Bhubaneswar Buzz

#OdiaPost : 11 Things that make Raja Parba special in Odisha

Raja Parba bhubaneswar buzz Odisha festival 1

Here is a nice article on 11 things that Make Raja Parba special in Odisha

ରଜ ମୁଖ୍ୟତଃ ୩ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବ ଦିନ ଓ ଶେଷ ରଜର ପର ଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ । ଶରୀର ପାଇଁ ବିଶ୍ଵାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ । ରଜରେ ମଉଜ କେବଳ ଏହି ସ୍ବତନ୍ତ୍ର ଜିନିଷଗୁଡ଼ିକ ପାଇଁ । ତେବେ ଆସନ୍ତୁ ସେଗୁଡ଼ିକ ବାବଦରେ ଜାଣିବା ।

୧. ନୂଆ ସଜବାଜ:
“ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି |
ବେକରେ ନାଇଚି ଗଜରା ମାଳିଲୋ , ଝୁଲାଅ ରଜର ଦୋଳି ||”
ରଜର ଅର୍ଥ ସମସ୍ତଙ୍କ ପାଇଁ ସଜବାଜର ପର୍ବ । ପହିଲି ରଜର ପୁର୍ବ ଦିନ ଅର୍ଥାତ ସଜବାଜ ଦିନଠାରୁ ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଝିଅମାନେ ସାଙ୍ଗହୋଇ ଏକାଠି ବୁଲି ଆନନ୍ଦ ନେବା ସହ ପରସ୍ପର ଘରକୁ ଯାଇ ପୋଡ଼ ପିଠା, ରଜପାନ ଖାଇଦୋଳି ଖେଳିବାର ଅନୁଭୂତି ନିଆରା ।
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ।
ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ।
ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।।

RajaParba bhubaneswar buzz 4
ଝିଅମାନେ ସଜବାଜରେ ପୂର୍ବକୁ ଝାଳ କରାଯାଇ କେଶଗୁଚ୍ଛକୁ ଇଠା ଫଳରେ ପରିଷ୍କାର କରନ୍ତି । ମହିଳା ମାନେ ପୁରୁଣା ଗହଣା ଓ ଅଳଙ୍କାର ମଜନ୍ତି । ହଳଦୀ ମୁଖା ନିରିମାଖୀ କୁଆଁରୀ ଝିଅମାନେ ଭଳିଭଳି ନୂଆ ପୋଷାକ ପିନ୍ଧି, ମୁଣ୍ଡରେ ଚନ୍ଦନ ଟିପା ଓ କୁଙ୍କୁମ, ନଖରେ ନେଲପଲିସ, ପାଦରେ ଅଳତା ପିନ୍ଧି ନିଜକୁ ସଜେଇବାରେ ବ୍ୟସ୍ତ ରୁହନ୍ତି । ଖାଲି ଝିଅମାନେ ନୁହନ୍ତି ସ୍ତ୍ରୀଲୋକମାନେ ମଧ୍ୟ ପାଦରେ ଆଳତା, ନୂଆ ଶାଢ଼ି, ଓ ଗହଣାରେ ନଜକୁ ସଜେଇବାରେ ଭୁଲିନଥାନ୍ତି ।

୨. ଗୁଆ ପତ୍ର ଖୋଳପାରେ କଠଉ:
ଏହି ଦିନ ପୃଥିବୀକୁ ଉତ୍ତପ୍ତ ମନେକରି ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଯୁବତୀ ଝିଅମାନେ ଖାଲିପାଦରେ ଭୂଇଁରେ ନଚାଲି କଦଳୀ ପାଟୁକା ବା ଗୁଆ ଖୋଳକୁ ପାଦରେ ପିନ୍ଧନ୍ତି ଏହି ସମୟରେରେ କରଣ ମହାନ୍ତି ଝିଅ ବୋହୁମାନେ ଘର ଭିତରେ ଦରି / ପାଲ ବିଛାଇ ଦେଇଥାନ୍ତି ।

Raja Parba bhubaneswar buzz Odisha festival 2
୩. ରଜ ପୋଡ଼ ପିଠା:

Pic courtesy : Simmy-food

Pic courtesy : Simmy-food

ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇଥାଏ । ଓଡ଼ିଆଙ୍କ ଘରେ ଏହି ପିଠା ପରମ୍ପରା ଅତି ପୁରୁଣା । ବିଶେଷ କରି ରଜ ସମୟରେ ଏହାର କିଛି ଖାସ ମହକ ଥାଏ । ରଜରେ ପୋଡ଼ ପିଠାର ଗୁରୁତ୍ବ ବେଶୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପୋଡ଼ପିଠା ଅତି ପ୍ରିୟ ବୋଲି ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ । ବର୍ଷକ ଭିତରେ କେବେ ହେଉ କି ନହେଉ ରଜରେ କିନ୍ତୁ ପୋଡ଼ ପିଠା ପ୍ରତି ଓଡ଼ିଆ ଘରେ ହୁଏ । ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଏହି ସମୟରେ ଚାଉଳ ଚୁନା ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ପ୍ରସ୍ତୁତ ହୁଏ ସ୍ଵତନ୍ତ୍ର ପୋଡ଼ପିଠା । ପୋଡ଼ ପିଠା ପ୍ରସ୍ତୁତ କରିବାକୁ ବହୁତ ସମୟ ଲାଗିଥାଏ । ଗାଁରେ ଆଗ କାଳରେ ପୋଡ଼ ପିଠା ବିଶେଷ କରି ଚୁଲିରେ କରାଯାଏ । ଏବେ ପ୍ରେସର କୁକର ଓ ମାଇକ୍ରୋ ଓଭନରେ ବି ତିଆରି ହୋଇ ପାରୁଛି । ଏହି ପିଠାକୁ ରଜର ପୂର୍ବ ରାତିରୁ ପ୍ରସ୍ତୁତ କରି ରଖାଯାଏ । ସକାଳୁ ପୋଡ଼ ପିଠା କଟାଯାଏ । ଗରମ ଗରମ ଡାଲମା ସହିତ ପ୍ରାୟ ଲୋକେ ଏହାକୁ ଖାଆନ୍ତି । ସୁଜି ପୋଡ଼ ପିଠା, ଛେନା ପୋଡ଼ ପିଠା, ମଇଦା ପୋଡ଼ ପିଠା ଆଦି ବିଭିନ୍ନ ପ୍ରକାରରେ ତିଆରି ମଧ୍ୟ ହୋଇଥାଏ । ୤ଅଗାଧୁଆ ରହି କେତେ ପ୍ରକାରର ଖାଦ୍ୟ ମହିଳାମାନେ ଖାଆନ୍ତି ନାହିଁ । ଏହି ସମୟରେ ଭାତରୁ ଅଧିକ ଅମ୍ଳରସ ସୃଷ୍ଟି ହେଉଥିବାରୁ ତା’ ବଦଳରେ ମୁଖ୍ୟ ଖାଦ୍ୟ ଭାବେ ପୋଡ଼ ପିଠା ଓ ଫଳମୂଳ ଖାଇଥାନ୍ତି୤ । ଏବେ ପିଠାପଣା ଆଉ ଘରେ ସୀମିତ ହୋଇ ରହିନାହିଁ । ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକଙ୍କ ପାଇଁ ଓଡ଼ିଆ ଘରର ଖାଦ୍ୟପେୟର ମଜା ଦେବାକୁ ଅଣ୍ଟା ଭିଡୁଛନ୍ତି ମିଠା ବ୍ୟବସାୟୀ ଓ ହୋଟେଲ ସଂଘ । ବିଭିନ୍ନ ହୋଟେଲ ଓ ମିଠା ଦୋକାନରେ ସୁଆଦିଆ ପିଠା ସବୁ ପ୍ୟାକେଟ ଆକାରରେ ମିଳୁଛି । ଓଟିଡିସି ତରଫରୁ ପର୍ଯ୍ୟଟକଙ୍କ ପାଇଁ ପୋଡ଼ପିଠା, ମଣ୍ଡା, ଆରିସା, କାକରା ଆଦି ବିକ୍ରୟ ପାଇଁ ରଖାଯାଉଛି । ଏସବୁ ପିଠାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ଏହାକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି । ଗୁଡ଼ ନଡ଼ିଆରେ ତିଆରି ପୂର ସାଙ୍ଗକୁ କଟା ନଡ଼ିଆ, ଗୋଲ ମରିଚ, ଗୁଜୁରାତି ଭଳି କିଛି ଦେଶୀ ମସଲା ପୋଡ଼ପିଠାରେ ବ୍ୟବହାର କରାଯାଇ ତାହାକୁ ସୁସ୍ବାଦୁ କରାଯାଇଥାଏ । ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ କାଜୁ, କିସମିସ ଓ ଚେରୀ ବ୍ୟବହାର କରାଯାଏ ।
୪.ଖାସୀ ମାଉଁସ:
ଏଇ ସମୟରେ ଗାଁ ପୋଖରୀରେ ଶେଷ ମାଛ ଧରା ହୋଇ ଭୋଗଲାଗେ । ଗାଁ ମୁଣ୍ଡରେ ଛେଳି କଟାଯାଏ । ଶାଳପତ୍ରରେ ସମସ୍ତଙ୍କ ଘର ଲାଗି ମାଂସ ଭାଗ ପଠାଯାଏ । ଲୋକେ କେବଳ ଏଇ ରଜ ସମୟକୁ ଖାସୀ କଟା ଲାଗି ଚାହିଁ ବସିଥାନ୍ତି । ଆଜି କାଲି ବଜାରରେ ଏସବୁ ମୁକ୍ତ ଭାବେ ମିଳୁଥିବାରୁ ରଜ ସମୟରେ ମାଂସ ଦୋକାନରେ ବହୁତ ଭିଡ଼ ହୁଏ । ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ଏହାର ଦର ଆକାଶ ଛୁଆଁ କରିଦେଇଥାଆନ୍ତି ।

୫. ରଜ ପାନ:
ରଜ ପାନ ଏହି ପର୍ବର ଆଉ ଏକ ବିଶେଷ ପରମ୍ପରା । ପାରସ୍ପରିକ ସମ୍ପର୍କ, ସ୍ନେହ, ଶ୍ରଦ୍ଧା ଓ ପ୍ରୀତିର ପ୍ରତୀକ ଭାବରେ ରଜପାନର ଦିଆନିଆ ହୋଇଥାଏ ।ରଜର ଆଉ ଏକ ଆକର୍ଷଣ ହେଲା ପାନ୤। ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ପ୍ରୀତି ଓ ସଦ୍‌ଭାବନାର ପ୍ରତୀକ ଭାବେ ଲୋକଙ୍କ ମଧ୍ୟରେ ଖିଲି ପାନ ଦିଆନିଆ ହୋଇଥାଏ୤ । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ପାନ ଚାଷ ହେଉଥିବା ଏବଂ ଏହା ସେବନ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥିବାରୁ ରଜ ଅବସରରେ ସ୍ବତନ୍ତ୍ର ପାନର ଚାହିଦା ଅନ୍ୟ ଦିନ ତୁଳନାରେ ଢେର ଅଧିକ ହୋଇଥାଏ । ୤ ସହରରେ ବିଭିନ୍ନ ଫ୍ଲେଭରର ପାନ ନାନାଦି ମଜାଦାର ନାମରେ ଉପଲବ୍ଧ ହେଲାଣି । ଯଥା ଦିଲଖୁସ, ଦିଲବାହାର, ଦିଲ ଦିବାନା, ରାଜୱାଡ଼ି, ବଣ୍ଟି ବବଲୀ, ଘୁଙ୍ଗୁରୁ, ମାୱା, ଡାଏଟ ପାନ, ଫାୟାର ପାନ, ଦବଙ୍ଗ ପାନ ଆଦି । ଏହା ଛଡା ଫ୍ଲେଭର ପାନ ମଧ୍ୟରେ ଷ୍ଟ୍ରବେରୀ, ଚକୋଲେଟ, ପାଇନ ଆପଲ, ବଟର ସ୍କ୍ରଚ, ଆପଲ, ଅରେଞ୍ଜ, ମ୍ୟାଙ୍ଗୋ, କେଶର ଏବଂ ଲିଚି ଫ୍ଲେଭରରେ ମିଳୁଛି ଯାହାର ଦାମ ୨୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ଅଛି । ଏହି ପାନରେ ସ୍ବତନ୍ତ୍ର ମିକ୍ସ, ରିମଝିମ, ହଲଚଲ, ସମ ସୁପାରୀ, ଜିଲତାନ, ନଡ଼ିଆ, ମିକ୍ସ , ମଧୁରୀ, ପ୍ରଭୃତି ମସଲା ସହ ସଜାଇବା ପାଇଁ ଚେରୀ ବ୍ୟବହୃତ ହେଉଛି । ରଜ ପାଇଁ ସ୍ବତନ୍ତ୍ର ଗିଫ୍ଟ ପ୍ୟାକିଂ ମଧ୍ୟ ଉପଲବ୍ଧ ହେଉଛି ଯାହାକୁ ଗ୍ରାହକମାନେ ପରସ୍ପରକୁ ଉପହାର ଆକାରରେ ଦେଇ ପାରିବେ ।
୫. ମେହେନ୍ଦି:
ରଜର ମେହେନ୍ଦି ଲଗେଇବା ଝିଅ ବୋହୁମାନେ ଜମାରୁ ଭୁଲନ୍ତି ନାହିଁ । ରଜ ସଜବାଜରେ ମେହେନ୍ଦି ମୁଖ୍ୟ ଆକର୍ଷଣ ପାଲଟେ । ନିଜର କ୍ରିଏଟିଭିଟି ଥିବା ମହିଳାମାନେ ବଜାରରୁ ମେହେନ୍ଦି କିଣି ଆଣି ଘରେ ଲଗାନ୍ତି । ଆଜିକାଲି ସମୟ ଅଭାବରୁ ବଜାରରେ ମିଳୁଥିବା ରେଡିମେଡ଼ ମେହେନ୍ଦି ହିଁ ଅଧିକ କାମରେ ଆସୁଛି ।
Raja Parba bhubaneswar buzz Odisha festival 4
pic courtesy: sanjeeb Mukherjee, bhubaneswar
ବିଭିନ୍ନ ମଲମାନଙ୍କରେ ପେଶାଦାର ମେହେନ୍ଦି ଡିଜାଇନରମାନେ ଏସବୁ କାମକୁ ସହଜ କରିଦିଅନ୍ତି । ଆଉ କେତେଜଣ ପେଶାଦାର ଭାବେ ପାରମ୍ପରିକ ମେହେନ୍ଦି ତିଆରି କରି ଆଖି ପିଛୁଳାକେ ସୁନ୍ଦର ସୁନ୍ଦର ଡିଜାଇନ ହାତରେ ଲଗାଇ ଦେଉଛନ୍ତି । ସେମାନେ ୨୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି । ରଜ ଉତ୍ସବ ପାଳନ କରୁଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ମେହେନ୍ଦି ପ୍ରତିଯୋଗିତା ହୁଏ ।

୬. ରଜ ଆସର ଓ ମନୋରଞ୍ଜନ:
ଦିନରେ ରଜ ଖଟି ଜମେ । ପଦ୍ୟାନ୍ତ ଠୁ ଆରମ୍ବ କରି ନାନାଦି କଥା ଆଲୋଚନା ହୁଏ । ଝୋଟି ଅଙ୍କା, ପିଠା ତିଆରି ଶିଖା ମେହେନ୍ଦି ପକା ଆଦି ବଡ଼ ମନେ ସାନକୁ ଶିଖାଇଥାଆନ୍ତି । ଅନେକ ସ୍ଥାନରେ ଏସବୁକୁ ନେଇ ପ୍ରତିଯୋଗିତା ମାନ ହୁଏ । ସଂଧ୍ୟାରେ ପାରମ୍ପାରିକ ପାଲା, ସୁଭଦ୍ରା ପରିଣୟ, ପ୍ରହଲ୍ଲାଦ ନାଟକ, ନାଗା ନାଚ, ରାବଣ ନାଚ, କାଳୀ ନୃତ୍ୟ ପ୍ରଭୃତି ଆୟୋଜନ ହୁଏ । ରଜ ଦୋଳି ଗୀତରେ କଳାକାରମାନେ ନୃତ୍ୟ ପରିବେଷଣ କରନ୍ତି । ଝିଅଙ୍କ ପୁଚି, ଲୁଡୁ, ଦଉଡି ଡିଆଁ କଉଡ଼ି ଖେଳ ଓ ଗାଁ ଦାଣ୍ଡରେ ପୁଅ ପିଲାମାନେ ତାସ, ପଶା ଓ ଲୁଡୁ, କବାଡି/ ବାଗୁଡି ଓ ଚେସ ଖେଳି ମଜା ଉଠେଇ ଥାଆନ୍ତି । ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଫେରି ଆସିଥାନ୍ତି ଘରକୁ । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ ।

୭. ବସୁମତୀ ସ୍ନାନ: ବସୁମତୀ ମାତା ତିନି ଦିନ ଧରି ଅସ୍ପୃଶ୍ୟ ରହିବା ପରେ ଚତୁର୍ଥ ଦିନ ସ୍ନାନ କରି ଶୁଦ୍ଧ ହୁଅନ୍ତି, ଏହି ଦିନକୁ ‘ବସୁମତୀ ସ୍ନାନ’ କୁହାଯାଏ । ଅନେକ ଏହାକୁ ‘ଲକ୍ଷ୍ମୀ ଗାଧୁଆ’ ଭାବେ ପାଳନ କରିଥାନ୍ତି । ଭୂମିଦହନ ବା ଶେଷ ରଜର ପରବର୍ତ୍ତୀ ଦିନ ହେଉଛି ବସୁମତୀ ସ୍ନାନ୤ । ପ୍ରତ୍ୟୁଷରେ ନିତ୍ୟକର୍ମ ସାରି ଗୃହିଣୀମାନେ ଗୃହ ସମ୍ମୁଖରେ ଶିଳପୁଆଟିଏ ରଖି ସିନ୍ଦୂର ଲଗାଇ କ୍ଷୀର ଓ ଜଳ ଢାଳି ସ୍ନାନ କରାଇଥାନ୍ତି୤ । ଏହିଦିନ ଗ୍ରାମଦେବୀଙ୍କ ନିକଟକୁ ପ୍ରତ୍ୟେକ ଘରୁ ମାଜଣା ପାଇଁ କଳାଶାଢ଼ି, ସିନ୍ଦୂର, ଶଙ୍ଖା, ଚୁଆ ଆଦି ପଠାଯାଏ୤ ଦେବୀଙ୍କ ମାଜଣା ପରେ ସେଠାରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଏ । ୤ ଏହାପରେ ହଳ, ଲଙ୍ଗଳ, ଯୁଆଳି ଓ ବଳଦଙ୍କୁ ପୂଜା କରାଯାଏ୤ । ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି । ଭୋଗ ରାଗ ସହ ବାସୁମତି ସ୍ନାନ କରାନ୍ତି । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି ।
୮. ରଜ ଦୋଳି:

Pic courtesy: Wiki pedia

Pic courtesy: Wiki pedia

ରଜ ଆସିଲେ ମନରେ ଭରିଯାଏ ଉତ୍କଣ୍ଠା । ଖେଳାବୁଲାରେ କାହାର ଆକଟ ନଥାଏ । ତୋଟାରେ କେଉଁ ଗଛରେ ଦୋଳି ବନ୍ଧା ହେବ ପୁଅମାନେ ଆଗୁଆ ନିର୍ଣ୍ଣୟ କରି ରଖିଥାଆନ୍ତି । ରଜ ପୂର୍ବରୁ ସେ ଗଛ ମୂଳକୁ ସଫା କରିବା, ବାଉଁସ କାଟିବା, ପିଢ଼ା ବା ପଟା ଯୋଗାଡ଼ ପାଇଁ ସଭିଙ୍କ ମନରେ ଉତ୍ସାହ ଦେଖିବାକୁ ମିଳେ । ହୋଇ ରୁହେ ଦଉଡି ଦୋଳି, ବାଉଁସ ଦୋଳି ଓ ପଟାଦୋଳି ଓଡ଼ିଶାର ଗାଁମାନଙ୍କରେ ଅଧିକାଂଶ ଦେଖାଯାଏ । ପହିଲି ରଜ ଦିନ ଦୋଳିକୁ ଫୁଲରେ ସଜାଯାଏ । ଦୋଳିରେ କିଏ କେତେ ଉପରକୁ ଉଠି ପାରିବ ତାକୁ ନେଇ ପ୍ରତିଯୋଗିତା ହୁଏ । ଯଦିଓ ରଜ ବିଶେଷ କରି ଝିଅମାନଙ୍କ ପର୍ବ ବୋଲି କୁହାଯାଏ, ହେଲେ ସେ ସମୟରେ ନା ଝିଅ ନା ପୁଅ କିଛି ବାଛ ବିଚାର ନଥାଏ ସମସ୍ତେ ଦୋଳିର ମଜା ନିଅନ୍ତି । ସହରୀ ସଭ୍ୟତାରେ ଦୋଳି ଲଗାଇବାକୁ ଉପଯୁକ୍ତ ଗଛ ଖଣ୍ଡିଏ ନାହିଁ କି ଖେଳିବାକୁ ଆମ୍ବ ତୋଟା ନାହିଁ । । ଏବେ ପାରମ୍ପରିକ ଦୋଳିରରୂପ ବଦଳି ସହରରେ ମେଳାମାନଙ୍କରେ ରାମ ଦୋଳି, ଚକ୍ରୀ / ଚରଖି ଦୋଳି ର ରୂପ ନେଇଛି । ଆଜିର ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକଙ୍କ ଘରେ ବେତରେ ତିଆରି ଦୋଳି ସବୁଦିନିଆ ଭାବେ ଲୋକପ୍ରିୟ ହୋଇ ପାରିଛି ।
୯. ରଜ ଦୋଳି ଗୀତ:
ରଜ ପର୍ବର ଅନ୍ୟତମ ଆକର୍ଷଣ ‘ରଜଦୋଳି ଗୀତ’, ଯାହା ଗାଁ ଗହଳିରେ ଜନ୍ମ ହୋଇ ପୁରୁଷ ପୁରୁଷ ଧରି ଲୋକ ମୁଖରେ ବୋଲାଯାଇଆସୁଛି । ରଜଦୋଳି ଗୀତ କହେ ଗାଁ ମାଟିର କଥା, ଓଡ଼ିଶାର ପାଣିପବନର କଥା, ଆଉ ଖାଣ୍ଟି ଓଡ଼ିଆ ପଣିଆର କଥା । ବାପ ଘର ଛାଡ଼ି ଶାଶୁଘରକୁ ଆସିବା ବେଳର ଅପାସୁରା ଅନୁଭୂତିକୁ ମନେ ପକାଇ ବାହାଘର ବେଳର ବାହୁନା କାନ୍ଦଣା ଗୀତ ଗାଇ ନିଜେ କାନ୍ଦିବା ସହ ଅନ୍ୟମାନଙ୍କୁ କନ୍ଦେଇଥାଆନ୍ତି । ନଣନ୍ଦ ଭାଉଜଙ୍କ ଟାହିଟାପରା ଶୁଣିବାକୁ ଭାରି ମଜାଲାଗେ । ଗାଁରେ ଝିଅ ଭୁଆଷୁଣୀମାନେ ଦଳ ବାନ୍ଧି ନାନା ପ୍ରକାରର ଦୋଳିଗୀତ ବୋଲନ୍ତି ସେହି ବୋଲା ଯାଉଥିବା ଗୀତକୁ ସବାରୀ ବା ଛଟକି କୁହାଯାଏ । ଏହି ଗୀତ ମାଧ୍ୟମରେ ଫୁଟିଉଠେ ପରସ୍ପର ମଧ୍ୟରେ ଥିବା ସ୍ନେହଶ୍ରଦ୍ଧା, ଟାହିଟାପରା, ମାନଅଭିମାନ, ଭାବପୀରତି ସବୁ କିଛି ।

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ।
ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ।
ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ।
ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ।
ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ।
ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।।
ଶଙ୍ଖ ମଲମଲ ଗିନା, ଦରଦ ଜାଣେ ଲୋ ଦରଦୀ ସିନା ।
ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ।
ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ।
ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ।
କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧର ।
ବାଲି ବନ୍ଧର ଲୋ, ଆଖି ଥିଲା ଏଣେ ତୋର ।।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ।
ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲ ।
ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ ।।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ।
ପୁଚୁକି ଗାଲି ଲୋ, ଦେଖାଉଛୁ କେତେ ବେଲି ।।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ।
ସ୍ନେହର ମଜା ରେ, ସେ ସିନା ମୋ’ ମନ ରଜା ।।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ।
କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ।
ସୁନା ନୁକୁଟ ଲୋ, ଦିଶୁଥାଏ ଝଟଝଟ ।।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ।
ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଆଁ ।।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ।
ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।।
ଛତରା ବଜାର ହାଟ, ଛକି ବସିଥିବ ଚଗଲା ନଟ ।
ଚଗଲା ନଟ ଲୋ, ଛନ୍ଦରେ ମାଗିବ ଘାଟ ।।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ।
କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ।
କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ।
ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ।
ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ।
ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ।
ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗ ।
ବଡ଼ଙ୍କ ଆଗ ଲୋ, ଲାଗିବ ନାହିଁଟି ଦାଗ ।।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉରେ ।
ଛଇ ଦେଖାଉରେ, ଅଛି କି ତୋ ଭରଷାରେ ।।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବ ।
ପରାଣୀ ହେବ ରେ, ମନ ଜାଣି ଖଞ୍ଜି ଦେବ ।।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ।
ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।।
ଅଦିନେ ପଣସ ସିଠା, ବଚନରେ ଯାର ନଥାଏ ମିଠା ।
ନଥାଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚ୍ଚା ।
ସିଂହର ବଚ୍ଚା ଲୋ, ଦେବ ନାହିଁ ପଛଘୁଞ୍ଚା ।।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ।
ଏଡ଼େ ସହସା ଲୋ, ମତେ କଲା ଲୋକହସା ।।
ଜାରା ମାରିଦେଲା ବାଣ, ଯାହାଠାରେ ଯା’ର ମିଶିଛି ମନ ।
ମିଶିଛି ମନ ଲୋ, ସେହି ଜାଣେ ତା’ର ଗୁଣ ।।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ।
ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।।
କାଳୀଗାଇ ଦୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ।
ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ।
ହେବୁ ଗୋଳିଆ ଲୋ, ତୋଫା ହେବଟି ଧୁଳିଆ ।।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ।
କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।।

୧୦ . ଝୋଟି ଚିତା:
Raja Parba bhubaneswar buzz Odisha festival 6
ରଜ ପୂର୍ବରୁ ପରିବାରର ଗୃହିଣୀମାନେ ଖୁବ ବ୍ୟସ୍ତ ରହି ଘର ଅଗଣା ଲିପା ପୋଛା, ଧୁଆଧୋଇ ଗାଧୁଆ ପାଧୁଆ କାମ ସମାପନ କରି ଝୋଟି ଚିତା ଅଙ୍କନ କରିଥାଆନ୍ତି । ଝିଅମାନଙ୍କ ପାଇଁ ଏହି କଳା ଶିଖିବାର ଏକ ଅବସର ।
୧୧. ବାଗୁଡ଼ି ବା କବାଡ଼ି ଖେଳ:

ରଜରେ କେବଳ ଝିଅ ନୁହଁନ୍ତି ପୁରୁଷମାନେ ମଧ୍ୟ ରଜ ମଉଜ କରନ୍ତି । ଗାଁ ନଈବାଲି ରେ ବାଗୁଡି ଖେଳ ଦେଖିବାକୁ ମିଳେ । ସାହି ସାହି ମଧ୍ୟରେ ବା ଗାଁ ଗାଁ ମଧ୍ୟରେ ଖେଳ ପ୍ରତିଯୋଗିତା ଚାଲେ । ଏଥିରେ ବାଜି ମଧ୍ୟ ଲାଗେ । ଦେଖିବାକୁ ବହୁତ ଲୋକ ରୁଣ୍ଡ ହୁଅନ୍ତି ।

ପ୍ରଥମ ରଜ ଓ ଶେଷ ରଜ ଦିନ ଘରେଘରେ କଦଳୀ, ପଣସ, ଆମ୍ବ, ତାଳ, କେନ୍ଦୁ, ଲିଚୁ, ଜାମୁକୋଳି ଆଦି ଖରାଦିନିଆ ଫଳମୂଳ ବିଭିନ୍ନ ପ୍ରକାର ପିଠା ଓ ମିଷ୍ଟାନ୍ନ, ଦୁଗ୍ଧଜାତ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟର ବ୍ୟବସ୍ଥା କରାଯାଇଥାଏ୤ । ରଜ ସମୟରେ ଢୋଲ, ମହୁରୀ ଓ ମାଦଳରେ ଗାଁ ଦାଣ୍ଡ ଉଛୁଳି ଉଠେ । ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟିର ଜୟ ଗୀତଗାନ କରେ କୃଷକ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଆଣେ ରଜ ପର୍ବ । ଦୋଳିରେ ଦୋଳିରେ ଛୁଟେ- କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ପୋଡପିଠା ଖାଇ ପୁଅମାନଙ୍କ ତାସ ବାଗୁଡି ଖେଳ, ଆଉ ଝିଅ ମାନଙ୍କ ଗାଁ ବୁଲା, ଅଳତାଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର #ରଜପର୍ବ ଏକ ଭିନ୍ନ ମଉକା । ଇଏ ହେଉଚି ଉତ୍କଣ୍ଠାର ରଜ ପରିବେଶ ।
Pictures are for representative purposes only. References: nibedita pattnaik, sambad, samaja, prameya and dharitri

 

 

————————————————————————————————————————

Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

 

Comments

comments