Bhubaneswar Buzz

#OdiaPost : ତାଙ୍କ ଅବସର ଜୀବନ ଯୁବକଙ୍କ ପାଇଁ ମଧ୍ୟ ପ୍ରେରଣା । ଓଡ଼ିଆ ଭାଷାରେ ରୋଗ ସମ୍ବନ୍ଧୀୟ ଜ୍ଞାନ ଓ ସଚେତନତା ପ୍ରଚାରରେ ନିମଗ୍ନ ଡାକ୍ତର ସୁବାସ ଚନ୍ଦ୍ର ରାଉତ

ଅନେକ କୁହନ୍ତି, ‘ବୟସ ଏକ ସଂଖ୍ୟା ମାତ୍ର’ । ବାସ୍ତବରେ ତାହା ହିଁ ଦେଖିବାକୁ ମିଳିଛି । ଯେଉଁ ବୟସରେ ଲୋକେ ଚାକିରିରୁ ଅବସର ନେଇ କର୍ମ ଜଞ୍ଜାଳରୁ ମୁକ୍ତ ହୋଇ ଈଶ୍ୱରସେବା, ଧାର୍ମିକ କାର୍ଯ୍ୟରେ ମନୋନିବେଶ କରନ୍ତି, ସେ ବୟସରେ ଟେକ୍ନୋଲୋଜିକୁ ବ୍ୟବହାର କରି ଏକ ବିକଶିତ ସାମାଜ ଗଠନ ଦିଗରେ ପ୍ରତ୍ୟକ୍ଷ ଯୋଗଦାନ ଜାରିରଖିବା ବ୍ୟକ୍ତି, ଆମ ସମାଜରେ ବହୁତ କମ ଦେଖାଯାଆନ୍ତି । ଆସନ୍ତୁ ଜାଣିବା ଏପରି ଏକ ବ୍ୟକ୍ତିଙ୍କ କାହାଣୀ ଯିଏ ଅବସର ବୟସରେ କିଛି ଅସାଧାରଣ କରି ଦେଖାଇଛନ୍ତି । ଓଡ଼ିଆ ଭାଷାରେ ବୋଲି ନୁହେଁ, ଆନ୍ତର୍ଜାତିକ ସ୍ତରରେ ରେକର୍ଡ଼ ସଂଖ୍ୟକ ଚିକିତ୍ସା ସମ୍ବନ୍ଧିତ ପ୍ରସଙ୍ଗ ଲେଖି ସେ ଏବେ ଚର୍ଚ୍ଚାରେ ।
ଜନସାଧାରଣଙ୍କର ସେବାରେ ସେ ଯଥାକ୍ରମେ ଅର୍ଥୋପେଡ଼ିକ ସର୍ଜନ, ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ମୁଖ୍ୟ ଜିଲ୍ଲା ଚିକତ୍ସା ଅଧିକାରୀ ଓ କିମସ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର । କାର୍ଯ୍ୟରୁ ଅବ୍ୟାହତି ନେଇ ଡାଃ ସୁବାସ ଚନ୍ଦ୍ର ରାଉତ (୭୪) ବିଭିନ୍ନ ରୋଗ ସମ୍ବନ୍ଧରେ ଜ୍ଞାନ ଓ ସଚେତନତା ବଢ଼ାଇବାକୁ ନିଜ ଜୀବନର ମିଶନ କରିଛନ୍ତି । ନିଜ ଉଦ୍ୟମରେ ସେ ଗତ ତିନିବର୍ଷ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ଵ ରୋଗ ବିଷୟରେ ଓଡ଼ିଆ ଭାଷାରେ ପ୍ରସଙ୍ଗ ରଚନା କରି ସଚେତନତା ସୃଷ୍ଟି କରୁଛନ୍ତି । ଡାକ୍ତର ରାଉତ ୨୦୧୨ମସିହାରୁ ଦୀର୍ଘ ସମୟଧରି ଓଡ଼ିଆ ଉଇକିପିଡ଼ିଆ ସହ ସ୍ବେଚ୍ଛାସେବୀ ଭାବେ ସଂଶ୍ଳିଷ୍ଟ ଅଛନ୍ତି । ଏକାକୀ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗମାନ ତଦାରଖ କରୁଛନ୍ତି । ତାଙ୍କ ପ୍ରଚେଷ୍ଟା ଫଳରେ ଚିକିତ୍ସା ସମ୍ବନ୍ଧୀୟ ପ୍ରସଙ୍ଗମାନ ଅଦ୍ଭୁତପୂର୍ବ ବୃଦ୍ଧି ହୋଇ ରେକର୍ଡ଼ ୧୦୦୧ ସଙ୍ଖ୍ୟା ଛୁଇଁଛି । ଉଇକିମେଡ଼ିଆର ସହଯୋଗୀ ସଂସ୍ଥା ଉଇକି ମେଡ ପ୍ରୋଜେକ୍ଟ (Wiki Project Med Foundaton) ଅଧୀନରେ ଚାଲୁଥିବା ଓଵରଵିୟୁ ପ୍ରୋଜେକ୍ଟରେ ବିଶ୍ୱର ସମସ୍ତ ଆଞ୍ଚଳିକ ଭାଷାରେ ଅନୁବାଦ ହେବାକୁ ଥିବା ବଛା ପ୍ରସଙ୍ଗସମୂହକୁ ସମ୍ପୂର୍ଣ୍ଣ ଅନୁବାଦ କରି ଲକ୍ଷ୍ୟ ହାସଲ କରିବାରେ ସେ ଆନ୍ତର୍ଜାତିକ ସ୍ତରରେ ସର୍ବ ପ୍ରଥମ ହୋଇଛନ୍ତି । ଏହି କ୍ଷେତ୍ରରେ ତାଙ୍କ ପ୍ରୟାସ ଯୋଗୁଁ ଭାରତରୁ ଏକମାତ୍ର ଭାଷା ଭାବେ ଓଡ଼ିଆ ବିଶ୍ବରେ ନବମ ସ୍ଥାନ ସଂରକ୍ଷିତ ରଖିପାରିଛି ।
ତାଙ୍କର ପ୍ରସଙ୍ଗଗୁଡ଼ିକ ଏବେ or.wikipedia.org ଡେସ୍କଟପ ସାଇଟ ସହ ଦୁଇଟି ସ୍ୱତନ୍ତ୍ର ଏଣ୍ଡ୍ରଏଡ଼ ମୋବାଇଲ ଆପ (ଓଡିଆ ଭାଷାରେ – ଅଫଲାଇନ ମେଡିକାଲ ଉଇକିପିଡିଆ ଆପ ଓ ନ୍ୟୁଟ୍ରିସନ ହ୍ୟାଣ୍ଡ ବୁକ ଆପ) ମାଧ୍ୟମରେ ପ୍ରକାଶିତ ହୋଇଛି । ଏଥିପାଇଁ ତାଙ୍କୁ ସହାୟତା କରିଛନ୍ତି ଡା: ଜେମସ ହେଲମାନ ଓ କେଆଇଡବ୍ଲ୍ୟୁଆଇଏକ୍ସ (KIWIX) ଟିମ । ଉଭୟ ଆପକୁ ଗୂଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ ହୋଇପାରୁଛି । ଏହା ବିନା ମୂଲ୍ୟରେ ଏବଂ ବିନା ଇଣ୍ଟରନେଟ(ଅଫଲାଇନ)ରେ ମଧ୍ୟ ଉପଲବ୍ଧ ହେବାର ବ୍ୟବସ୍ଥା ହୋଇଛି । ଆପଗୁଡ଼ିକ ଏପରି ପ୍ରସ୍ତୁତ ହୋଇଛି ଯେପରି ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଜଣେ ଏଣ୍ଡ୍ରଏଡ଼ ଫୋନ ବ୍ୟବହାରକାରୀ ବିନା ଦେୟରେ ଏହି ଆପରୁ ପ୍ରସଙ୍ଗଗୁଡ଼ିକୁ ପଢ଼ିପାରିବ । ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏ ପ୍ରସଙ୍ଗଗୁଡ଼ିକ ଉପାଦେୟ । ଜିକା ଵାଇରସ ନିବାରଣ ବାର୍ତ୍ତା ହେଉ କି ମଧୁମେହର ପ୍ରକାର ଭେଦ ଜାଣିବା ହେଉ, କି ଡାଇରିଆର ଭୟାବହତା ଜାଣିବା ହେଉ ସରଳ ଭାଷାରେ ଲିଖିତ ତାଙ୍କ ପ୍ରସଙ୍ଗଗୁଡ଼ିକ ଅତ୍ୟନ୍ତ ତଥ୍ୟପୂର୍ଣ୍ଣ ଅଟେ । ତାଙ୍କର ଏହି ଉପଲବ୍ଧି ପାଇଁ ଉଇକି ମେଡ ପ୍ରୋଜେକ୍ଟ ତରଫରୁ ଡାଃ ଜେମ୍ସ ହେଲମାନ ତାଙ୍କୁ ୨୦୧୫, ୨୦୧୬ ଓ ୨୦୧୭ ମସିହା ନିମନ୍ତେ ସମ୍ମାନଜନକ କିଓର ପୁରସ୍କାର (Cure Award)ରେ ସମ୍ମାନିତ କରିଛନ୍ତି ।
ସେ ଉଇକି ପ୍ରୋଜେକ୍ଟ ମେଡ ଫାଉଣ୍ଡେସନ ବୋର୍ଡର ବିଶିଷ୍ଟ ଉପଦେଷ୍ଟା ଓ ଟ୍ରାନ୍ସଲେଟର ଉଇଦାଉଟ ବର୍ଡର (Translators without Borders) ସଂସ୍ଥାର ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ବାର୍ଷିକ ଉଇକିମିଡିଆ ମିଳନ ‘ଉଇକିମାନିଆ ୨୦୧୬, ୨୦୧୭ ଓ ୨୦୧୮’ ରେ ଓଡିଆ ଭାଷାର ‘ଲାଙ୍ଗୁଏଜ ଚାମ୍ପିଅନ’ ଭାବରେ ତାଙ୍କୁ ପ୍ରୋଜେକ୍ଟ କରାଯାଇଥିଲା । ଉଇକିମିଡିଆର ଅନ୍ୟାନ୍ୟ ପ୍ରୋଜେକ୍ଟରେ ତାଙ୍କର ଅବଦାନ ବ୍ୟତୀତ ଷ୍ଟୋରି ମିରର ଇଣ୍ଟରନେଟ ସାଇଟରେ ତାଙ୍କଦ୍ବାରା ଓଡିଆ ଭାଷାରେ ଲିଖିତ ଅନେକ କ୍ଷୁଦ୍ର ଗଳ୍ପ ପାଠକମାନଙ୍କଦ୍ଵାରା ବେଶ ଆଦୃତ ହୋଇଛି ।
[ଜର୍ମାନୀର ରାଇନର ହାଲାମା ତାଙ୍କ ବିଷୟରେ କହନ୍ତି, “ଆମେ କମ୍ୟୁନିଟି ଭାବରେ ତାଙ୍କର ଯତ୍ନ ନେବା, ସେମାନଙ୍କର ଆମକୁ ଅନେକ କିଛି ଦେବାର ଅଛି । (Rainer Halama – “We, as a community should nurture and pamper them. They have lots to give to us.”]
ଇଣ୍ଟରନେଟରେ ଯେକୌଣସି ଭାଷାରେ ପ୍ରସଙ୍ଗଟିଏ ଖୋଜିଲେ ଖୋଜା ଫଳାଫଳର ଶୀର୍ଷରେ ଚାଲି ଆସେ ଉଇକିପିଡ଼ିଆର ଲିଙ୍କଟିଏ । ସୀମିତ ଖୋଜା ଫଳାଫଳ ମଧ୍ୟରେ ଓଡ଼ିଆ ଭାଷାରେ ପ୍ରସଙ୍ଗଗୁଡ଼ିକର ଅଭାବକୁ ସେତେବେଳେ ଅନୁଭବ କରିପାରିଥିଲେ ଡାକ୍ତର ରାଉତ । ଉଇକିପିଡ଼ିଆ, ନିଜ ସାଇଟରେ ସଭିଙ୍କୁ ପ୍ରସଙ୍ଗ ଲେଖିବା ଓ ବଦଳାଇବାର ସୁଯୋଗ ଦେଉଥିବାରୁ ଏହା ତାଙ୍କୁ ଉତ୍ସାହିତ କରିଥିଲା । ୨୦୧୨ମସିହା ଜୁଲାଇରେ ସେ ଉଇକିପିଡ଼ିଆ ପ୍ରତି ଆକର୍ଷିତ ହୋଇ ସେଥିରେ ଓଡ଼ିଆ ଭାଷାରେ ଚିକିତ୍ସା ସମ୍ବନ୍ଧୀୟ ପ୍ରସଙ୍ଗର ଶୁନ୍ୟସ୍ଥାନ ପୂରଣ କରିବାକୁ ଆଗେଇ ଆସିଲେ । ନିଜ ଭାଷାର ବୈଷୟିକ କ୍ଷେତ୍ରରେ ବିକାଶ କରିବା ସହ ନିଜ ବୃତ୍ତିଗତ ଜ୍ଞାନର ପରିପ୍ରକାଶ ତଥା ଆଞ୍ଚଳିକ ଭାଷାରେ ଚିକିତ୍ସା ସମ୍ଭନ୍ଧୀୟ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ, ସେ ନୂଆ ଏକ ସମ୍ଭାବନା କ୍ଷେତ୍ରରେ ଲମ୍ଫ ଦେଇଥିଲେ । ମ୍ୟାଲେରିଆ ପ୍ରସଙ୍ଗରୁ ଲେଖା ଆରମ୍ଭ ହୋଇ ତାଙ୍କ ଅବଦାନ ସଂଖ୍ୟା ୨୦୧୮ ଅକ୍ଟୋବର ସୁଦ୍ଧା ୧୦୦୧ ଅଙ୍କ ଛୁଇଁଛି । ପ୍ରସଙ୍ଗଗୁଡ଼ିକୁ ପୂରା କରିବା ସମୟ ସାପେକ୍ଷ ହୋଇଥିଲେ ହେଁ ଦୈନିକ ଗୋଟିଏ ଗୋଟିଏ ଉପାଦେୟ ପ୍ରସଙ୍ଗ ସମ୍ପୂର୍ଣ୍ଣ କରିବା ଅଦ୍ୟାବଧି ଜାରି ରଖିଛନ୍ତି ସେ । ପ୍ରତିବଦ୍ଧତା ଏବଂ ନିରନ୍ତର ପରିଶ୍ରମ ତାଙ୍କ ସଫଳତାର ମୂଳମନ୍ତ୍ର । ସେ ଆରମ୍ଭ କରିଥିବା କାର୍ଯ୍ୟ କେଉଁଠି ଶେଷ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଏକ କୀର୍ତ୍ତିମାନ ହେବ ନିଶ୍ଚୟ ।

Comments

comments