Bhubaneswar Buzz

କୁଣ୍ଢାକୁଣ୍ଢି ଵା କୁଣ୍ଢି କାଞ୍ଚି ଅମାଵାସ୍ୟା

କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଘରେ ପାଳନ ହୋଇଥାଏ ଅତିକମରେ ଚାରିଟିରୁ ପାଞ୍ଚଟି ପର୍ଵ। ସମଗ୍ର ଓଡ଼ିଶାର ପର୍ଵପର୍ଵଣି କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏହି ପରି ଏକ ପର୍ବ ହେଉଛି ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡ଼ିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଶ୍ରୀ ମନ୍ଦିର ସତ୍ତ୍ୱଲିପି ଅନୁସାରେ ଏହି ଦିନ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଏହି ଦିନରେ ଏକ ପିଠା ଭୋଗ ହୋଇଥାଏ । ଯହିଁ ରେ ସାତ ପରସ୍ତ ପୁର ମତାନ୍ତରେ ସାତ ପ୍ରକାର ପୁର ଦିଆ ଯାଇଥାଏ। ତେଣୁ ଏହାର ନାମ ସପ୍ତପୁରୀ ଅମାଵାସ୍ୟା ।ପଶ୍ଚିମ ଓଡ଼ିଶାରେ ବିଶେଷ କରି ସୋନପୁର ,ଜୁନାଗଡ଼ ଆଦି ଅଞ୍ଚଳ ରେ ଏହାକୁ ପୂରା ଉଆଁସ ବା କାଞ୍ଚିକୁଣ୍ଢି ପର୍ବ କୁହନ୍ତି । ଏ ଦିନ ସେଠାରେ ଛୋଟ ଛୁଆମାନେ ଗାଈ, ବଳଦ, ଘୋଡ଼ା ଆଦି କାଠ ତିଆରି ଖେଳନା ବାଉଁଶ ତିଆରି କୁଲାରେ ନେଇ ଏକ ଜାଗାରେ ଖେଳନ୍ତି । ଏହାକୁ କୌଶୀ ଅମାବାସ୍ୟା ବି କୁହାଯାଏ । ତେଣୁ କରି ପିତୃ ତର୍ପଣ ନିମିତ୍ତ କୁଶ ଆଜି ସଂଗ୍ରହ କରାଯାଏ । ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ବିଧି ରହିଛି । ସମଗ୍ର ଦକ୍ଷିଣ ଓଡ଼ିଶାରେ ଏହି ଦିନଟି କୁଣ୍ଢାକୁଣ୍ଢି ଅମାବାସ୍ୟା ଭାବେ ଖୁବ୍ ପରିଚିତ । ପ୍ରଥମେ କୁଣ୍ଢାକୁଣ୍ଢି ଶୁଣିଲେ ମନକୁ କୋଳାଗ୍ରତ ଅବା ଆଲିଙ୍ଗନ ଶବ୍ଦଟି ଆସେ । କିନ୍ତୁ ଏଠାରେ ଏହାର ଅର୍ଥ ତାହା ନୁହେଁ । ସାମାଜିକ ଦୃଷ୍ଟିକୋଣରୁ ଏହି ପର୍ବ ବିଶ୍ୱାସର ପର୍ବ ରୂପେ ଜଣାଯାଏ । ଏହି ଦିନ ଗୟା ଶ୍ରାଦ୍ଧ ବା ଜଗନ୍ନାଥ ଦର୍ଶନ ଲାଗି ପରିଣତ ବୟସର ଲୋକ ମାନେ ତିର୍ଥାଟନରେ ବାହାରୁ ଥିଲେ । ଯାତ୍ରା ପୁର୍ବରୁ ନିଜ ଧନ ସମ୍ପତ୍ତି ଆଦି ଅଞ୍ଚଳର ଗୁଣୀ, ଧନୀ ବା ପ୍ରତିପତ୍ତି ଥିବା ବ୍ୟକ୍ତିଙ୍କ ଘରେ ରଖି ଯାଉଥିଲେ । ପୁଣି ତୀର୍ଥରୁ ଫେରିଲେ ସେ ଜିନିଷ ସବୁ ଫେରସ୍ତ ନେଉଥିଲେ । ଦୈବାତ୍ କାହାର ଯଦି ମୃତ୍ୟୁ ହୋଇଯାଏ, ତେବେ ତାହା ଉକ୍ତ ପରିବାରର ଉତ୍ତର ଦାୟାଦ ମାନେ ପାଉଥିଲେ । ଏହା ଆମ ସମାଜର ବିଶ୍ୱସନୀୟତାର ପରିଚାୟକ । କେହି କେତେବେଳେ ଆଗାମୀ ଦିନରେ ଏହି ନ୍ୟସ୍ତ ଧନ ଦେବାରେ ପଛଘୁଞ୍ଚା କରିପାରେ ଏଥିଲାଗି, ଏହି ଅମାବାସ୍ୟା ଦିନ ସନ୍ଧ୍ୟାରେ ନିଜ ସମସ୍ତ ଆୟଅଳଙ୍କାର ମାନ ଘରର ଝିଅ, ବୋହୂ ମାନଙ୍କୁ ପିନ୍ଧାଇ ସାହିରେ ସାତ ଘରେ ବୁଲାଇ ଆଣୁଥିଲେ । ଭବିଷ୍ୟତରେ କିଛି ମତାନ୍ତର ବା ଦ୍ଵନ୍ଦ ଉଭା ହେଲେ ସାହି ପଡୋଶୀ ସାତ ଘର ବିଶ୍ୱାସର ଏହି ପ୍ରଥାକୁ ସାକ୍ଷ୍ୟ ହିସାବରେ ରଖୁଥିଲେ । ପ୍ରାଚୀନ ଦକ୍ଷିଣ ଓଡିଶା ଉପଭାଷାରେ କୁଣ୍ଢା ଅର୍ଥ ମାଟି ହାଣ୍ଡି, କୁଣ୍ଢି ଅର୍ଥ ପନିକୀ ବୋଲି ପଣ୍ଡିତ ଯୁଗଳ କିଶୋର ପାଣିଗ୍ରାହୀ ମତ ଦିଅନ୍ତି । ଘରର ଯେଉଁ ବଡ଼ ଲୋକ ମାନେ ଏହି ଦିନ ତୀର୍ଥ ଭ୍ରମଣରେ ବାହାରନ୍ତି ସେମାନେ ସାଥିରେ ବାଟରେ ରୋଷେଇ ପାଈଁ ହାଣ୍ଡି, ପନିପରିବା ଓ ତାକୁ କାଟିବାକୁ ପନିକୀ ଓ ଅବଶ୍ୟକ ଗୃହ ଉପକରଣ ଘେନି ଯାଆନ୍ତି । ହେଲେ ଫେରିଲା ବେଳେ କେତେକ ଫେରନ୍ତି ଆଉ କେତେକ ବାହୁଡ଼ନ୍ତି ନାହିଁ । ସେହି ପୁର୍ବଜଙ୍କ ସ୍ମୃତି ଚାରଣ କରିବା ପାଇଁ ଏହି ଦିନ ଘରର ଛୋଟ ମାନେ ମାଟିରେ ତିଆରି ଗୃହ ଉପକରଣ ଯଥା ହାଣ୍ଡି(କୁଣ୍ଢା), ବେଲା, ଚଢୁଆ, ଗିନା, ପନିକୀ(କୁଣ୍ଢି) ମତାନ୍ତରେ ପାତ୍ର ଭଳି ଜିନିଷ ତିଆରି କରି ପୂଜା କରନ୍ତି । ତେଣୁ କରି ଏହାର ନାମ କୁଣ୍ଢାକୁଣ୍ଢି / କୁ

ପୁଣି ଏହି ଦିନ ଯେହେତୁ ବୟୋଜ୍ୟେଷ୍ଠ ଲୋକ ମାନେ ଘର ଛାଡ଼ି ଯାଆନ୍ତି । ଘରେ ଥିବା ଛୁଆ ମାନଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଷଠି ଠାକୁରାଣୀଙ୍କୁ ପୂଜା କରି ଘରୁ ବାହାରନ୍ତି । ସେଦିନ ଛୋଟ ଛୋଟ ଝିଅ ମାନେ ସଜବାଜ ହୋଇ ଦକ୍ଷିଣ ଓଡିଶା ରେ ପରିଚିତ ପିଠା ଓ ମିଠା ସାହି ର ସାତ ଘରେ ଗୀତ ଗାନ କରି ବାଣ୍ଟି ଥାଆନ୍ତି। ଉଖୁର ଖଜା, ରାଶି ଖଜା, ମୁଗୁଡ଼ି ଖଜା, ଠୁଲୁକା, ପାଗ ଉଖୁଡା ଓ ଚଲ୍ଲା ଆଦି ଏହି ଉତ୍ସବ ର ପ୍ରଧାନ ପିଠାପଣା। ଗୀତ ବୋଲି ଗାଆନ୍ତି:

“ଓଡ଼ିଶାକୁ ଯିବି ବୋଲି ପିନ୍ଧିଥିଲି ପାଟ

ଓଡିଶାର ଲୋକେ ନ ଛାଡ଼ିଲେ ବାଟ ।

ଆସ ଗୋ ଗଙ୍ଗା ଯିବା, ଗୟା ଯିବା, ଜଗନ୍ନାଥ ଦରଶନ କରିବା ।

ଏହି ପରମ୍ପରା କେଉଁ କାଳରୁ ଦକ୍ଷିଣ ଓଡିଶା ରେ ପ୍ରଚଳିତ ହୋଇ ଆସୁଅଛି । ଇତିହାସ କୁହେ ପଣ୍ଡିତ ଗୋପବନ୍ଧୁ ଦାସ ଥରେ ପ୍ରାଚୀନ ଗଞ୍ଜାମ ଜିଲ୍ଲାର ପାରଳା ସହର ଆସିଥିବା ସମୟରେ ଏହି ପର୍ବଟି ପଡ଼ିଥିଲା । ସେ ଏହି ବିଷୟରେ ଅବଗତ ନଥିଲେ, ସେଠାରେ ଥିବା ଆନନ୍ଦ ମଠରେ ଗୋପବନ୍ଧୁଙ୍କ ରହଣି ସମୟରେ କିଛି ଲୋକ ଆସି ଜାତିପ୍ରାଣ ଆପନ୍ନା ପାରିଚ୍ଛାଙ୍କୁ କିଛି ଗଣ୍ଠିଲି ଦେଇ ଯାଆନ୍ତି । ପରିଚ୍ଛା ମହୋଦୟ ତାକୁ ଏକ କଠୋରୀରେ ରଖିଆସି ଉକ୍ତ ବ୍ୟକ୍ତିଙ୍କୁ “ରହିଲା” ବୋଲି ଉତ୍ତର ଦିଅନ୍ତି । ପରେ ଏ ବିଷୟରେ ପଣ୍ଡିତ ଗୋପବନ୍ଧୁ ଆପନ୍ନାଙ୍କୁ ପଚାରନ୍ତେ ସେ କୁଣ୍ଢାକୁଣ୍ଢି ଅମାବାସ୍ୟା ବିଷୟରେ ବିସ୍ତାର କରି କୁହନ୍ତି । ଏହା ଶୁଣି ଗୋପବନ୍ଧୁ ଉକ୍ତ ପରମ୍ପରାକୁ ଆଦିମ କାଳର ” insurance” ବା ବୀମା ବୋଲି ତୁଳନା କରିଥିଲେ । ଏହି ସଂକ୍ରାନ୍ତରେ ଲେଖକ ବିଷ୍ଣୁ ଚରଣ ମହାନ୍ତି ତାଙ୍କ ସ୍ଵଲିଖିତ ପୁସ୍ତକରେ ସ୍ଥାନ ଦେଇଛନ୍ତି । ଆଜି କାଲି ଆଉ ସେ କାଳର ବିଶ୍ଵସନୀୟତା ନାହିଁ କି ଆଉ ସେ ପ୍ରଥା ନାହିଁ । ସମୟର ପ୍ରବାହରେ ଏହି ଉଚ୍ଚ ପରମ୍ପରାଟି କ୍ଷୟ ହୋଇଛି । କର୍ପୁର ଉଡ଼ି ଯାଇଛି, କେବଳ କନା ଖଣ୍ଡେ ପଡ଼ି ରହିଲା ଭଳି କିଛି ଅଞ୍ଚଳରେ ଏହି ପର୍ବ କେବଳ ବିଧିକୁ ବଞ୍ଚାଇବା ପାଈଁ ନୂଆଁ ମାଟି ଖେଳନା ପୂଜା , ପିଠା ପଣା ଓ ଷଠି ଠାକୁରାଣୀ ଉପାସନାରେ ସୀମିତ ହୋଇ ରହିଛି ।

ଲେଖିଛନ୍ତି: ବିଷ୍ଣୁମୋହନ ଅଧିକାରୀ, ପାରଳାଖେମୁଣ୍ଡି

Comments

comments