୍ଣ୍ଣନା କରିବା କଷ୍ଟ । ପାହାଡିଆ ଝରଣାର ପାଣି ନାଗେଶ୍ୱର ଗଛର ଗଣ୍ଡି ଏବଂ ପତ୍ର ଘଷି ହୋଇ ଜଳପ୍ରପାତରେ ପ୍ରପାତରେ ପଡୁଥିବାରୁ ଏହି ପାଣିରେ ମଧ୍ୟ ଔଷଧୀୟ ଗୁଣ ରହିଛି । ଇତିହାସରୁ ଜଣାଯାଏ ମାଲ୍ୟଗିରି ଥିଲା ପାଲଲହଡା ରାଜଙ୍କ ଶୈଳନିବାସ ।

୩. ଅଟ୍ରି

Odiapost hot spring travel destinations in odisha 3

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅଟ୍ରି ଉଷ୍ମ ପ୍ରସ୍ରବଣଟି ରାଜ୍ୟର ଅତି ଲୋକପ୍ରିୟ ଉଷ୍ମପ୍ରସ୍ରବଣ ଅଟେ । ନୟାଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥ ଦେଇଗଲେ ବାଘମାରୀଠାରୁ ବାମ ପଟେ ଭିତରକୁ ମାତ୍ର ଦୁଇ କିଲୋମିଟର ଦୂରରେ ପଡ଼େ ଅଟ୍ରି । ସ୍ଥାନଟି ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଯଥାକ୍ରମେ ୪୨ ଓ ୧୭ କିମି ଦୂର । ଧାନ ବିଲ ମଧ୍ୟରେ ହାଟ୍ଟକେଶ୍ବର ମହାଦେବଙ୍କ ଆସ୍ଥାନ ଓ ଉଷ୍ମ ପ୍ରସ୍ରବଣ । ଏଠାକାର ଜଳର ଉଷ୍ମତା ୫୫℃ ରେ ସ୍ଥିର । ଝରଣା ପାର୍ଶ୍ୱରେ ସ୍ନାନ ପାଇଁ କୃତ୍ରିମ କୁଣ୍ଡମାନ ତିଆରି ହୋଇଛି ।  ଏଗୁଡିକ ୧୦ବର୍ଗ ଫୁଟ × ୧୫ ଫୁଟ ଗଭୀର ଆକାର । ଏହାର ଜଳ ଭଣ୍ଡାରରୁ ପ୍ରତି ଘଣ୍ଟାରେ ୩୭୫ ଘନଫୁଟ ଉଷ୍ମଜଳ ନିର୍ଗତ ହେଉଛି । ଉଷ୍ମପ୍ରସ୍ରବଣର ଚତୁର୍ଦିଗ ଭୁସ୍ତର ପଟୁମାଟି, ଚୁନପଥର ଓ ମାଙ୍କଡ଼ା ପଥରେ ପରିପୂର୍ଣ୍ଣ ।

ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋର ୩ଟାରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳା ଗୁଆ
ନିକ୍ଷେପ କରି ଖୋଜିଥାନ୍ତି । ବନ୍ଧ୍ୟାନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି । ଜାନୁଆରୀ ମାସରେ ମକର ମେଳା ଏଠିକାର ପ୍ରଧାନ ଉତ୍ସବ । ବଣଭୋଜି ପାଇଁ ଏକ ଉତ୍ତମ ସ୍ଥାନ । ରହିବା ପାଇଁ ଏଠାରେ ପାନ୍ଥନିବସ ଅଛି । ଅଟ୍ରି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ବରୁଣେଇ, କଣ୍ଟିଲୋ ନୀଳମାଧବ ମନ୍ଦିର ଆଦି ଦର୍ଶନୀୟ ସ୍ଥାନ ବୁଲିଦେଖିବାକୁ ଭୁଲି ନଥାନ୍ତି ।

୪. ତରବାଲୋ

Odiapost hot spring travel destinations in odisha 2

ନୟାଗଡ଼ଜିଲ୍ଲା ଭାପୁର ବ୍ଳକ ଅନ୍ତର୍ଗତ ତରବାଲୋଠାରେ ଥିବା ଉଷ୍ମପ୍ରସ୍ରବଣଟି ଏସିଆ ମହାଦେଶର ଦ୍ବିତୀୟ ବୃହତ ଉଷ୍ମ ପ୍ରସ୍ରବଣ ମାନ୍ୟତା ପାଇଛି ବୋଲି ଶୁଣାଯାଏ । ଏହି ଉଷ୍ମ ପ୍ରସ୍ରବଣ ପ୍ରଥମେ ୧୯୭୫ ମସିହାରେ ଚିହ୍ନଟ ହୋଇଥିଲା । ଅଟ୍ରି ଉଷ୍ମପ୍ରସ୍ରବଣ ଠାରୁ ଏହା ମାତ୍ର ୨୨ କିଲୋମିଟର ଦୂରରେ ଅବସ୍ଥିତ । ଲୋକମୁଖରୁ ଜଣାଯାଏ, ଦିନେ ଏଇ ବାଟ ଦେଇ ଯାଉଥିବା ଏକ ମାଲ ବୋଝେଇ ଶଗଡ଼ଗାଡ଼ି ଚକ ଧୀରେ ଧୀରେ ଦବିଯିବାକୁ ଲାଗିଲା । କୌଣସି ମତେ ଉଦ୍ଧାର କରାଯାଇ ପାରିଲା ନାହିଁ । ଶଗଡ଼ଟି ଭୁଗର୍ଭକୁ ଚାଲିଗଲା । ସେଇ ଦିନଠୁ ଏଠାକୁ ନିଷିଦ୍ଧ କ୍ଷେତ୍ର ଭାବେ ବିବେଚନା ହେଉଛି । ଏଠାରେ ମାଟି ଉପରେ ଛିଡ଼ା ହେଲେ ଏହା ଦୋହଲି ଥାଏ ତେଣୁ ସ୍ଥାନୀୟ ଲୋକେ ଏହାକୁ ଦହଲ ଅଞ୍ଚଳ କହନ୍ତି । ଚାଷଜମି ଘେରିରହିଥିବା ୮ଏକର ପରିବ୍ୟାପ୍ତ ଅଞ୍ଚଳରେ ବହୁ ସ୍ଥାନରୁ ଗରମ ପାଣି ନିର୍ଗତ ହେଉଛି । ଏଠାରେ ସରକାରଙ୍କ ପର୍ଯ୍ୟଟନ ବିକାଶ କିଛିବି ହୋଇନାହିଁ । ତେବେ ଭବିଷ୍ୟତ ପାଇଁ ଯୋଜନା ଅଛି । ଗ୍ରାମବାସୀଙ୍କ ତରଫରୁ ତିନୋଟି କୂପ ନିର୍ମାଣ ହୋଇଛି ଯାହା ସ୍ନାନ ଯୋଗ୍ୟ ନୁହେଁ । ମକର ସଂକ୍ରାନ୍ତି (ଜାନୁୟାରୀ ମାସ ମଝିଆଡ଼କୁ) ସମୟରେ ଏଠାରେ ମକର ମେଳା ଅନୁଷ୍ଠିତ ହୁଏ ଯେଉଁଥିରେ ବିପୁଳ ଜନସମାଗମ ହୋଇଥାଏ ।  ଭୁବନେଶ୍ୱରରୁ ପ୍ରାୟ ୭୦କିମି ଦୂର ବାଘମାରୀ (ଅଟ୍ରି ଉଷ୍ମପ୍ରସ୍ରବଣ) ଦେଇ ଏଇ ସ୍ଥାନକୁ ଆସି ଆଖପାଖ ଦର୍ଶନୀୟ ସ୍ଥାନ ଯଥା କଣ୍ଟିଲୋ ନୀଳମାଧବ ମନ୍ଦିର, ଖଣ୍ଡପଡ଼ା ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ, ଶରଣକୂଳ ଲଡୁବାବା ମନ୍ଦିର, ନୟାଗଡ଼ ନାରାୟଣୀ ପୀଠ ଆଦି ବୁଲି ସିଦ୍ଧାମୂଳା ନିକଟ ଗୋକୁଳାନନ୍ଦଠାରେ ବଣଭୋଜି କରିପାରିବେ ।

ଶୀତୁଆ ସକାଳର ଅଳସ ଭାଙ୍ଗି ଉଷ୍ମପ୍ରସ୍ରବଣର ଉଷ୍ମଜଳରେ ସ୍ନାନ କଲେ ସତେଜତା ଅନୁଭବ ହୁଏ ଓ ଥକାପଣ ଚାଲିଯାଏ । ଯଦି ଏସବୁ ସ୍ଥାନର ଅନୁଭୂତି ଅଙ୍ଗେନିଭେଇନାହାନ୍ତି, ତେବେ ଉପରୋକ୍ତ କୌଣସି ଏକ ସ୍ଥାନରେ ବଣଭୋଜିଟିଏ ପାଇଁ ଯୋଜନା କରନ୍ତୁ । ଆଉ ହଁ ପ୍ରକୃତିର ଏତେ ସୁନ୍ଦର ଶୋଭାରାଜି ଓ ବନ୍ଦୋବସ୍ତ ଦେଖି ଆପଣ ଥରେ ନିଶ୍ଚୟ କହିବେ “ଅତୁଳନୀୟ ମୋ ଓଡ଼ିଶା” ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments