Bhubaneswar Buzz

#OdiaPost ୧୮୦ ଟଙ୍କିଆ ଆପ୍ଟର ସେଵଜେଲ୍ ବଦଳେ ଆସିଲା ୧୬ ହଜାର ଟଙ୍କିଆ ଲେନୋଵୋ ଟ୍ୟାବ, ଜଣାଇଵାରୁ ଆମାଜ଼ନ କହିଲା ଫେରସ୍ତ ନେଇପାରିବୁନି, ଯୁଵକଙ୍କ ଖୁସି କହିଲେ ନସରେ

ଵେଳେଵେଳେ ଏମିତି ହୁଏ, ଇ-ଵାଣିଜ୍ୟ ସାଇଟମାନେ ନିଜ ଅସାଵଧାନତା କାରଣରୁ ଗ୍ରାହକମାନଙ୍କୁ ଭୁଲ ଜିନିଷ ପଠାଇଦିଅନ୍ତି । ଅନଲାଇନ ସପିଂ ସାଇଟଗୁଡ଼ିକରେ ମୋବାଇଲ ପରି ଦାମୀ ଜିନିଷ ଅର୍ଡ଼ର କରି ଲୁଗାସଫା ସାବୁନ ପାଇ ଠକି ହୋଇଯାଇଥିଵାର ଖଵର ଅନେକ ଥର ଶୁଣିଛେ କିନ୍ତୁ ଏମିତି ଖଵର କେଵେ ଶୁଣିଥିଲେ କି?

ଏଇ ଚର୍ଚ୍ଚିତ ଘଟଣାଟି ଘଟିଛି ଭୁଵନେଶ୍ୱରରେ ଜଣେ ଟେକି ଦେବାଶିଷ ତ୍ରିପାଠୀଙ୍କ ସହିତ । ସେ ନଭେମ୍ବର ୨୯ ତାରିଖରେ ଆମାଜ଼ନରୁ ଅର୍ଡ଼ର କରିଥିଲେ ୧୮୦ ଟଙ୍କିଆ ଆପ୍ଟର ସେଵଜେଲ୍ । ଧାର୍ଯ୍ୟ ସମୟ ମଧ୍ୟରେ ତାଙ୍କ ପାଖରେ ପହଞ୍ଚି ଯାଇଥିଲା ପାର୍ସଲ । ଖୋଲି ଦେଖିଲେ ତାହା ଥିଲା ଗୋଟେ ଆଠ ଇଞ୍ଚ ଵିଶିଷ୍ଟ ଲେନୋଵୋ ଟ୍ୟାବ୪ । ଯାହାର ବଜାର ମୂଲ୍ୟ ପାଖାପାଖି ୧୬ ହଜାର ଟଙ୍କା ହେଵ ।

ସହୃଦୟ ଦେଵାଶିଷ ତାକୁ ଫେରାଇବାକୁ ମନସ୍ତ କରି ଆମାଜ଼ନ ଟୁଇଟର ହାଣ୍ଡଲକୁ ଟ୍ୟାଗ କରି ଟ୍ୟାବଟିକୁ ଫେରାଇନେଵାକୁ ଟୁଇଟ କଲେ ।

ଏକଥା ଗ୍ରାହକ ସହାୟତା ଟିମଙ୍କୁ ଜଣାଇଵାକୁ ଆମାଜ଼ନ ଟୁଇଟର ହାଣ୍ଡଲରୁ ଉତ୍ତର ଆସିଲା ।

ଫେରାଇନେବା ସମ୍ପୂର୍ଣ୍ଣ ଆମାଜ଼ନର ଦାୟିତ୍ୱ ହୋଇଥିବା ସତ୍ତ୍ୱେ ଆମାଜ଼ନ ତତ୍ପରତା ଦେଖାଇନଥିଲା । ତଥାପି ଦେବାଶିଷ ନିଜଆଡ଼ୁ ଗ୍ରାହକ ସହାୟତା କେନ୍ଦ୍ରକୁ ସମ୍ପର୍କ କଲେ ।

ଗ୍ରାହକ ସହାୟତା ପ୍ରତିନିଧି, ଦେବାଶିଷ ଗ୍ରହଣ କରିଥିବା ଭୁଲ ଜିନିଷର ଏକ ଫଟୋ ମାଗିଲେ । ୧୮୦ ଟଙ୍କା ତାଙ୍କ ଆମାଜ଼ନ ଆକାଉଣ୍ଟକୁ ତୁରନ୍ତ ଫେରସ୍ତ କରିଦେଲେ । ଆଉ କହିଲେ, ଯେହେତୁ ଅର୍ଡ଼ର କରିଥିବା (ଆପ୍ଟର ସେଵଜେଲ) ଜିନିଷଟି ଫେରସ୍ତ ଯୋଗ୍ୟ ନୁହେଁ, ଏହା ଫେରସ୍ତ ନିୟମ ଅଧୀନରେ ଆସୁନାହିଁ ତେଣୁ ଏହାକୁ (ଭୁଲ ଯୋଗୁଁ ପହଞ୍ଚିଥିଵା ଜିନିଷକୁ) ଫେରସ୍ତ ନେଵାକୁ କୌଣସି ଵ୍ୟଵସ୍ଥା ତାଙ୍କର ନାହିଁ ।

ଏମିତି ଶୁଣିଵା ପରେ ଦେବାଶିଷ ଖୁସି ପ୍ରକାଶ କରି ପୁଣି ଟୁଇଟ କରିଛନ୍ତି ଯେ, “ଠିକ ଅଛି ଆମାଜ଼ନ ଇଣ୍ଡିଆ, ଧନ୍ୟଵାଦ । ମୁଁ ଯଥା ସମ୍ଭଵ ଚେଷ୍ଟାକଲି ।”

ଏ ଖଵର ଜାଣିଲା ପରେ ଓଡ଼ିଆ ଟୁଇଟିଆଳି ତାଙ୍କୁ ଶୁଭେଚ୍ଛା ଦେଇ ଅନେକ କଥା ଆଲୋଚନା କରିଛନ୍ତି ।
“ଆମାଜ଼ନ ଇଣ୍ଡିଆ ଜିନିଷ ନନେଇ ଲୋକଙ୍କର ବହୁତ ଉପକାର କରୁଛନ୍ତି ।”- ଦେବବ୍ରତ ମହାନ୍ତି (@Debabrata2008)

“ହେ ଭଗଵାନ, ମୋତେ ସେଇ ସମାନ ଜିନିଷ ଅର୍ଡ଼ର କରିବାର ଅଛି ।” – ବନ୍ଦିତା ସ୍ୱାଇଁ (@BanditaSwain2)

ଅର୍ଡର କରିବା ଜିନିଷଠୁ ଅଧିକ କିଛି ପାଇଲା ପରେ ଆମାଜ଼ନକୁ କାହିଁକି ଫେରସ୍ତ କରିବାକୁ ଚାହୁଁଥିଲେ ଵୋଲି ପଚାରାଯିବାରୁ ସହୃଦୟ ଦେବାଶିଷ କୁହନ୍ତି, ” କାଳେ କେଉଁ ଗରିବ ଲୋକ ଟ୍ୟାବ ଅର୍ଡର କରି ଆପ୍ଟର ସେଵଜେଲଟିଏ ପାଇଥିବ, ତା’ର ନିଶ୍ଚୟ ମନ ଦୁଃଖ ହୋଇଥିଵ !”

ଦେବାଶିଷଙ୍କ ମହାନତା ଏତିକିରେ ସାରିନାହିଁ । ସେଇ ଟୁଇଟର ଖିଅରେ @drgynaec ତାଙ୍କୁ ପଚାରିଛନ୍ତି, “ସେ ପିଲାଟି, ଯାହାର ଓଲଟା ବଦଳ ହେଇଥିବ! ଯଦି ଏଇଠି ମିଳିଯାଏ😃😁😎?”

ଦେବାଶିଷ (@deba1602) ଏହାର ସୁନ୍ଦର ଉତ୍ତରଟିଏ ମଧ୍ୟ ରଖିଛନ୍ତି, “ତାହେଲେ ବୋଧେ ମୁଁ ଇତିହାସର ପ୍ରଥମ ଲୋକ ହେବି ଯିଏ ଗୋଟାଏ ଟାବଲେଟ୍ ବଦଳରେ ଆଫ୍ଟରଶେଭ୍ ନେବ | 😉

ଏହି ଘଟଣାର ସବୁଠୁ ଆଶ୍ଚର୍ଯ୍ୟ କଥାଟି ହେଉଛି, ଆମାଜ଼ନ ଜିନିଷଟିକୁ ଫେରାଇ ନନେଵା । ଏହା ହେଉଛି ଗୋଟିଏ ଵ୍ୟଵସ୍ଥାକୃତ ଗଳାବାଟ ଯେଉଁଥିରେ ଗ୍ରାହକ ଖୁସି ହୋଇଛନ୍ତି ସତ କିନ୍ତୁ କମ୍ପାନୀ କ୍ଷତି ସହିଛି । ଦେବାଶିଷ ତ୍ରିପାଠୀ ଏଵାଵଦରେ ଆମାଜ଼ନ କମ୍ପାନୀକୁ ଜଣାଇ ଵ୍ୟଵସ୍ଥା ସୁଧାର କରିନେବାକୁ ଅନୁରୋଧ କରିଛନ୍ତି ।

Comments

comments