Bhubaneswar Buzz

#OdiaPost ଜଗତ ଉଦ୍ଧାର ବାର୍ତ୍ତା ଆଣିଥିଲେ ଭୀମ ଭୋଇ

ଭୀମ ଭୋଇ ଥିଲେ ଆଧ୍ୟାତ୍ମବାଦୀ ବ୍ରହ୍ମବାଦୀ ଚେତନା, ନିର୍ବିକାର ଉପାସନାର ପୂଜାରୀ । ସେ ତତ୍କାଳୀନ ସମୟରେ ସାରା ବିଶ୍ୱରେ ଆଧ୍ୟାତ୍ମିକବାଦୀ ପ୍ରକାଣ୍ଡ ଅଧିକାରୀ ଥିଲେ । ମାନବ ଜାତି ପାଇଁ ତାଙ୍କ ଜୀବନ ଉତ୍ସର୍ଗ ଥିଲା । ତାଙ୍କ ଦ୍ୱାରା ପ୍ରଚାରିତ ମହିମା ଧର୍ମ, ବ୍ରାହ୍ମସମାଜ, ପ୍ରାର୍ଥନା ସମାଜ ଓ ଆର୍ଯ୍ୟ ସମାଜର ସମସାମୟିକ ଭାବେ ସମାଜ ସଂସ୍କାର ଆନ୍ଦୋଳନରେ ସାମିଲ ହୋଇ ଯୁଗ ଧର୍ମ ଭାବେ ଉଭା ହୋଇଥିଲା । ଜାତି ବିଭେଦ ଭଳି କୁତ୍ସିତ ଚିନ୍ତାଧାରା ହଟାଇ ମହିମା ଧର୍ମ ଲୋକଧର୍ମ ଆଖ୍ୟା ପାଇଥିଲା  । ଆଜକୁ ଦୁଇ ହଜାର ବର୍ଷ ପୂର୍ବେ ଆବିର୍ଭାବ ହୋଇଥିବା ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ ଯୀଶୁଙ୍କଠାରୁ କୌଣସି ଗୁଣରେ କମ ନଥିଲେ ଭୀମ ଭୋଇ । ଜଣେ ଅନ୍ଧ ହୋଇ ମଧ୍ୟ ଧର୍ମ ଦର୍ଶନ ବାଢ଼ିଯାଇଥିବା ଏପରି ବ୍ୟକ୍ତିତ୍ୱଟିଏ ବିଶ୍ବରେ ବିରଳ । ଖୁବ ସରଳ ଓ ନିରାଡାମ୍ବର ଭାବରେ ଜୀବନ ଯାପନ କରି ମାନବ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ସେ । ଏଥିପାଇଁ ତାଙ୍କୁ ସନ୍ଥ ବୋଲାଯାଏ । ତାଙ୍କର ରହସ୍ୟାବୃତ୍ତ ଜୀବନ କାହାଣୀରୁ କିଛି ସଂଗ୍ରହ ଆଗକୁ ପଢ଼ନ୍ତୁ ।

ଦୁଃଖ ଜର୍ଜରିତ ଥିଲା ବାଲ୍ୟକାଳ: 

ଭୀମ ଭୋଇ ୧୮୫୦ ଖ୍ରୀଷ୍ଟାବ୍ଦରେ ବୈଶାଖ ପୂର୍ଣ୍ଣମୀ ବା ବୁଦ୍ଧ ପୂର୍ଣ୍ଣିମା ତିଥିରେ ସୋନପୁରର ଜଟାସିଂଗାଠାରେ ଏକ ଆଦିବାସୀ କନ୍ଧ ପରିବାରରେ ଜନ୍ମଲାଭ କରିଥିଲେ । କିମ୍ବଦନ୍ତୀ ଓ ଜନଶୃତି ମୁତାବକ ଭୀମ ଭୋଇ ବାଲ୍ୟକାଳରୁ ବଡ଼ ଦୁଃଖ ଓ କଷ୍ଟରେ କାଳାତିପାତ କରିଥିଲେ । ଦାରିଦ୍ର୍ୟ , ଖାଦ୍ୟାଭାବ ଓ ବସନ୍ତ ରୋଗରେ ପିଡ଼ିତହୋଇ ବାଲ୍ୟକାଳରୁ ସେ ଦୃଷ୍ଟି ଶକ୍ତି ହରାଇ ବସିଥିଲେ । ସେ ନିଜ ପିତାଙ୍କୁ ହରାଇବା ପରେ ମାତା ମଧ୍ୟ ତାଙ୍କୁ ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଗଲେ । ଫଳତଃ ସେ ଅନ୍ୟ ଘରେ ବୋଲହାକ କରିବା ସହ ବାଲ୍ୟ ବୟସରୁ ଗୋରୁ ଜଗିବା କାମକରିଥିଲେ ।

ଦୁଇପତ୍ରରୁ ବାସିଥିଲା ତୁଳସୀ:

ସେ କୌଣସି ପ୍ରାଥମିକ ଶିକ୍ଷା ପାଇପାରିନଥିଲେ କିନ୍ତୁ ତାଙ୍କର ଥିଲା ବିଚକ୍ଷଣ ସ୍ମରଣ ଶକ୍ତି । ପିଲାବେଳୁ ଗୀତ ଗାଇବା ତାଙ୍କ ରୁଚିରେ ପରିଣତ ହୋଇ ସରିଥିଲା । ନିଜ ଗାଁରେ ଥିବା ଭାଗବତ ଟୁଙ୍ଗୀ ବାହାରେ ଘଣ୍ଟା ଘଣ୍ଟା ବସି ଗୀତରେ ଥିବା ଟିକିନିଖି ପଦକୁ ପଦ ସବୁ ମନେରଖୁଥିଲେ । କବିତା ମାଧ୍ୟମରେ ମହିମା ଧର୍ମ ପ୍ରଚାର କରିବା ପୁର୍ବରୁ  ନିଜ ଅଂଚଳରେ ଜଣେ ଗାୟକ ଭାବେ ଲୋକପ୍ରିୟ ହୋଇଥିଲେ । ତାଙ୍କ କିଶୋର ଅବସ୍ଥାରେ ପଶ୍ଚିମ ଓଡ଼ିଶାର ଲୋକଗୀତ ଶୈଳୀରେ ରାଧାକୃଷ୍ଣଙ୍କ ପ୍ରେମଭରା ସଂଗୀତ ଯଥା ରସରକେଳି, ଡାଲଖାଇ, ଜାଇଫୁଲ ଇତ୍ୟାଦି ଗୀତ ପ୍ରଥମ ଭେଟି ଥିଲା ।

ମହିମା ସ୍ୱାମୀଙ୍କ ସହ ସାକ୍ଷାତ ଓ ମହିମା ଦୀକ୍ଷା ଗ୍ରହଣ :

୧୮୬୨ରେ ଢ଼େଙ୍କାନାଳର କପିଳାସ ପର୍ବତ ପାଦଦେଶରେ ମହିମା ଗୋସାଇଁ ମହିମା ଧର୍ମ ପ୍ରଚାର ପ୍ରସାର ପାଇଁ ଆଶ୍ରମ ଆରମ୍ଭକଲେ । ବୌଦ୍ଧର ଗୋବିନ୍ଦ ବାବାଙ୍କୁ ନିଜ ପ୍ରଥମ ଅନୁଚର କରିବା ପରେ ଏକଦା ଏକ ରାତିରେ ଭୀମଙ୍କ ଗୃହ କାଙ୍କଣପଡ଼ା (ଗ୍ରାମଡିହି)କୁ ଆସିଥିଲେ । ସେଇଠି ଭୀମ ଭୋଇଙ୍କୁ କବିତା ରଚନା ପାଇଁ ଆଶୀର୍ବାଦ ଦେଇ ନିଜ ଅନୁଚର କଲେ । ବୋଧହୁଏ ଏହି ଘଟଣା ହିଁ ତାଙ୍କ ନିର୍ବେଦ ସାଧନାର ପ୍ରଥମ ଅଧ୍ୟାୟ । ଏହା ମାଧ୍ୟମରେ ୧୬ ବର୍ଷ ବୟସରେ ତାଙ୍କ କବିତା ଲେଖିବାର ମୂଳଦୂଆ ପଡ଼ିଥିଲା । ମହିମା ଧର୍ମ ଗ୍ରହଣ କରିବା ପରେ ଧର୍ମ ପ୍ରଚାର ପାଇଁ ସେ ଅନେକ ଭଜନ ଓ ଜଣାଣ ରଚନା କରିଥିଲେ । ତାଙ୍କ ରଚନା ମଧ୍ୟରେ ଶ୍ରୁତି ନିଷେଧ ଗୀତା, ନିର୍ବେଦ ସାଧନ, ଆଦି ଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା, ସ୍ତୁତି ଚିନ୍ତାମଣି ଓ ବହୁ ଚଉତିଶା ପ୍ରସିଦ୍ଧି ଲାଭ କରିଛି । ଭୀମଭୋଇଙ୍କ ଭଜନରେ ଭକ୍ତି ଓ ବିଶ୍ଵମାନବବାଦ ଦେଖାଯାଇଥାଏ । ତାଙ୍କ ସମୟରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଭୀମ ଭୋଇଙ୍କ ରଚନାଗୁଡ଼ିକର ଅବଦାନ ଅନସ୍ବୀକାର୍ଯ୍ୟ ।

ଓଡ଼ିଶାର ପୁରପଲ୍ଲୀରେ ଧର୍ମ ପ୍ରଚାର :

ଭୀମ ଭୋଇ ନିଜ ଭଜନରେ ନିଜକୁ  ଶୁନ୍ୟ ବ୍ରହ୍ମର ମାନବ ରୂପ ଭାବେ ବିଦିତ କରିଛନ୍ତି । ପରେ ସେ ମହିମା ଧର୍ମର ପ୍ରଚାରକ ରୂପେ ନିଜକୁ ଉପସ୍ଥାପନ କରନ୍ତି । ପୂର୍ବ ଓ ପଶ୍ଚିମ ଓଡ଼ିଶାରେ ଗାଁ ଗାଁ ବୁଲି ନିଜ ଅନୁଗାମୀଙ୍କ ସହ ଧର୍ମ ପ୍ରଚାରରେ ବାହାରି ପଡ଼ିଥିଲେ । ଜଣେ ଧର୍ମ ପ୍ରଚାରକ ଓ କବି ଭାବେ ସବୁଠି ପରିଚିତ ହୋଇଥିଲେ ।

ଥିଲେ ତିନି ପ୍ରମୁଖ ସହାୟିକା :

ମହିମା ଗୋସାଇଁଙ୍କ ଆଦେଶ କ୍ରମେ ମୋଢିଗ୍ରାମ ଢ଼େଙ୍କାନାଳର ଭଗ୍ନୀ ଅନ୍ନପୁର୍ଣ୍ଣା ମହିମା ଧର୍ମ ଗ୍ରହଣ କରି ଭୀମ ଭୋଇଙ୍କ ସହଚର ଭାବେ ରହି ଆଶ୍ରମର ଦେଖାରଖା କଲେ । ପରେ ସେ ଶ୍ରଦ୍ଧାଳୁଙ୍କ ନିକଟରେ ମା ଅନ୍ନପୁର୍ଣ୍ଣା ଭାବେ ପରିଚିତ ହେଲେ ।  ମଧ୍ୟବର୍ତ୍ତୀ ସମୟରେ ଭୀମ ଭୋଇ ସୁମେଧା ଓ ରୋହିଣୀ ଭାବେ ଦୁଇ ଜଣ ସହାୟକ ମହିଳା ପ୍ରଚାରକ ପ୍ରାପ୍ତ ହେଲେ । ପରେ ସେମାନଙ୍କୁ ଯଥାକ୍ରମେ ପୁତ୍ର ଓ କନ୍ୟା ସନ୍ତାନର ଆଶୀର୍ବାଦ ଦେଇଥିଲେ ।

ବିବାଦ ପରେ ଛାଡ଼ିଲେ ଯୋରନ୍ଦା, ଗଢ଼ିଲେ ଗୋଲଣ୍ଡା ଆଶ୍ରମ :

୧୮୭୬ ଫାଲଗୁନ ଶୁକ୍ଲପକ୍ଷ ଦଶମୀ ତିଥିରେ ଯୋରନ୍ଦାଠାରେ ମହିମା ଗୋସାଇଁ ତାଙ୍କ ପାର୍ଥିବ ଶରୀର ତ୍ୟାଗ କରନ୍ତେ ଆଶ୍ରମ ପରିସରରେ ବକ୍କଳଧାରୀ ଓ କୌପୁନିଧାରୀଙ୍କ ମଧ୍ୟରେ ପ୍ରଭୁତ୍ଵ ଓ ଅନ୍ୟାନ୍ୟ ପରିଣତିକୁ ନେଇ ବିବାଦ ସୃଷ୍ଟି ହେବା ଫଳରେ ଭୀମ ଭୋଇଙ୍କୁ ମାର୍ମିକ ଅଘାତ ଲାଗିଥିଲା । ଫଳରେ ସେ ନିଜର ଏକ ଆଶ୍ରମ ତିଆରି କରିବାକୁ ନିଷ୍ପତି ନେଇଥିଲେ । ଭୀମ ଭୋଇ ବିନିକା ନାମକ ଏକ ସ୍ଥାନକୁ ନିଜ ଅନୁଗାମୀଙ୍କ ସହ ଅସି କିଛି ଦିନ ରହିଥିଲେ ( ତାପରଠୁ ସେହି ସ୍ଥାନ ମହିମା ଗଳିରୂପେ ନାମିତ ହୋଇଛି) । ବିନିକା ନିକଟ ଗୋଲଣ୍ଡାରେ ତାଙ୍କୁ ଆତିଥେୟ ମିଳିଲା । ଗ୍ରାମ ଗୌନ୍ତିଆ(ମୁଖିଆ) ତାଙ୍କ ଜମି ଦାନ କରିବାରୁ ସେଇଠି ଏକ ଆଶ୍ରମ ସ୍ଥାପନ କଲେ ।

ଖଳିଆପଲ୍ଲୀ ଆଶ୍ରମ ହେଲା ଶେଷ ବାସସ୍ଥାନ :

୧୮୭୭ ମସିହାରେ ଥରେ ଭୀମ ଦାସ ଓ ବକ୍କଳଧାରୀ ସାଧୁ ସେମାନଙ୍କ ସାଙ୍ଗମାନଙ୍କ ସହ ଆସି ଅଭିଯୋଗ କଲେ ଯେ ଭୀମ ଭୋଇ ତାଙ୍କ ଭଉଣୀ ଅନ୍ନପୁର୍ଣ୍ଣାଙ୍କୁ ଅପହରଣ କରିଛନ୍ତି ବୋଲି । ଫଳରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା ଯାହା ନାଗା ଆକ୍ରମଣ ଭାବେ ଜଣାଯାଏ । ପରେ ଗୁଲୁଣ୍ଡା ଛାଡ଼ି ଭୀମ ଭୋଇ ଚାଲିଯାଇଥିଲେ । ନିଜ ଅନୁଗାମୀ ଓ ପରିବାର ସହ ଅଙ୍ଗ ନଦୀ ପାରହୋଇ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପଲ୍ଲୀଠାରେ ପହଞ୍ଚିଲେ । ଲୋଚନ ବାଗର୍ତ୍ତୀ (ଖଲିଆପଲ୍ଲୀର ଗଉଁତିଆ) ସମସ୍ତଙ୍କୁ ଯଥୋଚିତ ସମ୍ମାନ ଦେଇ ପାଛୋଟି ନେଇଥିଲେ । ଭୀମ ଭୋଇଙ୍କ ଆଶ୍ରମ ପାଇଁ ଏକ ଜମି ମଧ୍ୟ ଦାନ କଲେ । ଭୀମ ଭୋଇ ସେହି ଗ୍ରାମରେ ପାଦଦେବା କ୍ଷଣି ବଗାର୍ତ୍ତୀ ପରିବାରରେ ଏକ ପୁତ୍ର ସନ୍ତାନ ଜନ୍ମନେଇଥିଲା । ତାର ନାମ ଭୀମ ବାଗର୍ତ୍ତୀ ରଖାଯାଇଥିଲା  । ମରଣ ପର୍ଯ୍ୟନ୍ତ ଖଲିଆପଲ୍ଲିକୁ ନିଜ ବାସସ୍ଥାନରୂପେ ବାଛିଲେ ଭୀମ ଭୋଇ । ଆଉ ବୈରାଗୀ ହୋଇନଥିଲେ ଜୀବନ ସଂସାର ଓ ଈଶ୍ବରଙ୍କ ମଧ୍ୟରେ ସମ୍ବନ୍ଧ ବ୍ୟାଖ୍ୟା କଲେ । ସେଠାରେ ସେ ପ୍ରାର୍ଥନା, ପ୍ରବଚନ ଏବଂ ସମାଜ ପାଇଁ ଗୀତ ରଚନା କରିଚାଲିଲେ । ଅନ୍ନପୁର୍ଣ୍ଣା ଧର୍ମଚର୍ଚ୍ଚା ସହ ଆଶ୍ରମର ଉତ୍ତରୋତ୍ତର ଦାୟିତ୍ବ ତୁଲାଇଲେ ।

ରହିଲାନି ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ, ଭଜନ କବିତା ହେଲା ମାଧ୍ୟମ :

ଭୀମ ଭୋଇଙ୍କ ହୁକୁମ କ୍ରମେ ୪ ଜଣ ଶାସ୍ତ୍ରୀ (ବସୁ ପଣ୍ଡା, ହରି ପଣ୍ଡା, ମାର୍କଣ୍ଡ ଦାସ, ଏବଂ ଧର୍ମାନନ୍ଦ ଦାସ ) ଭୋଇଙ୍କ ମୁଖ ନିସୃତ ୪ ଟି ଭଜନକୁ ଲିପିବଦ୍ଧ କରି ରଖିବା ପାଇଁ ଲେଖନୀ ସାହାଯ୍ୟରେ ତାଳ ପତ୍ରରେ ଲେଖିବା ଆରମ୍ଭ କଲେ । ଏମିତି ପ୍ରୟାସ ଇତିହାସରେ ବୋଧେ ପ୍ରଥମ ଥିଲା । ମହିମା ଧର୍ମର ଯଦିଓ କୌଣସି ଧର୍ମଗ୍ରନ୍ଥ ନାହିଁ ସେ କବିତା ଓ ଭଜନ ମାଧ୍ୟମରେ ଧର୍ମର ଆଚରଣ ଓ ନିୟମକୁ ବଖାଣି ଚାଲିଲେ । ମହିମା ଧର୍ମକୁ ସରଳ ସାବଲୀଳ ଶୈଳୀରେ ଭାବନାତ୍ମକ ଦିଗ ସହ ଯୋଡ଼ି କବିତାଗୁଡ଼ିକ ଆତ୍ମାତୃପ୍ତି କରିବାକୁ ଯଥେଷ୍ଟ ଥିଲା ଯାହା ପୁରପଲ୍ଲୀରେ ଅତି ଅଦୃତ ହୋଇଯାଇଥିଲା ।

ଆଶ୍ରମରେ ସ୍ଥାପିତ ହେଲା ସମାଧି:

୧୮୯୫ ମସିହା ଫାଲଗୁନ ଚତୁର୍ଦ୍ଦଶୀ ତିଥିରେ ମାତ୍ର ୪୫ ବର୍ଷ ବୟସରେ ପରିବାର ଓ ଅନୁଗାମୀଙ୍କ ଗହଣରେ ଶେଷ ନିଶ୍ବାସ ତ୍ୟାଗ କଲେ । ବାସୁ ପଣ୍ଡା ଓ ହରି ପଣ୍ଡାଙ୍କ ପୌରୋହିତ୍ୟରେ ଆଶ୍ରମ ପରିସରରେ ତାଙ୍କ ଶବକୁ ସମାଧି ଦିଆଯାଇଥିଲା । ତାଙ୍କର ଅନେକ ସକ୍ରିୟ ଅନୁଗାମୀ ବିଂଶ ଶତାବ୍ଦୀରେ ପ୍ରଥମାର୍ଦ୍ଧରେ ଜଣକୁ ଜଣ ସ୍ବର୍ଗବାସୀ ହୋଇଥିଲେ । ପ୍ରତ୍ୟେକଙ୍କ ପାଇଁ ଆଶ୍ରମ ପରିସରରେ ସମାଧି ସ୍ଥାପନ ହେଲା । କେବଳ ମା ଅନ୍ନପୁର୍ଣ୍ଣାଙ୍କ ପାର୍ଥିବ ଶରୀରକୁ ଭୀମ ଭୋଇଙ୍କ ସମାଧି (ଏବେକାର ମୁଖ୍ୟ ସମାଧି ମନ୍ଦିର) କଡ଼ରେ ପୋତି ଦିଆଗଲା ।

ସେ ଛାଡ଼ିଯାଇଥିବା କିଛି ଚିହ୍ନ ଓ ସ୍ୱତନ୍ତ୍ର ପରିଚୟ:

ମାନବ ପ୍ରେମୀ ବିପ୍ଲବୀ ତଥା ଜଣେ ସମାଜ ସଂସ୍କାରକ ଭାବେ:

ବେଳେବେଳେ ସେ ଜଣେ ମାନବପ୍ରେମୀ ବିପ୍ଲବୀ ଭାବେ ଉଭା ହେଉଥିଲେ । ସେ ମୂର୍ତ୍ତି ପୂଜା ଓ ବ୍ରାହ୍ମଣ ଦ୍ବାରା କର୍ମକାଣ୍ଡକୁ ବିଶ୍ବାସ କରୁନଥିଲେ । ପ୍ରକୃତିରେ ପ୍ରତେକଟି ବସ୍ତୁରେ ଈଶ୍ବରୀୟ ଜୀବସତ୍ତାକୁ ଖୋଜି ବସୁଥିଲେ । ମଣିଷ –ମଣିଷ ମଧ୍ୟରେ ବିଭେଦ ଓ ଦୂରତାକୁ କମେଇବାକୁ ପ୍ରୟାସ କରିଥିଲେ । ସମାଜରେ ନାରୀଙ୍କ ଅଗ୍ରଗତି, ନାରୀଶିକ୍ଷାର ପ୍ରଚାର ବି ତାଙ୍କ ଦେଇ ଦେଖିବାକୁ ମିଳୁଥିଲା ।

ସାହିତ୍ୟରେ ମାନବବାଦୀ ବିଚାର ଦେଇଛି ସ୍ୱତନ୍ତ୍ର ପରିଚୟ:

ଏକ ଈଶ୍ଵର, ଏକ ସମାଜ, ଏକ ଧର୍ମ ବାର୍ତ୍ତା ନେଇ “ଜଗତ ଉଦ୍ଧାର’’ (liberation of entire world)ନିମିତ୍ତ ତାଙ୍କ ଅଭିଯାନ ଖଳିଆ ପଲ୍ଲୀ ଅଶ୍ରମରୁ ଆରମ୍ଭ ହୋଇଥିଲା । ସେ ହିଂସା, ସମାଜର କୁସଂସ୍କାର ଜାତିଆଣ ଭେଦଭାବ ବିରୋଧରେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଯାଇଛନ୍ତି ।

‘’ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’’

(“Let my soul be condemned to hell But let the universe be redeemed”)

ଏହି ଆତ୍ମସ୍ପର୍ଶୀ ବାଣୀ ଭାରତର ସମ୍ବିଧାନ କକ୍ଷରେ ସ୍ଥାନିତ ହୋଇ ମାନବବାଦର ବାର୍ତ୍ତା ବହନ କରି ଗୌରବ ମଣ୍ଡନ କରୁଛି ।

କନ୍ଧରା ଗ୍ରାମର କୂଅ:

ଲୋକଲୋଚନରୁ ଜଣାଯାଏ ଭୀମଭୋଇ ଥରେ ଅଜାଣତରେ ଏକ କୂପରେ ପଡ଼ି ଯାଇଥିଲେ ଏବଂ ସେଥିରୁ ବାହାରିବା ପାଇଁ ମନା କରିଦେଇଥିଲେ ।  ମହିମା ସ୍ଵାମୀ ତାଙ୍କୁ ଉଦ୍ଧାର କରିବା ପର୍ଯ୍ୟନ୍ତ ସେଠାରେ ପଡ଼ିରହିଥିଲେ । ଶେଷରେ ମହିମା ସ୍ବାମୀ ସେହି ବାଟ ଦେଇ ଯାଉଥିବା ବେଳେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ସେହି କନ୍ଧରା ଗ୍ରାମର କୁଅ ଏବେ ନବୀକରଣ ହୋଇ ସ୍ମୃତି ଉଦ୍ଦେଶ୍ୟରେ  ସଂରକ୍ଷିତ ରହିଛି  ।

ଆଶ୍ରମରେ ପାଳିତ ପର୍ବ ପର୍ବାଣି :

ଖଲିଆପଲ୍ଲୀସ୍ଥିତ ଏହି ପ୍ରସିଦ୍ଧ ପୀଠକୁ ଏବେସୁଦ୍ଧା ଗମନାଗମନ ବ୍ୟବସ୍ଥା ସୁବନ୍ଦୋବସ୍ଥ ହୋଇପାରି ନାହିଁ । କିନ୍ତୁ ଜଣେ ଆଗନ୍ତୁକ ଏଠିକାର ସ୍ଥପତିରେ ଅଭିଭୂତ ହୋଇଯିବ । ଏହି ସ୍ଥାନ ବାବଦରେ ଅନେକ ରୋଚକ କାହାଣୀମାନ ଶୁଣିବାକୁ ମିଳେ । ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମା (ଇଂରାଜୀ ଜାନୁଅରୀ – ଫେବୃୟାରୀ ମାସରେ ପଡ଼େ) ରେ ବହୁତ ଭିଡ଼ ପରିଲକ୍ଷିତ ହୁଏ ।

ଯେଉଁଠାରେ ଭୀମ ଭୋଇ ଗୀତ ରଚନା କରୁଥିଲେ ସେଠାରେ ଏକ ପାଦୁକା ମନ୍ଦିର ସ୍ଥାପନ ହୋଇଛି । ସେଠାରେ ଭୀମ ଭୋଇ ଓ ମା ଅନ୍ନପୁର୍ଣ୍ଣାଙ୍କ ରୂପା ଅଛାଦିତ କଠଉ ପୂଜା ପାଉଛି । ମାଘ ପୂର୍ଣ୍ଣମୀରେ ଭୀମ ଭୋଇ ଓ ମା ଅନ୍ନପୁର୍ଣ୍ଣା ଶ୍ରଦ୍ଧାଳୁଙ୍କ ଦ୍ବାରା ୧୦୮ କଳସ ଶୋଭାଯାତ୍ରା ସହ ପୂଜିତ ହୁଅନ୍ତି । କେବଳ ଓଡ଼ିଶା ନୁହେଁ ସୁଦୂର ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଆସାମ ଆଦିରୁ ଧର୍ମାବଲମ୍ବୀ ଏଥିରେ ଖଲିଆପଲ୍ଲୀ ଆଶ୍ରମର ପାଦୁକା ପୂଜା ଉତ୍ସବରେ ଯୋଗ ଦିଅନ୍ତି । ଏହି ମେଳା ପ୍ରସିଦ୍ଧ ମାଘମେଳା ଭାବେ ପରିଚିତ ।

ଓଡ଼ିଶା ବାହାରେ ମହିମା ଧର୍ମ :

ଭୀମ ଭୋଇଙ୍କ ଅନେକ ଭଜନ ବଙ୍ଗଳାରେ ଲେଖାଯାଇଛି । ତାଙ୍କ ସରଂଚନାରେ “ମହିମା ବିନୋଦ” ଉଭୟ  ବଙ୍ଗଳା ଓ ଓଡ଼ିଆ ମିଶାରେ ଲେଖା ଯାଇଛି । ତାଂକର କିଛି ଲେଖା ତାମିଲ ଭାଷାରେ ମଧ୍ୟ ଅନୁଦିତ ହୋଇଛି ଆଜି ମଧ୍ୟ ଆନ୍ଧ୍ରର ବିଜୟନଗର ଅଞ୍ଚଳରେ ଏହି ଭଜନଗୁଡ଼ିକୁ ଲୋକେ ବୋଲୁଥିବାର ଦେଖାଯାଏ । ଓଡ଼ିଶା ଓ ଓଡ଼ିଶା ବାହାରେ ହଜାର ହଜାର ଲୋକ ମହିମା ଧର୍ମ ଦୀକ୍ଷାରେ ଦୀକ୍ଷିତ ଅଟନ୍ତି ।

ତାଙ୍କ ରମ୍ୟ ରଚନା :

ଏହା ସ୍ବୀକାର ଯୋଗ୍ୟ ଯେ ତାଙ୍କର କିଛି କାର୍ଯ୍ୟ ବିଲୁପ୍ତ ପ୍ରାୟ । ତଥାପି ସ୍ତୁତି ଚିନ୍ତାମଣି, ବ୍ରହ୍ମନିରୁପଣ ଗୀତ, ଆଦିଅନ୍ତ ଗୀତ, ଚଉତିସା ଗ୍ରନ୍ଥମାଳା, ନିର୍ବେଦ ସାଧନା, ଶୃତି ନିଷେଧ ଗୀତ, ମନୁସଭା ମଣ୍ଡଳ, ମହିମା ବିନୋଦ ୪ ଖଣ୍ଡ (ପ୍ରକାଶ ହୋଇନାହିଁ) ବୃହତ ଭଜନ ମାଳା ଏବଂ ବଙ୍ଗଳା ଆଠ ଭଜନ ଆଦି ତାଙ୍କ ପ୍ରତିଭାର ପରିଚୟ ଦିଏ । ସ୍ତୁତି ଚିନ୍ତାମଣି ତାଙ୍କର ପ୍ରମୁଖ ଅବଦାନ ବୋଲି ଧରାଯାଏ । ଏଥିରେ ୨୦୦୦ ଛନ୍ଦ ବିଶିଷ୍ଟ ୨୦୦ ବୋଲି ଅଛି । ଏହା ତାଙ୍କ ଜୀବନ, ଧର୍ମ, ଏବଂ ଦର୍ଶନରେ ଗୁନ୍ଥା ।

ଯଥେଷ୍ଟ ନୁହେଁ ସମ୍ମାନ :

୨୦୧୪ରେ ଏକ ତାଙ୍କ ବାବଦରେ ଏକ ଦୁଇ ଭାଷୀ ଡକ୍ୟୁଡ୍ରାମା ପ୍ରସ୍ତୁତ କରାଯାଇଥିଲା । ତାଙ୍କ ନାମରେ ରେଢ଼ାଖୋଲ ଠାରେ ଏକ ମହାବିଦ୍ୟାଳୟ ସ୍ଥାପନ ହୋଇଛି । ଭୁବନେଶ୍ବରରେ ଦୃଷ୍ଟିହୀନମାନଙ୍କ ପାଇଁ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଖୋଲିଛି । ଭିନ୍ନକ୍ଷମ ସମର୍ଥ ଅଭିଯାନ ଯୋଜନା ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଛି । ତଥାପି ସେ ମହାପୁରୁଷଙ୍କୁ ଓଡ଼ିଆଜାତି ଯେତିକି ସମ୍ମାନ ଦେବା କଥା ସେତିକି ଦେଇନାହିଁ । ଏବେ ସମ୍ବଲପୁରରେ ପ୍ରସ୍ତାବିତ ଚାଉଁରପୁର-ମାଲତୀଗୁଣ୍ଡେରପୁର ମହାନଦୀ ପୋଲକୁ ସନ୍ଥକବି ଭୀମ ଭୋଇଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ପଡ଼ିରହିଛି ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments