Bhubaneswar Buzz

#OdiaPost : ଲକ୍ଷେ ଲକ୍ଷ୍ମୀପାଦ ଝୋଟି ଓ ଲକ୍ଷ୍ମୀ ପୁରାଣ ପାଠ – ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତି

ଝୋଟି ଓଡ଼ିଆ ଚଳଣିରେ ଏକ ହାତକଳା । ଓଡ଼ିଶାର ପ୍ରତି ପର୍ବପର୍ବାଣି, ପୂଜା ବ୍ରତ ଓ ଓଷାରେ ଓଡ଼ିଆଣୀମାନେ ପାରମ୍ପରିକ ଭାବେ ଘର ଲିପା ପୋଛା କରି ଝୋଟି ଚିତା ଓ ମୁରୁଜ ଅଙ୍କନ କରନ୍ତି । ଲକ୍ଷ୍ମୀଙ୍କୁ ଆବାହନ ପାଇଁ ମାର୍ଗଶୀର ମାସ ପ୍ରତି ଗୁରୁବାର ଦିନ ଘରେ ଘରେ ଦାଣ୍ଡ ଦୁଆରୁ ଲକ୍ଷ୍ମୀଙ୍କ ଆସ୍ଥାନ ପର୍ଯ୍ୟନ୍ତ ଝୋଟିମାନ ଅଙ୍କାଯାଇଥିବାର ଦେଖିବାକୁ ମିଳେ ।
ଝୋଟିର ଇତିହାସ ପ୍ରାୟ ୮୦୦ବର୍ଷର ବୋଲି କୁହନ୍ତି ଗବେଷକ । କିନ୍ତୁ ଓଡ଼ିଶାରେ ଧାନ ଚାଷ ବିକଶିତ ହେବା ପରଠୁ ଝୋଟି ଚିତାର ଉତ୍ପତ୍ତି ବୋଲି ଅନେକ କୁହନ୍ତି । ଆଦିବାସୀ ସଂସ୍କୃତିରେ ସାଉରା ମାନଙ୍କ ଇଡ଼ିତାଲ ବା ଆନିତାଲ ଝୋଟିର ଭିନ୍ନ ଏକ ରୂପ । ସଂସ୍କୃତି ସହ କଳା, ସୃଜନୀ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ଝୋଟି । ଓଡ଼ିଆ ପର୍ବପର୍ବାଣିମାନଙ୍କରେ ଯେମିତି ଧାନ ଚାଉଳର ପ୍ରାଧାନ୍ୟ ଦେଖିବାକୁ ମିଳେ ସେମିତି ଚିତ୍ରକଳାରେ ମଧ୍ୟ ଯୋଡ଼ି ହୋଇଛି । ଝୋଟି ପକାଇବା ପାଇଁ ଚାଉଳବଟା ପତଳା ପିଠଉ/ପେଷ୍ଟ ବ୍ୟବହାର କରାଯାଏ ।

ଝୋଟି ଚିତା ମୁରୁଜର ପ୍ରଚାର ପ୍ରସାର ସହ ଏହାକୁ ଏକ ସାଂସ୍କୃତିକ ମର୍ଯ୍ୟଦା ଦେବାପାଇଁ ଦୀର୍ଘ ଏକ ଦଶନ୍ଧି ଧରି ବାଲେଶ୍ୱରର ସଂସ୍କୃତିପ୍ରେମୀମାନେ ଝୋଟି ଚିତାର ମୌଳିକତା ରକ୍ଷା କରିବା ସହ ଜନ ସଚେତନତା ଓ ଏହାର ପ୍ରଚାର ପ୍ରସାର କାର୍ଯ୍ୟ ହାତକୁ ନେଇଛନ୍ତି । ଗତ ଦୁଇ ବର୍ଷଧରି ବାଲେଶ୍ୱରର ସଂସ୍କୃତିପ୍ରେମୀ ତଥା ଝୋଟି ଶିଳ୍ପୀଙ୍କ ନେଇ ଝୋଟି କଳାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଲକ୍ଷେ ଲକ୍ଷ୍ମୀପାଦ ଝୋଟି ପ୍ରତିଯୋଗିତା ଓ ପ୍ରଦର୍ଶନୀ କରି ଆସୁଛନ୍ତି । ଚଳିତ ବର୍ଷ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ, ନୋସି ଫାଉଣ୍ଡେସନର କେଶୁ ଦାସ ଓ ତାଙ୍କ ଦଳ ଏଥିରେ ଲକ୍ଷ୍ମୀ ପୁରାଣ ପାଠ ସମ୍ମିଳିତ କରି ଲିମକା ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ପ୍ରତିବର୍ଷ ପରି ମାର୍ଗଶୀର ମାସ ପଞ୍ଚମ ଗୁରୁବାର (୨୦୧୬ ପାଇଁ ୧୫ ଡିସେମ୍ବର) ଦିବସବ୍ୟାପି ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜନେସ ପାର୍କ ପରିସରସ୍ଥ ଉତ୍କଳା ମଣ୍ଡପରେ ଏହି ପ୍ରତିଯୋଗିତା ଆୟୋଜନ ହେଉଛି । ଦିନ ୧୦.୩୦ରୁ ଆରମ୍ଭ ହୋଇ ସଂଧ୍ୟା ୫.୩୦  ପର୍ଯ୍ୟନ୍ତ ଚାଲୁରହିବ । ଏଥିରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ବାଲେଶ୍ୱର ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ଓ ସଂସ୍କୃତିପ୍ରେମୀଙ୍କୁ ଉତ୍ସାହିତ କରିବେ ।

KEsudas 1lakh Lakshmi pada jhoti competition6

ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀ, ସଚେତନତା ପ୍ରସାର କରୁଥିବା ଆୟୋଜକଙ୍କୁ  ଆମେ ଶୁଭକାମନା ଜଣାଉଛୁ । ପ୍ରଥା,ପରମ୍ପରା ଓ ପରିପାଟୀ ମଧ୍ୟରେ ବଞ୍ଚିରହିଥିବା ଓଡ଼ିଆଙ୍କର ପରିଚୟ ସହ ଭାଷା,ସଂସ୍କୃତି ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟ ପ୍ରତିଟି ଓଡ଼ିଆର ହେବା ଉଚିତ ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments