Bhubaneswar Buzz

 #OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା

— ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଭୀମସେନୀ / ପାଣ୍ଡବ ଏକାଦଶୀ ବ୍ରତ କଥା —
ଭୀମ ବ୍ୟାସଙ୍କୁ କହିଲେ ହେ ପିତାମହ, ଭ୍ରାତା ଯୁଧିଷ୍ଟିର, ମାତା କୁନ୍ତୀ, ଦ୍ରୌପଦୀ, ଅର୍ଜୁନ, ନକୁଳ ଏବଂ ସହଦେବ ଆଦି ସଭିଏଁ ଏକାଦଶୀ ବ୍ରତ କରିବାକୁ କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ କହୁଛି ଯେ ଭାଇ ମୁଁ ଭଗବାନଙ୍କର ଶକ୍ତି ପୂଜା ଆଦି କରିପାରିବି, ଦାନ ବି ଦେଇପାରିବି କିନ୍ତୁ ଭୋଜନ ବିନା ରହିପାରିବି ନାହିଁ ।

ବ୍ୟାସ କହିଲେ ହେ ଭୀମସେନ, ଯଦି ତୁମେ ନର୍କକୁ ଖରାପ ଓ ସ୍ୱର୍ଗକୁ ଭଲ ମଣୁଛ, ପ୍ରତିମାସର ଦୁଇ ଏକାଦଶୀରେ ଅନ୍ନ ଖାଅନାହିଁ । ଭୀମ କହିଲେ, ପିତାମହ, ମୁଁ ତ ପ୍ରଥମରୁ କହି ରଖିଛି କି ମୁଁ ଭୋକ ସହି ପାରେନା । ଯଦି ବର୍ଷରେ କେଉଁ ଗୋଟିଏ ବ୍ରତ ରଖିବା ପାଇଁ କହୁଛନ୍ତି ତେବେ ମୁଁ ରଖିପାରିବି କାରଣ ମୋ ପେଟରେ ବୃକ ନାମକ ଅଗ୍ନି ଅଛି ଯେଉଁଥି ପାଇଁ ମୁଁ ଭୋଜନ ବିନା ରହିପାରିବିନି । ଭୋଜନ ପରେ ତାହା ଶାନ୍ତ ହୁଏ । ଏଇଥିପାଇଁ ପୂରା ଉପବାସ କଣ କେଭେ ଭୋଜନ ବିନା ରହିପାରିବି ନାହିଁ  ।

ଅର୍ଥାତ ଆପଣ ମୋତେ ଏମିତି ଏକ ବ୍ରତ କଥା କୁହନ୍ତୁ ଯାହା ବର୍ଷକରେ ମାତ୍ର ଥରେ କରିବାକୁ ପଡ଼ୁଥିବ ଆଉ ତାକୁ ପାଳନ କରି ମୁଁ ସ୍ୱର୍ଗପ୍ରାପ୍ତ କରିପାରିବି ।
ବ୍ୟାସ କହିଲେ, ପୁତ୍ର! ବଡ଼ ବଡ଼ ଋଷିଗଣ ବହୁତ ଶାସ୍ତ୍ର ଆଦି ରଚନା କରି ଯାଇଛନ୍ତି ଯେଉଁଥିରେ କୁହାଯାଇଛି ବିନା ଧନରେ ସ୍ୱଳ୍ପ ପରିଶ୍ରମ କରି ସ୍ୱର୍ଗ ପ୍ରାପ୍ତି କରିହେବ । ଶାସ୍ତ୍ରରେ କୁହାଯାଇଛି ଯେ ଦୁଇ ପକ୍ଷର ଏକାଦଶୀ ବ୍ରତ ମୁକ୍ତି ପାଇଁ ପାଳନ କରାଯାଏ ।
ବ୍ୟାସଙ୍କ କଥା ଶୁଣି ଭୀମ ନର୍କକୁ ଯିବା ଭୟରେ ଚିନ୍ତିତ ହେଲେ ଓ କହିଲେ ଏବେ ମୁଁ କଣ କରିପାରିବି? ମାସରେ ଦୁଇଟି ବ୍ରତ ମୁଁ କରିପାରିବି ନାହିଁ । ବର୍ଷରେ କେବଳ ଗୋଟିଏ ବ୍ରତ କରିବା ପାଇଁ ପ୍ରଯତ୍ନ ଅବଶ୍ୟ କରିପାରିବି । ଅର୍ଥାତ ବର୍ଷରେ ଥରେ ବ୍ରତ କରି ଯଦି ମୋତେ ମୁକ୍ତି ପ୍ରାପ୍ତ ହୋଇପାରିବ, ସେମିତି କିଛି ବ୍ରତଟିଏ କୁହନ୍ତୁ ।

ଏହା ଶୁଣି ବ୍ୟାସ କହିଲେ ବୃଷଭ ଓ ମିଥୁନ ସଂକ୍ରାନ୍ତି ମଝିରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ପଡ଼େ, ତାହାର ନାମ ନିର୍ଜଳା ଅଟେ । ତୁମେ ସେହି ବ୍ରତ କର । ଏହି ଏକାଦଶୀରେ ସ୍ନାନ ଓ ଆଚମନ ବ୍ୟତୀତ ଜଳ ବର୍ଜିତ ଅଟେ । ଆଚମନରେ ଜଳ ୬ମାସରୁ ଅଧିକ ହେବା ଉଚିତ ନୁହେଁ ନଚେତ ତାହା ମଦ୍ୟପାନ ସଦୃଶ ହୋଇଯାଏ । ଏହିଦିନ ଭୋଜନ କରାଯାଏ ନାହିଁ କାରଣ ଭୋଜନ କଲେ ବ୍ରତ ନଷ୍ଟ ହୁଏ ।
ଯଦି ଏକାଦଶୀର ସୂର୍ଯ୍ୟୋଦୟରୁ ଦ୍ୱାଦଶୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଜଳ ଗ୍ରହଣ କରିବ ନାହିଁ ତେବେ ସମ୍ପୂର୍ଣ୍ଣ ଏକାଦଶୀ ଫଳ ପ୍ରାପ୍ତ ହୁଏ । ଦ୍ୱାଦଶୀ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ବ୍ରାହ୍ମଣଙ୍କୁ ଦାନ ଆଦି ଦେବା ଉଚିତ । ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ ଦେଇ ଆପଣ ଭୋଜନ କରିବା ଉଚିତ । ଏହାର ଫଳ ପୂରା ବର୍ଷର ସମ୍ପୂର୍ଣ୍ଣ ଏକାଦଶୀ ସମାନ ଅଟେ ।

ବ୍ୟାସ କୁହନ୍ତି ହେ ଭୀମସେନ! ଗୋଟିଏ ଏକାଦଶୀର ପୁଣ୍ୟ ସମସ୍ତ ତୀର୍ଥ ଏବଂ ଦାନଠାରୁ ଅଧିକ । କେବଳ ଗୋଟିଏ ଦିନ ମଣିଷ ନିର୍ଜଳା ରହିଲେ ପାପରୁ ମୁକ୍ତ ହୋଇଯାଏ ।

ଏହି ପ୍ରକାରେ ବ୍ୟାସଙ୍କ ପରାମର୍ଶ କ୍ରମେ ଭୀମ ଏହି ବ୍ରତ କଲେ । ସେଥିପାଇଁ ଏହି ବ୍ରତର ନାମ ଭୀମସେନ ବା ପାଣ୍ଡବ ଏକାଦଶୀ ମଧ୍ୟ କୁହାଯାଏ । ନିର୍ଜଳା ବ୍ରତ ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କର କି ହେ ଭଗବାନ! ଆଜି ମୁଁ ନିର୍ଜଳା ବ୍ରତ କରୁଅଛି, ପର ଦିନ ଭୋଜନ କରିବି । ମୁଁ ଏହି ବ୍ରତକୁ ଶ୍ରଦ୍ଧା ପୂର୍ବକ କରିବି, ଏଣୁ ଆପଣଙ୍କ କୃପାରୁ ମୋ ପାପ ସବୁ ନଷ୍ଟ ହେଇଯାଉ ।
ପୌରାଣିକ ମତେ ଯେଉଁ ବ୍ୟକ୍ତି ଏହି ବ୍ରତ କରିଥାନ୍ତି ସେ ବିଷ୍ଣୁ ଲୋକ ପ୍ରାପ୍ତ ହୁଅନ୍ତି । ଯେଉଁ ବ୍ୟକ୍ତି ଏହିଦିନ ଅନ୍ନ ସେବନ କରନ୍ତି ସେ ଚଣ୍ଡାଳ ସମାନ ଅଟନ୍ତି । ସେ ନର୍କକୁ ଗମନ କରନ୍ତି । ବ୍ରତ କରିଥିବା ବ୍ୟକ୍ତି ବ୍ରହ୍ମହତ୍ୟା, ମଦ୍ୟପାନ, ଚୋରି, ଗୁରୁ ଦ୍ଵେଷ କରିଥିଲେ ମଧ୍ୟ ବ୍ରତ ପ୍ରଭାବରେ ସ୍ୱର୍ଗ ପ୍ରାପ୍ତି ହୋଇପାରନ୍ତି ।

ହେ କୁନ୍ତୀ ପୁତ୍ର, ଯେଉଁ ପୁରୁଷ ବା ସ୍ତ୍ରୀ ଶ୍ରଦ୍ଧା ପୂର୍ବକ ଏହି ବ୍ରତ କରନ୍ତି ତାଙ୍କୁ ଏହି କର୍ମ ସବୁ କରିବା ଉଚିତ । ପ୍ରଥମେ ଭଗବାନଙ୍କୁ ପୂଜା, ଗୋଦାନ, ବ୍ରାହ୍ମଣଙ୍କୁ ମିଷ୍ଠାନ୍ନ ଓ ଦକ୍ଷିଣା ତଥା ଜଳ ପୂର୍ଣ୍ଣ କଳସ ଦାନ ଦେବା ଉଚିତ । ନିର୍ଜଳା ଦିନ ଅନ୍ନ, ବସ୍ତ୍ର, ଉପହାନ (ଜୋତା ଚପଲ ) ଆଦି ଦାନ କରିବା ଉଚିତ । ଭକ୍ତିପୂର୍ବକ ପାଣ୍ଡବଙ୍କ ଏହି କଥା ବସ୍ତୁ ଶ୍ରବଣ କରିବା ଉଚିତ ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments