Bhubaneswar Buzz

ଗହ୍ମା ପୂର୍ଣ୍ଣିମାରେ ବଳଦେବଙ୍କ ଜନ୍ମ ଉତ୍ସବ ଆଉ ରକ୍ଷା ବନ୍ଧନ ପରମ୍ପରା

 

ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ ପୂଜା ପାଆନ୍ତି । ଆଗେ କଳିଙ୍ଗୋତ୍କଳରେ ଗମ୍ହାପୂର୍ଣିମା (ଗହ୍ମାପୂର୍ଣିମା) ଦିନ ବଳଦେବ ଜୀଉଙ୍କ ବିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବ ଜୀଉ ଦେଉଳରେ ବଳଦେବଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ ।

ଏହି ଦିନ ଗାଈ ଓ ବଳଦମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ । ଗହ୍ମା ଶବ୍ଦ ଗାଈ ଶବ୍ଦରୁ ଆସିଛି । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି । ନିଜ ନିଜ ଗୃହରେ ଆଗେ ସମସ୍ତ ଉତ୍କଳୀୟ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖାଇବାକୁ ଦିଆଯାଏ ଏବଂ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖାଯାଏ । ଏହି ଦିନ ଗୋ (ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ । ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇବା ଆକାର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ । ସେହି ବଳୀବୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗମ୍ହାବେଦୀ,ଗହ୍ମାବେଦୀ କହନ୍ତି । ସେହି ଗହ୍ମାବେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି ।

ସର୍ବଶେଷରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । ଏଇ ପରମ୍ପରା ସହିତ ମଧ୍ୟ ଯୋଡ଼ି ହୋଇଛି ମନୋରଞ୍ଜନ ଧର୍ମୀ କ୍ରୀଡ଼ା  ଗହ୍ମା ଡିଆଁ |

ଯୋଡ଼ି ହେଲାଣି ରକ୍ଷା ବନ୍ଧନ ପରମ୍ପରା :

ଭାଇ ଭଉଣୀଙ୍କ ପବିତ୍ର ସଂପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଆମ ତଥାକଥିତ ସମାଜରେ ନାରୀ ସର୍ବଦା ଅବଳା ଓ ଦୁର୍ବଳା ଭାବେ ବିବେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିହାତି ଆବଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ଭାଇ ଭଉଣୀର ଏହି ଅନାବିଳ ପ୍ରେମରୁ ରକ୍ଷା ବନ୍ଧନର ସୃଷ୍ଟି । ଅନ୍ୟ ଅର୍ଥରେ ଇତିହାସରୁ ଜଣାଯାଏ, ଯୁଦ୍ଧକୁ ଯାଉଥିବା ବୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଏ । ଏ ସୂତା ସମ୍ପର୍କର, କର୍ତ୍ତବ୍ୟ ବଦ୍ଧତାର, ପ୍ରେମର, ସୁରକ୍ଷାର ଓ ଭରସାର ସେତୁଟିଏ ।

#Odiapost ଇତିହାସରେ ରକ୍ଷା ବନ୍ଧନ ପରମ୍ପରା – କେବଳ ରକ୍ତ ସମ୍ପର୍କୀୟ ଭାଇ ଭଉଣୀଙ୍କ ମଧ୍ୟରେ ସୀମିତ ରହିନାହିଁ

ଓଡ଼ିଶାରେ ଆଜକୁ ପ୍ରାୟ ୬୦-୭୦ ବର୍ଷ ତଳେ ରକ୍ଷାବନ୍ଧନ ଏତେ ଲୋକପ୍ରିୟ ହୋଇନଥିଲା । ଭାଇମାନଙ୍କ ପାଇଁ ତାଙ୍କ ଭଉଣୀମାନେ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଯମ ଦ୍ଵିତୀୟା ଓଷା ବା ଭାତୃଦ୍ବିତୀୟା ବ୍ରତ ରଖୁଥିଲେ । ଏହା ହିନ୍ଦୀ ଭାଷୀ ଅଞ୍ଚଳର ଭାଇଦୁଜ ବ୍ରତ ଭଳି ଏକ ପ୍ରକାରର ବ୍ରତ ଥିଲା ।
ପଶ୍ଚିମଭାରତର ଗାଣପତ୍ୟ ପନ୍ଥରୁ ଅନୁପ୍ରାଣିତ ହୋଇ ପ୍ରଥମେ ଉତ୍ତରଭାରତ ତଥା ବଙ୍ଗରେ ରକ୍ଷାବନ୍ଧନ ଆରମ୍ଭ ହୋଇଥିଲା । ପଶ୍ଚିମ ଭାରତରୁ ଲୋକପ୍ରିୟ ହୋଇ ଉତ୍ତରଭାରତରେ ପ୍ରଚଳିତ ହୋଇ ବଙ୍ଗ ଦେଇ ଓଡ଼ିଶାକୁ ଆସିଲା । ବୋଧହୁଏ ଓଡିଶାରେ ବୈଷ୍ଣବ ସମ୍ପ୍ରଦାୟର ପ୍ରଭାବରେ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଅଛି ।

ସେତେବେଳେ କେବଳ ଓଡ଼ିଶାର ଧନୀକ ଧାର୍ମିକ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ହିଁ ରକ୍ଷାବନ୍ଧନ ସୀମିତ ଥିଲା । ଓଡ଼ିଶାରେ ପ୍ରଥମେ ପ୍ରଥମେ ଯେତେବେଳେ ରକ୍ଷାବନ୍ଧନ ଆସିଲା ଓଡ଼ିଆ ଲୋକେ ତାହା ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ପାଳନ କରୁଥିଲେ ।

ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ସୂତାକୁ ଶୁଦ୍ଧ ହଳଦୀଜଳରେ ବୁଡ଼ାଇ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁଥିଲେ ।
ସେ ଦିନିଆ ରେଶମ ଡୋରିର ବ୍ୟବହାର ରକ୍ଷାବନ୍ଧନପାଇଁ ହେଉନଥିଲା କାରଣ ଲୋକ ଭାବୁଥିଲେ ଗୋଟାଏ ଜୀବକୁ ମାରି ତା’ର ମୃତ ଶରୀରରୁ ଉତ୍ପାଦିତ ସୂତା ଭଲା କାହାର କିପରି ରକ୍ଷା କରି ପାରିବ !

ଭ୍ରମାତ୍ମକ ଦିଗ :

ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ ଇଣ୍ଡିଆ ରେଡିଓ, ଖବରକାଗଜ, ସାହିତ୍ୟିକ, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଆଜି ଗମ୍ହାପୂର୍ଣିମା/ଗହ୍ମାପୂର୍ଣିମା ଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି । ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ନୂତନତ୍ୱ ଓ ଫେସନ ନାମରେ ଅନ୍ୟ ସଂସ୍କୃତିର ପ୍ରାଦୁର୍ଭାବ ଫଳରେ ଉତ୍କଳୀୟ ସଂସ୍କୃତି ଅବକ୍ଷୟ ହେଉଥିବାର ଦୃଷ୍ଟି ଗୋଚର ହେଲାଣି ଯାହା ଜଗନ୍ନାଥ ସଂସ୍କୃତି ପାଇଁ ବିପଦ ଜନକ ମନେହୁଏ ।

 

Article by Sisir Sahoo

Comments

comments