Bhubaneswar Buzz

#OdiaPost କାଞ୍ଜିଅଁଳା – ଅଜବ ଏ ପୂଜା କାଞ୍ଜି, ଚକୁଳି ଓ ମାଛ ତରକାରୀରେ ଥାଏ ମଜା

କାଞ୍ଜିଅଁଳା ଓଡ଼ିଆ ଘରେ ଏକ ସ୍ୱତନ୍ତ୍ର ପର୍ବ । ମାର୍ଗଶିର କୃଷ୍ଣପକ୍ଷ ନବମୀ ତିଥିରେ ସଞ୍ଜରେ ଅଗଣାରେ ପୂଜା ଆରମ୍ଭ ହୁଏ । ୭ଟି ପିତା ଶୁଖୁଆକୁ ବୋହୁ ମନେକରି ହଳଦୀ ପାଟ ପିନ୍ଧାଇ କଦଳୀ ପତ୍ରରେ ଥୋଇ ପୂଜା କରାଯାଏ । ଘରର ବୋହୂମାନେ ଶଙ୍ଖ ବଜାଇ ହୁଳହୁଳି ପକାଇ ବନ୍ଦାପନା କରନ୍ତି । ଗାଁ ଗହଳିରେ ଫଳନ୍ତା ଧାନ ଗଛ ଓ ଜିଆନ୍ତା ଚେଙ୍ଗ ମାଛ ବି ପୂଜା କରାଯାଏ । ତୋରାଣି କାଞ୍ଜି,  ଚକୁଳି ଓ ପୋଇ ମାଛ ତିଅଣ ଭୋଗ ହୁଏ । ସମସ୍ତେ ଆନନ୍ଦ ମାନରେ ଏକାଠି ଖାଆନ୍ତି । ଅଜବ ଲାଗୁଥାଇ ପାରେ କିନ୍ତୁ କାଞ୍ଜି ଅଁଳା ଏକ କୃଷି ଭତ୍ତିକ ପର୍ବ । ଫସଲ ଅମଳର ଗୁରୁତ୍ତ୍ଵ ଓ ଆନନ୍ଦ ଏଥିରେ ପରିଲକ୍ଷିତ ହୁଏ । ଏହାକୁ ପାଳନ କଲେ ପରିବାରରେ ସନ୍ତାନ ବୃଦ୍ଧି ହୁଅନ୍ତି ତଥା ସେମାନଙ୍କର ମଙ୍ଗଳ ହୁଏ ବୋଲି  କେହି କେହି କୁହନ୍ତି । ଯେଉଁ ସ୍ତ୍ରୀମାନଙ୍କର ବାରମ୍ବାର ଗର୍ଭ ନଷ୍ଟ ହେଉଥାଏ, ଏହି ଦିନ ଷଠିବୁଢ଼ୀଙ୍କୁ ଉପବାସ ରଖି ପୂଜା କରନ୍ତି । କାଞ୍ଜି ଅଁଳା ଓଷା କରୁଥିବା ସ୍ତ୍ରୀ ଲୋକର ଘରେ ସବୁ ଉନ୍ନତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ।

ଓଡ଼ିଶାର ଘରେ ଘରେ କାଞ୍ଜିକୁ ଏକ ଉତ୍କୃଷ୍ଟ ପାନୀୟ ଭାବେ ବିଚାର କରାଯାଏ । ଓଷାରେ ବ୍ୟବହୃତ ହେଉଥିବା କାଞ୍ଜିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ । ଭାତ ରାନ୍ଧି ସାରି ତାକୁ ପଖାଳି ସେଇ ତୋରାଣିକୁ କ୍ରମାଗତ ଦୁଇ ତିନି ଦିନ ଧରି ସଂଗୃହିତ କରି ସେଥିରେ ହଳଦୀ ଲୁଣ, ମୂଳା, ସାରୁ ଏବଂ ଅନ୍ୟାନ୍ୟ ମୂଳା ଜାତୀୟ ପରିବା ପକାଇ ତାକୁ ସିଝାଯାଏ । ତାକୁ ଭୃଶଙ୍ଗ ପତ୍ରରେ ଫୁଟାଇ ଗରମ ଗରମ ଖିଆଯାଏ । କାଞ୍ଜି ହଜମକାରକ ହୋଇଥିବାରୁ ରକ୍ତ ସଂଚାଳନରେ ଲାଭକାରୀ ହୋଇଥାଏ ।

ଓଷାର ଉଦ୍ଦେଶ୍ୟ ସେ ଯାହାବି ହେଉ ସମସ୍ତଙ୍କ ମନ କିନ୍ତୁ କାଞ୍ଜି, ଗରମ ଗରମ ଚକୁଳି ଓ ସୁସ୍ୱାଦୁ ମାଛ ତରକାରୀ ଉପରେ ଥାଏ । ଆପଣଙ୍କୁ କାଞ୍ଜିଅଅଁଳା ଶୁଭେଚ୍ଛା ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments