Bhubaneswar Buzz

#OdiaPostAt11 ବଇଆଳିଶିବାଟିର ଏହି ଗଙ୍ଗେଶ୍ଵରୀ ଦେଉଳରୁ ହୋଇଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପରିକଳ୍ପନା -#ବିଶ୍ଵଐତିହ୍ୟଦିବସ ଅବସରରେ ଆମ ପ୍ରସ୍ତୁତି

Picture Courtesy : Ashish Sarangi

Did you know Gangeswari Mandir was built as a model replica for the gigantic Konark sun temple? Read more below:

ପୁରୀ ଜିଲ୍ଲା କୋଣାର୍କ ଠାରେ ସୂର୍ଯ୍ୟ ମନ୍ଦିର ସମେତ ଅଖଣ୍ଡେଶ୍ଵର ମନ୍ଦିର, ଅମରେଶ୍ଵର, ଦୁର୍ଗା, ଗଙ୍ଗେଶ୍ଵରୀ, କେନ୍ଦୁଳି, ଲକ୍ଷ୍ମୀନାରାୟଣ, ମଙ୍ଗଳା ଓ ନୀଳମାଧବ ମନ୍ଦିର ସମୁହ ଐତିହସ୍ଥଳ ରୂପେ ମାନ୍ୟତା ପାଇଛି ।

ବଇଆଳିଶିବାଟିର ଏହି ଗଙ୍ଗେଶ୍ଵରୀ ଦେଉଳଟି ଅତି ପ୍ରାଚୀନ । ଏହି ମନ୍ଦିର ଏକାଦଶ ଶତାବ୍ଦୀ କିମ୍ବା ଆହୁରି ପୁରୁଣା ବୋଲି ଜଣାଯାଏ । ଏହା ଗଙ୍ଗ ବଂଶୀୟ ରଜାଙ୍କ ଦ୍ଵାରା ନିର୍ମାଣ କରାଯାଇଥିବାରୁ ଏହି ଦେଉଳର ଏପରି ନାମକରଣ ହୋଇଛି । କଳିଙ୍ଗ ସ୍ଥପତି କଳା ଆଧାରରେ ଏହା ଏକ ପିଢ଼ା ଦେଉଳ । ଏହାର ଜଗମୋହନ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଜଗମୋହନ ପରି (ପିରମିଡ଼ ସଦୃଶ ) ଅଟେ । ଯାହା ଏହି ଦେଉଳଗୁଡ଼ିକର ସମସାମୟିକର ସୂଚନା ଦିଏ । ଏହା ଦେଖିବାକୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟର ଅନୁରୂପ । ଯେହେତୁ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରେ ସେଠାରେ ସମରୂପୀ କୌଣସି ମନ୍ଦିର ସ୍ଥାପନା ହୋଇନଥିଲା, କୋଣାର୍କ ମନ୍ଦିରର ପରିକଳ୍ପନା ଏଥିରୁ  ହୋଇଥିଲା ବୋଲି ଅନେକ ଐତିହାସିକ ମତ ଦିଅନ୍ତି । ଏହି ସ୍ଥାନରେ ବସି ଶିଳ୍ପୀମାନେ କୋଣାର୍କ ଦେଉଳର ନକ୍ସା ପ୍ରସ୍ତୁତ କରିଥିଲେ ବୋଲି ଲୋକ ଲୋଚନରେ ଶୁଣାଯାଏ । ଗଙ୍ଗବଂଶୀ ତାଙ୍କ ଇଷ୍ଟଦେବୀ ଗଙ୍ଗେଶ୍ଵରୀଙ୍କୁ ଏଇଠି ସ୍ଥାପନା କରିଥିଲେ  । ଠାକୁରାଣୀ ଗଙ୍ଗେଶ୍ଵରୀଙ୍କ ଏହି ଦେଉଳଟି ଜରାଜିଣ୍ଣ ଅବସ୍ଥାରେ ଏବେ ବି ଅଛି । ପୂଜା ବିଧି ମଧ୍ୟ ଚାଲୁ ରହିଛି । ସାମନାରେ ବିଶାଳ ଏକ ପୋଖରୀ ଅଛି ଓ ପଛରେ ଏକ ନାଳ ଅଛି । ଏହି ନାଳ ନୌକା ଜଳପଥ ଭାବେ ପୂର୍ବରୁ ବ୍ୟବହୃତ ହେଉଥିଲା । ଏହି ଐତିହ୍ୟସ୍ଥଳୀ ଏବେ ଅଦରକାରୀ ହୋଇ ପଡ଼ିରହିଛି । ଅବଶ୍ୟ ଏବେ ଏହାର ସରଂକ୍ଷଣ କାର୍ଯ୍ୟ ରାଜ୍ୟ ପ୍ରତ୍ନତାତ୍ତ୍ବିକ ବିଭାଗ ହାତକୁ ନେଇଛନ୍ତି ।

କୋଣାର୍କର ମୁଖ୍ୟ ମନ୍ଦିର ଭାଙ୍ଗି ଯାଇଥିବାରୁ ପ୍ରକୃତ କୋଣାର୍କ ମନ୍ଦିରର ପ୍ରତିକୃତି କିପରି ଥିଲା ଜାଣିବା ପାଇଁ ଦର୍ଶକମାନେ ଏଠାକୁ ଅସିଥାନ୍ତି । ଏହା କୋଣାର୍କ ନିକଟବର୍ତ୍ତି ବଇଆଳିଶବାଟି ଠାରେ ଅବସ୍ଥିତ । ପିପିଲିରୁ ୨୮ କିମି ଓ କୋଣାର୍କରୁ ପାଖାପାଖି ୨୦ କିମି ଦୂରରେ ଏହା ଅବସ୍ଥିତ । କୋଣାର୍କରୁ ଗୋପ ରାସ୍ତାରେ ପଡ଼େ ବେଗୁନିଆ ଛକ । ସେଇଠୁ ମାତ୍ର ତିନି କିଲୋମିଟର ଭିତରକୁ ଗଲେ ପଡ଼େ ଏହି ଗଂଗେଶ୍ଵରୀ ଦେଉଳ । ଏଠାରେ ସୂଚନା ଫଳକଟିଏ ନାହିଁ କି ଦିଗ ବାରେଣୀ ସ୍ଥମ୍ଭଟିଏ ବି ନାହିଁ । ପଚାରି ପଚାରି ଏହି ସ୍ଥାନ କୁ ଆସିବାକୁ ପଡ଼େ । କୋଣାର୍କ ବୁଲି ଆସିଥିବା ଉତ୍ସୁକ ଦର୍ଶନାର୍ଥୀ, ଐତିହାସିକ, ଗବେଷକମାନେ ଏହି ସ୍ଥାନକୁ ଆସିବାକୁ ଜମାରୁ ଭୁଲି ନଥାନ୍ତି ।

ସୂଚନା ଥାଉ କି ଅବକ୍ଷୟ ହୋଇ ଆସୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରର କଳାକୃତି ବଞ୍ଚାଇରଖିବା ପାଇଁ ଏବଂ ଦର୍ଶକମାନଙ୍କ ଆଗ୍ରହକୁ ଦେଖି କୋଣାର୍କ ଠାରେ ସୂର୍ଯ୍ୟ ମନ୍ଦିରର ଏକ କ୍ଷୁଦ୍ର ପ୍ରତିକୃତି ନିର୍ମାଣ ପାଇଁ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦ୍ବାରା ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ସରକାରଙ୍କ ଆନ୍ତରିକତା ନଥିବାରୁ ଏହାର ନିର୍ମାଣ ଆରମ୍ଭ ହୋଇ ପାରିନଥିଲା । କୋଣାର୍କର ମୁଖ୍ୟ ମନ୍ଦିରକୁ ଦେଖିବାର ଅଭିଳାଷ ବିଶ୍ଵର ପ୍ରତ୍ୟେକ ପର୍ଯ୍ୟଟକ ମନରେ ଥାଏ । ତେବେ ଏହି ଦେଉଳକି ଆସି ନିଜର ଜିଜ୍ଞାସୁ ମନକୁ ସନ୍ତୁଷ୍ଟ କରିପାରିବେ ।

 

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments