Bhubaneswar Buzz

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା ପରେ ଓଡ଼ିଆତ୍ୱ ହନନପାଇଁ ଇଂରେଜ ସରକାରଙ୍କ ଦ୍ଵାରା ସୃଷ୍ଟି କରାଯାଇଥିବା ମାନଵୀକୃତ ନ’ଅଙ୍କ ଦୁର୍ଭିକ୍ଷର ପରଵର୍ତ୍ତୀ ପଦକ୍ଷେପ ଥିଲା ଓଡ଼ିଆରେ ଶିକ୍ଷାଵ୍ୟଵସ୍ଥାକୁ ବନ୍ଦକରିବା । ଏହି ସମୟରେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷାପାଇଁ କନ୍ଧମାଳର କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ଦେଵ ପ୍ରଥମକରି ଓଡ଼ିଆମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ । ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭଵ କଲେ ଯେ ଓଡ଼ିଆ ଅଞ୍ଚଳକୁ ଏକ ଶାସନାଧୀନ କରିବାପାଇଁ ଏହି ଅଞ୍ଚଳର ଅଧିଵାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନକଲେ ଐତିହାସିକ ଗୌରଵମୟ ଓଡ଼ିଶା ଭୂଖଣ୍ଡର ଵୀର ଉତ୍ତରାଧିକାରୀ ଯେପରି ଇଂରେଜ ଚକ୍ରାନ୍ତରେ ପୋକମାଛି ଭଳି ମରୁଛନ୍ତି, ଏମାନଙ୍କପରେ ଆଉ କାହା ଚକ୍ରାନ୍ତରେ ନିଜର ସତ୍ତା ହରାଇ ବସିବେ ।

ଏପର୍ଯ୍ୟନ୍ତ ପାରମ୍ପରିକ ଶିକ୍ଷାବ୍ୟବସ୍ଥାକୁ ଗ୍ରହଣ କରିଅାସୁଥିବା ଓଡ଼ିଶାରେ ନିଜ ଶିକ୍ଷାପଦ୍ଧତି ପ୍ରଚଳନପାଇଁ ତତ୍କାଳୀନ ଇଂରେଜ ଶାସକ ହାର୍ଡିଂଜ, ଵିଦ୍ୟାଳୟ ସଂଖ୍ୟାବୃଦ୍ଧି କରିଚାଲିଲେ । ଏଥିପାଇଁ ଓଡ଼ିଆ ପାଠ୍ୟପୁସ୍ତକ ମୁଦ୍ରଣ ଜାଣିଶୁଣି କରାଗଲାନାହିଁ । ଓଡ଼ିଆ ପୁସ୍ତକର ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନାପାଇଁ ସରକାର ଉତ୍ସାହିତ ନକରିବାରୁ, ବଙ୍ଗଳା ପୁସ୍ତକ ଓଡ଼ିଆ ବିଦ୍ୟାଳୟରେ ସରକାରୀ ବିନା ଆଦେଶରେ ପ୍ରଚଳିତ ହେଲା ।ଫଳରେ ଏହିସବୁ ସ୍କୁଲର ଵିଦ୍ୟାର୍ଥୀ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଦକ୍ଷ ନଥିବାରୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ । ଇଂରାଜୀ ଢାଞ୍ଚାରେ ସ୍ଥାପିତ ଵିଦ୍ୟାଳୟମାନଙ୍କରେ ବଙ୍ଗଳା ପୁସ୍ତକ ପ୍ରଚଳନ କରାଯାଇ ବଙ୍ଗ-ଓଡ଼ିଆ ମିଶ୍ରିତ ଶିକ୍ଷାଦାନ କରାଯାଉଥିବା ସମୟରେ, ଓଡ଼ିଶାରେ ଅନ୍ୟାନ୍ୟ ଶିକ୍ଷା ଵ୍ୟଵସ୍ଥା ଯଥା- ଗ୍ରାମାଞ୍ଚଳ ଓ ସହରମାନଙ୍କରେ ମାଟିବଂଶ ଅଵଧାନଙ୍କଦ୍ୱାରା ଚାଟଶାଳୀ ଶିକ୍ଷା ଦିଆଯାଉଥିଲା । ଦ୍ୱିଭାଷିକ ଶିକ୍ଷାବ୍ୟବସ୍ଥାର ମଧ୍ୟରୁ ଓଡ଼ିଆରେ ପଢ଼ାଇବା ଉଚିତ ନୁହେଁ ବୋଲି କେତେକ ଅଧିକାରୀ ଯୁକ୍ତି ବାଢ଼ିଲେ । ତେଣୁ ଏହି ସୀମିତ ପରିସର ମଧ୍ୟରେ ସାମୟିକ ଭାବେ ଶିକ୍ଷାର ମାଧ୍ୟମ ଭାବେ ଵ୍ୟଵହୃତ ବଙ୍ଗଳାଭାଷାକୁ ଓଡ଼ିଆଜାତିର ଭାଷା ଭାବେ ସରକାରୀ ଘୋଷଣା କରିବାପାଇଁ ଉଦ୍ୟମ ହେଲା ।

ଦୁର୍ଭାଗ୍ୟକୁ ୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ପୁଣିଥରେ ଦେଖାଦେଲା । ୧୮୯୪ରେ ସମ୍ବଲପୁରକୁ ରେଳପଥ ନିର୍ମାଣହେବା ପରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳ ମାଧ୍ୟମରେ ପଠାଇଦିଆଗଲା ।ଇଂରେଜ ସରକାରଙ୍କଦ୍ୱାରା ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇନଥିଲା । ଖାଦ୍ୟ ରପ୍ତାନୀହାର ଏଭଳି ମାତ୍ରାରେ ବୃଦ୍ଧି ପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା ।ଏଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୬୨ହଜାର ୯୨୪ଜଣ ଓଡ଼ିଆ ପ୍ରାଣ ହରାଇଥିବାବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଗଲେ । ଏମାନେ ସରକାରଙ୍କୁ ବିଭିନ୍ନ ନିଵେଦନ ଓଡ଼ିଆରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହିସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫାଇଲ ତଳେ ଲୁଚାଇ ରଖିଦେଉଥିଲେ । ସମ୍ବଲପୁର ଅଞ୍ଚଳରେ ୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତା ଓଡ଼ିଆ ଭାଷାରେ ଶାସନ ଲାଗୁ କରାଯିବା ପାଇଁ ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ଇଂରେଜ ସରକାରଙ୍କ ନିକଟରେ ଦୃଢ଼ ଦାବୀ କଲେ ।

ଇଂରେଜ ଆକ୍ରୋଶ, ନ’ଅଙ୍କ ଦୁର୍ଭିକ୍ଷ ଦାଉ ସାଧିବା ବେଳେ ପଡ଼ୋଶୀ ମଧ୍ୟ ରଚିଲେ ଓଡ଼ିଆ ଭାଷା ହତ୍ୟାର ଷଡ଼ଯନ୍ତ୍ର ।

କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ: “ଓଡ଼ିଶା ଏକ ସ୍ୱତନ୍ତ୍ର ଭାଷା ନୁହେଁ ବରଂ ବଙ୍ଗଳାର ଏକ ଉପଭାଷା ।”

ରାଜକୃଷ୍ଣ ମୁଖୋପାଧ୍ୟୟ: “ଶିକ୍ଷା କ୍ଷେତ୍ରରେ ବଙ୍ଗାଳୀ ଭାଷା ପ୍ରଣୟନ ହେଉ ।”

ରାଜେନ୍ଦ୍ରଲାଲ ମିତ୍ର: “ଓଡ଼ିଆ ଭାଷା ବିଲୁପ୍ତ ନହେବା ଯାଏଁ ଓଡ଼ିଶାର ଉନ୍ନତି ନାହିଁ ।”

ଉମାଚରଣ ହଲଦାର: “ଓଡ଼ିଆ ଭାଷାକୁ ବଙ୍ଗଳା ଭାଷାରେ ଲେଖାଯାଉ।”

ତତ୍କାଳୀନ ଦକ୍ଷିଣ-ପଶ୍ଚିମ ଡିଭିଜନର ସ୍କୁଲ ଇନ୍ସପେକ୍ଟର ଆର.ଏଲ. ମାର୍ଟିିନ: “ବର୍ତ୍ତମାନ ବଙ୍ଗଳାଭାଷା ସହିତ ଓଡ଼ିଆକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।” ଏଥି ସହିତ ବଙ୍ଗଳା ଭଳି ଉନ୍ନତ ଭାଷାକୁ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିନେବା ଉଚିତ । “ଯେଉଁ ଓଡ଼ିଆଛାତ୍ର ବଙ୍ଗଳାଭାଷା ଜାଣିନାହାନ୍ତି, ସେମାନଙ୍କୁ ଭର୍ଣ୍ଣାକୁଲାର ପରୀକ୍ଷା ଉତ୍ତୀର୍ଣ୍ଣ ବୃତ୍ତି ମିଳିବନାହିଁ ।”

ଵାରମ୍ବାର ଏପରି ଆଘାତରେ ଓଡ଼ିଆମାନେ ସ୍ୱାଭିମାନ ହରାଇଲେ । ଠିକ ଏଇ ସମୟରେ ଭାଷାର ମୂଲ୍ୟ ଓ ଓଡ଼ିଶାଵାସୀଙ୍କ ଦୁଃଖ ବୁଝିପାରିଥିଲେ କିଛି ଇଂରେଜ ପ୍ରଶାସକ ।

ଲର୍ଡ କର୍ଜନ: “ଭାଷା, ଚଳଣି କୌଣସିରେ ସମ୍ବନ୍ଧ ନ ଥିବା ଦୁଇଜାତିକୁ ଏକାଠି ରଖିବା ଠିକ ନୁହେଁ । ଉଭୟ ପ୍ରଦେଶ ପର୍ଵତ ଓ ନଦୀଦ୍ୱାରା ପରସ୍ପର ଅଲଗାହୋଇ ରହିଛି । ଆମେ ଏପର୍ଯ୍ୟନ୍ତ ଏ ଵ୍ୟଵଧାନ ଦୂର କରିବାପାଇଁ ରେଳରାସ୍ତାଟିଏ ମଧ୍ୟ ତିଆରି କରିପାରୁ ନାହୁଁ । ମୁଁ ଭବିଷ୍ୟତବାଣୀ କରିପାରେ ଯେ, ଏ ଭୁଲ କଦାପି ଦୀର୍ଘକାଳ ରହିବ ନାହିଁ । ଓଡ଼ିଆମାନେ ତୀବ୍ର ଆନ୍ଦୋଳନ ନ କରିବା ହେତୁ ଆଜି ତାଙ୍କର ସ୍ୱାର୍ଥକୁ ବଳି ଦିଆଗଲା।”

ତତ୍କାଳୀନ ଓଡ଼ିଶା କମିଶନର ଆର.ଏନ. ସୋର ସରକାରଙ୍କୁ ଵିରୋଧ କରି ଲେଖିଲେ: “ବଙ୍ଗଳାପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆଛାତ୍ରଙ୍କୁ ବଙ୍ଗଳାଭାଷାରେ ପରୀକ୍ଷା ଦେବାକୁ ବାଧ୍ୟ କଲେ ଏମାନଙ୍କପାଇଁ ଵିଶ୍ୱଵିଦ୍ୟାଳୟର ପଥ ସବୁଦିନପାଇଁ ବନ୍ଦ ହୋଇଯିବ ।”

ଜନ ବିମସ: “ଓଡ଼ିଆ ବ୍ୟାକରଣ ସଂସ୍କୃତ ଅନୁସାରୀ ଏବଂ ଓଡ଼ିଆ ଧ୍ବନିରେ ଅଧିକାଂଶ ସଂସ୍କୃତଧ୍ବନି ଅପରିବର୍ତ୍ତିତ ରହିଛି । ଓଡ଼ିଆ ଭାଷା ସଂସ୍କୃତ ଭାଷାର ନିକଟତର ତଥା ଅନ୍ୟାନ୍ୟ ଆର୍ଯ୍ୟଭାଷା ସହିତ ଏହାର ଅନେକ ସାମଞ୍ଜସ୍ୟ ରହିଛି । ତେଣୁ ଏହା ଶାସ୍ତ୍ରାନୁମୋଦିତ ଆର୍ଯ୍ୟଭାଷା ।”

ସାର ଜର୍ଜ ଆବ୍ରାହମ ଗ୍ରୀୟରସନ: “ଓଡ଼ିଆ ଭାଷା ଶାସ୍ତ୍ରୀୟ ଆହରଣ ଶୈଳୀରେ ସମୃଦ୍ଧ ହୋଇଥିବାରୁ ଓଡ଼ିଆ ଶବ୍ଦ ସମ୍ଭାର ବଙ୍ଗଳା, ହିନ୍ଦୀ, ଅସମୀୟା ଓ ତେଲୁଗୁ ପ୍ରଭୃତି ଭାଷାଠାରୁ ବୃହତ । ଓଡ଼ିଆ ଭାଷାର ଵ୍ୟାକରଣ ପ୍ରାଚୀନ ସଂସ୍କୃତ ଭାଷାର ଵ୍ୟାକରଣ ଠାରୁ ପ୍ରାଚୀନତର, ଅର୍ଥାତ ଵୈଦିକ ସଂସ୍କୃତସମ ।”

ରେଭେନ୍ସା ସାହେବ: “ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ସ୍କୁଲ ଶିକ୍ଷକ, ଡେପୁଟି ଇନ୍ସପେକ୍ଟର ଇତ୍ୟାଦି ହେଉଛନ୍ତି ବଙ୍ଗାଳୀ । ତେଣୁ ସ୍ୱାଭାବିକ ଭାବରେ ନିଜଭାଷା ପ୍ରଚଳନପାଇଁ ଏମାନେ ଆଗ୍ରହୀ ଅଛନ୍ତି । ଫଳରେ ଓଡ଼ିଆ ସଂପୂର୍ଣ୍ଣ ରୂପେ ଅବହେଳିତ । ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ଵିସ୍ତାର କରିବା ଆମର ମୌଳିକ ଲକ୍ଷ୍ୟ, ତେବେ ବିକଳ୍ପ ବଙ୍ଗଳାଭାଷାର ପ୍ରଚଳନ ଏ କ୍ଷେତ୍ରରେ ସଂପୂର୍ଣ୍ଣ କ୍ଷତିକାରକ।”

ମାର୍ଟିନ ସାହେବ: “ଓଡ଼ିଶାର ଶିକ୍ଷାବିଭାଗ ଉତ୍ତର ଜିଲ୍ଲା ବଙ୍ଗ ପ୍ରଦେଶର, ଦକ୍ଷିଣରେ ଥିବା ଜିଲ୍ଲା ମାନ୍ଦ୍ରାଜ ପ୍ରଦେଶର ଓ ପଶ୍ଚିମରେ ଥିବା ଜିଲ୍ଲା ମଧ୍ୟପ୍ରଦେଶର ଇନ୍ସପେକ୍ଟରଙ୍କଦ୍ୱାରା ପରିଚାଳିତ ହେଉଥିବାରୁ ଏହି କର୍ମଚାରୀମାନେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସ୍କୁଲ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହାଫଳରେ ଏହି ତିନୋଟି ଭାଷା ଉନ୍ନତ ହେବା ସହିତ ଓଡ଼ିଆର ଅଵନତି ଘଟୁଛି । ତେଣୁ ଶିକ୍ଷା ଦୃଷ୍ଟିରୁ ଏମାନେ ଅନ୍ୟ ଭାଷାଠାରୁ ନିମ୍ନରେ ରହିବାକୁ ବାଧ୍ୟହୁଅନ୍ତି । ଫଳସ୍ୱରୂପ ଓଡ଼ିଶାର ସମସ୍ତ ଚାକିରିଵୃତ୍ତି ଏହି ଉଚ୍ଚଶିକ୍ଷିତ ଅଣଓଡ଼ିଆଙ୍କ ହସ୍ତଗତ ହୋଇଥାଏ ।” ଓଡ଼ିଆଭଳି ସମୃଦ୍ଧଭାଷାକୁ ସ୍କୁଲ ଶିକ୍ଷାରେ ପ୍ରଚଳନ ତଥା ଓଡ଼ିଆ ପାଠ୍ୟପୁସ୍ତକ ଅଭାବର ତତ୍କାଳ ସମାଧାନପାଇଁ ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ସହିତ ଓଡ଼ିଆ ଅନୁଵାଦ କରିବା ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ହୋଇପଡ଼ିଛି।

ବଙ୍ଗଳାଭାଷାରେ ବଙ୍ଗାଳୀମାନେ ପାଶ୍ କରି ଚାକିରି ପାଉଥିବାବେଳେ ଓଡ଼ିଆମାନେ ଅକୃତକାର୍ଯ୍ୟ ହୋଇ ସରକାରୀ ନିଯୁକ୍ତିରୁ ଯେଉଁ ବଞ୍ଚିତ ହେଉଛନ୍ତି, ତାହା ଆଉ ଘଟିବ ନାହିଁ । ବରଂ ଓଡ଼ିଶାମାଟିରେ ଓଡ଼ିଆଙ୍କୁ ପ୍ରଶାସନ କାର୍ଯ୍ୟରେ ନିୟୋଜିତ କରି ଶାସନ ପ୍ରଣାଳୀକୁ ଆହୁରି ସ୍ଥାୟୀ ଓ ସୁଦୃଢ଼ କରିପାରିବା।”

ଅକ୍ଟୋବର ୧୯୦୧ରେ ଆଣ୍ଡ୍ୟୁ ଫ୍ରେଜର ମତାମତ ଦେବାପରେ ବଡ଼ଲାଟ ଲର୍ଡ କର୍ଜନଙ୍କ ଆଦେଶାନୁସାରେ ୧ଜାନୁଆରୀ୧୯୦୩ରୁ ଓଡ଼ିଆ ସମ୍ବଲପୁରରେ ଲାଗୁ ହେବା ସହ ୫୦ଟି ପ୍ରାଥମିକ ଵିଦ୍ୟାଳୟରେ ଓଡ଼ିଆଶିକ୍ଷା ପ୍ରଚଳନ ହେଲା ।

ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍‍ ସହାୟକ ସିଦ୍ଧ ହେଲା । ବଙ୍ଗଭଙ୍ଗ ବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ଓଡ଼ିଆ ଭାଷାଭାଷୀ କ୍ଷେତ୍ରକୁ ମିଶାଇ ଏକ କରିବା ପାଇଁ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାକୁ ୧୯୦୩ରେ ଡକାହେଲା ଉତ୍କଳ ସମ୍ମିଳନୀ । ଓଡ଼ିଆଙ୍କଠାରେ ଜାତୀୟ ଚେତନା ଜାଗରଣ ପୂର୍ବକ ଭାତୃଭାଵ ଵିକଶିତ କରିବା ଓ ଓଡ଼ିଶାର ସର୍ଵାଙ୍ଗୀନ ଵିକାଶପାଇଁ କିଛି ଚିନ୍ତାନାୟକ ତିଆରି କରିବା ସହିତ ଓଡ଼ିଆ ଯୁଵପ୍ରାଣଙ୍କ ମଧ୍ୟରେ ଓଡ଼ିଆତ୍ୱର ନଵଉନ୍ମାଦନା ସୃଷ୍ଟିକରି ଜାତୀୟ ଜୀଵନକୁ ଅତୀତ ଭଳି ଶକ୍ତିଶାଳି କରି ଗଢ଼ିତୋଳିବା ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ।

୧୯୧୧ରେ ପଞ୍ଚଶଖାଙ୍କଦ୍ୱାରା ଗଢ଼ିଉଠିଲା ଆଦର୍ଶ ସତ୍ୟଵାଦୀ ଵନ ଵିଦ୍ୟାଳୟ । ଏହା ହେଲା ଭାରତର ପ୍ରଥମ ମୁକ୍ତ ଵିଦ୍ୟାଳୟ । ମୁକ୍ତାକାଶ ତଳେ ଶିକ୍ଷା ପ୍ରଦାନ କରି ଓଡ଼ିଆଜାତିର ଉପଯୁକ୍ତ ଉତ୍ତରଦାୟାଦ ତିଅାରି କରିବା ଥିଲା ଏହାର ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ଯଦିଓ ସମ୍ପୂର୍ଣ୍ଣ ସଫଳ ହୋଇପାରିନଥିଲା, ମାତ୍ର ତତ୍କାଳୀନ ଯୁଵପ୍ରାଣରେ ଭାଷା ଓ ଜାତିପ୍ରୀତିର ମନ୍ତ୍ର ଫୁଙ୍କିବାରେ ଏହା ସଫଳ ହୋଇଥିଲା । ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ପ୍ରଚଳନ ପରେ ଓଡ଼ିଶା ଏକତ୍ର କରାଯାଇ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବା ପଥ ପରିଷ୍କାର ହୋଇଅାସୁଥିଲା । ୧୯୦୩ରେ ଅାରମ୍ଭ ହୋଇଥିବା ଜାତୀୟତାବାଦୀ ଅାନ୍ଦୋଳନ ଧୀରେଧୀରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲା । ଏହି ସମୟର ଶିକ୍ଷିତ ଯୁଵସମାଜ ନେତୃତ୍ୱ ପ୍ରତି ସାଧାରଣ ଜନତାଙ୍କ ଅାସ୍ଥା ବୃଦ୍ଧିପାଇବାରେ ଲାଗିଲା ।
ଆମ ପୂର୍ଵସୁରୀଙ୍କ ଅକ୍ଲାନ୍ତ ସଂଘର୍ଷ ପରେ ୧୯୩୬ରେ ଆମେ ପାଇଲୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଯାହା ବୋଲାଇଲା ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ । ଓଡ଼ିଆ ଭାଷାକୁ ରକ୍ଷା କରି ଆନ୍ଦୋଳନ କରାଇ ମହାମନିଷୀ ବ୍ୟାସ କବି ଫକୀର ମୋହନ, ଉତ୍କଳ ଗୌରବ ମଧୁସୂଦନ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଆହୁରି ଅନେକାଦିଙ୍କ ଚେଷ୍ଟା ଓ ସଂଘର୍ଷ ଅତୁଳନୀୟ । ଏମାନଙ୍କ ଚେଷ୍ଟା ବିନା ଓଡ଼ିଆ ଜାତିର ଓ ଓଡ଼ିଶାର ଅସ୍ତିତ୍ବ ରକ୍ଷା ଅସମ୍ଭବ ଥିଲା।

୧୯୪୭ ମସିହାରେ ଭାରତ ସ୍ୱାଧୀନତା ହେବା ପରେ ସ୍ୱାଧୀନ ଭାରତର ସାମ୍ବିଧାନିକ ଭାଷା ଭାବରେ ଓଡ଼ିଆ ଗ୍ରହଣ କରାଗଲା । ଏହି ଅନୁସାରେ ୧୯୫୪ ମସିହାରେ ଓଡ଼ିଶା ସରକାରୀ ଭାଷା ଅାଇନ ଓଡ଼ିଶା ଵିଧାନସଭାରେ ଗୃହୀତ କରାଗଲା । ୩ ଅଗଷ୍ଟ ୧୯୬୪ରେ ଭାରତର ପ୍ରଥମରାଜ୍ୟ ଭାବରେ ଓଡ଼ିଶା ଇଂରାଜୀଭାଷାକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶା ସରକାରୀ ସଂକେତ ଗୃହୀତ କରାଇଲା । ଏଥିରେ “ଓଡ଼ିଶା ଶାସନ” ଓଡ଼ିଆ ଓ ନାଗରି ଲିପିରେ ଲେଖିବାଦ୍ୱାରା ରାଜ୍ୟସରକାର ଓଡ଼ିଆରେ ସବୁକାମ କରିବାପାଇଁ ଯେ ବଦ୍ଧପରିକର, ତାହା ପୁଣିଥରେ ପ୍ରମାଣିତ ହେଲା ।

ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ଵୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଅାଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରପାଇଁ ୧୯୮୫ରେ ଏକ ସର୍ଵେକ୍ଷଣ କରିଥିଲେ । ପ୍ରଥମ ଥର ସର୍ଵେକ୍ଷଣରେ ଏହା ପ୍ରତିଶତ ୬୦ ଥିଲା । ଏହାକୁ ୧୦୦ପ୍ରତିଶତ କରିବାପାଇଁ ଓଡ଼ିଆ ଅାଇନ- ୧୯୫୪ର ପ୍ରଥମ ସଂଶୋଧନ ଅାଣିଲେ । ତେବେ କେଵଳ ଓଡ଼ିଆ ଟାଇପ ମେସିନ ପ୍ରସ୍ତୁତି ଓ କିଛି ଚିଠି ଵ୍ୟତୀତ ଅାଉ କିଛି କରିପାରିନଥିଲେ । ଏହାଙ୍କପରେ ୧୯୮୯ ମସିହାରେ ଵିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଓଡ଼ିଆରେ ସରକାରୀ କାମ ପ୍ରାୟତଃ ବନ୍ଦ ହୋଇଯାଇଥିଲା । ୧୯୯୫ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟବାର ମୁଖ୍ୟମନ୍ତ୍ରୀ ହେବାପରେ ପୁନର୍ଵାର ସର୍ଵେକ୍ଷଣ କରିବାପରେ ଜଣାପଡ଼ିଥିଲା ଯେ ଓଡ଼ିଆ ଭାଷାର ସରକାରୀ ସ୍ତରରେ ଵ୍ୟଵହାର ପୂର୍ଵାପେକ୍ଷା ୧୦ ପ୍ରତିଶତ ହ୍ରାସ ହୋଇଛି । ଏଥର ସେ ଓଡ଼ିଆରେ ସରକାରୀ କାମପାଇଁ ଚିଠି ଲେଖିବା ସହ ଓଡ଼ିଆରେ ଫାଇଲ ନଅାସିଲେ ଫେରାଇ ଦେଉଥିଲେ । ଜନକୀଙ୍କ କ୍ଷମତା ଚାଲିଯିବା ପରେ ବର୍ଷକୁ ବର୍ଷ ଓଡ଼ିଆ ଭାଷାର ବ୍ୟବହାର ସଙ୍କୁଚିତ ହେବାକୁ ବସିଲା ।

ଓଡ଼ିଆ ସଙ୍ଗୀତ, ଚଳଚ୍ଚିତ୍ର, ଟେଲିଵିଜନ ଜଗତକୁ ହିନ୍ଦୀ ଭାଷା କଵଳିତ କଲା । ନିରୁପାୟ ଜନତା ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ପ୍ରତି ଆକୃଷ୍ଟ ହେଲେ । ଏପଟେ ଭାଷା ବଞ୍ଚାଇବା ପାଇଁ ବେସରକାରୀ ସଂଗଠନମାନ ଆଗେଇ ଆସିବା ମାତୃଭାଷା ବଞ୍ଚାଇବାର ଏକମାତ୍ର ବିକଳ୍ପ ଥିଲା । ବେସରକାରୀ ସଂଗଠନଙ୍କ ପ୍ରଚେଷ୍ଟାରେ ୨୦୧୪ ଫେବୃଆରୀ ୨୧ତାରିଖରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଘୋଷଣା ହେଲା । ଭାରତର ଅନ୍ୟ ୫ଟି ଭାଷା ସହ ଉତ୍ତର ଭାରତରୁ ଏକମାତ୍ର ଭାଷା ରୂପେ ଶାସ୍ତ୍ରୀୟ ମର୍ଯ୍ୟଦା ପାଇଲା । ଏଥିରୁ ପ୍ରମାଣିତ ହେଲା ଓଡ଼ିଆ ଏକ ସ୍ୱତନ୍ତ୍ର ପ୍ରାଚୀନ ଭାଷା ।

ମାନ୍ୟତା ପାଇବା ପରେ ବିତିଗଲା ୪ ବର୍ଷ…

ତଥାପି ଉଚିତ ଦଣ୍ଡବିଧାନ ନଥିବାରୁ ସରକାରୀ ସ୍ତରରେ ଓଡ଼ିଆ ପ୍ରଚଳନ ବାଧ୍ୟ ହୋଇପାରିନଥିଲା । ସରକାରୀ କାର୍ଯ୍ୟାଳୟମାନ ଯଥା ସମ୍ଭବ ଓଡ଼ିଆ ପ୍ରଚଳନଠାରୁ ଦୂରେଇ ରହିଥିଲେ । ଉଚିତ ଦଣ୍ଡଵିଧାନ ଆଇନ ଆସିଲେ ଓଡ଼ିଆ ଵ୍ୟଵହାର ସୁନିଶ୍ଚିତ ହୋଇପାରିବ ବୋଲି ଦାବୀ ଉଠିଲା । ଦୀର୍ଘ ଦୁଇ ଵର୍ଷ ଧରି ଭାଷା ଆନ୍ଦୋଳନକାରୀଦ୍ୱାରା ଦୈନିକ ନିରଵ କଳାପତାକା ପଟୁଆର ଜରିଆରେ ଏହି ଦାବୀ ହୋଇଆସୁଛି ।

ଏବେ ୨୦୧୮ ମସିହା…

ନ’ଅଙ୍କ ଦୁର୍ଭିକ୍ଷ ପରଠୁ ବିତିଯାଇଛି ୧୫୨ ବର୍ଷ

ଶାସନ ଭାର ଆମ ହାତରେ ଥାଇ ବି…

ତଥାପି ଆମକୁ ଅପେକ୍ଷା ଅଛି…

କେବେ ହେବ ଓଡ଼ିଆରେ ଶାସନ ?

କିପରି ବଞ୍ଚିରହିବ ଆମ ମାତୃଭାଷା ଓଡ଼ିଆ ?

 

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments